
ଢେଙ୍କାନାଳ ଅଫିସ, ୧୩।୧୨-ଢେଙ୍କାନାଳ ଜିଲା ସଦର ଥାନା ଗୋହିରାଖାଲ ଗ୍ରାମକୁ ଲାଗିଥିବା କଙ୍କଡ଼ାହାଡ଼ ସଂରକ୍ଷିତ ଜଙ୍ଗଲର ୫୦ଏକର ଜାଗାକୁ ଜବରଦଖଲ କରି ପ୍ରାୟ ୨୦୦ ଟ୍ରିପ୍ କାଠ ଚୋରା ଚାଲାଣ କରାଯାଇଛି। ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଗୋହିରାଖାଲ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ବୁଧବାର ସଦର ରେଞ୍ଜରଙ୍କ ସମେତ ବନ କର୍ମଚାରୀ ଘଟଣାସ୍ଥଳରେ ଚଢ଼ାଉ କରି ୧୪ଜଣଙ୍କୁ ଅଟକ ରଖିଛନ୍ତି। ଘଟଣାସ୍ଥଳରୁ ୫ ଟ୍ରାକ୍ଟର, ଗୋଟିଏ ଜେସିବି ଓ ୨ଟି ହିଟାଚ ଜବତ କରାଯାଇଛି। ଉକ୍ତ ଜଙ୍ଗଲ ଜମିରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ଗଛ ବଢ଼ିବା ପରେ ଜମିଦଖଲ କରିଥିବା ବ୍ୟକ୍ତିମାନେ ଗଛକାଟି ନେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ନେଇ କିଛିଦିନ ହେଲା ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା। ଏ ସଂକ୍ରାନ୍ତରେ ଅଞ୍ଚଳବାସୀ ଜିଲାପାଳ ଓ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉକ୍ତ ଜାଗାକୁ ତହସିଲ ପକ୍ଷରୁ ମପାଯିବ। ତଦନ୍ତ ପରେ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସଦର ରେଞ୍ଜର ପ୍ରସନ୍ନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।