ଖେଳ |

ବୃହତ୍‌ ଟି୨୦ ବିଜୟ

 ବୃହତ୍‌ ଟି୨୦ ବିଜୟ

କଟକ, ୨୦।୧୨(ତପନ ସ୍ବାଇଁ)- ଓଡ଼ିଶା କ୍ରିକେଟର ମକ୍କାଭାବେ ପରିଚିତ ଐତିହାସିକ ବାରବାଟୀ ଷ୍ଟାଡିୟମ ପୁଣିଥରେ ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ବୁଧବାର ଖଚାଖଚ ଦର୍ଶକରେ ଭରା ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୯୩ ରନରେ ଶ୍ରୀଲଙ୍କାକୁ ହରାଇ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୮୧ ରନ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ୧୬ ଓଭରରେ ୮୭ ରନକରି ଅଲଆଉଟ ହୋଇ ଯାଇଥିଲା। ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ ଓ ମନୀଷ ପାଣ୍ଡେଙ୍କ ଦ୍ରୁତ ଇନିଂସ ପରେ ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ ଯାଦୁରେ ବଶୀଭୂତ ହୋଇଥିଲା ଶ୍ରୀଲଙ୍କା। ଭାରତୀୟ ସ୍ପିନରଙ୍କୁ ଖେଳିବାରେ ଶ୍ରୀଲଙ୍କା ଅସମର୍ଥ ହେବାରୁ ମ୍ୟାଚ ଏକପାଖିଆ ହୋଇ ଯାଇଥିଲା। ବାରବାଟୀରେ ଭାରତର ଏହାଥିଲା ୧୪(୧୨ ଦିନିକିଆ, ୧ ଟେଷ୍ଟ, ୧ ଟି୨୦)ତମ ବିଜୟ। ଏହା ବ୍ୟତୀତ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଦକ୍ଷିଣ ଆଫ୍ରିକା ନିକଟରୁ ଲଜ୍ଜାଜନକ ପରାଜୟ ଏଠାରେ ଭରଣା ସହ ମଧୁର ସ୍ମୃତି ନେଇ ବାରବାଟୀରୁ ବିଦାୟ ନେଇଛି ଟିମ୍‌ ଇଣ୍ଡିଆ। ୟୁଜବେନ୍ଦ୍ରଙ୍କ କମାଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଓଭରରୁ ୧୧ ରନ ନେଇ ଭଲ ଆରମ୍ଭ କରିଥିଲେ ହେଁ ଶ୍ରୀଲଙ୍କା ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ନିରୋଶାନ ଡିକ୍‌ୱେଲା(୧୩)ଙ୍କ ଉଇକେଟ ହରାଇ ଝଟ୍‌କା ଖାଇଥିଲା। ଜୟଦେବ ଉନାଡକଟ୍‌ ଭାରତକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ। ମ୍ୟାଚର ୫ମ ଓଭରରେ ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଛକା ଓ ଚୌକା ମାରି ଫର୍ମରେଥିବା ଉପୁଲ ଥରଙ୍ଗା ଇନିଂସକୁ ଆଗକୁ ବଢ଼ାଇଥିଲେ। ମାତ୍ର ସେହି ଓଭରର ୫ମ ବଲ୍‌ରେ ଥରଙ୍ଗା(୨୩)ଙ୍କୁ ଧୋନୀଙ୍କ ହାତରେ କ୍ୟାଚ କରାଇ ଚହଲ ବଡ଼ ସଫଳତା ପାଇଥିଲେ। ୩୯ ରନରେ ୨ଟି ଉଇକେଟ ପଡ଼ିଯିବାରୁ କୁସାଲ ପେରେରା ଓ ଆଞ୍ଜେଲୋ ମାଥ୍ୟୁସଙ୍କ ଉପରେ ଅନେକ କିଛି ନିର୍ଭର କରୁଥିଲା। ମାତ୍ର ୮ମ ଓଭରର ଦ୍ୱିତୀୟ ବଲ୍‌ରେ ମାଥ୍ୟୁସ(୧)ଙ୍କୁ କଟ୍‌ ଆଣ୍ଡ ବୋଲ୍ଡ କରି ଶ୍ରୀଲଙ୍କାକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ ଚହଲ। କେବଳ ସେତିକି ନୁହେଁ ସେ ଅସେଲା ଗୁଣରତ୍ନେ(୪)ଙ୍କୁ ଧୋନୀଙ୍କ ହାତରେ ଷ୍ଟମ୍ପିଂ କରାଇ ଭାରତ ସ୍ଥିତିକୁ ଦୃଢ଼ କରିଦେଇଥିଲେ। ୧୦ ଓଭର ଶେଷ ବେଳକୁ ଶ୍ରୀଲଙ୍କା ୪ ଉଇକେଟ ହରାଇ ୫୭ ରନ କରିଥିଲା। ୧୧ତମ ଓଭରର ଦ୍ୱିତୀୟ ବଲ୍‌ରେ ଦସୁନ ସନକା(୧) ଆଉଟ ହେବାରୁ ମ୍ୟାଚ ଏକପାଖିଆ ହୋଇ ଯାଇଥିଲା। ଚମତ୍କାର ବୋଲିଂ କରିଥିଲେ ଚହଲ। ସେ ନିଜ ଶେଷ ଓଭରର ପ୍ରଥମ ବଲ୍‌ରେ ଅଧିନାୟକ ଥିସାରା ପେରେରାଙ୍କୁ ଆଉଟ କରି ୪ର୍ଥ ଉଇକେଟ ସଫଳତା ପାଇଥିଲେ। ସେ ନିଜ ୪ ଓଭର ସ୍ପେଲରେ ୨୩ ରନ ଦେଇଥିଲେ। ପରେ କୁଶାଲ ପେରେରା ଓ ଅକିଲା ଦନଞ୍ଜୟ ଯଥାକ୍ରମେ ୧୯ ଓ ୭ ରନ କରି ଆଉଟ ହେବାରୁ ୭୬ ରନରେ ଦଳର ୮ମ ଉଇକେଟ ପତନ ଘଟିଥିଲା। ପରବର୍ତ୍ତୀ ଖେଳ କେବଳ ଔପଚାରିକତା ହୋଇ ରହି ଯାଇଥିଲା। ୧୬ ଓଭରରେ ମାତ୍ର ୮୭ ରନରେ ସୀମିତ ହୋଇ ରହିଯାଇଥିଲା ଶ୍ରୀଲଙ୍କା। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ଟି, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, କୁଲଦୀପ ଯାଦବ ୨ଟି ଓ ଜୟଦେବ ଉନାଡକଟ୍‌ ଗୋଟିଏ ଉଇକେଟ ନେଇଥିଲେ। ନିରାଶ କଲେ ରୋହିତ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଥିସିରା ପେରେରା। ପଦାର୍ପଣ ଟି୨୦ ମ୍ୟାଚ ଖେଳିଥିବା ବିଶ୍ୱ ଫର୍ନାଣ୍ଡୋଙ୍କୁ ସେ ବୋଲିଂ ଓପନ ଭାର ଦେଇଥିଲେ। ପ୍ରଥମ ଓଭରର ଦ୍ୱିତୀୟ ବଲକୁ ଚୌକାରେ ପରିଣତ କରି ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ଲୋକେଶ ରାହୁଲଙ୍କ ସହ ମିଶି ସେ ଦ୍ରୁତ ହାରରେ ସେ ରନ ସଂଗ୍ରହ କରିଥିଲେ। ୫ ଓଭରରେ ଦଳୀୟ ସ୍କୋର ୩୮ ହୋଇଥିବାବେଳେ ରୋହିତ ମିଡ୍‌ଅନ୍‌ ଉପରେ ମାରିବାକୁ ଯାଇ ଦୁଷ୍ମନ୍ଥ ଚାମିରାଙ୍କ ହାତରେ ଧରା ପଡ଼ିଥିଲେ॥ ଚାମିରା ଆଗକୁ ଡାଇଭ୍‌ ମାରି ଚମତ୍କାର ଭାବେ କ୍ୟାଚଟି ନେଇଥିଲେ। ୧୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରୋହିତ ୨ ଚୌକା ସହାୟତାରେ ୧୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ରୋହିତଙ୍କ ବଡ଼ ଇନିଂସ ଦେଖିବାକୁ ଆଶା କରିଥିବା ବାରବାଟୀ ଦର୍ଶକ ନିରାଶ ହୋଇଥିଲେ। ଲୋକେଶଙ୍କ ରିଭ୍ୟୁ ସଫଳ, ଅର୍ଦ୍ଧଶତକ ରୋହିତଙ୍କ ସ୍ଥାନରେ ଶ୍ରେୟାସ ଆୟାର କ୍ରିଜରେ ଯୋଗ ଦେବାପରେ ଦାୟିତ୍ୱ ନିଜ ଉପରକୁ ନେଇଥିଲେ ଲୋକେଶ। ୬ ଓଭରରେ ଦଳୀୟ ସ୍କୋର ୫୦ ପୂରଣ ହୋଇଥିଲା। ୭ମ ଓଭରର ଆଞ୍ଜେଲୋ ମାଥ୍ୟୁସଙ୍କ ପ୍ରଥମ ବଲ୍‌ରେ ଲୋକେଶ ରାହୁଲଙ୍କୁ ଏଲବିଡବଲ୍ୟୁ ଦେଇଥିଲେ ଅମ୍ପାୟର ନୀତୀନ ମେନନ। ଅସନ୍ତୁଷ୍ଟ ରାହୁଲ ରିଭ୍ୟୁ ମାଗିଥିଲେ। ମାତ୍ର ବଲ୍‌ ଟ୍ରାକିଂରେ ବଲ୍‌ ଷ୍ଟମ୍ପ ଉପରେ ଯାଉଥିବା ରିପ୍ଲେରେ ସ୍ପଷ୍ଟ ହୋଇଥିଲା। ଅମ୍ପାୟର ନିଷ୍ପତ୍ତିରେ ପରିବର୍ତ୍ତନ କରି ନଟ୍‌ଆଉଟ ଘୋଷଣା କରିଥିଲେ। ସେତେବେଳକୁ ରାହୁଲ ୨୩ ରନ କରିଥିଲେ। ୩୪ ବଲ୍‌ରୁ କ୍ୟାରିୟରର ଦ୍ୱିତୀୟ ଟି୨୦ ଅର୍ଦ୍ଧଶତକ ପୂରଣ କରିଥିଲେ ରାହୁଲ। ଏଥିରେ ସାମିଲଥିଲା ୬ ଚୌକା, ୧ ଛକା।୯ ଓଭରର ୫ମ ବଲ୍‌ରେ ସେ ଇନିଂସର ପ୍ରଥମ ଛକା ମାରିଥିଲେ। ୧୦ ଓଭର ବେଳକୁ ଭାରତ ୧ ଉଇକେଟ ହରାଇ ୮୪ ରନ ସଂଗ୍ରହ କରି ନେଇଥିଲା। ଦ୍ୱିତୀୟ ଉଇକେଟ ଭାଗୀଦାରିରେ ୪୬ ବଲ୍‌ରୁ ୬୩ ରନ ଯୋଗ ପରେ ଶ୍ରୀଲଙ୍କାକୁ ପ୍ରତିକ୍ଷିିତ ବ୍ରେକ୍‌ ଥ୍ରୁ ଦେଇଥିଲେ ନୂଆନ ପ୍ରଦୀପ। ପ୍ରଥମ ସ୍ପେଲରେ ୧ ଓଭରରେ ୯ ରନ ଦେଇଥିବା ପ୍ରଦୀପ ନିଜ ଦ୍ୱିତୀୟ ଓଭରର ୪ର୍ଥ ବଲ୍‌ରେ ଆୟାରଙ୍କୁ ଉଇକେଟ କିପର ଡିକ୍‌ୱେଲାଙ୍କ ହାତରେ କ୍ୟାଚ କରାଇ ପ୍ୟାଭିଲିୟନ ଫେରାଇଥିଲେ। ୨୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଆୟାର ୩ ଚୌକା ସହାୟତାରେ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ଧୋନୀ ଧ୍ୱନୀରେ କମ୍ପିିଲା ଷ୍ଟାଡିୟମ ମହେନ୍ଦ୍ର ସିଂ ଧୋନୀ କ୍ରିଜକୁ ଆସିବାବେଳେ ଷ୍ଟାଡିୟମ ପ୍ରକମ୍ପିତ ହୋଇଥିଲା। ବାରବାଟୀ ଦର୍ଶକ ଧୋନୀ, ଧୋନୀ ଚିତ୍କାର କରି ମାହିଙ୍କୁ ସ୍ବାଗତ କରିଥିଲେ। ପାଦରେ ଯନ୍ତ୍ରଣା ଅନୁଭବ କରି ଫିଜିଓଙ୍କଦ୍ୱାରା ଚିକିତ୍ସା କରାଇଥିବା ଲୋକେଶ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ବ୍ୟକ୍ତିଗତ ୬୧ ରନ କରି ସେ ୧୫ତମ ଓଭରର ତୃତୀୟ ବଲ୍‌ରେ ଥିସାରା ପେରେରାଙ୍କଦ୍ୱାରା କ୍ଲିନ ବୋଲ୍ଡ ହୋଇ ଯାଇଥିଲେ। ୪୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଲୋକେଶ ନିଜ ଇନିଂସ ମଧ୍ୟରେ ୭ ଚୌକା ୧ ଛକା ମାରିଥିଲେ। ୧୬ତମ ଓଭରରେ ନୂଆନ ପ୍ରଦୀପ ମାତ୍ର ୫ ରନ ଦେଇଥିଲେ। ୧୭ତମ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ମନୀଷ ପାଣ୍ଡେ। ଧୋନୀ ଓ ମନୀଶ ଏହି ଓଭରରୁ ୧୯ ରନ ସଂଗ୍ରହ କରିଥିଲେ। ପେରେରାଙ୍କ ୧୮ତମ ଓଭରରୁ ୯ ରନ ଆସିଥିଲା। ୧୯ତମ ଓଭରରୁ ଧୋନୀ-ପାଣ୍ଡେ ୨୧ ରନ ସଂଗ୍ରହ କରି ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ୨୦ତମ ଓଭରରେ ବୋଲିଂ କରିଥିବା ପେରେରାଙ୍କ ପ୍ରଥମ ୫ ବଲ୍‌ରୁ ମାତ୍ର ୬ ରନ ସଂଗ୍ରହ ହୋଇଥିଲା। ଶେଷ ବଲ୍‌ ବେଳକୁ ଷ୍ଟ୍ରାଇକ୍‌ରେ ଥିଲେ ଧେନୀ। ଦର୍ଶକଙ୍କ ଛକା ଛକା ଧ୍ୱନୀରେ ଉତ୍ସାହିତ ହୋଇଥିଲେ ମାହି। ସେ ଶେଷ ବଲ୍‌କୁ ଛକା ମାରି ମିଡ୍‌ ଉଇକେଟ ଉପରେ ବିଶାଳ ଛକା ମାରି ଇନିଂସର ପରିସମାପ୍ତି ଘଟାଇଥିଲେ। ଭାରତ ୨୦ ଓଭରରେ ୩ ଉଇକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ମନୀଶ ପାଣ୍ଡେ ୧୮ ବଲ୍‌ରୁ ୨ଚୌକା ଓ ୨ ଛକା ସହାୟତାରେ ୩୨ ଏବଂ ଧୋନୀ ୨୨ ବଲ୍‌ରୁ ୪ ଚୌକା ୧ ଛକା ସହିତ ୩୯ ରନରେ ଅପରାଜିତ ରହିଥିଲେ। ଅସମାପ୍ତ ୪ର୍ଥ ଉଇକେଟ ଯୋଡ଼ିରେ ଏ ଦୁହେଁ ୩୪ ବଲ୍‌ରୁ ୬୮ ରନ ସଂଗ୍ରହ କରିଥିଲେ। ଶେଷ ୪ ଓଭରରେ ଭାରତ କୌଣସି ଉଇକେଟ ନ ହରାଇ ୬୧ ରନ ସଂଗ୍ରହ କରିଥିଲା। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଆଞ୍ଜେଲୋ ମାଥ୍ୟୁସ, ଥିସାରା ପେରେରା ଓ ନୂଆନ ପ୍ରଦୀପ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

All Right Reserved By

Model This Week

ନିକିତା

ଖେଳ |

ସାଉଥ ଏସିଆନ୍‌ ସିନିୟର ଚାମ୍ପିୟନ୍‌ଶିପ୍‌ ଭାରତୀୟ ଜୁଡୋକାଙ୍କୁ ୧୦ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୩।୪(ପି.ଟି.)- ନେପାଳର ଲାଲିତପୁରଠାରେ ଅନୁଷ୍ଠିତ ୮ମ ସାଉଥ୍‌ ଏସିଆନ୍‌ ସିନିୟର ଜୁଡୋ ଚାମ୍ପିୟନ୍‌ଶିପ୍‌ରେ ଭାରତୀୟ ପ୍ରତିନିଧି ଦଳକୁ ୧୦ଟି ସ୍ବର୍ଣ୍ଣ ସମେତ ମୋଟ ୧୩ଟି ପଦକ ମିଳିଛି। ପଦକ ତାଲିକାରେ ୩ଟି ବ୍ରୋଞ୍ଜ ରହିଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ୭ ମହିଳା ଆଥ୍‌ଲେଟ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ମହିଳା ବ୍ରାଜିଲ ଦଳକୁ ୭ମ କୋପା ଡେଲ ରେ

ମହିଳା ବ୍ରାଜିଲ ଦଳକୁ ୭ମ କୋପା ଡେଲ ରେ

ସାଣ୍ଟିଗୋ, ୨୩।୪(ଏଏଫ୍‌ପି)- ଚଳିତ ମହିଳା କୋପା ଡେଲ ରେ’ ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ଚାମ୍ପିୟନ୍‌ ହୋଇଛି। ଫଳରେ ଟୁର୍ନାମେଣ୍ଟର ୮ମ ସଂସ୍କରଣରେ ବ୍ରାଜିଲ ୭ମ ଥର ପାଇଁ ଟାଇଟଲ ଜିତିବା ସ୍ପଷ୍ଟ ହୋଇଛି। ଏଥିସହ ବ୍ରାଜିଲ ଫ୍ରାନ୍ସରେ ହେବାକୁ ଥିବା ୨୦୧୯ ମହିଳା ଫିଫା ବିଶ୍ୱକପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛି।

ମହମଦ ସାଲା ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଖେଳାଳି

ମହମଦ ସାଲା ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଖେଳାଳି

ଲଣ୍ଡନ,୨୩।୪- ମହମଦ ସାଲାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ପ୍ରିମିୟର ଲିଗ୍‌ ଖେଳାଳି ପୁରସ୍କାର ମିଳିଛି। ଲିଭରପୁଲ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମହମ୍ମଦ ଚଳିତ ସିଜନରେ ସର୍ବାଧିକ ୪୧ଟି ଗୋଲ ଦେଇଛନ୍ତି। ସେ ମାଞ୍ଚେଷ୍ଟର ସିଟି କେଭିନ ଡେ ବ୍ରୁନେଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି।

ତ୍ରୁଟିପୂର୍ଣ୍ଣ ଅମ୍ପାୟରିଂ ଯୋଗୁ ହାରିଲା ହାଇଦ୍ରାବାଦ

ତ୍ରୁଟିପୂର୍ଣ୍ଣ ଅମ୍ପାୟରିଂ ଯୋଗୁ ହାରିଲା ହାଇଦ୍ରାବାଦ

ନୂଆଦିଲ୍ଲୀ, ୨୩।୪- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅମ୍ପାୟରିଂ ସ୍ଥର ଉପରେ ପୁଣି ପ୍ରଶ୍ନ ଉଠିଛି। ରବିବାର ହାଇଦ୍ରାବାଦଠାରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଅନ୍ତିମ ଓଭରରେ ଫିଲ୍ଡ ଅମ୍ପାୟର ବିନିତ କୁଲକର୍ନି ଏକ ନୋ ବଲ୍‌ ନିଷ୍ପତ୍ତି ଦେଇ ନ ଥିଲେ। ଫଳରେ ଘରୋଇ ଦଳ ଏକ ଅତିରିକ୍ତ ରନ୍‌ ସହ ଫ୍ରି ହିଟ୍‌ ହରାଇଥିଲା, ଯାହାକି ତାଙ୍କ ପରାଜୟର କାରଣ ପାଲଟି ଥିଲା।

ମାର୍କୁଏଜଙ୍କୁ ୬ଷ୍ଠ ମୋଟୋଜିପି ଟାଇଟଲ

ମାର୍କୁଏଜଙ୍କୁ ୬ଷ୍ଠ ମୋଟୋଜିପି ଟାଇଟଲ

ଓ୍ବାଶିଂଟନ,୨୩।୪- ଡିଫେଣ୍ଡିଂ ଚାମ୍ପିୟନ୍‌ ମାର୍କ ମାର୍କୁଏଜ କ୍ରମାଗତ ୬ଷ୍ଠ ଥର ପାଇଁ ଆମେରିକାର ମୋଟୋଜିପି ଗ୍ରଁା ପ୍ରି ଟାଇଟଲ ଜିତିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୪ର୍ଥ ସ୍ଥାନରେ ରହିବା ସତ୍ତ୍ୱେ ତାଙ୍କୁ ରେସ୍‌ ଜିତିବାରୁ କୌଣସି ଡ୍ରାଇଭର ରୋକି ପାରି ନ ଥିଲେ। ୨୦୧୩ରେ ପ୍ରଥମ ମୋଟୋଜିପି ରେସ ଜିତିଥିବା ସ୍ପାନିଶ ଡ୍ରାଇଭର କ୍ରମାଗତ ୬ ବର୍ଷ ଧରି ଏହି ରେସ୍‌ ଜିତି ଆସୁଛନ୍ତି।

ଭାରୋତ୍ତୋଳକଙ୍କୁ ମିଳିନାହିଁ ଘୋଷିତ ଅର୍ଥରାଶି

ଭାରୋତ୍ତୋଳକଙ୍କୁ ମିଳିନାହିଁ ଘୋଷିତ ଅର୍ଥରାଶି

ଲୁଧିଆନା, ୨୩।୩- ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ଭାରୋତ୍ତୋଳକ ବିକାଶ ଠାକୁରଙ୍କୁ ଏ ପର୍ଯ୍ୟନ୍ତ କୌଣସି ପୁରସ୍କାର ରାଶି ମିଳିନାହିଁ। ସେ ପୁରୁଷ ବିଭାଗର ୯୪ କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। କିନ୍ତୁ ତାଙ୍କୁ ପଞ୍ଜାବ କ୍ରୀଡ଼ା ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇ ନାହିଁ। ଏଥିନେଇ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦୁଃଖ ପ୍ରକାଶ କରିଛନ୍ତି।

୨୦୧୯ ବିଶ୍ୱକପ୍‌ ପରେ ଅବସର ନିଷ୍ପତ୍ତି ନେବି-ଯୁବି

୨୦୧୯ ବିଶ୍ୱକପ୍‌ ପରେ ଅବସର ନିଷ୍ପତ୍ତି ନେବି-ଯୁବି

ନୂଆଦିଲ୍ଲୀ,୨୩।୪- ଆଗାମୀ ବର୍ଷ ଇଂଲଣ୍ଡ ଓ ଓ୍ବେଲ୍ସଠାରେ ହେବାକୁ ଥିବା ବିଶ୍ୱକପ୍‌ ପରେ ଅବସର ସମ୍ପର୍କରେ ନିଷ୍ପତ୍ତି ନେବି ବୋଲି ଭାରତୀୟ ଅଲରଉଣ୍ଡର ଯୁବରାଜ ସିଂ କହିଛନ୍ତି। ଯୁବରାଜ ଅନ୍ତିମ ଥର ଗତ ବର୍ଷ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ।

ଲଣ୍ଡନ ମାରାଥନ କିପ୍‌ଚୋଗେ,ଚେରୁୟଟଙ୍କୁ ଟାଇଟଲ

ଲଣ୍ଡନ ମାରାଥନ କିପ୍‌ଚୋଗେ,ଚେରୁୟଟଙ୍କୁ ଟାଇଟଲ

ଲଣ୍ଡନ,୨୩ା୪-ରବିବାର ଅନୁଷ୍ଠିତ ଲଣ୍ଡନ ମାରାଥନରେ ଅଲିମ୍ପିକ ଚାମ୍ପିୟନ ତଥା କେନିୟାର ଏଲିଉଡ୍‌ କିପ୍‌ଚୋଗେ ରବିବାର ତୃତୀୟ ଥରପାଇଁ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ବ୍ରିଟେନର ମୋ ଫାରା (୨:୦୪:୪୯) ତୃତୀୟ ସ୍ଥାନ ଅଧିକାର କରିଥିଲେ। କେନିୟାର ଭିଭିଆନ ଚେରୁୟଟ୍‌ ଆଶ୍ଚର୍ଯ୍ୟଜନକ ଭାବେ ମହିଳା ଟାଇଟଲ ହାସଲ କରିଛନ୍ତି।

ନାଡାଲଙ୍କୁ ୧୧ତମ ମଣ୍ଟେ କାର୍ଲୋ ଟାଇଟଲ

ନାଡାଲଙ୍କୁ ୧୧ତମ ମଣ୍ଟେ କାର୍ଲୋ ଟାଇଟଲ

ମଣ୍ଟେ କାର୍ଲୋ,୨୩।୪(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟୁର୍ନାମେଣ୍ଟରେ ଟାଇଟଲ ଅର୍ଜନ କରିଛନ୍ତି। ସେ ଜାପାନର କେଇ ନିଶିକୋରିଙ୍କୁ ୬-୩, ୬-୨ ସେଟ୍‌ରେ ହରାଇ ଏହି ସଫଳତା ପାଇଛନ୍ତି।

ସିପକଟାକ୍ର ଫେଡେରେଶନ୍‌ କପ୍‌: ଓଡ଼ିଶା ରନର୍ସଅପ

ସିପକଟାକ୍ର ଫେଡେରେଶନ୍‌ କପ୍‌: ଓଡ଼ିଶା ରନର୍ସଅପ

କଟକ ଅଫିସ, ୨୩ା୪- ଚଣ୍ଡୀଗଡ଼ଠାରେ ଅନୁଷ୍ଠିତ ହୋଇଥିବା ୮ମ ସିପକଟାକ୍ର ଫେଡେରେଶନ୍‌ କପ୍‌ରେ ଓଡ଼ିଶା ମହିଳା ଦଳ ଫାଇନାଲରେ ହାରି ରନର୍ସଅପ ହେବା ସହ ରୌପ୍ୟ ପଦକ ବିଜୟୀ ହୋଇଛି । ଏସ୍‌ଏସ୍‌ବି(ସଶସ୍ତ୍ରୀ ସୀମା ଦଳ) ବିପକ୍ଷରେ ଖେଳିଥିବା ପ୍ରତିଯୋଗିତାର ଫାଇନାଲ ମୁକାବିଲାରେ ଓଡ଼ିଶା ୨-୦ ସେଟ୍‌ରେ ପରାସ୍ତ ହୋଇଥିଲା ।

ଜୁନିୟର ବାସ୍କେଟବଲ ଭୁବନେଶ୍ୱର, ଆରଏସ୍‌ପି ଚାମ୍ପିୟନ

ଜୁନିୟର ବାସ୍କେଟବଲ ଭୁବନେଶ୍ୱର, ଆରଏସ୍‌ପି ଚାମ୍ପିୟନ

କଟକ ଅଫିସ, ୨୩ା୪- ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି ।

ମୁମ୍ବାଇକୁ ହରାଇଲେ ଗୋଥାମ

ମୁମ୍ବାଇକୁ ହରାଇଲେ ଗୋଥାମ

ଜୟପୁର, ୨୩ା୪- ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ପରେ କ୍ରିଷ୍ଣାପ୍ପା ଗୋଥାମଙ୍କ ବିସ୍ଫୋରକ ୧୧ ବଲ୍‌ରୁ ୩୩(୪ ଚୌକା, ୨ ଛକା) ରନ ବଳରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ଉଇକେଟରେ ହରାଇ ଦେଇଛି। ୧୬୮ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଥିଲା।