
ଆନନ୍ଦପୁର,୨୦।୧୨ (ଡି.ଏନ.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ବିକାଶ ପରିଷଦର ସଭାପତି ସୁରେଶ ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ୨୦ନମ୍ବର ଜାତୀୟ ରାଜପଥ ହସନପୁର ଟୋଲଗେଟ ଆଗରେ ବୁଧବାର ସକାଳଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇ ଗଣଧାରଣା ଦେଇଛନ୍ତି। ଏହି ଜାତୀୟ ରାଜପଥ ନିର୍ମାଣରେ ତ୍ରୁଟି, ଅଧାପନ୍ତରିଆ କାର୍ଯ୍ୟ ଓ ସର୍ଭିସ ରୋଡ଼ ସୂମ୍ପୂର୍ଣ୍ଣ ନ ହେବା ଆଦି କାରଣରୁ ଗତ ୬ ମାସ ମଧ୍ୟରେ ଅଧିକ ସଡକ ଦୁର୍ଘଟଣା ଘଟିଛି। ଏସବୁ ଦୁର୍ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ମିଳିନାହିଁ । ଏସବୁ ସମସ୍ୟା ନେଇ ଗଣଧାରଣା ଦିଆଯାଇଥିବା ପରିଷଦ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲାର ଲାଇଫ ଲାଇନ କୁହାଯାଉଥିବା ଏହି ୨୦ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଭାବେ ଛାଡ଼ି ଦିଆଯାଇ ଯାନବାହାନରୁ ବେଆଇନ ଭାବେ ଟୋଲ ଆଦାୟ କରାଯାଉଥିବାରୁୁ ପରିଷଦ ଏହାକୁ ବିରୋଧ କରି ଆସୁଛି। ଯେତେଦିନ ଯାଏ ସମସ୍ୟାର ସମାଧାନ ନ ହୋଇଛି ଆନ୍ଦୋଳନ ଜାରି ରହିବ ବୋଲି ଉପସ୍ଥିତ କର୍ମୀମାନେ ଚେତାବନୀ ଦେଇଛନ୍ତି। ଏହିଧାରଣାରେ ରମେଶସାହୁ, ଛେଳିଆ ପାତ୍ର, ସନାତନ ପାତ୍ର, ସୁକାନ୍ତି ଜେନା, ଅନୂସୟା ଜେନା, କୋଇଲି ଗୋପବନ୍ଧୁ ପଣ୍ଡା, ବୈଲୋଚନ ବାରିକ, ମମତା ସାହୁ, ମନୋଜ ସାହୁ, କୁକୁନ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି। ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅମୂଲ୍ୟ କୁମାର ରାଉତ ରାଉତରାୟ ଏବଂ ଆନନ୍ଦପୁର ଥାନା ଅଧିକାରୀ ସୁଦର୍ଶନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।