
କୋରାପୁଟ,୧୩।୧୨(ଅମିତାଭ ବେହେରା)-ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁଣିଲେନି। ବ୍ଲକ ପ୍ରଶାସନରେ ଗୁହାରି କରି ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଶେଷରେ ନିଜ ପାଇଁ ନିଜେ ବାହାରିଲେ ଲୋକେ। ଆଦିବାସୀ ବହୁଳ କୋରାପୁଟ ଜିଲାର ପିଣ୍ଡିକିମାଳିଗୁଡା ଗ୍ରାମବାସୀ ନିଜସ୍ବ ପ୍ରଚେଷ୍ଟାରେ ଗ୍ରାମକୁ କରିଛନ୍ତି ଶସ୍ୟଶ୍ୟାମଳା। ଝରଣାପାଣି ଉପଯୋଗରେ ହସୁଛି ଗାଁ, ଜୀବିକା ବଞ୍ଚାଇବାକୁ ଯାଇ ଲୋକେ ସୃଷ୍ଟି କରିଛନ୍ତି ଉଦାହରଣ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କେତେକ ସ୍ଥାନରେ ଜଳ ବିଭାଜିକା ପ୍ରକଳ୍ପ ନିର୍ମାଣ କରି ପାହାଡିଆ ଜମିକୁ ଜଳସେଚିତ କରାଯାଉଛି। ଏହାଦ୍ୱାରା ଚାଷୀଙ୍କ ଆର୍ଥତ୍କ ସ୍ଥିତି ସୁଦୃଢ ହୋଇପାରୁଛି। ମାତ୍ର କୋରାପୁଟ ମ୍ୟୁନିସିପାଲିଟିର ୧୫ ନଂ. ଓ୍ବାର୍ଡ ପିଣ୍ଡିକିମାଳିଗୁଡା ଗ୍ରାମର ଲୋକଙ୍କ ପାଇଁ ସରକାରୀ ଯୋଜନା ନିରର୍ଥକ।
ପିଣ୍ଡିକିମାଳିଗୁଡା ଗ୍ରାମରେ ଥିବା ୩୫ ପରିବାର ମାଳି ସମ୍ପ୍ରଦାୟର। ସେମାନଙ୍କ ଆୟର ମୁଖ୍ୟ ମାଧ୍ୟମ ହେଉଛି ଚାଷ। ମାତ୍ର ପାଣିର ଅଭାବ ଯୋଗୁ ସେମାନେ ଏକ କୁଅରୁ ପାଣି କାଢି ବର୍ଷରେ ୩ /୪ ମାସ ଫସଲ କରି ବହୁ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। କିପରି ଜମିକୁ ବର୍ଷ ତମାମ ପାଣି ମିଳିପାରିବ ସେନେଇ ଚିନ୍ତା କରିବା ସକାଶେ ଗ୍ରାମରେ ଏକ ବୈଠକ ବସିଲା। ଗ୍ରାମବାସୀ ଏନେଇ ନିଜ ନିଜ ମତ ରଖିଲେ। ଗ୍ରାମର ମୁଖିଆ ଗଙ୍ଗାଧର ନାୟକ ଗାଁର ୧ କି.ମି. ଦୂରରେ ଥିବା ଦାଦିବୁଢା ପାହାଡ ନିକଟରେ ଏକ ଝରଣା ରହିଥିବା ପ୍ରକାଶ କରି ସେହି ପାଣିକୁ କିପରି ଗ୍ରାମକୁ ଆଣିବା ସେ ନେଇ ଚିନ୍ତା କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମବାସୀ ଏନେଇ କୋରାପୁଟ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଏହି ଝରଣା ପାଣି ଚାଷଜମିକୁ ମଡାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲୋ। ମାତ୍ର ଏପରି କିଛି ବ୍ୟବସ୍ଥା ମ୍ୟୁନିସିପାଲିଟିରେ ନାହିଁ, ଏଥିପାଇଁ କୋରାପୁଟ ବିଡିଓଙ୍କୁ ସାକ୍ଷାତ କରିବାକୁ କର୍ତ୍ତୃପକ୍ଷ କହିଥିଲେ। ପରେ ଗ୍ରାମବାସୀ ବ୍ଲକକୁ ଯାଇ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ସେବେଠାରୁ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ କିପରି ସେହି ଝରଣା ପାଣିକୁ ଚାଷଜମିକୁ ଆଣିବେ ସେନେଇ ସମସ୍ତେ ଶପଥ କରିଥିଲେ।
୨୦୧୬ ନଭେମ୍ବରରେ ଏହି ପାହଡର ଝରଣା ପାଣି କିପରି ଗ୍ରାମକୁ ଆସିବ ସେ ନେଇ ଜମିରେ ନାଳ କରି ପ୍ରଥମେ ଗ୍ରାମ ମୁଣ୍ଡକୁ ଆଣିଥିଲେ। ସେଠାରେ ଏକ ବିରାଟ ଖାଲ ଥିବାରୁ ପାଣିକୁ ପ୍ରାୟ ୩ଶହ ମିଟର ପ୍ଲାଷ୍ଟିକ ପାଇପ ଯୋଗେ ଜମିରେ ପହଞ୍ଚାଇଥିଲେ। ସେମାନେ ବାଉଁଶ ଓ କାଠ ପୋତି ତା’ ଉପରେ ଏହି ପାଇପ ନେଇଥିଲେ। ଗ୍ରାମରେ ଏହି ପାଣି ପହଞ୍ଚତ୍ବା ପରେ ସେମାନ ଏହାକୁ ଶୁଖଲା ଜମିକୁ ମଡାଇଥିଲେ। ଏହି କାର୍ଯ୍ୟ ପାଇଁ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ସହ ୪ ଦିନ ଧରି ଗ୍ରାମବାସୀ ଶ୍ରମଦାନ କରିଥିଲେ। ବର୍ତ୍ତମାନ ଏହି ପାଣି ଦ୍ୱାରା ଗ୍ରାମବାସୀ ସେମାନଙ୍କ ୧୦ ଏକରରୁ ଊର୍ଦ୍ଧ୍ୱ ଜମିରେ ବର୍ଷସାରା ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ସେମାନଙ୍କ ଆର୍ଥତ୍କ ଅବସ୍ଥା ମଧ୍ୟ ସୁଧୁରିବା ଆରମ୍ଭ କରିଛି।
ଗ୍ରାମବାସୀ ଏହି ପାଣିକୁ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ମଧ୍ୟ ଉପଯୋଗ କରୁଛନ୍ତି। ପାଣିକୁ ଅଯଥା ନଷ୍ଟ ନ କରି ଗାଧୁଆ ପାଣିକୁ ଜମିକୁ ଛାଡୁଛନ୍ତି। ଏବେ ଜମିରେ ଆଳୁ, ବାଦାମ, ପିଆଜ, ରସୁଣ, ବିନ୍ସ, ଗାଜର, ବାଇଗଣ, କଖାରୁ, କାକୁଡି, ଜହ୍ନି, କୋବି, ଲଙ୍କା, ମକା, ଶାଗ ଆଦି ପନିପରିବା ଚାଷ କରିବା ସହ ଗେଣ୍ଡୁଫୁଲ ମଧ୍ୟ ଚାଷ ହେଉଛି। ଅମଳ ପନିପରିବାକୁ ସେମାନେ କୋରାପୁଟ ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରିପାରୁଛନ୍ତି ବୋଲି ଗ୍ରାମର ରାମଚନ୍ଦ୍ର ମାଳି, ଲଇଚନ ମାଳି, ରବିନ୍ଦ୍ର ମାଳି, ପଦ୍ମନାଭ ନାୟକ, ଭାସ୍କର ନାୟକ, କବି ନାୟକ, ମଧୁ ନାୟକ, ଚୈତନ୍ୟ ନାୟକ ପ୍ରକାଶ କରିଛନ୍ତି। ଏନେଇ ଗ୍ରାମର ମୁଖିଆ ଗଙ୍ଗାଧର ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ଗ୍ରାମରେ ପୂର୍ବରୁ ପାଣି ପାଇଁ ଯେଉଁ ଅସୁବିଧା ହେଉଥିଲା ବତ୍ତର୍ର୍ମାନ ଝରଣା ପାଣି ଦ୍ୱାରା ତାହା ଦୂର ହୋଇଛି। ଏବେ ବର୍ଷର ପ୍ରାୟ ୧୦ ମାସ ଆମେ ଚାଷ କରିପାରୁଛୁ। ସରକାରଙ୍କ ପକ୍ଷରୁ ଯଦି ଗ୍ରାମରେ ଏକ ଜଳ ବିଭାଜିକା ପ୍ରକଳ୍ପ କରାଯାନ୍ତା ତାହାଲେ ସ୍ଥାୟୀ ଭାବେ ପାଣି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ କହିଛନ୍ତି। ସେହିପରି ଗ୍ରାମର ବିଶ୍ୱନାଥ ନାୟକ କହିଲେ ଯେ, ଝରଣା ଜଳକୁ ପାଇପ ଯୋଗେ ଆଣିବା ଦ୍ୱାରା ମୋର ଥିବା ଦେଢ ଏକର ଜମିରେ ଚାଷ କରିପାରୁଛି। ବର୍ଷର ୨/୩ ମାସ ଝରଣା ଜଳ ଶୁଖିଯାଉଥିବାରୁ ସେହି ସମୟରେ ଚାଷ ବନ୍ଦ ହୋଇଯାଉଛି।