
ମେଲ୍ବୋର୍ନ:ଡଲ୍ଫିନର ସାମାଜିକ ବ୍ୟବହାର ବିଷୟରେ ସମସ୍ତଙ୍କୁ ଜଣା। ଏକ ଜଳଚର ଜୀବ ହେଲେ ସୁଦ୍ଧା ମଣିଷଙ୍କ ସହ ଡଲ୍ଫିନ୍ଙ୍କ ଭାବବିନିମୟ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଡଲ୍ଫିନ୍ ବିଷୟରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ୍ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ (ୟୁଡବ୍ଲ୍ୟୁଏ)ର ଗବେଷକମାନେ ଦାବି କରିଛନ୍ତି ଯେ, ଅଣ୍ଡିରା ଡଲ୍ଫିନ ମାଈ ଡଲ୍ଫିନ୍କୁ ଉପହାର ଦେଇ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାଏ। ବୃହତ୍ ସାମୁଦ୍ରିକ ସ୍ପୁଞ୍ଜ୍ ଉପହାର ଭାବେ ଦେଇଥାଏ। କୌଶଳ ପ୍ରଦର୍ଶନ ସାଙ୍ଗକୁ ଭିନ୍ନ ଭିନ୍ନ ଶବ୍ଦ ମଧ୍ୟ ସୃଷ୍ଟି କରିଥାଏ। ଡଲ୍ଫିନ୍ଙ୍କ ବ୍ୟବହାର ସମ୍ପର୍କରେ ଅଧ୍ୟୟନ କରିବା ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୀର୍ଘ ଏକ ଦଶନ୍ଧି ହେଲା ଉତ୍ତର-ପଶ୍ଚିମ ଅଷ୍ଟ୍ରେଲିଆରେ ଦେଖାଯାଉଥିବା ଉପକୂଳବର୍ତ୍ତୀ ଡଲ୍ଫିନ୍ଙ୍କ ଉପରେ ଗବେଷଣା କରାଯାଇଥିଲା। ଏଥିରେ ସେମାନେ ଦେଖିବାକୁ ପାଇଥିଲେ ଯେ, ଅଷ୍ଟ୍ରେଲିଆନ୍ ହମ୍ପ୍ବ୍ୟାକ୍ ପ୍ରଜାତିର ଡଲ୍ଫିନ୍ ମାଈ ଡଲ୍ଫିନ୍ଙ୍କୁ ଆକୃଷ୍ଟ କରିବା ଲାଗି ଉପହାର ସାଙ୍ଗକୁ ଅନେକ କୌଶଳ ପ୍ରଦର୍ଶନ କରିଥାଏ। ସମୁଦ୍ର ପୃଷ୍ଠରେ ଥିବା ବିଶାଳକାୟ ସ୍ପଞ୍ଜ୍ ବାହାର କରି ଏହାକୁ ନିଜ ପିଠି ଉପରେ ଧରିଥାଏ। ଏହି ସମୟରେ ଅଣ୍ଡିରା ଡଲ୍ଫିନ୍ଟି ଭାରସାମ୍ୟ ରକ୍ଷା କରିବାର କୌଶଳ ପ୍ରଦର୍ଶନ କରିଥାଏ। ଏହାକୁ ମାଈ ଡଲ୍ଫିନ୍କୁ ଦେଇଥାଏ। ହମ୍ପ୍ବ୍ୟାକ୍ ପ୍ରଜାତିର ଡଲ୍ଫିନ୍ ବିଷୟରେ ପ୍ରଥମକରି ଏଭଳି ତଥ୍ୟ ରେକର୍ଡ କରାଯାଇଥିବା ୟୁଡବ୍ଲ୍ୟୁଏର ସାଇମନ୍ ଆଲେନ୍ ପ୍ରକାଶ କରିଛନ୍ତି।