
ନୂଆଦିଲ୍ଲୀ, ୧୨।୧୨- ଷ୍ଟାର ଭାରତୀୟ କ୍ରିକେଟର ଯୁବରାଜ ସିଂହ ମଙ୍ଗଳବାର ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ୟାରିୟରେ ଅନେକ ସଫଳତା, ବିଫଳତା ଓ ସଂଘର୍ଷ ଦେଇ ଗତି କରିଥିବା ଯୁବରାଜ ବର୍ତ୍ତମାନ ଖରାପ ଫର୍ମ ଲାଗି ଜାତୀୟ ଦଳରୁ ଅଲୋଡ଼ା ହୋଇଛନ୍ତି। ତେବେବି ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ବର୍ତ୍ତମାନ ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚନା କରାଯାଉଛି। ଟି୨୦ କ୍ରିକେଟରେ ଗୋଟିଏ ଓଭରରେ ୬ ବଲରୁ ୬ ଛକା ମାରି ନିଜ ନାମକୁ ରେକର୍ଡ ବୁକ୍ରେ ସ୍ଥାପନ କରିଥିବା ଯୁବରାଜ ଭାରତୀୟ ଦଳକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ବିଜୟୀ କରାଇବାରେ ମୁଖ୍ୟ ନାୟକ ସାଜିଛନ୍ତି। ସେହିଭଳି ବଲକୁ ଅନାସୟରେ ବାଉଣ୍ଡରୀ ପାର୍ କରାଇବାର ଦକ୍ଷତା ରଖୁଥିବା ଯୁବରାଜ ଏକଦା କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଏହା କବଳରୁ ସହଜରେ ମୁକୁଳି ଆସିବାରେ ସଫଳ ହୋଇଛନ୍ତି। ଏହାପରେ କିନ୍ତୁ ଯୁବରାଜଙ୍କ କ୍ୟାରିୟର ଉତ୍ଥାନ ପତନ ଦେଇ ଗତି କରିଛି। ଜାତୀୟ ଦଳରେ ସ୍ଥାନ ହାସଲ ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି। କ୍ୟାରିୟରରେ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ଟି ଟି୨୦ ଖେଳିଥିବା ଏହି ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ଯଥାକ୍ରମେ ୧୯୦୦, ୮୭୦୧ ଓ ୧୧୭୭ ରନ କରିଛନ୍ତି। ଟି୨୦ ଇତିହାସର ଦ୍ରୁତତ୍ତମ ଅର୍ଦ୍ଧଶତକ ଯୁବରାଜଙ୍କ ନାମରେ ରହିଛି। ଅବସରରେ ଯୁବରାଜଙ୍କ ନିକଟକୁ ସାଥୀ ଖେଳାଳିଙ୍କ ସମେତ ବିଶ୍ୱ କ୍ରିକେଟର ଚାରିଆଡ଼ୁ ଟୁଇଟର ମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଶୁଭେଚ୍ଛା ବାର୍ତ୍ତା ଜଣାଇଥିବା ଖେଳାଳିଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହ୍ବାଗ, ସୁରେଶ ରାଇନା, ମହମ୍ମଦ କୈଫ୍, ଶିଖର ଧାଓ୍ବନ, ଭିଭିଏସ୍ ଲକ୍ଷ୍ମଣ, ଯଶପ୍ରୀତ୍ ବୁମ୍ରା ପ୍ରମୁଖ ରହିଛନ୍ତି। ବିଶ୍ୱ କ୍ରିକେଟର ପ୍ରମୁଖ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିାଇ) ପକ୍ଷରୁ ମଧ୍ୟ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।