
ବରଗଡ଼ ଅଫିସ୍,୬।୧୨-
ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବୁଧବାରଠାରୁ କଳାକାରଙ୍କ ରିହର୍ସାଲ ଆରମ୍ଭ ହୋଇଛି। ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ। ଏହା ପରେ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ସମେତ ଅନ୍ୟ କଳାକାରମାନେ ରିହର୍ସାଲ କରିଥିଲେ। ଧନୁଯାତ୍ରାର ନିର୍ଦ୍ଦେଶକ ତଥା ଅଧ୍ୟାପକ ଅଶୋକ ବେହେରାଙ୍କ ସମେତ ନିର୍ଦ୍ଦେଶନା କମିଟିର ତାରାଚାନ୍ଦ ମହାପାତ୍ର, ଭୁବନ ଭୋଇ, ହରିହର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହାକୁ ଅନୁଧ୍ୟାନ କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ପୂର୍ବତନ କଂସ ଅଭିନେତା ହୃଷିକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଳେଖନୀୟ, ଏଥର ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଚରିତ୍ରରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବାକୁ ମନୋନୀତ ହୋଇଛନ୍ତି। ଧନୁଯାତ୍ରାରେ ତାଙ୍କ ଅଭିନୟ ପ୍ରତି ସଭିଁଙ୍କ ନଜର ରହିଥିବାବେଳେ ଭୁବନେଶ୍ୱର ନିଜ ଅଭିନୟରେ କିଭଳି ଚମତ୍କାରିତା ପ୍ରଦର୍ଶନ କରିିବେ, ତାହା ଆସନ୍ତା ଧନୁଯାତ୍ରାରେ ସ୍ପଷ୍ଟ ହେବ। ସେହିପରି ଗତ ୩ତାରିଖରୁ ଅମ୍ବାପାଲିରେ ଗୋପପୁର କଳାକାରଙ୍କ ରିହର୍ସାଲ ଆରମ୍ଭ ହୋଇଛି। ନାଟ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର ରଞ୍ଜନ ପୂଜାରୀ ନିର୍ଦ୍ଦେଶନା ଦେଉଛନ୍ତି। ଅଗ୍ନି ଥପା, କୃଷ୍ଣଚନ୍ଦ୍ର ମହାପାତ୍ର, ସୁଶୀଲ ମହାପାତ୍ର, ଈଶ୍ୱର ବାଗ, ନାରାୟଣ ଭୋଇ, ମୀନକେତନ ଭୋଇ, ପଦ୍ମଲୋଚନ ସାହୁ, ସୁନୀଲ ଶର୍ମା, ଦୟାନିଧି ପ୍ରଧାନ ଏବଂ ନକୁଳ ବାଦୀ ପ୍ରମୁଖ ସହଯୋଗ କରୁଛନ୍ତି।