
ରୂପ୍ସା,୧୮।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ସେହି ଗ୍ରାମର ୫ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗତ ୧୬ ଓ ୧୭ ତାରିଖ ଦୁଇଦିନ ଧରି ପ୍ରତାପ ସିଂ, ଭାନୁ ସିଂ, ଭଗଲୁ ସିଂ, ଅନାଦି ସିଂ ଓ କାହ୍ନୁ ସିଂ ମିଶି ନରସିଂହ ସିଂଙ୍କର ପନତୀ କାଞ୍ଚନଙ୍କ ଘରେ ପଶି ମାର୍ପିଟ କରିଥିଲେ। କାଞ୍ଚନଙ୍କୁ ଡାହାଣୀ କହି ଗାଁ ଛାଡ଼ି ପଳାଇଯିବାକୁ ଧମକ ଦେଇଥିଲେ। କାଞ୍ଚନର ୨ଝିଅ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ହତ୍ୟା ଧମକ ଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାରୁ ଜୀବନ ଭୟରେ ୨ଦିନ ହେବ ସେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।