
ପୈୟଙ୍ଗୟାଙ୍ଗ୍,୨।୧୨: ବିଶ୍ୱ ପାଇଁ ଏବେ ବିପଦ ପାଲଟିଛନ୍ତି କିମ୍ ଜୋଙ୍ଗ ଉନ୍। କାହାକୁ ଖାତିର ନ କରି ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ ପରମାଣୁ ପରୀକ୍ଷା କରି ଚାଲିଛି। କିଛିଦିନ ତଳେ ସେ ଅନ୍ତରମହାଦ୍ୱୀପିୟ ବାଲେଷ୍ଟିକ୍ କ୍ଷେପଣାସ୍ତ୍ର ହ୍ବାସଙ୍ଗ-୧୫ ପରୀକ୍ଷଣ କରି ନିଜର ଶକ୍ତି ଦେଖାଇଛି। କିମ୍ ଜୋଙ୍ଗ ଉନ୍ କ୍ଷମତାକୁ ଆସିବା ପରଠାରୁ ଅଧିକ କ୍ଷମତାଶାଳୀ ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ସହ ତାଙ୍କର ଶତ୍ରୁତା ବଢିବାରେ ଲାଗିଛି। ଏମିତିକି ତାଙ୍କ ଦେଶର କୌଣସି ବ୍ୟକ୍ତି ଯଦି ତାଙ୍କ ସହ ପ୍ରତିଯୋଗିତା କରିବା ଭଳି ସେ ଅନୁଭବ କରନ୍ତି ତେବେ ତାକୁ ମୃତ୍ୟୁ ଦଣ୍ଡ ଦେବାକୁ ମଧ୍ୟ ପଛାନ୍ତି ନାହିଁ କିମ୍। ବିଶେଷ ସୂତ୍ରରୁ ଜଣାପଡିଛି, କ୍ଷମତା ବଳରେ ଏ ପର୍ଯ୍ୟନ୍ତ ପାଖାପାଖି ୩୪୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି କିମ୍। ନିକଟରେ ସେ ପରୀକ୍ଷା କରିଥିବା କ୍ଷେପଣାସ୍ତ୍ର ହ୍ବାସଙ୍ଗ-୧୫ ସର୍ବାଧିକ ବିସ୍ଫୋଟକ ସହ ୩୨ହଜାର କିଲୋମିଟର ଦୂରତା ଅତିକ୍ରମ କରିବାର କ୍ଷମତା ରଖିଛି। ପରମାଣୁ ଶକ୍ତି ବୃଦ୍ଧି କରି ଉତ୍ତର କୋରିଆ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।