
କୁଜଙ୍ଗ,୧୧।୧୨(ସ୍ବ.ପ୍ର.)
କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ଗ୍ରାମର ଜଣେ ମହିଳାଙ୍କୁ ବିବାହ କରିବାର ୨୦ବର୍ଷ ପରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀଙ୍କ ଔରସରୁ ତାଙ୍କର ଦୁଇଟି ବଢିଲା ଝିଅପୁଅ ଅଛନ୍ତି। ଏହା ସତ୍ତ୍ୱେ ଏବେ ସମ୍ପୃକ୍ତ ବ୍ୟକ୍ତି ଜଣେ ନାବାଳିକାଙ୍କୁ ବିବାହ କରିଥିବା ସୋମବାର କୁଜଙ୍ଗ ଥାନାରେ ତାଙ୍କ ପ୍ରଥମ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଦୀର୍ଘ ୨୦ ବର୍ଷ ଧରି ସ୍ବାମୀ ତାଙ୍କୁ ନିର୍ଯାତନା ଓ ମାନସିକ ଯନ୍ତ୍ରଣା ଦେଇଆସୁଥିବା ପୀଡିତା ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରକାଶ ଯେ, ମଙ୍ଗରାଜପୁର ଗ୍ରାମର କରୁଣାକର ବେହେରାଙ୍କ ଝିଅ ବାଜେଣୀ ବେହେରା ୧୯୯୬ରେ ସେହି ଗ୍ରାମର ମୁରଲୀଧର ବେହେରାଙ୍କ କନିଷ୍ଠ ପୁଅ ସନ୍ତୋଷ ବେହେରାଙ୍କୁ ବିବାହ କରିଥିଲେ। ଏବେ ସେମାନଙ୍କ ଦୁଇଟି ସନ୍ତାନ ପୁଅ ସ୍ମୃତିରଜତ(୧୭) +୨ ବିଜ୍ଞାନ ଛାତ୍ର ଓ କନ୍ୟା ସ୍ମୃତିରେଖା (୧୯) ଅଛନ୍ତି। ମାତ୍ର ସ୍ବାମୀ ଓ ପରିବାର ନିର୍ଯାତନ ଯୋଗୁ ନିଜ ବାପଘରେ ବହୁ ସମୟରେ ଆଶ୍ରୟ ନେଉଥିବା ବାଜେଣୀ କୁଜଙ୍ଗ ଥାନରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ସନ୍ତୋଷ ବେହେରା ଅମେଇପାଳ ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତ ୬ ତାରିଖରେ ଦ୍ୱୀତିୟ ବିବାହ କରିଛନ୍ତି। ସ୍ବାମୀଙ୍କ ଏଭଳି କାର୍ଯ୍ୟ ତାଙ୍କୁ ମାନସିକ କଷ୍ଟ ଦେଇଥିବା ଅଭିଯୋଗରେ ଦର୍ଶାଇ କୁଜଙ୍ଗ ପୋଲିଓ ଓ ମହିଳା କମିସନଙ୍କଠାରୁ ସେ ନ୍ୟାୟ ଚାହିଁଛନ୍ତି।