Dharitri News
ଖେଳ |

ଭାରତ ବନାମ ଶ୍ରୀଲଙ୍କା: ଟି୨୦ ପାଇଁ ବାରବାଟୀ ପ୍ରସ୍ତୁତ

ଭାରତ ବନାମ ଶ୍ରୀଲଙ୍କା: ଟି୨୦ ପାଇଁ ବାରବାଟୀ ପ୍ରସ୍ତୁତ କଟକ, ୧୯।୧୨(ତପନ ସ୍ବାଇଁ)- ବାରବାଟୀ ପ୍ରସ୍ତୁତ। ଓଡ଼ିଶା କ୍ରିକେଟର ମକ୍କାଭାବେ ପରିଚିତ ଏହି ଐତିହାସିକ ଷ୍ଟାଡିୟମ ଏବେ ଚଳଚଞ୍ଚଳ। ବୁଧବାର ଏଠାରେ ଅନୁଷ୍ଠିତ ହେବ ଭାରତ-ଶ୍ରୀଲଙ୍କା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ଏହାର ଅନେକ ଗୁରୁତ୍ୱ ରହିଛି। ଟେଷ୍ଟ ଓ ଦିନିକିଆ ସିରିଜ ହାରିବା ପରେ ଏବେ ସମ୍ମାନ ରକ୍ଷା ପାଇଁ ଟି୨୦ ସିରିଜ ହିଁ ଶ୍ରୀଲଙ୍କା ପାଇଁ ଶେଷ ସୁଯୋଗ। ତେଣୁ ସିରିଜର ପ୍ରଥମ ମ୍ୟାଚରେ କଡ଼ା ଟକ୍କର ହେବା ସମ୍ଭାବନା। ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ଟେଷ୍ଟ ସିରିଜ ବିଜୟୀ ହେବାପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏକଦିବସୀୟ ସିରିଜକୁ ୨-୧ରେ ଜିତିଛି। ଏବେ ରୋହିତଙ୍କ ନେତୃତ୍ୱରେ ଦଳ ଟି୨୦ ସିରିଜ ବିଜୟ ଲକ୍ଷ୍ୟରେ ରହିଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭଲ ବୋଲିଂକୁ ଛାଡ଼ିଦେଲେ ଶ୍ରୀଲଙ୍କା ଦଳ ଆଉ କେଉଁଥିରେ ଭାରତ ସମକକ୍ଷ ପ୍ରଦର୍ଶନ କରିପାରି ନାହିଁ। ତେବେ ଟି୨୦ ଭିନ୍ନ ଫର୍ମାଟର ଗେମ୍‌ ହୋଇଥିବାରୁ ଭାରତକୁ ଜଗିରଖି ଖେଳିବାକୁ ପଡ଼ିବ। ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍‌ରାଙ୍କ ଉପରେ ଡେଥ୍‌ ଓଭର ବୋଲିଂ ଭାର ରହିବ। କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସ୍ପିନ ବିଭାଗ ଦାୟିତ୍ୱରେ ରହିବେ। ଅନ୍ୟପକ୍ଷରେ ଶ୍ରୀଲଙ୍କା କ୍ରମାଗତ ୫ଟି ଟି୨୦ ମ୍ୟାଚ ହାରିବା ପରେ ଏଠାରେ ଖେଳିବାକୁ ଯାଉଛି। ତୃତୀୟ ଦିନିକିଆରେ ୯୫ ରନ ସ୍କୋର କରିଥିବା ଉପୁଲ ଥରଙ୍ଗା ଏବଂ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଥିବା ଆଞ୍ଜେଲୋ ମାଥ୍ୟୁସ ଦଳପାଇଁ ମୁଖ୍ୟ ଭୂମିକା ତୁଲାଇବେ। ମିଡିଲ ଅର୍ଡରରେ ନିରୋଶାନ ଡିକ୍‌ଓ୍ବେଲା କ୍ଲିକ୍‌୍‌ କରିବା ମଧ୍ୟ ଦଳ ଚାହିଁବ। ପ୍ରଭାବ ହୀନ ବୋଲି ଦଳପାଇଁ ଚିନ୍ତାର କାରଣ ହୋଇଛି। କ୍ୟାରିୟର ଆରମ୍ଭ ସୁଯୋଗ ଓ୍ବାଶିଂଟନ ସୁନ୍ଦର, ବାସିଲ ଥାମ୍ପି ଓ ଦୀପକ ହୁଦାଙ୍କ ପାଇଁ କଟକରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ ସୁଯୋଗ ରହିଛି। ଏହି ତିନିଜଣଙ୍କ ମଧ୍ୟରୁ ଯିଏ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ତାଙ୍କ ପାଇଁ ବାରବାଟୀ ସ୍ମରଣୀୟ ହୋଇଯିବ। ବାମହାତୀ ପେସର ଜୟଦେବ ଉନାଡକଟ ଶେଷଥରପାଇଁ ଗତବର୍ଷ ଜୁନ୍‌ରେ ଜିମ୍ବାଓ୍ବେ ବିପକ୍ଷରେ ଟି୨୦ ଖେଳିଥିଲେ। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ଏବେ ପୁଣି ତାଙ୍କୁ ଦଳକୁ ଡାକରା ଦିଆଯାଇଛି। ଗତ ଫେବୃୟାରୀରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବରୋଦା ଅଲରାଉଣ୍ଡର ହୁଦା ୪ର୍ଥ ଦ୍ରୁତ ଟି୨୦ ଶତକ ହାସଲ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ଦ୍ୱିତୀୟ ଟି୨୦ ବାରବାଟୀ ଷ୍ଟାଡିୟମରେ ଏହା ହେବ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚ।୨୦୧୫ ଅକ୍ଟୋବର ୫ରେ ଅନୁଷ୍ଠିତ ଏକମାତ୍ର ମ୍ୟାଚଟି ଲୋ ସ୍କୋରିଂ ବିଶିଷ୍ଟ ହୋଇଥିଲା। ଭାରତ ଲଜ୍ଜାଜନକଭାବେ ୧୭.୨ ଓଭରରେ ମାତ୍ର ୯୨ ରନରେ ଅଲଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ଉଇକେଟ ହରାଇ ୯୬ ରନ କରି ମ୍ୟାଚ ଜିତିଥିଲା। କ୍ଷୁବ୍ଧ ଦର୍ଶକମାନେ ପଡ଼ିଆକୁ ପାଣି ବୋତଲ ଫିଙ୍ଗିବାରୁ ଖେଳ ଏକାଧିକବାର ବାଧାପ୍ରାପ୍ତ ହୋଇଥିଲା। ଫଳରେ ବାରବାଟୀ ଉପରୁ ଅନ୍ତର୍ଜାତୀୟ ଭେନ୍ୟୁମାନ୍ୟତା ପ୍ରତ୍ୟାହାରର ଭୟ ରହିଥିଲା। ଅବଶ୍ୟ ପରେ ସମସ୍ୟାର ସମଧାନ ହୋଇଥିଲା ଏବଂ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଆୟୋଜନ ହୋଇଥିଲା। ରେକର୍ଡ ଭାରତ ସପକ୍ଷରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୧ଟି ଟି୨୦ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୭ଟିରେ ବିଜୟୀ ହୋଇଥିବାବେଳେ ଶ୍ରୀଲଙ୍କା ୪ଟି ଜିତିଛି। ଶେଷ ୪ଟି ମ୍ୟାଚରେ ଭାରତ ଅପରାଜେୟ ରହିଛି। ତେବେ ଏହା ଏପରି ଏକ ଫର୍ମାଟ୍‌ ଯେଉଁଥିରେ କି ସାମାନ୍ୟ ଅସାବଧାନତାରେ ବିପଦ ରହିଛି। ବାରବାଟୀ ପିଚ୍‌ରେ ଅନୁଷ୍ଠିତ ଏକମାତ୍ର ଟି୨୦ରେ ୯୨ ରନରେ ଅଲଆଉଟ ହେବାର ସ୍ମୃତି ମଧ୍ୟ ଟିମ୍‌ ଇଣ୍ଡିଆ ମନରେ ତାଜା ହୋଇ ରହିଛି। ଏଠାରେ ଭାରତ ପାଇଁ ଭଲ ଆରମ୍ଭର ଆବଶ୍ୟକତା ରହିଛି। ଏହା ହେଲେ ମିଡିଲ ଅର୍ଡର ଉପରୁ ବୋଝ ହାଲ୍‌କା ହୋଇପାରିବ। ପିଚ୍‌କୁ ନେଇ ସନ୍ଦେହ ବାରବାଟୀ ଷ୍ଟାଡିୟମରେ ଶେଷଥରପାଇଁ ଚଳିତବର୍ଷ ପ୍ରାରମ୍ଭରେ ଅର୍ଥାତ୍‌ ୨୦୧୭ ଜାନୁୟାରୀ ୧୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ ହୋଇଥିଲା। ହାଇସ୍କୋରିଂ ବିଶିଷ୍ଟ ଏହି ମ୍ୟାଚରେ ଭାରତ ୫୦ ଓଭରରେ ୬ ଉଇକେଟ ହରାଇ ୩୮୧ ରନ କରିଥିବାବେଳେ ଇଂଲଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୩୬୬ ରନ କରି ୧୫ ରନରେ ହାରିଥିଲା। ଭାରତ ପକ୍ଷରୁ ଯୁବରାଜ ସିଂ(୧୫୦), ମହେନ୍ଦ୍ର ସିଂ ଧୋନୀ(୧୩୪) ଓ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ (୧୦୨) ଶତକ ହାସଲ କରିଥିଲେ। ମାତ୍ର ଏହା ପରଠାରୁ ବାରବାଟୀ ଗ୍ରାଉଣ୍ଡରେ ରଣଜୀ ଟ୍ରଫି କିମ୍ବା ଅନ୍ୟ କୌଣସି ମ୍ୟାଚ ହୋଇନାହିଁ। ତେଣୁ ନୂଆ ପିଚ୍‌ କିପରି ବ୍ୟବହାର କରିବା ତାହାକୁ ନେଇ ଆଶା ଓ ଆଶଙ୍କା ରହିଛି। ଖବର ଅନୁସାରେ ଗତ ୨-୩ ଦିନଧରି ହାଲ୍‌କା ପାଣି ଛିଞ୍ଚାଯିବା ସହ ହାଲ୍‌କା ରୋଲିଂ କରାଯାଉଛି। ପିଚ୍‌ ଉପରେ ସିଧାସଳଖ ଖରା ମଧ୍ୟ ପଡ଼ିବାକୁ ଦିଆ ଯାଉନାହିଁ। ମୋଟାମୋଟିଭାବେ ଏକ ବ୍ୟାଟିଂ ଉଇକେଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ତେବେ ରାତିରେ କାକରର ପ୍ରଭାବ ରହିବ। ଜୋରଦାର ଅଭ୍ୟାସ ବାରବାଟୀରେ ମଙ୍ଗଳବାର ଉଭୟ ଶ୍ରୀଲଙ୍କା ଓ ଭାରତୀୟ ଦଳ ଜୋରଦାର ଅଭ୍ୟାସ କରିଛି। ପୂର୍ବାହ୍ନ ୯ଟା ୩୦ରେ ଶ୍ରୀଲଙ୍କା ଏବଂ ଅପରାହ୍ନ ୧ଟା ୩୦ରେ ଭାରତୀୟ ଦଳ ଷ୍ଟାଡିୟମରେ ପହଞ୍ଚତ୍ ଶାରୀରିକ ବ୍ୟାୟାମଠାରୁ ଆରମ୍ଭ କରି ନେଟ୍ସରେ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଛି। ଶ୍ରୀଲଙ୍କା ଦଳ ଆଗାମୀ ସିରିଜରେ ଟେଷ୍ଟ ଓ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ବୋଲି ଅଧିନାୟକ ଥିସାରା ପେରେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଯୁବଦଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅଭିଜ୍ଞତାକୁ ଉପଯୋଗ କରିବ ଏବଂ ଟିମ୍‌ ଇଣ୍ଡିଆ ଆଉ ଏକ ସିରିଜ ବିଜୟ ଲକ୍ଷ୍ୟରେ ରହିବ ବୋଲି ଦଳର ସିନିୟର ସଦସ୍ୟ ଦୀନେଶ କାର୍ତ୍ତିକ କହିଛନ୍ତି। ପାଣ୍ଡ୍ୟା, ବୁମ୍‌ରା, ଆୟାର ଆସିଲେନି ମଙ୍ଗଳବାର ଭାରତୀୟ ଦଳର ନେଟ୍ସ ସେସନରେ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍‌ରା ଓ ଶ୍ରେୟାସ ଆୟାର ଦେଖିବାକୁ ମିଳି ନ ଥିଲେ। ଦଳରେ କୌଣସି ଆହତ ସମସ୍ୟା ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଟିମ୍‌ ଇଣ୍ଡିଆର ୩ ଜଣ ମୁଖ୍ୟ ଖେଳାଳିଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଏହାକୁ ନେଇ କୌଣସି ଚିନ୍ତାର କାରଣ ନାହିଁ ବୋଲି ଟିମ୍‌ ମ୍ୟାନେଜର ପ୍ରକାଶ କରିଛନ୍ତି। ବାଧା ସୃଷ୍ଟି କରିବ ବଡ଼ ସ୍କ୍ରିନ ଖେଳ ରିପ୍ଲେ ପାଇଁ ୩ ନମ୍ବର ଗ୍ୟାଲେରୀ ନିକଟରେ ବଡ଼ ସ୍କ୍ରିନ ଲଗା ଯାଇଛି। ମାତ୍ର ଏହା ପଛରେ ୧୦୦ରୁ ଊର୍ଦ୍ଧ୍ୱ ସିଟ୍‌ ରହିଛି। ତେଣୁ ନିର୍ଦ୍ଦିଷ୍ଟ ସେହି ସ୍ଥାନ ପାଇଁ ଟିକେଟ କିଣିଥିବା ଦର୍ଶକ ମ୍ୟାଚ ଉପଭୋଗ କରିବାରେ ଅସୁବିଧା ହେବା ସମ୍ଭାବନା ରହିଛି।

ଖେଳ |

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ମେଲବୋର୍ନ, ୧୯।୧(ପି.ଟି.)- ଭାରତର ଡିଭିଜ ଶରନ ଓ ରୋହନ ବୋପାନ୍ନା ନିଜ ପାର୍ଟନରଙ୍କ ସହ ଅଷ୍ଟ୍ରେଲିଆନ ଓପନ ଟେନିସ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ମେଲବୋର୍ନ, ୧୯।୧(ଏଏଫପି)- ଟିନ୍‌ ଏଜ୍‌ ସେନସେଶନ ୧୫ ବର୍ଷୀୟା ମାର୍ତା କୋଷ୍ଟ୍ୟୁକଙ୍କ ବିଜୟରେ ବ୍ରେକ୍‌ ଲଗାଇଛନ୍ତି ୪ର୍ଥ ସିଡ୍‌ ଏଲିନା ସ୍ବିତୋଲିନା। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଶୁକ୍ରବାର ଅନୁଷ୍ଠିତ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନିଜ ଦେଶର କୋଷ୍ଟ୍ୟୁକଙ୍କୁ ସିଧାସଳଖ ୬-୨, ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ୟୁକ୍ରେନର ସ୍ବିତୋଲିନା।

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୧୯।୧(ଏଏଫପି)- ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୫ ରନରେ ପାକିସ୍ତାନକୁ ହରାଇ ଦେଇଛି। ଏଥି ସହିତ ପାକିସ୍ତାନ ବିପକ୍ଷ ସିରିଜକୁ ନ୍ୟୁଜିଲାଣ୍ଡ ବିରଳ ୫-୦ରେ କ୍ଲିନ୍‌ ସୁଇପ୍‌ କରିଛି।

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ମାଉଣ୍ଟ ମାଉନଗାନୁଇ(ନ୍ୟୁଜିଲାଣ୍ଡ), ୧୯।୧(ପି.ଟି.)- ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୧୦ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏଥିସହ ଭାରତ ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ପକ୍କା କରିଛି।

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ମେଲବୋର୍ନ,୧୮ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତୋଟି ବିପର୍ଯ୍ୟୟକୁ ବାଦ ଦେଲେ ସିଡେଡ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି।

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଦୁବାଇ,୧୮ା୧(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବାର୍ଷିକ ପୁରସ୍କାରରେ ଭାରତୀୟ ଅଧିନାୟକ ତଥା ରନ ମେଶିନ ବିରାଟ କୋହଲିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି।

ହକି ଗାଙ୍ଗପୁର ସେମିଫାଇନାଲରେ

ହକି ଗାଙ୍ଗପୁର ସେମିଫାଇନାଲରେ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ସେମିଫାଇନାଲରେ ହକି ଗାଙ୍ଗପୁର-ଓଡ଼ିଶା ପ୍ରବେଶ କରିଛି।

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ପୂର୍ବାଞ୍ଚଳ ଆକାଉଣ୍ଟ୍ସ ଓ ଅଡିଟ୍‌ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଗତବର୍ଷର ରନର୍ସଅପ୍‌ ଏଜି ଝାଡ଼ଖଣ୍ଡକୁ ୭-୨ ଗୋଲରେ ପରାସ୍ତ କରି ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି।

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଜୁନିୟର ବର୍ଗର ଆଇ-ଲିଗ୍‌ ଫୁଟବଲରେ ପଦାର୍ପଣ କରିଥିବା ଓଡ଼ିଶା(କ୍ରୀଡ଼ା ଛାତ୍ରାବାସ ଦଳ) ଗୋଆରେ ପ୍ଲେ-ଅଫ୍‌ ଖେଳିବ।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଟୌରାଙ୍ଗ (ନ୍ୟୁଜିଲାଣ୍ଡ), ୧୮।୧(ପି.ଟି.)- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ସିରିଜ୍‌ର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ୨ୟ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବେଲଜିୟମ ପରାସ୍ତ କରିଛି।

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ସିଡ୍‌ନୀ, ୧୮।୧-ଅଷ୍ଟ୍ରେଲିଆ ଦଳ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆରୁ ବାଦ୍‌ ପଡ଼ିଛନ୍ତି। ଅସୁସ୍ଥତା କାରଣରୁ ବ୍ରିସ୍‌ବେନ ଦିନିକିଆରେ ସେ ଖେଳିବେ ନାହିଁ। ଏ ନେଇ ଅଷ୍ଟ୍ରେଲିଆ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ତାଙ୍କ ବଦଳରେ ଝେ ରିଚାର୍ଡସନଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିପାରେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ମେଲବୋର୍ନ, ୧୮।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ମହିଳା ସିଙ୍ଗଲ୍ସ ବର୍ଗରେ ମାରିଆ ଶାରାପୋଭା ଓ ଆଞ୍ଜେଲିକ କର୍ବର ୩ୟ ରାଉଣ୍ଡ ମୁକାବିଲାରେ ପରସ୍ପରକୁ ଭେଟିବେ। ଗୁରୁବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାକୁ ପୂର୍ବତନ ଚାମ୍ପିୟନ୍‌ ଶାରାପୋଭା ସିଧାସଳଖ ସେଟ୍‌ରେ ଜିତି ନିଜର ଅଭିଯାନ ଜାରି ରଖିଛନ୍ତି।