
କଲିକତା,୧।୧୨(ପି.ଟି.)କଲିକତାର ଏକ ଘରୋଇ ସ୍କୁଲ ଭିତରେ ଜଣେ ୪ ବର୍ଷର ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ମା’ବାପାଙ୍କ ଅଭିଯୋଗକ୍ରମେ ଡାକ୍ତରୀମାଇନା ହେବା ପରେ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଛି। ଏଥିରେ ସ୍କୁଲର ୨ ଶିକ୍ଷକ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପଶ୍ଚିମବଙ୍ଗ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ କୋମଳମତି ଶିଶୁକନ୍ୟା ପ୍ରତି ଏଭଳି ବର୍ବର ଆଚରଣକୁ ଚାରିଆଡ଼ୁ ନିନ୍ଦା କରାଯାଇଛି। ଅଭିଭାବକମାନେ ଉକ୍ତ ସ୍କୁଲ ଆଗରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟରେ ଶାରୀରିକ ପ୍ରଶିକ୍ଷଣ (ପିଟି) ଦେଉଥିବା ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ପଚରାଉଚୁରା ପରେ ଗିରଫ କରାଯାଇଛି ବୋଲି କଲିକତାର ଯୁଗ୍ମ ପୋଲିସ କମିଶନର (କ୍ରାଇମ୍) ବିଶାଲ ଗର୍ଗ କହିଛନ୍ତି। ଉକ୍ତ ସ୍କୁଲରେ ତିନିବର୍ଷ ପୂର୍ବେ ସମାନ ଘଟଣା ଘଟିଥିଲା। ଯାଦବପୁର ଥାନାରେ ପୀଡ଼ିତା ଛାତ୍ରୀଙ୍କ ମା’ବାପା ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଅନୁଯାୟୀ ଗୁରୁବାର ନର୍ସରୀ ଛାତ୍ରୀ ନିଜ ସ୍କୁଲ (ଜି ଡି ବିର୍ଲା ଏଜୁକେଶନ ସେଣ୍ଟର)ରୁ ଫେରି ବହୁତ କାନ୍ଦିଥିଲେ। ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିବା ସେ କହିଥିଲେ। ମା’ ପଚାରିବାରୁ ଛାତ୍ରୀ କହିଲେ, ପିଟି ଶିକ୍ଷକ ତାଙ୍କୁ ଜବରଦସ୍ତି ଓ୍ବାଶ୍ରୁମ୍ ନେଇଯାଇଥିଲେ। ତେବେ ସେଠାରେ ତାଙ୍କ ସହ କ’ଣ ଘଟିଲା, ତାହା ସେ ମା’ଙ୍କୁ କହିପାରିଲେ ନାହିଁ। ଗୁରୁବାର ବିଳମ୍ବିତ ରାତିରେ ଛାତ୍ରୀଙ୍କ ଡାକ୍ତରୀମାଇନା ହେବାରୁ ବଳାତ୍କାର ହୋଇଥିବା ସ୍ପଷ୍ଟ ହେଲା। ବର୍ତ୍ତମାନ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।