
ବ୍ର୍ରହ୍ମପୁର ଅଫିସ,୭।୧୨: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଏହାର ପ୍ରଭାବରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଓ ବିଶେଷକରି ଉପକୂଳ ଇଲାକାରେ ଗୁରୁବାର ବର୍ଷା ଆରମ୍ଭ ହୋଇଛି। ବର୍ଷା ସାଙ୍ଗକୁ ଶୀତ ପ୍ରକୋପ ବୃଦ୍ଧି ପାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବର୍ଷା ବିପତ୍ାତ ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ପ୍ରଚାର ଓ ପ୍ରସାର ହୋଇଥିବାରୁ ଏହା ଧାନ ଅମଳ କରୁଥିବା ଲକ୍ଷ ଲକ୍ଷ ଚାଷୀଙ୍କୁ ଆତଙ୍କିତ କରି ଦେଇଛି। ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି। ମାଛ ମାରିବାକୁ ସମୁଦ୍ରକୁ ନ ଯିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଗୋପାଳପୁର ବନ୍ଦରରେ ଗୁରୁବାର ୧ନଂ. ବିପଦ ସଙ୍କେତ ଦିଆଯାଇଛି। ଅପରପକ୍ଷରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଗତ ନଭେମ୍ବର ମାସର ମଧ୍ୟଭାଗରେ ହୋଇଥିବା ଲଘୁଚାପ ପ୍ରଭାବିତ ୪ ଦିନର ଲଗାଣ ବର୍ଷାରେ ଖରିଫ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଧାନଗଛ ଓ କଳେଇ ପାଣି ଭର୍ତ୍ତି ବିଲରେ ବୁଡ଼ି ରହିବା ଦ୍ୱାରା ଧାନର ମାନ କମି ଯାଇଛି। ଖରାରେ ଶୁଖାଇ ଅମଳ କରାଯାଇଥିବା ଧାନ କ୍ରୟ ନିମନ୍ତେ ମିଲରମାନେ ନାକ ଟେକୁଥିବାରୁ ଚାଷୀଙ୍କ ପକ୍ଷରେ ଆଉ ଏକ ସମସ୍ୟା ଦେଖାଦେଇଛି। ଏଭଳି ସ୍ଥିତିରେ ପୁଣି ବର୍ଷା ସମ୍ଭାବନା ଚାଷୀଙ୍କ ବିପତ୍ତିକୁ ଦ୍ୱିଗୁଣିତ କରିବାର ଆଶଙ୍କା ଘନୀଭୂତ ହୋଇଛି।