ବାଲେଶ୍ୱର

ମହିଳାଙ୍କଠାରୁ ଝାମ୍ପି ନେଲେ ୩୦ହଜାର

ମହିଳାଙ୍କଠାରୁ ଝାମ୍ପି ନେଲେ ୩୦ହଜାର

ବାଲେଶ୍ୱର ଅଫିସ,୧୯।୧୨-ବାଲେଶ୍ୱର ସଦର ବ୍ଲକ ନଗ୍ରମ ଗ୍ରାମର କବିତା ଜେନା ମଙ୍ଗଳବାର ମଧ୍ୟାହ୍ନରେ ବାଲେଶ୍ୱର କାନାଡ଼ା ବ୍ୟାଙ୍କରୁ ୩୦ହଜାର ଟଙ୍କା ଉଠାଇ ବସ୍‌ରେ ଘରକୁ ଫେରୁଥିଲେ। ବସ୍‌ରୁ ୬୦ନଂ. ଜାତୀୟ ରାଜପଥର ଫୁଲାଡ଼ି ଛକରେ ଓହ୍ଲାଇବାର ମାତ୍ର ୨ ମିନିଟ୍‌ ପରେ ଗୋଟିଏ କଳା ପଲସର୍‌ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ୍‌ଟିକୁ ଝାମ୍ପି ନେଇ ବାଲେଶ୍ୱର ଟାଉନ୍‌ ଆଡ଼କୁ ପଳାଇଥିଲେ। ସ୍ଥାନୀୟ ଲୋକେ ଚେଷ୍ଟା କରି ମଧ୍ୟ ଦୁର୍ବୃତ୍ତମାନଙ୍କୁ ଧରିପାରି ନ ଥିଲେ। ଏ ସମ୍ପର୍କରେ ମହିଳା ଜଣକ ସଦର ଥାନା ଅଧୀନ ହଳଦୀପଦା ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଉକ୍ତ ଅଞ୍ଚଳ ସହଦେବଖୁଣ୍ଟା ଥାନା ଅଧୀନରେ ଆସିଥିବା କହି ଫେରାଇ ଦେଇଥିଲେ। କବିତା ପୁନର୍ବାର ସହଦେବଖୁଣ୍ଟା ଥାନାକୁ ଅଭିଯୋଗ ପତ୍ର ନେଇ ଆସିଥିବା କହିଛନ୍ତି।

All Right Reserved By

Model This Week

ନିକିତା

ବାଲେଶ୍ୱର

ବଜ୍ରପାତରେ ଜଣେ ମୃତ

ବଜ୍ରପାତରେ ଜଣେ ମୃତ

ଚାନ୍ଦବାଲି,୨୪।୪(ଡି.ଏନ.ଏ)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓରାସାହି ପଞ୍ଚାୟତ କସ୍ତୁରୀକଣ ଗ୍ରାମର ପ୍ରଫୁଲ୍ଲ ରାଉତ(୩୫) ସୋମବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

ଭଦ୍ରକ ଅଫିସ,୨୪।୪-ଭଦ୍ରକ ଜିଲା ରାନ୍ଦିଆ ଅଞ୍ଚଳର ଓଭରବ୍ରିଜ ନିକଟରେ ବ୍ୟବସାୟୀ ମନୋଜ ମଣ୍ଡଳଙ୍କଠାରୁ ପ୍ରାୟ ୧ଲକ୍ଷ ୩୫ ହଜାର ଟଙ୍କା ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସୋମବାର ମଧ୍ୟାହ୍ନରେ ଲୁଟି ନେଇଛନ୍ତି। ମନୋଜ ଉକ୍ତ ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିବାକୁ ନେଇ ଯାଉଥିବାବେଳେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇ ପଳାଇଯାଇଥିଲେ। ଉକ୍ତ ବ୍ୟାଗ୍‌ରେ ୧ ଲକ୍ଷ ୫ ହଜାର ଟଙ୍କା ଓ ୩୦ହଜାର ଟଙ୍କାର ଏକ ଚେକ୍‌ ଥିବା ମନୋଜ କହିଛନ୍ତି।

ଶିକ୍ଷକ ନିଯୁକ୍ତି ଦାବିରେ ଆମରଣ ଅନଶନ

ଶିକ୍ଷକ ନିଯୁକ୍ତି ଦାବିରେ ଆମରଣ ଅନଶନ

ବନ୍ତ,୨୪।୪-ଭଦ୍ରକ ଜିଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁମ୍ଭକରାଳ ବ୍ଲକ ଗ୍ରାଣ୍ଟ ମଧ୍ୟଇଂରାଜୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ପରିଚାଳନା କମିଟି ସଭ୍ୟ ଓ ଅଭିଭାବକମାନେ ସୋମବାର ଆମରଣ ଅନଶନରେ ବସିଛନ୍ତି। ଏହି ବିଦ୍ୟାଳୟରେ କୌଣସି ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କ ନାମଲେଖା ଓ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏନେଇ ଗତ ୨୦ତାରିଖରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା।

ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ  ମା’ ମଙ୍ଗଳା, ଯୁଗଜ୍ୟୋତି ଟିମ୍‌ ଚାମ୍ପିୟନ

ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ ମା’ ମଙ୍ଗଳା, ଯୁଗଜ୍ୟୋତି ଟିମ୍‌ ଚାମ୍ପିୟନ

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ମଣିନାଥପୁର ଖେଳପଡ଼ିଆଠାରେ ଗୋପବନ୍ଧୁ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୦ତମ ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ଓ ମହିଳା ଦୁଇ ଭାଗରେ ଏହି ଟୁର୍ନାମେଣ୍ଟ ହୋଇଥିଲା। ପୁରୁଷ ବିଭାଗରେ ଖଇରାବାଦର ଫ୍ରେର୍ଣ୍ଣସ କ୍ଲବ ଓ ବରୁହଁ। ର ମା’ ମଙ୍ଗଳା ଆଥଲେଟିକ ଆସୋସିଏଶନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଏଥିରେ ମା’ ମଙ୍ଗଳା ଟିମ୍‌ ୩-୦ ଗୋଲ ଦେଇ ବିଜୟୀ ହୋଇଥିଲା। ମହିଳା ବିଭାଗରେ କଟକର ଯୁଗଜ୍ୟୋତି ଟିମ୍‌ ଓ ଭଦ୍ରକ ହରିପୁରର ଜେଜେପି ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଯୁଗଜ୍ୟୋତି ଟିମ୍‌ ୨-୦ ଗୋଲ ଦେଇ ଚାମ୍ପିୟନ ହୋଇଥିଲା। ରେଫରୀ ଭାବେ ତାଜଉଦିନ ଖଁ। ମ୍ୟାଚ୍‌ ପରିଚାଳନା କରିଥିଲେ। ଲାଇନ୍ସମ୍ୟାନ ଭାବେ ସୁମନ ଦାସ ଓ ଅଭିରାମ ଦାସ ଦାୟିତ୍ୱ ତୁଲାଇଥିଲେ।

ନାବକେଳିକୁ ଆସିଲେନି ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର

ଆରଡ଼ି,୨୪।୪(ଡି.ଏନ.ଏ.)-ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ବାବା ଆଖଣ୍ଡଳମଣିଙ୍କ ଚନ୍ଦନଚାପ ଓ ନାବକେଳି ବନ୍ଦ ରହିଛି। ମନ୍ଦିର ବେଢ଼ାର ନବୀକରଣ ସାଙ୍ଗକୁ ସଂଲଗ୍ନ ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର କରାଯାଉଥିବାରୁ ଏହା ଶୁଖିଲା ପଡ଼ିଛି। ଏଥିରୁ ପଙ୍କ ଉଦ୍ଧାର କରାଯିବା ପରେ ଏହା ପାର୍ଶ୍ୱରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼ିବା ଭଳି ଅଘଟଣ ଘଟିଛି। ଦୀର୍ଘ ୨୬ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଚନ୍ଦନ ଚାପ ଏଥର ବନ୍ଦ ରହିବା ଘଟଣା ଭକ୍ତଙ୍କ ଭାବାବେଗ ପ୍ରତି ଆଘାତ ସୃଷ୍ଟି କରିଛି। ପ୍ରତିବର୍ଷ ବାବା ଆଖଣ୍ଡଳମଣିଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କୁ ରୌପ୍ୟ ପାଲିଙ୍କିରେ ଆଣି ନାବରେ ବସାଇ ଚନ୍ଦନ ଚାପ ଖେଳାଯାଇ ଆସୁଥିଲା।

ହାତୀ ଉପଦ୍ରବ:  ୩ଏକର ପରିବା ଫସଲ ଧ୍ୱଂସ

ହାତୀ ଉପଦ୍ରବ: ୩ଏକର ପରିବା ଫସଲ ଧ୍ୱଂସ

ତେଲକୋଇ, ୨୪।୪(ଡି.ଏନ.ଏ)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନର ଛାମୁଣ୍ଡା ପଞ୍ଚାୟତ ଗୋଳାବନ୍ଧ ଗ୍ରାମରେ ଜଣେ ଚାଷୀଙ୍କ କ୍ଷେତରେ ୧୫ରୁ ଊର୍ଦ୍ଧ୍ୱ ବଣୁଆ ହାତୀ ପଶି ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛନ୍ତି। ଏନେଇ ଚାଷୀ ଚିନ୍ମୟ କୁମାର ସାହୁ ସୋମବାର ବନାଞ୍ଚଳ ଅଧିକାରୀଙ୍କଠାରେ ଅଭିଯୋଗ କରିବା ସହିତ କ୍ଷତି ପୂରଣ ଦାବି କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ରବିବାର ମଧ୍ୟରାତ୍ରିରେ ୧୫ରୁ ଊର୍ଦ୍ଧ୍ୱ ହାତୀ ଆସି ଜମିରେ ତରଭୁଜ ,ବୋଇତାଳୁ, କୋବି, କାକୁଡି, କଲରା ଫସଲ ସବୁ ଖାଇବା ସହିତ ଗୋଡରେ ଦଳି ଚେକଟି ଉଜାଡି ଦେଇଛନ୍ତିି।

ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ପ୍ରଶିକ୍ଷଣ

ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ପ୍ରଶିକ୍ଷଣ

ଘସିପୁରା,୨୪।୪(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ କେନ୍ଦୁଝର ଜିଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ହାଇସ୍କୁଲ ପରିସରରେ ୩ ଦିନିଆ ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଶିବିରକୁ ଉଦ୍‌ଘାଟନ କରିଥିଲେ। ଉକ୍ତ କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟରୁ ୪୫ ଶିକ୍ଷୟିତ୍ରୀ ଓ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷକ ଭାବେ ମହେନ୍ଦ୍ର କୁମାର କର, ଶରତ କୁମାର ସାହୁ, ରଶ୍ମିରଞ୍ଜନ ରାଉତ ପ୍ରମୁଖ ଯୋଗଦେଇଥିଲେ। ସିଆରସିସି ଗୋଲକବିହାରୀ ସାହୁ, ପ୍ରଫୁଲ୍ଲ କୁମାର ସାହୁ , ଶିକ୍ଷକ କୈଳାସ ଚନ୍ଦ୍ର ଜେନା, ବେଣୁଧର ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବଳରାମପୁରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ସ୍କୁଲ ପରିସରରୁ କଟାଗଲା ୨୨ ଶାଳ ଗଛ ତଦନ୍ତ ଦାବି କଲେ ଗ୍ରାମବାସୀ

ସ୍କୁଲ ପରିସରରୁ କଟାଗଲା ୨୨ ଶାଳ ଗଛ ତଦନ୍ତ ଦାବି କଲେ ଗ୍ରାମବାସୀ

ତେଲକୋଇ, ୨୪।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ କାଳିଆହତା ଫରେଷ୍ଟ ବିଟ ଅଧୀନ ଏକ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୨୨ଟି ମୂଲ୍ୟବାନ ଶାଳ ଗଛକୁ କାଟି ଦିଆଯାଇଛି। ଏହାକୁ ନେଇ ଅଞ୍ଚଳରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। କଟାଯାଇଥିବା ଗଛର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ। ଗତ ୨ଦିନ ମଧ୍ୟରେ ବିରିପାଳ ଗ୍ରାମ କୁଟାରୀ ନାଳୀ ସାହିରେ ଥିବା ଏହି ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏସବୁ ଗଛ କଟାଯାଇଥିବାନେଇ ଗ୍ରାମବାସୀ ସୋମବାର ଜିଲା ବନାଞ୍ଚଳ ଅଧରକାରୀଙ୍କ ନିକଟରେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି।

ପଶ୍ଚିିମବଙ୍ଗର ନାବାଳିକା ଯୋଡାରୁ ଉଦ୍ଧାର କମ୍‌ ବୟସର ଯବତୀ ଚାଲାଣ କରୁଥିବା ର଼୍ୟାକେଟ ଠାବ, ଜଣେ ଅଭିଯୁକ୍ତ ଗିରଫ

ଯୋଡ଼ା,୨୪।୪(ଡି.ଏନ୍‌.ଏ.)-ପଡୋଶୀ ପଶ୍ଚିମବଙ୍ଗରୁ ଆସିଥିବା ଏକ ପୋଲିସ ଟିମ୍‌ କେନ୍ଦୁଝର ଜିଲା ଯୋଡା ସହରରେ ପହଞ୍ଚି ଏଠାରେ ଉଦ୍ଧାର ହୋଇଥିବା ଜଣେ ନାବାଳିକାଙ୍କୁ ନିଜ ହେପାଜତକୁ ନେଇଛି। ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଯୋଡାକୁ ନେଇ ଆସିିଥିବା ଅଭିଯୁକ୍ତ ୟୁସୁଫ ସେକଙ୍କୁ ଗିରଫ କରାଯାଇଛି। ଏହି ନାବାଳିକାଙ୍କୁ ଯୋଡାର ଏକ ଭଡା ଘରେ ରଖାଯାଇଥିଲା। ତାଙ୍କୁ ବିବାହ କରଛନ୍ତି ବୋଲି ଦାବି କରୁଥିବା ଗିରଫ ଯୁବକ ପୂର୍ବରୁ ବିବାହିତ ବୋଲି ଜଣାପଡିିଛି। ତାଙ୍କର ସ୍ତ୍ରୀ ଓ ୨ସନ୍ତାନ ଅଛନ୍ତି। ପଶ୍ଚିମ ବଙ୍ଗରେ କମ୍‌ ବୟସର ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅନ୍ୟତ୍ର ଚାଲାଣ କରୁଥିବା ର଼୍ୟାକେଟରେ ସେ ଦଲାଲ ଭାବେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି। ଅଧିକ ତଦନ୍ତ ଲାଗି ପୋଲିସ ଉଦ୍ଧାର ନାବାଳିକା ଓ ଗିରଫ ଅଭିଯୁକ୍ତଙ୍କୁ ନେଇ ପଶ୍ଚିମବଙ୍ଗକୁ ଫେରିଯାଇଛି।

କଶ୍ମୀର ଭ୍ରମ ସୃଷ୍ଟି କଲା କୁଆପଥର ବର୍ଷା

କଶ୍ମୀର ଭ୍ରମ ସୃଷ୍ଟି କଲା କୁଆପଥର ବର୍ଷା

କେନ୍ଦୁଝର ୨୪। ୪ (ସ୍ବ.ପ୍ର.)- କେନ୍ଦୁଝର ଜିଲା ସଦର ମହକୁମା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ କାଳବୈଶାଖୀ ଝଡ ତାଣ୍ଡବ ଖେଳାଇଛି। ଜୁଡ଼ିଆ ପାହାଡ ପାଦଦେଶରେ ଥିବା କେନ୍ଦୁଝର ସହର ଓ ଏହା ଆଖପାଖରେ ଆକାଶ ଅନ୍ଧାରୁଆ ହୋଇ ଜୋରରେ ବର୍ଷା ସାଙ୍ଗକୁ ପବନ ବହିଥିଲା। ଏହାପରେ ଜୁଡିଆ ପାହାଡକୁ ଲାଗିଥିବା ପ୍ରାୟ ୩ ବର୍ଗ କିି.ମି. ପରିମିତ ଅଞ୍ଚଳରେ ଅଭୂତପୂର୍ବ କୁଆପଥର ବର୍ଷା ହୋଇଥିଲା। ପ୍ରାୟ ଅଧଘଣ୍ଟାଏ ଧରି କୁଆପଥର ଆକାଶରୁ ବର୍ଷା ହେବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିଲେ। ସମ୍ପୃକ୍ତ ଅଞ୍ଚଳ କୁଆପଥର ଦ୍ୱାରା ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇ ଧବଳବର୍ଣ୍ଣ ଧାରଣ କରିଥିଲା। କିଛି ସମୟ ଲାଗି ଏହି ଇଲାକା କଶ୍ମୀରର ଭ୍ରମ ସୃଷ୍ଟି କରିଥିଲା। ପ୍ରାୟ ଦୁଇ ତିନି ଇଞ୍ଚ ବହଳର କୁଆପଥର ବିଭିନ୍ନ ସ୍ଥାନରେ ଜମିରହିଥିଲା। ପୂର୍ବରୁ ଏଭଳି କୁଆପଥର ବର୍ଷା କେବେ କେହି ଦେଖି ନ ଥିବା ପୁରୁଖା ଲୋକେ କହିଛନ୍ତି। ସହର ଓ ଏହାର ଆଖପାଖରେ କାଳବୈଶାଖୀ ଝଡ଼ବର୍ଷା ପ୍ରବାହିତ ହୋଇଥିଲେ ମଧ୍ୟ କେବଳ ସ୍ଥାନୀୟ ପୁରୁଣା ବଜାର ଅଞ୍ଚଳରେ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା।

ବୈତରଣୀ ବ୍ୟାରେଜ ପ୍ରକଳ୍ପ କାମ ଧିମା

ବୈତରଣୀ ବ୍ୟାରେଜ ପ୍ରକଳ୍ପ କାମ ଧିମା

ଆନନ୍ଦପୁର, ୨୪।୪(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାର ଆନନ୍ଦପୁର ନିକଟରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ବ୍ୟାରେଜ୍‌ ପ୍ରକଳ୍ପ କାର୍ଯ୍ୟ ଧିମା ଗତିରେ ଚାଲିଛି। ଏହା କେବେ ଶେଷ ହେବ କାହାଠାରୁ ସୂଚନା ମିଳୁନାହିଁ। କେନାଲ ଖୋଳା କାମ ଅନେକ ସ୍ଥାନରେ ଅଧପନ୍ତରିଆ ଅବସ୍ଥାରେ ରହିଛି। ମୋରମ, ପଥର ଭଳି କଞ୍ଚାମାଲ୍‌ର ଅଭାବ ଏବଂ ଜମି ଅଧିଗ୍ରହଣ ସମସ୍ୟା ନିର୍ମାଣ କାମରେ ଅନ୍ତରାୟ ସୃଷ୍ଟି କରୁଛି। ଫଳରେ କେନ୍ଦୁଝର ଓ ବାଲେଶ୍ୱର ଜିଲାରେ ଚାଷ ଜମିିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ଅଧୁରା ହୋଇ ରହିଛି।

ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ଧାରଣା

ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ଧାରଣା

ରେମୁଣା, ୨୪।୪(ଡି.ଏନ.ଏ.)-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧିନ ଜୟସ୍ବାଲ କାରଖାନା ଆଗରେ ଏମ୍ପ୍ଲୋୟିଜ୍‌ ୟୁନିୟନ ପକ୍ଷରୁ ସୋମବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯାଇଛି। ଜାନୁୟାରୀ ୧୩ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରମିକ-କର୍ତ୍ତୃପକ୍ଷ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୀର୍ଘ ୩୫ ବର୍ଷ ହେଲା କାରଖାନା କର୍ତ୍ତୃପକ୍ଷ ଶ୍ରମିକଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରିଚାଲିଛି। ୩ମାସରୁ ଅଧିକ ହେବ କୌଣସି ଚୁକ୍ତି କରିନାହାନ୍ତି। ୧୬ ମାସର ଇପିଏଫ୍‌ ଜମା କରିନାହାନ୍ତି, ଦରମା ଦେଉନାହାନ୍ତି । ଶ୍ରମିକଙ୍କ ଦରମା ଠିକ୍‌ ସମୟରେ ଦେଉ ନ ଥିବାରୁ ଜାନୁୟାରୀ ୧୩ତାରିଖଠାରୁ ଏପର୍ଯ୍ୟନ୍ତ ସ୍ଥାୟୀ ଶ୍ରମିକଙ୍କୁ ଡ୍ୟୁଟି ନ ଦେଇ ଠିକା ଶ୍ରମିକଙ୍କ ଦ୍ୱାରା କାରଖାନା ଚଳାଯାଉଥିବା ଶ୍ରମିକ ନେତା ଅରୁଣ ସ୍ବାଇଁ ଅଭିଯୋଗ କରିଛନ୍ତି।