
ସୁକିନ୍ଦା,୧୫।୧୨(ଡି.ଏନ.ଏ.)
ନିର୍ମାଣାଧୀନ ସୁକିନ୍ଦା- ଅନୁଗୋଳ ରେଳପଥରେ କାର୍ଯ୍ୟ କରୁଥିବା ଠିକାଦାର କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷାକୁ ବିପନ୍ନ କରି ସେମାନଙ୍କ ଜୀବନ ସହ ଖେଳୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ବେକାମ ଇନଫ୍ରା ନାମକ ଏକ ଠିକାସଂସ୍ଥା ଉକ୍ତ ରେଳପଥ ନିର୍ମାଣ କାର୍ଯ୍ୟ କରୁଛି। ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ଼, ବିରିଗୋଡା ଆଦି ସ୍ଥାନରେ ଚାଲିଥିବା ରେଳପଥ ପୋଲ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ସଂସ୍ଥା ତରଫରୁ ସୁରକ୍ଷା ଟୋପି, ଜୋତା, ପୋଷାକ କିମ୍ବା ପେଟି ଯୋଗାଇ ଦିଆଯାଇ ନାହିଁ। ଫଳରେ ସେମାନେ ଅସୁରକ୍ଷିତ ଭାବେ କାଯର୍ୟ କରୁଛନ୍ତି। ପାଖାପାଖି ୨୫ଫୁଟ ଉଚ୍ଚତାରେ ଚଢ଼ି ଲୁହା ଛଡକୁ ଯୋଡୁଥିବା ଶ୍ରମିକ ଏବଂ ତଳେ ରହି ଉକ୍ତ ଲୁହା ଛଡ଼କୁ ଟେକୁଥିବା ଶ୍ରମିକମାନେ ସାମାନ୍ୟ ଦୁର୍ଘଟଣାରେ ମଧ୍ୟ ମୃତ୍ୟୁମୁଖରେ ପଡିବାର ଆଶଙ୍କା ରହିଛି। ସେହିଭଳି ବିପଦପୂର୍ଣ୍ଣ ଶୈଳୀରେ ସେମାନଙ୍କୁ ଅନେକ ରାତି ପଯର୍ୟନ୍ତ କାର୍ଯ୍ୟ କରାଇ ପୁରୁଷ ଶ୍ରମିକଙ୍କୁ ମାତ୍ର ୨୫୦ଟଙ୍କା ମଜୁରି ପ୍ରଦାନ କରୁଥିବା ବେଳେ ମହିଳା ଶ୍ରମିକଙ୍କୁ ୧୫୦ରୁ ୨୦୦ ଟଙ୍କା ଯାଏଁ ପ୍ରଦାନ କରି ଠିକାସଂସ୍ଥା ସରକାରୀ ନିୟମର ଖୋଲା ଉଲ୍ଲଂଘନ କରିଚାଲିଛି। ଅନ୍ୟପକ୍ଷରେ ଉକ୍ତ ସଂସ୍ଥା ତେଲେଙ୍ଗାନା ରାଜ୍ୟର ମାଲେୟା ଭି. ନାମକ ଜଣେ ଠିକାଦାରଙ୍କୁ ଶ୍ରମିକ ନିୟୋଜନ ନିମନ୍ତେ କାଯର୍ୟାଦେଶ ପ୍ରଦାନ କରିଛି। ମାତ୍ର ସମ୍ପୃକ୍ତ ଠିକାଦାରଙ୍କର କୌଣସି ବୈଧ ଲାଇସେନ୍ସ ଅବା କାଗଜପତ୍ର ନ ଥିବା ଜଣାପଡିଛି। ଉକ୍ତ ଠିକାଦାର ୩୬ଜଣ ଶ୍ରମିକଙ୍କୁ ଆଣି କାଯର୍ୟରେ ନିୟୋଜିତ କରିଥିବା ବେଳେ କାଯର୍ୟରତ ଠିକାସଂସ୍ଥା ସେମାନଙ୍କର ଉପଯୁକ୍ତ ପଞ୍ଜୀକରଣ କରାଇନାହିଁ। ସେମାନଙ୍କ ବୀମା ଅବା ଭବିଷ୍ୟ ନିଧି ପାଣ୍ଠି ନିମନ୍ତେ କୌଣସି ବ୍ୟବସ୍ଥା ସଂସ୍ଥା ତରଫରୁ କରାଯାଇନାହିଁ। ଏହି ସଂସ୍ଥାରେ କେହି ସୁରକ୍ଷା ଅଧିକାରୀ ନ ଥିବା ମଧ୍ୟ ଜଣାପଡ଼ିଛି। କିଛିଦିନ ତଳେ ବେକାମ ଇନଫ୍ରା କାଯର୍ୟାଳୟକୁ ଶ୍ରମ ଆୟୋଗର ଅଧିକାରୀମାନେ ଯାଇ ଯାଞ୍ଚ କରି ଫେରିଯାଇଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି। ତେବେ ଏତେ ସବୁ ଅନିୟମିତତାକୁ କିଭଳି ଶ୍ରମ ଆୟୋଗର ଅଧିକାରୀମାନେ ଦେଖିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉପରୋକ୍ତ ଅବ୍ୟବସ୍ଥା ଧରାପଡିବା ଭୟରେ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ଉକ୍ତ ସଂସ୍ଥା ନିୟୋଜିତ କରୁ ନାହିଁ ବୋଲି ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଯେଉଁ କେତେଜଣ ସ୍ଥାନୀୟ କର୍ମଚାରୀ ସେଠାରେ କାଯର୍ୟରତ ଅଛନ୍ତି, ସେମାନଙ୍କୁ ମଧ୍ୟ ସଂସ୍ଥାର ପରିଚାଳକ ହଇରାଣ କରି ବିଦା କରିବାକୁ ଷଡଯନ୍ତ୍ର କରୁଥିବା ଶୁଣିବାକୁ ମିଳୁଛି। ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ ଏମ୍.ଏନ୍.ଭି ରାଜେଶଙ୍କୁ ପଚାରିବାରେ, ଶ୍ରମିକଙ୍କୁ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଇଥିଲେ ମଧ୍ୟ ସେମାନେ ପିନ୍ଧୁ ନ ଥିବା କହିଛନ୍ତି। ଅପରପକ୍ଷରେ ସେମାନଙ୍କୁ କୌଣସି ସୁରକ୍ଷା ସାମଗ୍ରୀ ଦିଆଯାଇ ନ ଥିବା ଶ୍ରମିକମାନେ କହିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।