
ଓ୍ବେଲିଂଟନ, ୪।୧୨(ଏଏଫ୍ପି)- ଏଠାରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଘରୋଇ ନ୍ୟୁଜିଲାଣ୍ଡ ଦଳ ଏକ ଇନିଂସ୍ ଓ ୬୭ ରନ୍ ବ୍ୟବଧାନରେ ଜିତି ନେଇଛି। ମ୍ୟାଚ୍ର ୪ର୍ଥ ଦିବସରେ ଭ୍ରମଣକାରୀ ଇଣ୍ଡିଜ୍ ଦଳ ଅସମାପ୍ତ ୨ୟ ଇନିଂସ୍ ସ୍କୋର (୨/୨୧୪)ରୁ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସାମ୍ନା କରିଥିଲା। ଏଭଳି ସଙ୍କଟରୁ ଦଳକୁ ରକ୍ଷା କରିବା ପାଇଁ କୌଣସି ବ୍ୟାଟ୍ସମ୍ୟାନ ସକ୍ଷମ ହୋଇ ନ ଥିଲେ। ଏପରି କି ପୂର୍ବଦିନ ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ଥିବା ବ୍ୟାଟ୍ସମ୍ୟାନ କ୍ରେଗ ବ୍ରାଥଓ୍ବେଟ ନିଜ ବ୍ୟକ୍ତିଗତ ସ୍କୋରରେ ୧୨ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ। ସେହିଭଳି ସାଇ ହୋପ ମାତ୍ର ୩୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କପରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ୬୨ ରନ୍ ମଧ୍ୟରେ ବଳକା ୬ ଉଇକେଟ ହରାଇ ପରାଜୟ ବରଣ କରିନେଇଥିଲା। ବିଜୟୀ ଦଳ ପାଇଁ ମ୍ୟାଟ ହେନରୀ ୩ଟି ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ ଓ ନିଲ ଓ୍ବାଗନର ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଏଥିପୂର୍ବରୁ ପ୍ରଥମ ଇନିଂସ୍ରେ ଓ୍ବେଷ୍ଟଇଣ୍ଡିଜ ୧୩୪ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ୫୨୦ ରନ୍ କରିଥିଲା। ମ୍ୟାଚ୍ରେ ମୋଟ ୯ ଉଇକେଟ ହାସଲ କରିଥିବା ଓ୍ବାଗନରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ କରାଯାଇଛି।