
ନୂଆଦିଲ୍ଲୀ,୭-୧୨
ଆମ ଦେଶରେ ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ ସମୟରେ ବି ଅନାବଶ୍ୟକ ଭାବେ ବିଜୁଳି କାଟ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଏକ କଡା ନିୟମ ଆଣିବାକୁ ଯାଉଛନ୍ତି। ଏହା ଅଧୀନରେ ୨୦୧୯ରୁ ଅନାବଶ୍ୟକ ବିଦ୍ୟୁତ୍ କାଟ୍କୁ ଏକ ଅପରାଧ ଭାବେ ଗଣାଯିବ ଏବଂ ଏହି କାର୍ଯ୍ୟରେ ସଂପୃକ୍ତ ବିତରଣ କମ୍ପାନୀଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍. କେ. ସିଂ ଗୁରୁବାର ସୂଚନା ଦେଇଛନ୍ତି। ଏଠାରେ ସମସ୍ତ ରାଜ୍ୟର ଶକ୍ତିମନ୍ତ୍ରୀମାନଙ୍କ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ସିଂ ଏହି ସୂଚନା ଦେଇଛନ୍ତି।
ତାଙ୍କ କହିବାନୁଯାୟୀ, ଅନାବଶ୍ୟକ ବିଦ୍ୟୁତ୍ କାଟ୍ କଲେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଉପରେ ଜରିମାନା ଲାଗିବ। ଏହି ଜରିମାନା ବ୍ୟବସ୍ଥା ସରକାରଙ୍କ ଉକ୍ତ ରୋଡ୍ମ୍ୟାପ୍ର ଅଂଶବିଶେଷ, ଯାହା ଅଧୀନରେ ଲୋକଙ୍କୁ ନିର୍ବିଘ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାର ଲକ୍ଷ୍ୟ ରହିଛି। ୨୦୧୯ ମାର୍ଚ୍ଚରୁ ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବାର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଏହି ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ୨୦୧୯ ପରେ ଯଦି କୌଣସି ବିଦ୍ୟୁତ୍ ଯୋଗାଣ କମ୍ପାନୀ ଅନାବଶ୍ୟକ ଭାବେ ବିଦ୍ୟୁତ୍ କାଟ କରନ୍ତି ଉକ୍ତ କମ୍ପାନୀ ଉପରେ ଜରିମାନା ଲଗାଯିବ। ଟେକ୍ନୋଲୋଜିଗତ ତ୍ରୁଟିକୁ ଏଥିରେ ସାମିଲ କରାଯାଇନାହିଁ।
ସିଂ କହିଛନ୍ତି ଯେ, ଲୋକଙ୍କୁ ଅବିରତ ବିଜୁଳି ପ୍ରଦାନ କରିବା କ୍ଷେତ୍ରରେ କମ୍ପାନୀଗୁଡିକର ନୈତିକ ଦାୟିତ୍ୱକୁ ଏବେ ଇଲେକ୍ଟ୍ରିସିଟି ଆକ୍ଟ, ୨୦୦୩ ଜରିଆରେ ବାଧ୍ୟତାମୂଳକ ଦାୟିତ୍ୱ ଭାବେ ଗଣାଯିବ। ସମସ୍ତଙ୍କୁ ବିଜୁଳି ଯୋଗାଇ ଦେବାର ଯେଉଁ ଲକ୍ଷ୍ୟ ରହିଛି ତାହାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡିବ। ସେ ଆହୁରି କହିଛନ୍ତି ଯେ, ମାନୁଆଲ୍ ମିଟର ରିଡିଙ୍ଗ୍ର କୌଣସି ସିଷ୍ଟମ୍ ରହିବ ନାହିଁ। ବିଲିଂ, ମିଟରିଂ ଏବଂ କଲେକ୍ସନ ପାଇଁ ଆମେ ହ୍ୟୁମାନ୍ ଇଣ୍ଟର୍ଫେସ୍ ବ୍ୟବସ୍ଥାକୁ ସମାପ୍ତ କରିବୁ। ପ୍ରିପେଡ୍ ସିଷ୍ଟମ୍ର ପ୍ରଚଳନ ହେବ, ଯାହାଦ୍ୱାରା ଗରିବ ଲୋକେ ଉପକୃତ ହେବେ। ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ବିଦ୍ୟୁତ୍ ପାଇଁ ମୋବାଇଲ୍ରେ ପେମେଣ୍ଟ୍ କରିବେ। ନୂଆ ବ୍ୟବସ୍ଥାରେ ବିତରଣ କମ୍ପାନୀଗୁଡିକ ବିଲିଙ୍ଗ୍ କ୍ଷତି ପାଇଁ ଗ୍ରାହକଙ୍କଠାରୁ ଟଙ୍କା ଅସୁଲ କରିପାରିବ ନାହିଁ। ଏହା ଅନିବାର୍ଯ୍ୟ ହେବ।