
ଦାରିଙ୍ଗବାଡ଼ି,୭।୧୨(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାସିଂବାଡ଼ି ପଞ୍ଚାୟତ ଅଧୀନରେ ଥିବା ଗଡ଼ାପାକାଲି ଗ୍ରାମରେ ସୋମବାର ପ୍ରମୋଦ ପ୍ରଧାନଙ୍କୁ ତାଙ୍କର ୨ ପୁଅ ବିଷ ପିଆଇ ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ୨ ପୁଅଙ୍କୁ ଗୁରୁବାର ଗିରଫ କରିଛି ା ଗିରଫମାନେ ହେଲେ ରାଜେନ୍ଦ୍ର ଓ ହେମନ୍ତ। ପ୍ରକାଶଯେ, ପ୍ରମୋଦ ଅନ୍ୟ ଏକ ଘରେ ଶୋଇଥିଲେ। ସୋମବାର ସକାଳୁ ହେମନ୍ତ ଓ ରାଜେନ୍ଦ୍ର ତାଙ୍କୁ ଉଠାଇଥିଲେ। ଦୁହେଁ ବାପା ପ୍ରମୋଦଙ୍କୁ ବାହାରକୁ ଟାଣି ଆଣି ଧରିଥିବା ବିଷ ପିଆଇ ଦେଇଥିଲେ। ତାଙ୍କୁ ଘରକୁ ଯିବାକୁ ଦେଇ ନ ଥିଲେ। କହିଥିଲେ ଯେ, ପିଲାଦିନେ ଆମକୁ ଓ ମା’ଙ୍କୁ ଯେଉଁଭଳି କଷ୍ଟ ଦେଉଥିଲ ତୁମେ ସେଭଳି କଷ୍ଟ ଭୋଗିବ। କିଛି ସମୟପରେ ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ପ୍ରମୋଦଙ୍କ ମୃତଦେହ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୋହି ଆଣି ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ିରେ ପହଞ୍ଚିଥିଲେ। ପ୍ରମୋଦଙ୍କ ଦ୍ୱିତୀୟ ପତ୍ନୀ ନାବନ୍ତି ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଛନ୍ତି, ପ୍ରମୋଦଙ୍କ ପ୍ରଥମ ସ୍ତ୍ରୀଙ୍କର ୨ ପୁଅ ବିଷ ପିଆଇ ହତ୍ୟା କରିଛନ୍ତି । ସେପଟେ ଗୁଣିଗାରେଡ଼ି ସନ୍ଦେହ ସହ ଜମି ସମସ୍ୟା ଓ ପୁରୁଣା ରାଗ ଥିବା ପୋଲିସ ସନ୍ଦେହ କରୁଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ସହ ଏକ ହତ୍ୟା ମାମଲା ନଂ.୧୧୫/୧୭ ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।ସୂଚନାଯୋଗ୍ୟ, ହତ୍ୟାର ଶିକାର ହୋଇଥିବା ପ୍ରମୋଦଙ୍କ ପ୍ରଥମ ସ୍ତ୍ରୀଙ୍କର ୬ ପୁଅ ଓ ଜଣେ ଝିଅ ଅଛନ୍ତି । ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ ।