
ଭୁବନେଶ୍ୱର, ୯।୧୨(ବ୍ୟୁରୋ)- ବସ୍ କହିଲେ ବସୁଥିଲେ। ଉଠ କହିଲେ ଉଠୁଥିଲେ, ଦୌଡ଼ିବାକୁ କହିଲେ ଦୌଡ଼ୁଥିଲେ। ଶୋଇବାକୁ କହିଲେ ସ୍ଥିର ଚିତ୍ତରେ ବିଚାରକଙ୍କ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରି ରହୁଥିଲେ। ବିଚାରକଙ୍କ ନିର୍ଦ୍ଦେଶ ଓ ପ୍ରଶିକ୍ଷକଙ୍କ ଏଭଳି ଇସାରାରେ ନିଜର କୌଶଳ ଦେଖାଉଥିଲେ କୁକୁର। ପ୍ରଶିକ୍ଷକଙ୍କ ବୋଲ ମାନି ଦର୍ଶକଙ୍କ ମନୋରଞ୍ଜନ କରାଉଥିଲେ। ଶନିବାର ଡଗ୍ ଶୋ’ର ଦ୍ୱିତୀୟ ଦିବସରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଓଡ଼ିଶା କେନେଲ କ୍ଲବ୍(ଓକେସି) ପକ୍ଷରୁ ଆୟୋଜିତ ଡଗ୍ ଶୋ’ର ଦ୍ୱିତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ଥିଲା ‘ଓବିଡିଏନ୍ସ ଟ୍ରାଏଲ୍ସ’। ଏଥିରେ ୭ ପ୍ରଜାତିର ୨୪ କୁକୁର ଭାଗନେଇଥିଲେ। ସେମାନଙ୍କ ମଧ୍ୟରେ ୫ଟି ବେଲିଜିଆନ୍ ମାଲିନଇସ୍, ୧ଟି ବିଗଲ, ୧ ଡାଲମାସିଆନ, ୩ ଡୋବରମ୍ୟାନ, ୬ଜର୍ମାନ ଶେଫର୍ଡ, ୩ ଗୋଲ୍ଡେନ୍ ରେଟ୍ରିଭର ଓ ୫ ଲାବ୍ରାଡର ପ୍ରଜାତିର କୁକୁର ରହିଥିଲେ। ଏଥିରେ ବିଚାରକ ଭାବେ ଜେ. ରାଙ୍ଗରାଜନ ଉପସ୍ଥିତ ଥିଲେ। ଗତବର୍ଷ ଭଳି ଏଥର ମଧ୍ୟ ପ୍ରତିଯୋଗିତାରେ ସମସ୍ତଙ୍କ ମନ ଜିଣିଥିଲା ଟାଟା ଷ୍ଟିଲରୁ ଆସିଥିବା ବେଲ୍ଜିଆନ୍ ମାଲିନଇସ୍ ପ୍ରଜାତିର କୁକୁର ‘ଜିନା’। ଜିନା ସମସ୍ତଙ୍କୁ ପଛରେ ପକାଇ ୩୦୦ରୁ ୨୯୬ ପଏଣ୍ଟ ରଖି ବେଷ୍ଟ ଇନ୍ ଶୋ’ ଆଖ୍ୟା ଅର୍ଜନ କରିଥିଲା। ସୂଚନାଯୋଗ୍ୟ, ‘ଜିନା’ ଭାରତରେ ଗତ ୨ବର୍ଷ ଧରି ‘ଡଗ୍ ଅଫ୍ ଦ ଇୟର’ ଭାବେ ପୁରସ୍କୃତ ହୋଇଆସୁଛି। ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା ତୃତୀୟ ଜର୍ମାନ ଶେଫର୍ଡ ସ୍ପେଶାଲିଟି ଶୋ’। ଓକେସି ଓ ଜର୍ମାନ ଶେଫର୍ଡ ଡଗ୍ କନ୍ଫେଡେରେଶନ-କଳିଙ୍ଗ ଚାପ୍ଟରର ମିଳିତ ଆନୁକୂଲ୍ୟରେ ଏହି ଶୋ’ ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ୮୮ଟି ଜର୍ମାନ ଶେଫର୍ଡ କୁକୁର ଏଥିରେ ଭାଗ ନେଇଥିଲେ। ବିଚାରକ ଭାବେ ସ୍କଟଲାଣ୍ଡରୁ ହେଦର ମ୍ୟାକଡୋନାଲ୍ଡ ଯୋଗଦେଇଥିଲେ। ହେଦର ଜର୍ମାନ ଶେଫର୍ଡ କୁକୁର ପାଇଁ ଜଜ୍ ଭାବେ ବ୍ରିଟେନ ଏବଂ ଜର୍ମାନୀରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ସେ ପ୍ରଥମ ଥର ପାଇଁ ଭାରତରେ ଏହି ଶୋ’ରେ ବିଚାରକ ଭାବେ ଯୋଗଦେଇଛନ୍ତି। ପ୍ରତିଯୋଗିତାର ଉଭୟ ଓପନ ଫିମେଲ୍ କ୍ଲାସ ଏବଂ ଓପନ ମେଲ୍ କ୍ଲାସରେ ଉଟ୍ଟିରୁ ଆସିଥିବା ସେଲ୍ଭା ମୁଥୁ କୁମାରଙ୍କ ୨ଟି କୁକୁର ‘ପିନା’ ଓ ‘ଓ୍ବି’ ଯଥାକ୍ରମେ ବେଷ୍ଟ ଇନ୍ ଶୋ’ ଭାବେ ପୁରସ୍କୃତ ହୋଇଥିଲେ। ରବିବାର ୫୪ ଓ ୫୫ତମ ଜାତୀୟସ୍ତରୀୟ ଅଲ୍ ବ୍ରିଡ୍ସ ଚାମ୍ପିୟନଶିପ୍ ଶୋ’ ଅନୁଷ୍ଠିତ ହେବ।
‘ବୁଗି’ ପଛରେ ପଡ଼ିଲେ ଦର୍ଶକ: ‘ବୁଗି’। ବିଗଲ ପ୍ରଜାତିର ଏହି କୁକୁର ପଛରେ ପଡ଼ିଯାଇଥିଲେ ଦର୍ଶକ। ତା’ର ଠାଣି, ହାବଭାବ, ଚାଲିଚଳନ ଏବଂ ଆକର୍ଷଣୀୟ ଚାହାଣି ଦର୍ଶକଙ୍କୁ ବେଶ୍ ଅକୃଷ୍ଟ କରିଥିଲା। ପ୍ରତିଯୋଗିତା ସମୟରେ ରିଙ୍ଗ ଭିତରେ ନିଜ ପ୍ରଶିକ୍ଷକଙ୍କ ବୋଲ ମାନି ଦର୍ଶକଙ୍କ ମନ ଜିଣୁଥିବା ବେଳେ ରିଙ୍ଗ ବାହାରେ ସେ ଦର୍ଶକମାନଙ୍କୁ ନିଜ କରିସ୍ମା ଦେଖାଇଥିଲା। କେବଳ ପ୍ରଶିକ୍ଷକ ନୁହେଁ, ଦର୍ଶକଙ୍କ କଥା ମଧ୍ୟ ଶୁଣିବାରେ ମାହିର ଥିଲା ‘ବୁଗି’। ତା’ ସହିତ ସେଲ୍ଫି ନେବାକୁ ପଡ଼ିଆରେ ଭିଡ଼ ଜମିଥିଲା। ଫଟୋ ଉଠାଇବା ବେଳେ ‘ବୁଗି’ ପୋଜ୍ ଦେବାକୁ ବି ଭୁଲୁ ନ ଥିଲା। ବିଗଲ ପ୍ରଜାତିର ‘ବୁଗି’ ସାରା ଭାରତରେ ଏକମାତ୍ର କୁକୁର, ଯିଏ ଡଗ୍ ଶୋ’ରେ ୨ଥର ଚାମ୍ପିୟନଶିପ ଆଖ୍ୟା ଅର୍ଜନ କରିଛି। ତେବେ ‘ବୁଗି’ର ଆଉ ଏକ ପରିଚୟ ହେଉଛି ‘ଟମି’। ସେ ତେଲୁଗୁ ଫିଲ୍ମ ‘ଟମି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛି। ସେଥିରେ ତା’ ନାମ ‘ଟମି’ ରହିଛି। ୨୦୧୪ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନ ଜିଣିପାରିଛି। ୬ବର୍ଷ ବୟସର ‘ବୁଗି’ ହେଉଛି ହାଇଦ୍ରାବାଦର ପ୍ରବୀନଙ୍କ କୁକୁର। ପ୍ରବୀନ କୁହନ୍ତି, ମୁଁ ତା’ର ମାଲିକ ଓ ପ୍ରଶିକ୍ଷକ। କିନ୍ତୁ ସେ କେବଳ ମୋ କଥା ମାନେ ନାହିଁ ଘରେ ସେ ସମସ୍ତଙ୍କ ବୋଲ ମାନିଥାଏ।