
ପୁରୀ ଅଫିସ, ୯।୧୨: ଶାନ୍ତିପ୍ରିୟ ଦେଶ ଭାରତ। ପବିତ୍ରତା ହେଉଛି ଏହାର ମୂଳମନ୍ତ୍ର। ଏଠି ବିଭିନ୍ନତା ମଧ୍ୟର ଏକତା ରହିଛି । ସବୁ ଧର୍ମକୁ ଏଠି ସମ୍ମାନ ମିଳୁଛି। ଶାନ୍ତିରେ ହିଁ ଭାରତରେ ଜୀବନ ଜିଇହେବ। ଏମିତି ଆଶା ଓ ବିଶ୍ୱାସ ନେଇ ଭାରତକୁ ଧାଇଁ ଆସିଛନ୍ତି ରୁଷିଆର ଆନ୍ଦେରୀ ଗ୍ଲାଗୋଲ୍ଭ, ଯିଏକି ଜଣେ ଶୈବ ଭକ୍ତ। ନିଜ ଦେଶରେ ଶୈବ ଉପାସନାରେ ବାଧା ଉପୁଜିବାରୁ ସେ ଭାରତ ପଳାଇ ଆସିଛନ୍ତି। ଅଳ୍ପଦିନରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଚିହ୍ନ ପାରିଛନ୍ତି। ଶନିବାର ସିଂହଦ୍ୱାର ବାରିକେଡ ନିକଟରେ ଏହି ବିଦେଶୀ ନାଗରିକଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ହାତରେ ଗିନି ଧରି ସେ ଏକମନରେ ଭଗବାନଙ୍କ ନାମ ଜପ କରି ଚାଲିଥିଲେ। ମଧ୍ୟାହ୍ନ ସମୟ। ସିଂହଦ୍ୱାର ସମ୍ମୁଖ ବାରିକେଡ ପାର୍ଶ୍ୱରେ ଏକାକୀ ବସିଥାନ୍ତି ଏହି ବିଦେଶୀ ନାଗରିକ। ସମ୍ମୁଖରେ ଥାଏ ଏକ ବ୍ୟାଗ୍। ଏହା ଉପରେ ଏକ ଛୋଟ କାଠ ବାକ୍ସ ଭିତରେ ଥିଲା ଆଣ୍ଠୁଆ ଗୋପାଳଙ୍କ ପିତ୍ତଳ ମୂର୍ତ୍ତି ଏବଂ ମହାପ୍ରଭୁଙ୍କ ଚିତ୍ର। ଏଥିସହ ଦାନ ସଂଗ୍ରହ ପାଇଁ ଏକ ପ୍ଲାଷ୍ଟିକ ବାକ୍ସ ବି ରଖିଥିଲେ ବ୍ୟାଗ୍ ଉପରେ। କିନ୍ତୁ କାହାକୁ କିଛି ନ କହି ଗିନି ବଜାଇ ଠାକୁରଙ୍କ ନାମ ଜପରେ ମଜ୍ଜି ଯାଇଥିଲେ। କାହିଁକି ଏପରି କରୁଛନ୍ତି ବୋଲି ପ୍ରଶ୍ନରେ ଆନ୍ଦେରୀ ତାଙ୍କ ମନର କଥା ଖୋଲିଥିଲେ। ସେ ହେଉଛନ୍ତି ଜଣେ ଶୈବ ଭକ୍ତ। କିନ୍ତୁ ତାଙ୍କ ଦେଶରେ ଶୈବ ଉପାସନାରେ ବାଧା ଉପୁଜିବାରୁ ସେ ଭାରତ ପଳାଇ ଆସିଛନ୍ତି। ଏଠାରେ ଶରଣାର୍ଥୀ ଭାବେ ରହିବାକୁ ତାଙ୍କର ଇଚ୍ଛା। ଏ ନେଇ ସେ ନୂଆଦିଲ୍ଲୀସ୍ଥିତ ୟୁନାଇଟେଡ ନେସନ୍ସ ହାଇକମିଶନର ଫର୍ ରିଫ୍ୟୁଜି ଜରିଆରେ ଆବେଦନ କରିଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୮ ତାରିଖରେ ତାଙ୍କୁ ହାଇକମିଶନରଙ୍କ ନିକଟରେ ହାଜର ହେବାକୁ ପତ୍ର ମାଧ୍ୟମରେ କୁହାଯାଇଛି। ଯଦି ଅନୁମତି ମିଳେ ତେବେ ସେ ଭାରତରେ ଶରଣାର୍ଥୀ ଭାବେ ରହିପାରିବେ। ଏବେ ସେ ପୁରୀରେ ରହୁଛନ୍ତି। ଆନ୍ଦେରୀ କହିଛନ୍ତି, ମହାପ୍ରଭୁଙ୍କୁ ନାମ ଜପ କରି ସେ ପେଟ ପାଇଁ ଦାନ ଅର୍ଥ ସଂଗ୍ରହ କରୁଛନ୍ତି। ଅର୍ଥ ସମସ୍ତଙ୍କ ପାଇଁ ଦରକାର। ତେଣୁ ଜଗନ୍ନାଥଙ୍କ ଆଗରେ ନାମ ଜପ କରି ଅନ୍ୟଙ୍କଠାରୁ ଦାନ ପାଇବା କୌଣସି ଖରାପ ନୁହେଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ ଉତ୍ତରପ୍ରଦେଶର ବୃନ୍ଦାବନରେ ଥିଲେ। ସେଠାରୁ ପୁରୀକୁ ଆସିଛନ୍ତି। ପୁରୀ ଷ୍ଟେଶନରେ ରାତି କାଟୁଥିବାବେଳେ ଦାନ ଅର୍ଥରେ ଚଳୁଛନ୍ତି।
ଭାରତ ସମ୍ପର୍କରେ ଆନ୍ଦେରୀ କହିଥିଲେ, ମୁଁ ଭାରତରେ ରହିବାକୁ ଚାହେଁ। ଭାରତ ହେଉଛି ଗୋଟିଏ ଭଲ ଦେଶ। ଏଠାକାର ଲୋକେ ଦୟାଳୁ। ବୃନ୍ଦାବନ କିମ୍ବା ପୁରୀରେ ରହିବାକୁ ମୋର ଇଚ୍ଛା।