
ସୁଧିରାଜ ରାଉତ
ପୁରୀ ମନ୍ଦିରରେ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍କୁ ମାଙ୍କଡ଼ ନେଇ ପଳାଇଲା। ପରେ ବ୍ୟାଗ୍ରୁ ସବୁ ଜିନିଷ ଏବଂ ବ୍ୟାଗ୍ଟିକୁ ଫିଙ୍ଗିଦେଲା ସତ, ଏଟିଏମ୍ କାର୍ଡଟିକୁ ଆଉ ଫିଙ୍ଗିଲା ନାହିଁ। ଇଆଡ଼େ ସିଆଡ଼େ ଡେଉଁଥାଏ, ଆମମାନଙ୍କୁ ଓ ଏଟିଏମ୍ କାର୍ଡକୁ ଦେଖୁଥାଏ। ୧୫-୨୦ ମିନିଟ୍ ପରେ ସେ କାର୍ଡଟିକୁ ଫିଙ୍ଗିଲା, ମହିଳା ଆଶ୍ୱସ୍ତ ହେଲେ। ପତିତପାବନ ଉଡୁଥାଏ। ଠାକୁର ବୋଧହୁଏ କହୁଥିଲେ, ”୧୫-୨୦ ମିନିଟ୍ରେ ମାଙ୍କଡ ବୁଝିଗଲା, ଆଉ ତୁମେ ମଣିଷଗୁଡ଼ା ମଲା ପର୍ଯ୍ୟନ୍ତ ଅର୍ଥଟା ସବୁକିଛି ନୁହଁ ବୋଲି ବୁଝିପାରୁନ?“ ଏହା ନିଶ୍ଚିତ ଯେ ମଣିଷ ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକତା ରହିଛି, କିନ୍ତୁ ଏହାର ପରିମାଣ କେତେ? ସ୍ବାସ୍ଥ୍ୟ, ସୁଖ ଓ ସମ୍ପର୍କକୁ ବଳି ଦେଇ ଆଜି ଆମେ ସମସ୍ତେ ଯେଭଳି ଅର୍ଥ ପଛରେ ଗୋଡାଉଛୁ, ସମଗ୍ର ମାନବଜାତି ଅଧିକରୁ ଅଧିକ ଅର୍ଥ ପାଇଁ ଯେପରି ପାଗଳ ହୋଇ ଧାଉଁଛି, ଏହା ପଛରେ କିଛି ଗୁପ୍ତ ରହସ୍ୟ ଅଛି କି? ମଣିଷର ଏହି ସ୍ବଭାବ ପଛରେ ମନୋବୈଜ୍ଞାନିକ କାରଣ କ’ଣ ଥାଇପାରେ? ଉତ୍ତର ସହଜ ନୁହେଁ। ସାତତାଳ ପାଣି, ସାତତାଳ ପଙ୍କ, ତା’ ତଳେ ଫରୁଆ, ଫରୁଆ ମଧ୍ୟରେ ବୁଢ଼ୀ ଅସୁରୁଣୀର ଜୀବନ। ଜଣେ ସୁନ୍ଦର, ସୁଶୀଳ ଯୁବକ ଏମ୍ଏ ପଢି ଘରୋଇ ସ୍କୁଲରେ ପାଠ ପଢ଼ାଉଛନ୍ତି, ଆଉ ଜଣେ ଦଶମ ପଢି ସରକାରୀ କିରାଣି ହୋଇଛନ୍ତି। ଆପଣ ଆପଣଙ୍କ ଝିଅକୁ କାହାକୁ ବିବାହ ଦେବେ? ଝିଅ କାହାକୁ ନିର୍ବାଚିତ କରିବ? ସରଳ ଉତ୍ତର- ବିବାହ ପରେ ପିଲା ହେବେ, ସେମାନେ ଚଳିବା ପାଇଁ, ଭଲ ସ୍କୁଲରେ ପଢ଼ିବା ପାଇଁ ଅର୍ଥ ଆବଶ୍ୟକ। ତେଣୁ ଅର୍ଥରେ ଯିଏ ଅଧିକ ସକ୍ଷମ ତାକୁ ବାହାଦେବୁ ବା ହେବୁ। ଡାରୱିନ ଏହି କଥା ଲେଖିଛନ୍ତି- ଯୋଗ୍ୟତମର ବିବର୍ତ୍ତନ। କୁକୁର ଦଳ ମଧ୍ୟରେ ଯେଉଁ କୁକୁର ଅଧିକ ଶକ୍ତିଶାଳୀ, ଅନ୍ୟ କୁକୁରମାନଙ୍କୁ ଲଢ଼େଇରେ ହରାଇ ପାରୁଛି, ତାକୁ ମାଈକୁକୁର ମିଳନ ପାଇଁ ବାଛିଥାଏ। ଶକ୍ତିଶାଳୀ ଲଢୁଆ ଜୀବକୋଷ ପରବର୍ତ୍ତୀ ପିଢିକୁ ଏହି ରୂପରେ ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ଅର୍ଥଶକ୍ତିରେ ଶକ୍ତିଶାଳୀ ଆମେ ତାକୁ ବିବାହ ପାଇଁ ବାଛୁଚୁ, ଅର୍ଥ ଆମର ବୈବାହିକ ଜୀବନ ଏବଂ ପରବର୍ତ୍ତୀ ପିଢ଼ିର ନିର୍ଣ୍ଣୟ କରୁଛି। ଏହା ଜୀବନର ଅତୀବ ଗଭୀର କଥା। ଏଇଥିପାଇଁ ଆମେସବୁ ଅର୍ଥ ପଛରେ ଗୋଡାଉ ନାହୁଁ ତ? ବିଶିଷ୍ଟ ମନୋବିଜ୍ଞାନୀ ଫ୍ରୟେଡ଼ ଏହି କଥା କହୁଛନ୍ତି- ”ମଣିଷ ଯାହା କରୁଛି, ତାହା କାହିଁକି କରୁଛି ବୋଲି ଯଦି ଠିକ୍ ଉତ୍ତର ପାଉନାହିଁ, ବୁଝିବାକୁ ହେବ କାମ ପ୍ରବୃତ୍ତି ଏହା ପଛରେ ଲୁଚିରହିଛି। ପୁରାତନ ଗୁହ୍ୟଜ୍ଞାନୀମାନେ ଅର୍ଥ ଓ କାମ ମଧ୍ୟରେ ଗଭୀର ସମ୍ପର୍କ ରହିଛି ବୋଲି ବୁଝିଥିଲେ। ଋଷି ଶ୍ରୀଅରବିନ୍ଦ ଲେଖିଛନ୍ତି- ଅର୍ଥ, କାମ ଓ କ୍ଷମତା ପରସ୍ପର ସହ ଜଡ଼ିତ। ଅର୍ଥ କିଭଳି ଆମ କାମକେନ୍ଦ୍ରକୁ ପ୍ରଭାବିତ କରିଥାଏ ଏହାର ପ୍ରମାଣ ହେଉଛି ବର୍ତ୍ତମାନ ଅନେକ କୋଟିପତି ସନ୍ଥ ଜେଲରେ ରହିବା। ଭାରତ ଏବଂ ଅନ୍ୟାନ୍ୟ ସଭ୍ୟତାର ପୂର୍ବଜମାନେ ଘୋଷଣା କରିଥିଲେ ଉଚ୍ଚତର ଜୀବନ ପାଇଁ ବ୍ରହ୍ମଚର୍ଯ୍ୟ ଅନିବାର୍ଯ୍ୟ, ଅର୍ଥାତ୍ କାମଶକ୍ତିର ନିୟନ୍ତ୍ରଣ, ସୁତରାଂ ଅର୍ଥଶକ୍ତିର ନିୟନ୍ତ୍ରଣ।“ ଆଉ ଏକ ଦିଗକୁ ବିଚାରକୁ ନେବା। ଜୀବନର ଦୁଇଟି ଗତି ରହିଛି, ଗୋଟିଏ ହେଉଛି- ଜୀବନ ସଂଭୋଗ ମଧ୍ୟ ଦେଇ ସେଇ ଜୀବନକୁ ବଞ୍ଚେଇ ରଖୁଛି। ଅନ୍ୟଟି ଲୁକ୍କାୟିତ ଭାବେ ଜୀବନକୁ ଊର୍ଦ୍ଧ୍ୱାରୋହଣ କରୁଛି। ଉଦାହରଣ- ପ୍ରଥମ ଜୀବ ଏମିବା, ସେ ନିଜକୁ ବଞ୍ଚେଇ ରଖିବା ସହ ସେ ହିଁ ବିବର୍ତ୍ତିତ ହୋଇ ମଣିଷ ହୋଇଛି। ଏମିବା ବିବର୍ତ୍ତିତ ହୋଇ ମଣିଷ ହେବା ଜୀବନର ଊର୍ଦ୍ଧ୍ୱାରୋହଣ। ମଣିଷ ଏଠି ନିଜକୁ ବଞ୍ଚେଇ ରଖିବା ସହ ଆଉ କୁଆଡ଼େ ବିବର୍ତ୍ତିତ ବା ଊର୍ଦ୍ଧ୍ୱାରୋହଣ କରୁଛି କି? ପ୍ରକୃତି ଆବଶ୍ୟକ ସ୍ଥଳେ ସୃଷ୍ଟି କରିଥିବା ବହୁ ଜୀବକୁ ନଷ୍ଟ କରି ଦେଇଛି। ଡାଏନୋସର, ମାମଥ ପ୍ରଭୃତି, କିନ୍ତୁ ତା’ର ଊର୍ଦ୍ଧ୍ୱାରୋହଣ କେବେ ବନ୍ଦ କରିନି। ଶ୍ରୀଅରବିନ୍ଦ କହନ୍ତି- ମଣିଷର ସଚେତନ ସହଯୋଗରେ ମଣିଷକୁ ଦେବତା କରି ଗଢିତୋଳିବାକୁ ପ୍ରକୃତି ଲକ୍ଷ୍ୟ ରଖିଛି। ନିତ୍ସେ, ତାଓ ମଧ୍ୟ ଏହି କଥାଟିକୁ ଟିକେ ଅସ୍ପଷ୍ଟ ରୂପେ କହିଛନ୍ତି। ଏହି ସଚେତନ ସହଯୋଗ କ’ଣ? ବିଦ୍ୟୁତ୍ ଶକ୍ତି ମଦ ଦୋକାନକୁ ଆଲୋକିତ କରୁଛି, ମନ୍ଦିରକୁ ବି କରୁଛି। ଶକ୍ତି ମୁଖ୍ୟ ନୁହେଁ, ଶକ୍ତିକୁ ବ୍ୟବହାର କରୁଥିବା ବ୍ୟକ୍ତି ବା ଚେତନା ମୁଖ୍ୟ। ଠିକ୍ ସେହିଭଳି ଅର୍ଥଶକ୍ତି ଆମର ବ୍ୟବହାର ଉପରେ ନିର୍ଭର କରୁଛି। ଆମେ ଏହାକୁ ଆମର କାମନା, ବାସନା ଚରିତାର୍ଥ ପାଇଁ ବ୍ୟବହାର କରିବା ନା ଏକ ଦିବ୍ୟଜୀବନ, ଦିବ୍ୟପୃଥିବୀ ନିର୍ମାଣ ପାଇଁ ବ୍ୟବହାର କରିବା, ଏହା ଆମ ଉପରେ ନିର୍ଭର କରେ। ମୋର ଆବଶ୍ୟକତାଠାରୁ ଅଧିକ ଅର୍ଥ ଖର୍ଚ୍ଚ କଲେ ମୁଁ ଚୋର। ଶ୍ରୀଅରବିନ୍ଦ ଏହା କହିଥିଲେ ଏବଂ ସେହିପରି ବଞ୍ଚିଥିଲେ। କଲାମ ସାହାବ ଆଟାଚିଟିଏ ଧରି ରାଷ୍ଟ୍ରପତି ଭବନରେ ପ୍ରବେଶ କଲେ, ପାଞ୍ଚବର୍ଷ ପରେ ସେଇ ଆଟାଚିଟି ଧରି ବାହାରି ଆସିଲେ। ଯେତିକି ଆବଶ୍ୟକ ସେତିକି ହିଁ ଅର୍ଥ ଖର୍ଚ୍ଚ କରିବା ଉଚିତ- ଯଦି ଏହା ସମ୍ଭବ ହୁଏ ତେବେ ପୃଥିବୀର କେଉଁ କୋଣରେ କେହି ଭୋକରେ ମରିବେ ନାହିଁ; ରହିବା, ପଢିବା, ସ୍ବାସ୍ଥ୍ୟ ବ୍ୟବସ୍ଥା କେଉଁଥିରେ ଅଭାବ ରହିବ ନାହିଁ। କେବଳ ପରମାଣୁ ବୋମା ତିଆରିରେ ଯେତିକି ଅର୍ଥ ପୃଥିବୀରେ ଖର୍ଚ୍ଚ ହୋଇଛି ମୁଣ୍ଡ ପିଛା ତାହା ୧୩ ଲକ୍ଷରୁ ଅଧିକ ହେବ। ଅର୍ଥର ଅଭାବ ସମସ୍ୟା ନୁହେଁ। ତାହାର ଯଥାର୍ଥ ବିନିଯୋଗ ହେବା ଆବଶ୍ୟକ। ଆମେ ସମସ୍ତେ ଜାଣୁ ବାୟୁ, ଜଳ ଦୂଷିତ ହେଲେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଦୂଷିତ ଅର୍ଥ ବା କଳାଧନ? ବାୟୁ, ଜଳକୁ ଆବନ୍ଧ କରି ରଖିଲେ ତାହା ଦୂଷିତ ହୋଇଥାଏ, ଅର୍ଥକୁ ଆବଦ୍ଧ କରି ରଖିଲେ? ଆଧୁନିକ ମନୋବିଜ୍ଞାନ ଏହା ପ୍ରମାଣ କଲାଣି- କଳାଧନ ଏବଂ ଆବନ୍ଧ ଅର୍ଥ ବଡ଼ ବଡ଼ ରୋଗର କାରଣ। ଏହି ଅର୍ଥ ସବୁର ଆହୁରି ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ତୁମ ପାଖକୁ ଯାହା ଅର୍ଥ ଆସୁଛି ନିଜର ଯଥାର୍ଥ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ କର, ବଳକା ଅର୍ଥକୁ ସଞ୍ଚୟ କର ଅବା ବିନିଯୋଗ କର ଜୀବନ ଓ ଜଗତକୁ ସମୃଦ୍ଧ କରିବା ପାଇଁ। ପ୍ରକୃତରେ ବିଶ୍ୱ ପ୍ରକୃତି ଓ ଅର୍ଥଶକ୍ତି ଆମଠାରୁ ଏହି ଆଶା ରଖୁଛି।
ଇନ୍ଦ୍ରାବତୀ, ନବରଙ୍ଗପୁର, ମୋ-୯୮୬୧୯୬୯୬୭୮, sudhirajrout15@gmail.com