
ପ୍ରତ୍ୟେକ ଦମ୍ପତିଙ୍କର ଇଚ୍ଛା ଥାଏ ସେମାନଙ୍କ କୋଳକୁ ସନ୍ତାନଟିଏ ଆସୁ। ହେଲେ କେତେକେ ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଥାନ୍ତି। ସେଥିପାଇଁ କେତେ ଜଣ ପୋଷ୍ୟ ସନ୍ତାନ ଗ୍ରହଣ କରନ୍ତି। ନିକଟରେ ଉତ୍ତରପ୍ରଦେଶ ମୁଜାଫରନଗରର ନିଃସନ୍ତାନ କୃଷକ ଦମ୍ପତି ସମାଜ ଆଗରେ ଏକ ଆଦର୍ଶ ସୃଷ୍ଟି କରିଛନ୍ତି। ସେମାନେ ୧୯୯୦ରେ ପରିତ୍ୟକ୍ତ ଜଣେ ଦିବ୍ୟାଙ୍ଗ ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହା ପରେ ସେମାନେ ଅନାଥାଶ୍ରମ ଗଢ଼ି ୫୧ ଜଣ ପିଲାଙ୍କ ମାତାପିତା ପାଲଟି ଯାଇଛନ୍ତି। ବର୍ତ୍ତମାନ ୪୬ ଜଣ ପିଲା ସେମାନଙ୍କ ଯତ୍ନ ପାଇ ବଢ଼ିବାରେ ଲାଗିଛନ୍ତି। ଶୁକୁରତାଲ୍ଠାରେ ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନାଥାଶ୍ରମ ପରିସରରେ ପିଲାଙ୍କ ପାଇଁ ଏକ ସ୍କୁଲ ଚାଲିଛି। ୧୯୮୧ ମସିହାରେ କୁଦନା ଗ୍ରାମର ମୀନା ରାନା ବାଗ୍ପତ ଗ୍ରାମର ବୀରେନ୍ଦ୍ର ରାନାଙ୍କୁ ବିବାହ କରିଥିଲେ। ବିବାହର ବହୁବର୍ଷ ପରେ ଜଣାପଡ଼ିଥିଲା ଯେ ମୀନାଙ୍କ ଗର୍ଭାଶୟରେ ଏକ ଘା’ ରହିଛି। ଫଳରେ ସେ ମା’ ହେବାରୁ ବଞ୍ଚିତ ହୋଇଥିଲେ। ଏହା ପରେ ସେମାନେ ଅନାଥ ପିଲାଙ୍କୁ ଆପଣାର କରି ସେମାନଙ୍କୁ ବଢ଼ାଇବାର ନିଷ୍ପତ୍ତି ନେଇଥିଲେ। ଆଜି ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛନ୍ତି ବୋଲି କହିଛନ୍ତି। ଏପରିକି ସେଠାରୁ ବଡ଼ ହୋଇ ଯେଉଁମାନେ ଆତ୍ମନିର୍ଭରଶୀଳ ହୋଇଥିବା ଦେଖିବାକୁ ପାଉଛନ୍ତି ସେଥିରେ ଆନନ୍ଦ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି। ମମତା ନାମ୍ନୀ ଜଣେ ୨୨ ବର୍ଷୀୟା ଯୁବତୀ ଏବେ ଜିଲା କଲେଜରେ ସ୍ନାତକୋତ୍ତର ଡିଗ୍ରୀ କରୁଛନ୍ତି। ସମ୍ପୃକ୍ତ ଦମ୍ପତିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ତାଙ୍କ ଭବିଷ୍ୟତରେ କ’ଣ ଅଛି ଜାଣି ନ ଥିଲେ ମଧ୍ୟ ଜୀବନସାରା ସେମାନଙ୍କ ନିକଟରେ ଋଣୀ ହୋଇ ରହିବେ।