
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍
ୟୁନିଭର୍ସିଟି ଗ୍ରାଣ୍ଟ୍ସ କମିଶନ୍ (ୟୁଜିସି) ଅଧ୍ୟକ୍ଷ ବେଦ ପ୍ରକାଶ ଅବସର ନେବାର ୯ ମାସ ବିତିଯାଇଥିଲେ ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏଚ୍ଆର୍ଡି) ଏପର୍ଯ୍ୟନ୍ତ ତାଙ୍କର ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେଇପାରିଲା ନାହିଁ। ବାସ୍ତବରେ ନୂତନ ୟୁଜିସି ମୁଖ୍ୟ ବାଛିବା ପାଇଁ ଚଳିତବର୍ଷ ପ୍ରାରମ୍ଭରେ ଯେଉଁ ଚୟନ କମିଟି ଗଠନ କରାଯାଇଥିଲା, ତାହା ନିଜ କାମରେ ସଫଳ ହୋଇ ନ ପାରିବାରୁ ମନ୍ତ୍ରଣାଳୟ କମିଟିକୁ ଭାଙ୍ଗିଦେଇଛି। ଗତ ଏପ୍ରିଲ ମାସରେ ବେଦ ପ୍ରକାଶ ଅବସର ନେବା ପରେ ପରେ ମନ୍ତ୍ରଣାଳୟ ଉକ୍ତ କମିଟି ଗଠନ କରିଥିଲା। ଜୁନ୍ ମାସରେ କମିଟି ଚାରିଜଣଙ୍କ ନାମ ଥିବା ଏକ ସଂକ୍ଷିପ୍ତୀକୃତ ତାଲିକା ପ୍ରସ୍ତୁତ କରି ଅନୁମୋଦନ ନିମନ୍ତେ ପଠାଇଥିଲା। ପ୍ରକ୍ରିୟା ସେଇଠି ଅଟକି ରହିଲା। ଇତିମଧ୍ୟରେ ୟୁଜିସିର ୮ ଜଣ ସଦସ୍ୟଙ୍କ ମଧ୍ୟରୁ ଭି.ଏସ୍. ଚୌହାନଙ୍କ କାର୍ଯ୍ୟକାଳ ମନ୍ତ୍ରଣାଳୟ ବୃଦ୍ଧି କରିବା ପରେ ସେ ଏହାର କାର୍ଯ୍ୟକାରୀ ମୁଖ୍ୟ ଦାୟିତ୍ୱ ତୁଲାଇ ଆସୁଛନ୍ତି। କିନ୍ତୁ ଚୌହାନଙ୍କର ସମ୍ପ୍ରସାରିତ କାର୍ଯ୍ୟକାଳ ପୂରିବା ପରେ ଚଳିତମାସ ଶେଷ ସୁଦ୍ଧା ସେ ଅବସର ନେବାକୁ ଯାଉଛନ୍ତି। ତେଣୁ ଯଦି ସରକାର ଡିସେମ୍ବର ୩୧ ପୂର୍ବରୁ ଜଣେ ନିୟମିତ ଅଧ୍ୟକ୍ଷଙ୍କୁ ନିଯୁକ୍ତି ନ ଦିଅନ୍ତି, ତେବେ ୟୁଜିସି ପୁଣି ମୁଖ୍ୟବିହୀନ ହୋଇପଡ଼ିବ।
ସାଂଘାଇ ଅଭିମୁଖେ
ଚଳିତବର୍ଷ ପ୍ରାରମ୍ଭରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ରେ ଭାରତର ପୂର୍ଣ୍ଣ ସଦସ୍ୟତାକୁ (ପାକିସ୍ତାନ ସମେତ) ଆନୁଷ୍ଠାନିକ ରୂପ ଦିଆଯାଇଛି। ଭାରତ ଏହାର ବିଧିବଦ୍ଧ ସଦସ୍ୟ ହେବା ପରେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ରୁଷିଆର ସୋଚିଠାରେ ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଅନୁଷ୍ଠିତ ଏସ୍ସିଓ ମୁଖ୍ୟମାନଙ୍କ ପରିଷଦର ଷୋଡ଼ଶ ବୈଠକରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଦୁଇଜଣ ଭାରତୀୟ ବିଦେଶ ସେବା ଅଧିକାରୀ (ଆଇଏଫ୍ଏସ୍) ୨୦୦୫ ବ୍ୟାଚ୍ର ଆନନ୍ଦ ପ୍ରକାଶ ଓ ୨୦୧୨ ବ୍ୟାଚ୍ର କୃଷ୍ଣା କେ.ଙ୍କୁ ବେଜିଂସ୍ଥିତ ଏସ୍ସିଓ ସଚିବାଳୟରେ ନିଯୁକ୍ତି ମିଳିଛି। ଏଥିରେ ପ୍ରକାଶଙ୍କୁ ଉପଦେଷ୍ଟା (ପ୍ରଥମ ସଚିବ/ଉପଦେଷ୍ଟା ସ୍ତରୀୟ) ଏବଂ କୃଷ୍ଣା କେ.ଙ୍କୁ ଏଟାଶେ (ଦ୍ୱିତୀୟ ସଚିବ ସ୍ତରୀୟ) ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏସ୍ସିଓରେ ଭାରତର ସମ୍ପୃକ୍ତି ଯେତେ ସହଜ ମନେକରାଯାଉଛି, ସେତେ ସହଜ ନୁହେଁ। ଭାରତ ସହ ପାକିସ୍ତାନ ମଧ୍ୟ ଆସ୍ତାନା ସମ୍ମିଳନୀରେ ପୂର୍ଣ୍ଣ ସଦସ୍ୟତାକୁ ଗ୍ରହଣ କରିଥିଲା ଏବଂ ସେ ମଧ୍ୟ ବିଭିନ୍ନ ଦେଶର ଏସ୍ସିଓ ମୁଖ୍ୟମାନଙ୍କର ଉକ୍ତ ଷୋଡ଼ଶ ବୈଠକରେ ଯୋଗ ଦେଇଥିଲା। ଚାଇନା ହେଉଛି ଏସ୍ସିଓର ମୁଖ୍ୟ ପରିଚାଳକ। ପାକିସ୍ତାନର ଉପସ୍ଥିତି ସହ ଚାଇନାର ଆଧିପତ୍ୟ ଏସ୍ସିଓରେ ଭାରତର ଭୂମିକାକୁ ଦ୍ୱିତୀୟ ପର୍ଯ୍ୟାୟକୁ ଠେଲିଦେଇଛି। ଏ କ୍ଷେତ୍ରରେ ମୋଦି ସରକାରକୁ କୂଟନୈତିକ ବୁଦ୍ଧି ପ୍ରୟୋଗ କରି ସତର୍କତାର ସହ କାର୍ଯ୍ୟ କରିବାକୁ ହେବ।
ମଝିରେ ଫସିଲେ ବାବୁ
ଯେତେବେଳେ ନେତାମାନେ ପରସ୍ପର ଭିତରେ ଲଢ଼େଇ କରନ୍ତି, ବାବୁମାନେ ବେଳେବେଳେ ମଝିରେ ଫସିଯାନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଦଳର ଅନ୍ୟତମ ବରିଷ୍ଠ ସଦସ୍ୟ ମୁକୁଳ ରାୟଙ୍କର ମତଭେଦ ହେବା ପରେ ମୁକୁଳ ଦଳ ତ୍ୟାଗକରି ଭାଜପାରେ ଯୋଗଦେଲେ। ଏହାପରେ ସେ ତାଙ୍କର ପୂର୍ବତନ ଗୁରୁ ତଥା ନେତ୍ରୀଙ୍କୁ ଆଘାତ ଦେବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ରାୟ ମୁଖ୍ୟତଃ ତୃଣମୂଳ ଏମ୍ପି ତଥା ମମତାଙ୍କ ପୁତୁରା ଅଭିଷେକଙ୍କୁ ଟାର୍ଗେଟ୍ କରୁଥିବା ବେଳେ ପଶ୍ଚିମବଙ୍ଗ ସରକାରରେ ଦୁଇଜଣ ଆଇଏଏସ୍ ଅଫିସର ଏହାର ଶିକାର ହେବାର ଦେଖାଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ରାୟ ନିକଟରେ ଗୃହ ସଚିବ ଅତ୍ରି ଭଟ୍ଟାଚାର୍ଯ୍ୟ ଓ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କ ବିରୋଧରେ ମିଛ କହିବା ଓ ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ନେଇ ଅଭିଯୋଗ ବାଢ଼ିଛନ୍ତି। ଏ ସମ୍ପର୍କରେ ସେ ଏକ ଚିଠିର ନକଲ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖକୁ ପଠାଇ ସର୍ବଭାରତୀୟ ସେବା ସଂହିତା ଅନୁଯାୟୀ ଦୁଇଜଣଙ୍କ ବିରୋଧରେ ତଦନ୍ତ କରାଯିବାକୁ ଦାବି କରିଛନ୍ତି। ଏହା ଏକ ରାଜନୈତିକ ଲଢ଼େଇ ହୋଇପାରେ, ମାତ୍ର ବାବୁମାନେ ଏହା ମଝିରେ ଫସି ହରଡ଼ଘଣାରେ ପଡ଼ିପାରନ୍ତି ବୋଲି ପର୍ଯ୍ୟବେକ୍ଷକମାନେ ଆଶଙ୍କା କରୁଛନ୍ତି।
Email: dilipcherian@gmail.com