
ପୁରୀ ଅଫିସ, ୯।୧୨: ଏବେ ବି ଅନେକ ଅଞ୍ଚଳରେ ଶିକ୍ଷାର ଆଲୁଅ ପହଞ୍ଚତ୍ ପାରିନାହିଁ। ପିଲାକୁ ସ୍କୁଲ ପଠାଇବା ଅପେକ୍ଷା ମା’ ବାପା ଘର କାମରେ ଲଗାଉଛନ୍ତି। ଗଁା ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ପଠାଉଛନ୍ତି। ପିଲାର ଇଚ୍ଛାକୁ ବୁଝିବାକୁ ଚେଷ୍ଟା କରୁନାହାନ୍ତି। ସେମାନଙ୍କ ଇଚ୍ଛାକୁ ପିଲା ଉପରେ ଲଦି ଦେଉଛନ୍ତି। ଏମିତି ଏକ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଚଳଚ୍ଚିତ୍ର ଆଶା ଗୋବରାର...। ସ୍ଥାନୀୟ ଟାଉନ ହଲ୍ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ନାନୋ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିବସରେ ଶନିବାର ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଜଣେ ବ୍ୟକ୍ତି ଛେଳି ପାଳିଛନ୍ତି। ପୁଅ ଗୋବରାକୁ ସ୍କୁଲ ନ ପଠାଇ ତାକୁ ଛେଳି ଜଗିବାକୁ କହୁଛନ୍ତି। ଘର ଆଗ ଦେଇ କାନ୍ଧରେ ବହିବସ୍ତାନି ପକାଇ ସ୍କୁଲ ପିଲା ଗଲାବେଳେ ଗୋବରା ସେମାନଙ୍କୁ ଚାହିଁ ରହିଥାନ୍ତି। ହେଲେ ବାପାଙ୍କ ଆକଟ ଆଗରେ ସେ ଛେଳିପଲଙ୍କୁ ଧରି ଜଙ୍ଗଲକୁ ଚରାଇବାକୁ ପଳାଏ। ସ୍କୁଲ ମାଟି ମାଡ଼ି ନ ଥିବା ବାପା ଗୁହାଳରୁ ଛେଳି ଛାଡିବା ବେଳେ ପଥରରେ ଛେଳି ସଂଖ୍ୟା ଗଣିଥାନ୍ତି। ହେଲେ ଛେଳିଙ୍କୁ ଚରିବାକୁ ଛାଡିଦେଇ ଗୋବରା ସ୍କୁଲ ବାହାର କାନ୍ଥ କଡ଼ରେ ଠିଆ ହୋଇ ସଂଖ୍ୟା ଗଣନା ଶିଖିଯାଇଛି। ଛେଳି ପଲଙ୍କୁ ଗୁହାଳରେ ପୂରାଇବା ସମୟରେ ଆଉ ବାପାଙ୍କ ଭଳି ପଥରର ସାହାଯ୍ୟ ନିଏନି। ସଂଖ୍ୟାରେ ଗଣିପକାଏ। ବାପା ବୁଝିପାରନ୍ତି ଗୋବରାର ଇଚ୍ଛା। ଶେଷରେ ଗୋବରା ପାଇଁ ବହି ବସ୍ତାନି କିଣିଦିଅନ୍ତି। ଗୋବରା ବି ଅନ୍ୟ ପିଲାଙ୍କ ଭଳି ସ୍କୁଲ ଯାଏ। ଆଶା ପୂରଣ ହୁଏ ଗୋବରାର। ଏହି ଚଳଚ୍ଚିତ୍ରଟି ଉପସ୍ଥିତ ଛାତ୍ରୀଛାତ୍ରଙ୍କ ମନକୁ ବେଶ୍ ଛୁଇଁଥିଲା। ଗୋବରା ବସ୍ତାନି ଧରି ସ୍କୁଲ ଯିବା ଦୃଶ୍ୟରେ ତାଳି ମାରି ଟାଉନହଲ୍କୁ କମ୍ପାଇ ଦେଇଥିଲେ ଛାତ୍ରୀଛାତ୍ର।
‘ବାପା’ରେ ମଦ ବିରୋଧୀ ବାର୍ତ୍ତା: ମଦ ଉଜାଡ଼ି ଦେଉଛି ସଂସାର। ଭାଙ୍ଗି ଦେଉଛି ଘର। ମଦ ନିଶାରେ ମଣିଷ ଅନେକ ଅମାନବୀୟ କାଣ୍ଡ କରିବସୁଛି। ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି କରୁଛି। ଭାଇ ଭାଇ ମଧ୍ୟରେ ପାଚେରି ବି ଛିଡା କରିଦେଉଛି। ଏପରି କି ବାପା ଝିଅକୁ ମଧ୍ୟ ମଦ ପାଇଁ ବିକ୍ରି କରିବାକୁ କୁଣ୍ଠାବୋଧ କରୁନାହିଁ। ଦୈନନ୍ଦିନ ସମାଜରେ ଘଟୁଥିବା ଏଭଳି ଘଟଣାକୁ ନେଇ ତିଆରି ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ବାପା’। ମଦ ନିଶାରେ ବୁଡ଼ି ରହୁଥିବା ଜଣେ ବ୍ୟକ୍ତି ଘର ସମ୍ମୁଖ କାନ୍ଥରେ ମଦ୍ୟପାନ, ଜୀବନ ଧନ୍ୟ ଲେଖି ପୋଷ୍ଟର ଲଗାଇଛନ୍ତି। ଏପରି କି ଏହି ମଦ ପାଇଁ ନିଜ ଛୋଟ ଝିଅକୁ ବିକ୍ରି କରିଦେଇଛନ୍ତି। କିନ୍ତୁ ଜଣେ ପଡୋଶୀ ଏ ବିଷୟରେ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀକୁ କହିଛନ୍ତି। ପୋଲିସ ସହାୟତାରେ ଝିଅକୁ ମା’ ଉଦ୍ଧାର କରିଛି। ପୋଲିସ ଝିଅ ବିକିଥିବା ଓ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଛି। ଦୀର୍ଘଦିନ ପରେ ଜେଲରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ଆସି କବାଟ ଠକ୍ ଠକ୍ କରୁଛନ୍ତି। ଝିଅ କବାଟ ଖୋଲିବା ପରେ ସମ୍ମୁଖରେ ବାପାଙ୍କୁ ଠିଆ ହୋଇଥିବା ଦେଖିଛନ୍ତି। ଭାବବିହ୍ବଳ ହୋଇ ଝିଅକୁ କୁଣ୍ଢାଇ ପକାଇଛନ୍ତି ସେହି ବ୍ୟକ୍ତି ଜଣଙ୍କ। ଘରେ କାନ୍ଥରେ ମାରିଥିବା ସେହି ପୋଷ୍ଟରକୁ ନିଜ ହାତରେ ଚିରି ଫିଙ୍ଗି ଦେଇଛନ୍ତି। ଏମିତି ମଦବିରୋଧୀର ବାର୍ତ୍ତା ଦେଇଥିଲା ମାତ୍ର ଦେଢ ମିନିଟ୍ ଅବଧି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ‘ବାପା’, ଯାହାକୁ ମନଭରି ଉପଭୋଗ କରିଥିଲେ ଶତାଧିକ ସ୍କୁଲ ଛାତ୍ରୀଛାତ୍ର।
ନୀରବି ଯାଅନି, ମୁହଁଖୋଲ: ସେହିପରି ହିନ୍ଦୀ ଚଳଚ୍ଚିତ୍ର ‘ବଚ୍ପନ’ ବି ପିଲାଙ୍କୁ ସଚେତନ କରାଇଥିଲା। କେତେଜଣ ଟ୍ୟୁଶନ ଶିକ୍ଷକ ଅଛନ୍ତି ଯେଉଁମାନେ ପଢାଇବା ବାହାନାରେ ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖିବାକୁ ଚାହିଁଥାନ୍ତି। ଗୁରୁ-ଶିଷ୍ୟ ପରମ୍ପରାରେ କଳାର କାଳିମା ଲଗାଉଥିବା ଏହିଭଳି ଶିକ୍ଷକଙ୍କୁ ଶିକ୍ଷା ଦେବାକୁ ହେଲେ ଛାତ୍ରୀମାନଙ୍କୁ ମୁହଁ ଖୋଲିବାକୁ ପଡିବ। ନଚେତ ମନକୁ ସବୁବେଳେ ସେହି ଘଟଣା ଆନ୍ଦୋଳିତ କରିବ। ପାଠରେ ହେଉ କିମ୍ବା ଅନ୍ୟ କୌଣସି କାମରେ ମନ ଲାଗିବ ନାହିଁ। ଜୀବନକୁ ସେହି ଘଟଣା ଦୁର୍ବିଷହ କରିଦେବ। ତେଣୁ ଶିକ୍ଷକଙ୍କୁ ଖରାପ ବ୍ୟବହାର କଲେ ନିଜ ମା’ଙ୍କୁ କହିବା ଦରକାର। ଏମିତି ସଚେତନତାର ବାର୍ତ୍ତା ବାଣ୍ଟିଥିଲା ହିନ୍ଦୀ ଚଳଚ୍ଚିତ୍ର ‘ବଚ୍ପନ୍’।
କେବଳ ଏହି ତିନୋଟି ଚଳଚ୍ଚିତ୍ର ନୁହେଁ, ନାନୋ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିବସରେ ହିନ୍ଦୀ, ଇଂଲିଶ, ଓଡ଼ିଆ ଭାଷାରେ ପ୍ରାୟ ୪୧ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଏହି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରେ କେତୋଟି କାର୍ଟୁନ ଚଳଚ୍ଚିତ୍ର ମଧ୍ୟ ରହିଥିଲା। ଦ୍ୱିତୀୟ ଦିବସରେ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର, ବ୍ରହ୍ମପୁର ଚାଇଲ୍ଡ ଲାଇନ ଡାଇରେକ୍ଟର ସୁଧୀର ସାବତ, ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ପୁରୀ ରୋଟାରୀ କ୍ଲବ ସେକ୍ରେଟାରୀ ବଦ୍ରିନାରାୟଣ ପାତ୍ର, ସାମାଜିକ କର୍ମୀ ଚକ୍ରଧର ମହାପାତ୍ର, ପରିବେଶବିତ୍ ଜଗନ୍ନାଥ ବସ୍ତିଆ, ରୋଟାରିଆନ ଦେବୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କ ଅଧିକାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଫେଷ୍ଟିଭାଲର ସଂଯୋଜକ ସଞ୍ଜୀବ କୁମାର ରଥଶର୍ମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।