
ହାଇଦ୍ରାବାଦ: ସୁପରଷ୍ଟାର ରଜନୀକାନ୍ତଙ୍କର ମଙ୍ଗଳବାର ହେଉଛି ୬୭ତମ ଜନ୍ମଦିନ। ଏହା ଉପଲକ୍ଷେ ତାଙ୍କ ନିକଟକୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ୧୨ ଡିସେମ୍ବର ୧୯୫୦ରେ ବାଙ୍ଗାଲୋରରେ ଜନ୍ମ ଗ୍ରହଣ କରିଥିଲେ। ପିତାମାତା ତାଙ୍କ ନାମ ଶିବାଜୀ ରାଓ ଗାୟକଓ୍ବାଡ ରଖିଥିଲେ ହେଁ ସେ ରଜନୀକାନ୍ତ ନାମରେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ପିତା ରାମୋଜି ରାଓ ଜଣେ ହାବିଲଦାର ଥିଲେ। ମାତାଙ୍କ ମୃତ୍ୟୁ ପରେ ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସାନ ଥିବା ରଜନୀକାନ୍ତଙ୍କ ଉପରେ ପରିବାର ବୋଝ ପଡିଥିଲା। ସେ ପ୍ରଥମରେ ଜଣେ କୁଲି ଭାବେ କାମ କରିଥିବା ବେଳେ ପରେ ବାଙ୍ଗାଲୋର ବସ୍ ସେବା(ବିଟିଏସ୍)ରେ ଜଣେ କଣ୍ଡକ୍ଟର ଭାବେ କାମ କରିଥିଲେ। ତେବେ ସେ ନିଜର ଦୃଢ଼ ମନୋବଳ ସାଙ୍ଗକୁ ଅଭିନୟ ଯାଦୁକୁ ନେଇ ଦକ୍ଷିଣ ଭାରତ, ବଲିଉଡ ତଥା ବିଶ୍ୱର ମନୋରଞ୍ଜନ କ୍ଷେତ୍ରରେ କାମ କରୁଥିବା ସମସ୍ତ କଳାକାରଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ଡିପ୍ଲୋମା କରିବା ପରେ ସେ ସୌଭାଗ୍ୟବଶତଃ ତାମିଲ ଫିଲ୍ମ ‘ଅପୂର୍ବା ରାଙ୍ଗଗାଲ’(୧୯୭୫)ରେ ସୁଯୋଗ ପାଇଥିଲେ। ଏହାର ସଫଳତା ପରେ ସେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ କାମ କରିଚାଲିଛନ୍ତି। ଶିବାଜୀ ଚଳଚ୍ଚିତ୍ର ପରେ ସେ ଗୋଟିଏ ଫିଲ୍ମ ପାଇଁ ୨୬ କୋଟି ଟଙ୍କା ପାରିଶ୍ରମିକ ମଧ୍ୟ ନେଉଛନ୍ତି। ତେବେ ରଜନୀକାନ୍ତଙ୍କ ଫିଲ୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, କେବେହେଲେ ତାଙ୍କର ମୃତ୍ୟୁକୁ ନେଇ ଦୃଶ୍ୟ ଚିତ୍ରଣ କରାଯାଇ ନ ଥାଏ। ଏପରି ହେଲେ ଫିଲ୍ମଟି ଫ୍ଲପ୍ ହେବା ଆଶଙ୍କା ରହିଥାଏ।