
ବଲାଙ୍ଗୀର ଅଫିସ, ୬।୧୨-ନୂଆଦିଲ୍ଲୀରେ ଆୟୋଜିତ ପଞ୍ଚମ ଅର୍ନ୍ତରାଷ୍ଟ୍ରୀୟ ଗ୍ଳୋବାଲ କନ୍ଫରେନ୍ସ ଅନ୍ ସାଇବରସ୍ପେସ୍ର ଟେକ୍ନିକାଲ ପୋଷ୍ଟର ପ୍ରତିଯୋଗିତାରେ ବଲାଙ୍ଗୀର ଆନନ୍ଦନଗରର ସଞ୍ଜିତ କୁମାର ନାୟକ ପ୍ରଥମ ସ୍ଥାନ ଅଧିକାର କରି ଜିଲା ପାଇଁ ଗୌରବ ଆଣିଛନ୍ତି। ନାୟକଙ୍କ ପୋଷ୍ଟର ଶୀର୍ଷକ ଥିଲା ଅନ୍ ସଲଭିଂ ଡାଟା ପୋଜେସନ୍ ଇସୁଜ୍ ଇନ୍ କ୍ଳାଉଜ୍ ବେସଡ୍ ଇଲେକ୍ଟ୍ରେନିକ୍ ହେଲ୍ଥ ରେକର୍ଡ ସିଷ୍ଟମ। ଏହି ଅନ୍ତରାଷ୍ଟ୍ରୀୟ କନ୍ଫରେନ୍ସ ପ୍ରତିବର୍ଷ ବିଭିନ୍ନ ଦେଶରେ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏହା ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା। ନାୟକ ଏବେ ପାଟନା ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସ ପିଏଚ୍ଡି କରୁଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ନାୟକ ପ୍ରଥମ ହେବାର କୃତିତ୍ୱ ହାସଲ କରିଛନ୍ତି। ପୁରସ୍କାର ବିତରଣ ସଭାରେ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ୍ ଏବଂ ସୂଚନା ପ୍ରଦ୍ୟୋଗିକି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ନଭେମ୍ବର ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ଏହି ଅର୍ନ୍ତରାଷ୍ଟ୍ରୀୟ ଗ୍ଳୋବାଲ କନ୍ଫରେନ୍ସକୁ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ। ନାୟକ ବଲାଙ୍ଗୀର କଦମପଡା ସରସ୍ବତୀ ବିଦ୍ୟାମନ୍ଦିରରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତି ପରେ ରାଜେନ୍ଦ୍ର ମହାବିଦ୍ୟାଳୟରୁ ଯୁକ୍ତଦୁଇ, ସିଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂରୁ ବିଟେକ୍, ରାଉରକେଲା ଏନ୍ଆଇଟିରୁ ଏମ୍ଟେକ୍ ଡିଗ୍ରୀ ହାସଲ କରିଥିଲେ। ଏବେ ପାଟନା ଆଇଆଇଟିରେ ପିଏଚ୍ଡି କରୁଛନ୍ତି। ଏହାପୂର୍ବରୁ ହାଇଦ୍ରବାଦ୍ ପିଲାନି ବିଆଇଟିଏସ୍ରେ ଅଧ୍ୟାପନା ମଧ୍ୟ କରୁଥିଲେ। ଚୀନ୍ ଟିଆଞ୍ଜିନ୍ଠାରେ ଗତବର୍ଷ ଅନୁଷ୍ଠିତ ଅର୍ନ୍ତରାଷ୍ଟ୍ରୀୟ କନ୍ଫରେନ୍ସକୁ ଗବେଷଣା ପ୍ରସ୍ତୁତି ପାଇଁ ନାୟକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ନାୟକ ତାଙ୍କ ସଫଳତା ପାଇଁ ତାଙ୍କ ପିତା ସୁବୋଧ କୁମାର ନାୟକ, ମାତା ସନ୍ଧ୍ୟାରାଣୀ ନାୟକ, ଅଜା କବି ହରିଶଙ୍କର ବଡପଣ୍ଡା, ଆଈ ଯାଜ୍ଞସେନୀ ବଡପଣ୍ଡା, ଭଉଣୀ ପ୍ରଜ୍ଞାଶ୍ରୀ ନାୟକ ଏବଂ ପିଏଚ୍ଡି ପର୍ଯ୍ୟବେକ୍ଷକ ସୋମନାଥ ତ୍ରିପାଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି।