
ବୁଗୁଡ଼ା,୧୫।୧୨(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳରେ ୮ଟି ହାତୀ ଥିବା ବେଳେ ସେମାନଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ବାରହା ପଲଙ୍କ ଉପଦ୍ରବ ଯୋଗୁ ବ୍ୟାପକ ପରିମାଣରେ ବିଭିନ୍ନ ଫସଲ ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି। ଫସଲ କ୍ଷତିରୁ ରକ୍ଷା ପାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଜଣାପଡ଼ିଛି। ଚାଷୀମାନେ ସେମାନଙ୍କର ବିଭିନ୍ନ ଫସଲ କ୍ଷତି ହୋଇଥିବା ନେଇ ଶୁକ୍ରବାର ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହାତୀ ପଲଙ୍କ ଦ୍ୱାରା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭୋଗଡ଼ା ଗ୍ରାମର ଗଣେଶ ରାଉତଙ୍କ ୩ ଭରଣ, ଝୁନୁରାଣୀ ରାଉତଙ୍କ ୫ ଭରଣ, ତାମ୍ବିରି ଗ୍ରାମର ଅଳିଅ ନାୟକଙ୍କ ୫ ଭରଣ, ନଗୁଡ଼ୁ ଗ୍ରାମର ସବିତା କୁମାରୀ ଗୌଡ଼ଙ୍କ ୮ଭରଣ, କାଦପଡ଼ା ଗ୍ରାମର କୃଷ୍ଣ ଗୌଡ଼ଙ୍କ ୫ଭରଣ ଧାନ ଫସଲ ନଷ୍ଟ ହୋଇଛି ା ସେହିପରି ବାରହା ଉପଦ୍ରବରେ ଘୋଡ଼ାପଲ୍ଲୀ ଗ୍ରାମର ବାସୁଦେବ ପାତ୍ରଙ୍କ ୪ ଭରଣ, ଛାମୁଣ୍ଡା ଗ୍ରାମର ଯାଜ୍ଞସେନୀ ସ୍ବାଇଁଙ୍କ ୫ ଭରଣ, ଭୋଗଡ଼ା ଗ୍ରାମର ରାମଚନ୍ଦ୍ର ବିଷୋୟୀଙ୍କ ୬ ଭରଣ ଓ ଗଙ୍ଗାଧର ଦଳ ବେହେରାଙ୍କ ୫ ଭରଣ ଏପରି ମୋଟ ୪୬ ଭରଣ ଧାନ ଫସଲ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ହାତୀପଲଙ୍କ ଦ୍ୱାରା ତାକରଡ଼ା ଗ୍ରାମର ହରି ପ୍ରଧାନଙ୍କ ମକା ଫସଲ କ୍ଷତି ହୋଇଥିବା ବେଳେ ଘୋଡ଼ାପଲ୍ଲୀ ଗ୍ରାମର ବାସୁଦେବ ପାତ୍ରଙ୍କ ୨ ଭରଣ କନ୍ଦମୂଳ ଓ ୩ ଭରଣ ମକା ଫସଲ ମଧ୍ୟ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ହାତୀ ଓ ବାରହା ପଲ ଗୁରୁବାର ରାତିରେ ବିଭିନ୍ନ ଫସଲ ନଷ୍ଟ କରିଥିବା ସେମାନେ କହିଛନ୍ତି।