
କାଲିମେଳା,୨୦।୧୨(ଡି.ଏନ୍.ଏ.)ଗୁଣିଗାରେଡି ସନ୍ଦେହରୁ ଜଣେ ଆଦିବାସୀଙ୍କୁ ଗଳାକାଟି ହତ୍ୟା କରାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ମାଟିତଳେ ପୋତି ଦେଇଛନ୍ତି ୪ ହତ୍ୟାକାରୀ। ମଙ୍ଗଳବାର ସେହି ସ୍ଥାନ ଖୋଳାଯାଇ ମୃତଦେହ ଉଦ୍ଧାର କରିଛି ପୋଲିସ। ମାଲକାନଗିରି ଜିଲା କାଲିମେଳା ଥାନା ବେଜାଙ୍ଗିଓ୍ବାଡା ପଞ୍ଚାୟତ ବଦଲିଗୁଡା ଗ୍ରାମରେ ଏଭଳି ଘଟିଛି।
ସୂଚନା ଅନୁଯାୟୀ, ଗତ ୮ ତାରିଖ ରାତିରେ ଜଣକୁ ସାପ କାମୁଡ଼ିଛି କହି ୪ ଜଣ ବ୍ୟକ୍ତି ବଦଲିଗୁଡା ଗ୍ରାମର ପଦିଆ ପଡିଆମିଙ୍କ ପୁଅ ଗଙ୍ଗା (୪୦)ଙ୍କୁ ଘରୁ ଡାକିଥିଲେ। ଜଙ୍ଗଲକୁ ନେଇ ମାଡ଼ ମାରିବା ସହ ସେମାନେ ତାଙ୍କ ଗଳା କାଟି ହତ୍ୟା କରିଥିଲେ। ପରେ ବିଏସ୍ଏଫ୍ କ୍ୟାମ୍ପ ନିକଟବର୍ତ୍ତୀ ଗମ୍ପାକୋଣ୍ଡା ମୁଖ୍ୟ କେନାଲ ବନ୍ଧରେ ମାଟି ଖୋଳି ଗଙ୍ଗାଙ୍କ ମୃତଦେହକୁ ପୋତି ଦେଇଥିଲେ ୪ ଦୁର୍ବୃତ୍ତ। ମାଓବାଦୀପ୍ରବଣ ତଥା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଘଟଣା ପ୍ରଘଟ ହୋଇ ନଥିଲା ା ସ୍ତ୍ରୀ ଯୋଗୀ ସ୍ବାମୀଙ୍କୁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ ା ପରେ ଗୁଣି ଗାରେଡ଼ି ପାଇଁ କିଛି ଲୋକ ତାଙ୍କୁ ମାରି ଦେଇଥିବା ଜାଣିବାକୁ ପାଇଥିଲେ। ହତ୍ୟାରେ ସାମିଲ ଥିବା ବଦଲିଗୁଡା ଗ୍ରାମର ୪ ଜଣଙ୍କ ନାମରେ ଗତ ୧୮ ତାରିଖ ଯୋଗୀ କାଲିମେଳା ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ପରେ ମଙ୍ଗଳବାର ଗଙ୍ଗାଙ୍କୁ ପୋତାଯାଇଥିବା ସ୍ଥାନରେ ପହଞ୍ଚତ୍ କାଲିମେଳା ମାଜିଷ୍ଟ୍ରେଟ ସନତ ନାୟକଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଥାନାରେ କେସ୍ ନଂ ୮୩/୧୭ରେ ଏକ ମାମଲା ରୁଜୁ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣ ଘଟଣା ଦିନଠାରୁ ଫେରାର ହୋଇଯାଇଛନ୍ତି।