
ପୁରୀ ଅଫିସ, ୧୨ା୧୨: ପୁରୀରେ ହେବାକୁ ଥିବା ବାଲୁକା କଳା ପାର୍କ (ସ୍ୟାଣ୍ଡ ଆର୍ଟ ପାର୍କ)ର ଠିକଣା ବଦଳିଛି। ସିପସରୁବାଲି ମୌଜାର ବଳିଆପଣ୍ଡାଠାରେ ଏହି ପାର୍କ ପାଇଁ ଜମି ଚିହ୍ନଟ ହୋଇଥିବା ବେଳେ ତାହାକୁ ବଦଳାଯାଇଛି। ବାଙ୍କୀ ମୁହାଣ ମୌଜାର ୟୁଥ୍ ହଷ୍ଟେଲ ପଛପାର୍ଶ୍ୱସ୍ଥ ପ୍ରାୟ ୧ଏକର ଜମିରେ ଏହି ପାର୍କ କରାଯିବାକୁ ସ୍ଥିର ହୋଇଛି। ଚିହ୍ନଟ ହୋଇଥିବା ଜମିକୁ ମଙ୍ଗଳବାର ପର୍ଯ୍ୟଟନ ସଚିବ ମୋନା ଶର୍ମା ପୁରୀ ଆସି ଦେଖିଛନ୍ତି। ଅନୁଧ୍ୟାନ ବେଳେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଜିଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା ଏବଂ ତହସିଲଦାର ପ୍ରବୀର ଖିଲାର ପ୍ରମୁଖ ଉପସ୍ଥିତ ଥିଲେ। ପୁରୀଠାରେ ଏକ ବାଲୁକାକଳା ପାର୍କ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ରାଜ୍ୟର ପ୍ରଥମ ବାଲୁକାକଳା ପାର୍କ ହେବ। ଏହି ପାର୍କ ପାଇଁ ବ୍ରହ୍ମଗିରି ତହସିଲ ସିପସରୁବାଲି ମୌଜା ବଳିଆପଣ୍ଡା ସମୁଦ୍ରକୂଳରେ ୨ ଏକର ଜମି ଚିହ୍ନଟ କରାଯାଇଥିଲା। ଜମି ପର୍ଯ୍ୟଟନ ବିଭାଗ ନାମକୁ ଯିବା ଲାଗି ମଧ୍ୟ ପ୍ରକ୍ରିୟା ସରିଥିଲା। କିନ୍ତୁ ଉକ୍ତ ଜମି ସହରଠାରୁ ଦୂର ହେଉଥିବାରୁ ସେଠାରେ ପାର୍କ ନିର୍ମାଣ ନ କରିବା ଲାଗି ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ପାର୍କରେ ବାଲୁକାକଳା ପ୍ରଦର୍ଶନ ସହିତ ବାଲୁକାଶିଳ୍ପୀଙ୍କୁ ମଧ୍ୟ ତାଲିମ ଦିଆଯିବାର ପ୍ରସ୍ତାବ ରହିଥିବା ଜଣାପଡିଛି।