
ବରଗଡ ଅଫିସ, ୫।୧୨- ଏଥର ଖରିଫ ଋତୁରେ ଚକଡା ପୋକ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ଧାନ ଉଜାଡି ଦେଇଛି। ଏଥିରେ ଭାଙ୍ଗି ପଡି ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି। ମଙ୍ଗଳବାର ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବରଗଡ ଜିଲା ଗାଇସିଲେଟ ଥାନା ଅଧୀନ ରାଇସଲପଦର ଗାଁର ଚାଷୀ ଉମାକାନ୍ତ ସାହୁ (୩୩) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ସୋମବାର ସନ୍ଧ୍ୟାରେ ସେ ନିଜ ଧାନ ବିଲକୁ ଯାଇ କୀଟନାଶକ ପିଇ ଦେଇଥିଲେ। ଖବର ପାଇ ପରିବାର ଓ ଗାଁ ଲୋକେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ଲୋଇସିଂହା ମେଡିକାଲକୁ ନିଆ ଯାଇଥିଲା। ସେଠାରୁ ରାତାରାତି ପୁଣି ବଲାଙ୍ଗୀର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ଉମାକାନ୍ତ ଆଖି ବୁଜିଥିଲେ। ମଙ୍ଗଳବାର ଏହି ଖବର ପ୍ରଘଟ ହୋଇଥିଲା। ତେବେ ବ୍ୟବଚ୍ଛେଦ ପରେ ଗାଁକୁ ମୃତଦେହ ଫେରୁଥିବାବେଳେ ଶରଧାପାଲି ନିକଟରେ ଲୋକେ ମୃତଦେହକୁ ଅଟକାଇ ରାସ୍ତାରୋକୋ କରିଥିଲେ। ଉମାକାନ୍ତଙ୍କ ମୃତ୍ୟୁକୁ ସରକାରୀ ଚାଷୀ ମୃତ୍ୟୁ ବୋଲି ଘୋଷଣା କରନ୍ତୁ ଓ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରି ରାସ୍ତାରୋକୋ କରିଛନ୍ତି। ଫଳରେ ବଲାଙ୍ଗୀର-ପଦ୍ମପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଗାଇସିଲେଟ ତହସିଲଦାର ସଦାକର କୁମ୍ଭାର, ବିଡିଓ ସୁଧାଂଶୁଶେଖର ଭୋଇ ଓ ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଘଟଣାର ପ୍ରତିଶ୍ରୁତି ପାଇଁ ପ୍ରତିଶ୍ରୁତି ଦିଆ ଯାଇଛି। ଏହା ସହ ରେଡକ୍ରସରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଦିଆଯିବା ପରେ ଲୋକେ ରାସ୍ତାରୋକୋରୁ ଉଠିଛନ୍ତି। ଅନ୍ୟପକ୍ଷେ ଉମାକାନ୍ତଙ୍କ ଘର ଲୋକେ କହିଛନ୍ତି ଏଥର ୬ ଏକର ଜମିରେ ସେ ଧାନ ଚାଷ କରିଥିଲେ। ହେଲେ ଚକଡା ପୋକ ସବୁ ଉଜାଡି ଦେଇଛି। ୭୫ ହଜାର ଟଙ୍କା ଧାର କରି ଧାନ ଚାଷ କରିଥିବାରୁ ମୂଳତ ମିଳିବନି ହେଲେ ବାକି ଟଙ୍କା କେମିତି ସୁଝିବେ ବୋଲି ଉମାକାନ୍ତ ଚିନ୍ତାରେ ପଡିଥିଲେ। ଏଣୁ କାହାକୁ କିଛି ନ କହି ସେ ସୋମବାର ସନ୍ଧ୍ୟାରେ ବିଲକୁ ଯାଇ କୀଟନାଶକ ପିଇ ଦେଇଥିଲେ।