
ର୍ୟୁମାଟଏଡ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଖୁସି ଖବର। ଏଥିରୁ ଉପଶମ ପାଇବାର ଏକ ସରଳ ଉପାୟକୁ ଲୋକଲୋଚନକୁ ଆଣିଛନ୍ତି ଲଣ୍ଡନସ୍ଥିତ ୟୁନିଭର୍ସିଟି କଲେଜ ଲଣ୍ଡନ ଏବଂ ୟୁନିଭର୍ସିଟି ଅଫ ବର୍ମିଂହାମର ଅସ୍ଥିଶଲ୍ୟ ବିଶେଷଜ୍ଞମାନେ। ଏଭଳି ବିଷୟବସ୍ତୁକୁ ନେଇ ସେମାନେ କରିଥିବା ଗବେଷଣାରୁ ଜଣାପଡିଛି ଯେ ଯଦି ସେମାନେ ଭିଟାମିନ୍ ‘ଡି’ଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ଏଭଳି ସମସ୍ୟାରୁ ଅନେକାଂଶରେ ଉପଶମ ଲାଭ କରିପାରିବେ। ଏହି ରୋଗ ହେଲେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ ଏବଂ ଆଣ୍ଠୁଗଣ୍ଠି ଯୋଡାସ୍ଥଳରେ ଥିବା କୋଷ (ସେଲ୍)ଗୁଡିକ ପ୍ରଭାବିତ ହୋଇଥାଆନ୍ତି। ଫଳରେ ସେହି ସ୍ଥାନରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏଥିରୁ ଉପଶମ ଦେବାରେ ଭିଟାମିନ୍ ‘ଡି’ଯୁକ୍ତ ଖାଦ୍ୟ ସାହାଯ୍ୟ କରିଥାଏ ବୋଲି ସେମାନେ ପରୀକ୍ଷା କରି ଜାଣିପାରିଛନ୍ତି।