
ପୁରୀ ଅଫିସ, ୪। ୧୨: ଫାଇଲିନ ମହାବାତ୍ୟାକୁ ଇତିମଧ୍ୟରେ ୪ବର୍ଷ ବିତିଛି। ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାର ଫାଇଲିନ କ୍ଷତିଗ୍ରସ୍ତଙ୍କୁ ବିଶ୍ୱବ୍ୟାଙ୍କ ସହାୟତାରେ ଘର ଯୋଗାଇ ଦିଆଯାଇଥିବା ବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକର ୧୪ହଜାର ଫାଇଲିନ କ୍ଷତିଗ୍ରସ୍ତକୁ ଏଯାଏ ଗୃହ ଯୋଗାଇ ଦିଆଯାଇନାହିଁ। ତେଣୁ ୭ଦିନ ମଧ୍ୟରେ ରାଜ୍ୟ ସରକାର ଏଦିଗରେ କୌଣସି ନିଷ୍ପତ୍ତି ନ ନେଲେ ଆସନ୍ତା ୧୮ତାରିଖରୁ ଜେଲଭରୋ ଆନ୍ଦୋଳନ କରାଯିବ ବୋଲି ପୁରୀ ଜିଲା ଫାଇଲିନ ପ୍ରପୀଡିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ କମିଟି ପକ୍ଷରୁ ଏକ ପ୍ରତିନିଧିଦଳ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଫାଇଲିନ କ୍ଷତିଗ୍ରସ୍ତଙ୍କୁ ବାତ୍ୟା ପ୍ରତିରୋଧ ଗୃହ ଯୋଗାଣ ନିମନ୍ତେ ବିଶ୍ୱବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହୋଇଥିଲା ଓଡିଆରପି ଯୋଜନା। ଏହି ଯୋଜନାରେ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଆଦି ଜିଲା ଫାଇଲିନ କ୍ଷତିଗ୍ରସ୍ତଙ୍କୁ ଆବାସିକ ଗୃହ ପାଇଁ ୩ଲକ୍ଷ ୫୦ହଜାର ଟଙ୍କା ଦେବା ଲାଗି ଲକ୍ଷ୍ୟ ରହିଥିଲା। ପୁରୀ ଜିଲାର ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ଏଥିରେ ସାମିଲ ହୋଇଥିଲା। ଏଥିଲାଗି ଅନୁଦାନ ବି ଆସିଥିଲା। ଏହି ଦୁଇଟି ବ୍ଲକରେ ପ୍ରାୟ ୧୩ହଜାର ଲୋକ ବାସଗୃହ ହରାଇଥିବା ବେଳେ ପ୍ରଶାସନିକ ଅପାରଗତାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଆସିଥିବା ଅନୁଦାନ ବି ଫେରିଗଲା। ଫାଇଲିନ କ୍ଷତିଗ୍ରସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଦାବି ନେଇ ଆନ୍ଦୋଳନ ଚଳାଇଛି ଫାଇଲିନ ପ୍ରପୀଡିତ କ୍ରିୟାନୁଷ୍ଠାନ କମିଟି। ଗତ ସେପ୍ଟେମ୍ବର ୧୫ରେ ଭୁବନେଶ୍ୱର ଲୋୟର ପିଏମଜିରେ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଅକ୍ଟୋବର ୭ରେ ସଚିବାଳୟରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଲା। ବୈଠକରେ ଏଦିଗରେ ପଦକ୍ଷେପ ନେବାକୁ ଆଲୋଚନା ହେଲା। କିନ୍ତୁ ଇତିମଧ୍ୟରେ ୨ମାସ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇନାହିଁ। କମିଟିର ସଭାପତି ସୁରେନ୍ଦ୍ର ନାଥ ଜେନା, ସମ୍ପାଦକ ଭୀମସେନ ସ୍ବାଇଁ, ଆବାହକ ବିହାରୀବନ୍ଧ ପଲାଇ ପ୍ରମୁଖ କର୍ମକର୍ତ୍ତା ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।