
ମଣିଷ ଏତେ ନିର୍ଦ୍ଦୟ ହୋଇପାରେ ଏ କଥା ବିଶ୍ୱାସ କରିହୁଏନା। ଜଣେ ଶିକ୍ଷକ ଘରପଢ଼ା କରି ନଥିବା ଛାତ୍ରଙ୍କୁ ୫୦୦ ଥର ଉଠବସ ହେବା ଭଳି ଅମାନୁଷିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତନ୍ମଧ୍ୟରୁ ଜଣେ ଛାତ୍ରୀ ଉଠବସ୍ ହେବାବେଳେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହି ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର କୋହ୍ଲାପୁର ଜିଲାରେ। ଏହି ଜିଲାର ଚାନ୍ଦଗଡ ତହସିଲ ଅଧୀନ ଏକ ଘରୋଇ ସ୍କୁଲ୍ ଶ୍ରୀଭବେଶ୍ୱରୀ ସନ୍ଦେଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ୮ ଜଣ ଛାତ୍ର ପ୍ରୋଜେକ୍ଟ ଓ୍ବାର୍କ କରି ନ ଥିବା ଅଭିଯୋଗରେ ସେମାନଙ୍କୁ ୫୦୦ ଥର ବସଉଠ ହେବା ପାଇଁ କୁହାଯାଇଥିଲା। ଏହି ଦଣ୍ଡରେ ୧୩ବର୍ଷର ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ସଂକ୍ରାନ୍ତରେ ଚଳିତ ମାସ ୧୦ ତାରିଖରେ ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରାଯିବା ପରେ ପୋଲିସ ଅଭିଯୁକ୍ତ ସ୍କୁଲ୍ ପ୍ରିନ୍ସିପାଲ୍ ଅଶ୍ୱିନୀ ଦେବାନ୍ଙ୍କ ନାମରେ ଆଇପିସିର ବିଭିନ୍ନ ଦଫା ୩୨୫, ୩୩୭ ଏବଂ ୫୦୬ରେ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଥିଲା। ଅବଶ୍ୟ ତାଙ୍କୁ ପରେ ଜାମିନରେ ଛାଡ଼ି ଦିଆଯାଇଛି। ଉକ୍ତ ଅଭିଯୋଗରେ ସ୍କୁଲ୍ ପରିଚାଳନା କମିଟି ସମ୍ପୃକ୍ତ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛି।