Dharitri News
ସମ୍ପାଦକୀୟ |

ପରିବେଶ ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନ ପ୍ରକାଶ ଚନ୍ଦ୍ର ମିଶ୍ର ପରିବେଶର ସୁରକ୍ଷା କିପରି ଅପରିହାର୍ଯ୍ୟ, ତାହା ସମସ୍ତେ ହୃଦୟଙ୍ଗମ କରିସାରିଲେଣି। ଗ୍ରୀଷ୍ମର ଅସହ୍ୟ ରୌଦ୍ରତାପ, ବର୍ଷାକାଳେ ଅନିୟମିତ ବାରିପାତ, ଶୀତକାଳର ଅବଧି ହ୍ରାସ, ପରିବେଶର ପ୍ରଦୂଷଣର ହେତୁ ବିଭିନ୍ନ ରୋଗ ସୃଷ୍ଟି ପ୍ରଭୃତି ଅସୁରକ୍ଷିତ ପରିବେଶରୁ ସୃଷ୍ଟ। ଜୈବମଣ୍ଡଳର ସୁରକ୍ଷା ସହ ମୃତ୍ତିକାର ନିମ୍ନଭାଗରେ ତଥା ଉପରେ ରହୁଥିବା ଅସଂଖ୍ୟ ଉପକାରୀ କୀଟପତଙ୍ଗର ସୁରକ୍ଷା ଅପରିହାର୍ଯ୍ୟ। ଖାଦ୍ୟ ଲୋଭ ଏବଂ ଅନ୍ଧବିଶ୍ୱାସକୁ ପାଥେୟ କରି ମାଣିଷ କେତେ ଯେ ବନ୍ୟପ୍ରାଣୀଙ୍କୁ ଧ୍ୱଂସମୁଖକୁ ନେଲାଣି ତା’ର ହିସାବ ନାହିଁ। ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାସାୟନିକ ସାର ଏବଂ ବିଷାକ୍ତ କୀଟନାଶକର ବହୁଳ ପ୍ରୟୋଗ ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣ ସହ ମୃତ୍ତିକା ଭିତରେ ଥିବା କିମ୍ବା ବୃକ୍ଷଲତା, ଜଳରେ ଆଶ୍ରିତ ଅସଂଖ୍ୟ ଉପକାରୀ କୀଟପତଙ୍ଗ, ଜଳଚର ଜୀବ ଯଥା ମାଛ, ବେଙ୍ଗ, କଇଁଛ, କଙ୍କଡା ଇତ୍ୟାଦିଙ୍କ ଧ୍ୱଂସର କାରଣ ସାଜିଛି। ତା’ଛଡା ପଶୁପକ୍ଷୀଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରାଣ ରକ୍ଷାକାରୀ ଔଷଧର କୁପ୍ରଭାବ ତାଙ୍କର ମୃତ୍ୟୁ ପରେ ମଧ୍ୟ ପରିଲକ୍ଷିତ ହେଉଛି। ଚିଲ, ଶାଗୁଣା ପ୍ରଭୃତି ପକ୍ଷୀର ଧ୍ୱଂସ ଉପରୋକ୍ତ କାରଣ ଯୋଗୁ ହୋଇଛି। ପଲିଥିନ୍‌ର ବହୁଳ ପ୍ରଚଳନ ଯୋଗୁ ନଦୀ, ନାଳରୁ ସମୁଦ୍ରକୁ ଯାଇ କେତେ ଯେ ଜୀବଜନ୍ତୁଙ୍କ କ୍ଷତି ପହଞ୍ଚାଉଛି ତାହା କଳ୍ପନାତୀତ। ପୁନଶ୍ଚ ଫୋପଡା ପଲିଥିନ୍‌ ଭିତରେ ଥିବା ବର୍ଜିତ ଖାଦ୍ୟପଦାର୍ଥକୁ ଖାଇ ବହୁ ନିରୀହ ପଶୁପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ତେଣୁ ପରିବେଶ ସୁରକ୍ଷାର ଉଦ୍ଦେଶ୍ୟ ଛାତ୍ରସମାଜ, ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ, ଗ୍ରାମବାସୀ ସମସ୍ତେ ଜାଣିବା ଏକାନ୍ତ ଆବଶ୍ୟକ। ଆଲୋଚନା କରାଯାଉଥିବା ପରିବେଶ ପର୍ଯ୍ୟଟନ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରୟାସ। କିଛିବର୍ଷ ହେଲା ପ୍ରାକୃତିକ ଶୋଭା ବିମଣ୍ଡିତ ଉପାନ୍ତ ବଣଜଙ୍ଗଲରେ ରହିବା, ଖାଇବା, ବୁଲିବା ପାଇଁ ଗାଇଡ୍‌ର ବ୍ୟବସ୍ଥା କରାଯାଇଛି। ଘଞ୍ଚ ପାହାଡପର୍ବତ, ମନୋଲୋଭା ଜଳପ୍ରପାତ, ଉଷ୍ଣ ପ୍ରସ୍ରବଣ, ସର୍ପିଳ ଝରଣା, ହିଂସ୍ର ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପ୍ରଭୃତିକୁ ପରିଭ୍ରମଣ କରିବା ଏବଂ ପ୍ରକୃତିକୁ ନିଜେ ବୁଝିବା ପାଇଁ ବିଭିନ୍ନ ପରିବେଶ ପର୍ଯ୍ୟଟନ କେନ୍ଦ୍ରର ସୁବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପର୍ଯ୍ୟଟନ କେନ୍ଦ୍ର ନିକଟରେ ଥିବା ପ୍ରାକୃତିକ ଶୋଭାମୟ ଦୁର୍ଗମ ଅଞ୍ଚଳକୁ ନିଜ ପାଦରେ ଅନୁଭବ କରିବା ପାଇଁ ବିଭିନ୍ନ ଚଲାପଥ ସୃଷ୍ଟି କରାଯାଇ ପ୍ରତି ଚଲାପଥରେ ଦଶରୁ ପନ୍ଦର ଜଣ ପର୍ଯ୍ୟଟକଙ୍କୁ ଗୋଟିଏ ଦଳରେ ଜଣେ ସ୍ଥାନୀୟ ପରିବେଶବିତ୍‌ଙ୍କ ନେତୃତ୍ୱରେ ନେବାର ବନ୍ଦୋବସ୍ତ କରାଯାଏ। ଚଲାପଥରେ ଯିବା ସମୟରେ ସେମାନଙ୍କୁ ସ୍ଥାନୀୟ ଜୈବବିବିଧତା ବିଷୟରେ ବ୍ୟାଖ୍ୟା କରାଯାଏ। ତା’ଛଡା ଚଲାପଥ କିମ୍ବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ବନ୍ୟପ୍ରାଣୀଙ୍କ ଶବ୍ଦ, ପାଦଚିହ୍ନ, ପଡିଥିବା ଲୋମ, ଶିଙ୍ଗ, ପର, ସେମାନଙ୍କ ପ୍ରଜନନ ପ୍ରକ୍ରିୟା, ପରିବେଶ ସୁରକ୍ଷାରେ ସେମାନଙ୍କ ଅବଦାନ ବିଷୟରେ ଆଲୋଚନା କରାଯାଏ। ପାହାଡପର୍ବତରେ ଉପଲବ୍ଧ ଶିଳା, ଧାତୁ ବିଷୟରେ ସମ୍ୟକ୍‌ ଧାରଣା ଦିଆଯାଏ, ପୁଣି ସେମାନଙ୍କର ସୃଷ୍ଟି, ଉପକାରିତା ବିଷୟରେ ବର୍ଣ୍ଣନା କରାଯାଏ। ଚଲାପଥରେ ପଡ଼ିଥିବା ବିଭିନ୍ନ ବୃକ୍ଷଗଣ୍ଡି କିମ୍ବା ମାଟି ଉପରେ ଶୁଷ୍କ ବୃକ୍ଷର ଛାଲି ତଳେ ରହୁଥିବା ପୋକଜୋକ, ସେମାନଙ୍କ ପରିବେଶ ସୁରକ୍ଷାରେ ଅବଦାନ ବୁଝାଇ ଦିଆଯାଏ। ଚଲାପଥରେ ପଡୁଥିବା ଛୋଟ ଜଙ୍ଗଲୀ ନାଳ, ଜଳାଶ୍ରୟ, ସେଥିରେ ବସବାସ କରୁଥିବା ଜଳଚର ଜୀବ, କୀଟପତଙ୍ଗ ପ୍ରଭୃତିଙ୍କ ବିଷୟରେ ପର୍ଯ୍ୟଟକଙ୍କୁ ସମ୍ୟକ୍‌ ଜ୍ଞାନ ବିତରଣ କରାଯାଏ। ଜଙ୍ଗଲ ଭିତରେ ପ୍ରବାହିତ ନଦୀନାଳ କିପରି ବର୍ଷସାରା ପାଣିରେ ପରିପୂର୍ଣ୍ଣ ରହେ, ଏଥିପାଇଁ ସେମାନଙ୍କର ଉପରମୁଣ୍ଡରେ ଥିବା ମୃତ୍ତିକା ଓ ଗଛଲତା କିପରି ସାହାଯ୍ୟ କରେ ପର୍ଯ୍ୟଟକମାନେ ତାହା ହୃଦୟଙ୍ଗମ କରନ୍ତି। ଚଲାପଥର ଉଭୟ ପାର୍ଶ୍ୱର ଗ୍ରାମବାସୀଙ୍କ ସହ କଥାବାର୍ତ୍ତାର କାର୍ଯ୍ୟକ୍ରମ କରାଯାଇଥାଏ। ବନବାସୀଙ୍କ ଧାନ କିମ୍ବା ଅନ୍ୟାନ୍ୟ କ୍ଷେତ ଆଗରୁ ଦେଖାହୋଇଥାଏ। କଥାବାର୍ତ୍ତାରୁ ଜଣାପଡେ କିପରି ବନବାସୀମାନେ ରାସାୟନିକ ସାର ଏବଂ କୀଟନାଶକରୁ ସେମାନଙ୍କର କ୍ଷେତକୁ ଦୂରେଇ ରଖିଛନ୍ତି। ଶଢା ଗୋବରଖତ, ନିମପିଡିଆ ଓ କମ୍ପୋଷ୍ଟ ସେମାନେ ଚାଷଜମିରେ ପ୍ରୟୋଗ କରନ୍ତି। ଶସ୍ୟଗୁଡ଼ିକୁ ସାଇତିବା ପାଇଁ ଶୁଖିଲା ନିମ, ନିର୍ଗୁଣ୍ଡି ପତ୍ରର ପ୍ରୟୋଗ କରନ୍ତି। ଚାଷ କରୁଥିବା ଧାନ ଏବଂ ଅନ୍ୟାନ୍ୟ ଶସ୍ୟର ମଞ୍ଜି ବାପଅଜା ଅମଳରୁ ହେଉଥିବା ଶସ୍ୟ, ବହୁଳ ଭାବେ ଅନ୍ୟଆଡେ ବ୍ୟବହୃତ ହାଇବ୍ରିଡ ବୀଜ ନୁହେଁ। ଆଲୋଚନା ସମୟରେ ସେମାନେ ଖାଉଥିବା ଭାତ, ଡାଲି ଏବଂ ତରକାରି କିପରି ସ୍ବାଦିଷ୍ଠ ତାହା ପର୍ଯ୍ୟଟକମାନେ ହୃଦୟଙ୍ଗମ କରନ୍ତି। ବନବାସୀମାନେ ଅଶିକ୍ଷିତ ଅବା ଗରିବ ହୋଇପାରନ୍ତି, ମାତ୍ର ସେମାନେ ବନ୍ଧୁବତ୍ସଳ। ନାଲି ଚା’ ଦେବାକୁ ସେମାନେ ଭୁଲିଯାଆନ୍ତି ନାହିଁ। ତା’ ପୁଣି ପତ୍ରରେ ତିଆରି ଗ୍ଲାସରେ, ପଲିଥିନ୍‌ର ପ୍ରଚଳନ ସେଠାରେ ନାହିଁ। ସେ ଚା’ ପତି ଆମେ ବ୍ୟବହାର କରୁଥିବା ପତି ନୁହେଁ, ତାହା ତାଙ୍କର ତୁଳସୀଗଛର ଶୁଖିଲା ପତ୍ର। ସ୍ବାଦ ବହୁତ ଭଲ ଏବଂ ଏହା ଏକ ଔଷଧ ମଧ୍ୟ। ଗ୍ରାମବାସୀମାନଙ୍କ ସହ କଥାବାର୍ତ୍ତାରୁ ଜଣାପଡିବ କିପରି ସାଧାରଣ ଜ୍ୱର, କାଶ, ମ୍ୟାଲେରିଆ, ଥଣ୍ଡା ପ୍ରଭୃତି ରୋଗ ବ୍ୟତୀତ ସେମାନେ ସାଧାରଣତଃ ଅନ୍ୟ ରୋଗର ଶିକାର ହୁଅନ୍ତି ନାହିଁ। ଔଷଧୀୟ ଚେରମୂଳିରୁ ସେମାନେ ଭଲ ହୁଅନ୍ତି। ରୋଗମୁକ୍ତ ଜୀବନ ବୋଧହୁଏ ସୁସ୍ଥ ପରିବେଶରେ ରହିବାର ଫଳ। ପାହାଡିଆ ଅଞ୍ଚଳରେ ସା ଜଲ୍‌ଦି ଆସିଯାଏ, ସହର ବଜାର ଅଞ୍ଚଳଠାରୁ ଟିକେ ଅଧିକ ଥଣ୍ଡା ସେ ଅଞ୍ଚଳରେ ଅନୁଭୂତ ହୁଏ। ଚଲାପଥରେ ଯିବା ଆସିବା ଦ୍ୱାରା ସେମିତି ବିଶେଷ କଷ୍ଟ ଅନୁଭୂତ ହୁଏନାହିଁ, ଝାଳ କମ୍‌ ବୁହେ। ଅଧିକାଂଶ ଜଙ୍ଗଲ ଭିତର ଗ୍ରାମରେ ବିଦ୍ୟୁତ୍‌ ସେବାରୁ ବନବାସୀ ବଞ୍ଚିତ। ମାତ୍ର ସେମାନେ ଶୁଖରେ ନିଦ୍ରା ଯାଆନ୍ତି। ଅତ୍ୟଧିକ ଗରମ ସେମାନେ ସା ପରେ ଅନୁଭବ କରନ୍ତି ନାହିଁ। ବନବାସୀମାନଙ୍କ ଘରର ବର୍ଜିତ ଦୂଷିତ ଜଳ ମାଟିକୁ ଚାଲିଯାଏ, ତେଣୁ ନାଳ, ଝରଣା ପ୍ରଦୂଷଣମୁକ୍ତ ରହେ। ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ରହିବା ସମୟରେ କିପରି ସେଠାକାର ପରିବେଶ ହୃଦୟସ୍ପର୍ଶୀ, ପର୍ଯ୍ୟଟକମାନେ ତାହା ଅନୁଭବ କରନ୍ତି। ପରିବେଶର ସୁରକ୍ଷା କାହିଁକି ଜରୁରୀ ତାହା ମଧ୍ୟ ଜାଣନ୍ତି। କିପରି ଏହା ସମ୍ଭବ ତାହା ଚିନ୍ତା କରନ୍ତି। ସମସ୍ତ ପ୍ରକାର ଆଧୁନିକ ଶୈଳୀର ଚଳଣିକୁ ଯଥାସମ୍ଭବ ବିସର୍ଜନ କରିବାକୁ ପଡିବ। ତା’ ହେଲେ ଯାଇ ପରିବେଶର ସୁରକ୍ଷା ସମ୍ଭବ। ବୃନ୍ଦାବନ ଏନ୍‌କ୍ଲେଭ, ଖଣ୍ଡଗିରି, ଭୁବନେଶ୍ୱର, ମୋ-୯୪୩୭୧୯୩୧୭୫

ସମ୍ପାଦକୀୟ |

ଆତ୍ମହତ୍ୟା

ଆତ୍ମହତ୍ୟା

ସମ୍ପାଦକୀୟ-ତଥାଗତ ସତପଥୀ/ ୨୨ ଜାନୁୟାରୀ ୨୦୧୮ ଓଡ଼ିଶା ପୋଲିସ ପାଇଁ ଏକ କଳଙ୍କିତ ଦିବସ ଭାବେ ମନେରହିବ। ଗଣବଳାତ୍କାରର ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ରାଜ୍ୟର ଚିନ୍ତାଶୀଳ ସମାଜକୁ ବ୍ୟସ୍ତ କରିବା କଥା। ଆଜିର ପୃଥିବୀରେ ”#ମିଟୂ“ ଏକ ସାମାଜିକ ବିପ୍ଳବରେ ପରିଣତ ହେଲାଣି। ଏହି କ୍ରାନ୍ତିକାରୀ ଚିନ୍ତା ମାଧ୍ୟମରେ ମହିଳାମାନଙ୍କୁ ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସମାଜରେ ଉତ୍ସାହିତ କରାଯାଉଛି। ଦେହକୁ ନ ଛୁଇଁ ଯଦି ଭାଷାରେ ପୁରୁଷଙ୍କ ତରଫରୁ ଇଙ୍ଗିତ କରାଯାଉଛି, ତାହାକୁ ମଧ୍ୟ ପଦାରେ ପକାଇବା ପାଇଁ ମହିଳାମାନଙ୍କୁ ଶକ୍ତି ଦିଆଯାଉଛି। ଏଭଳି ଏକ ଚିନ୍ତାଧାରାରେ ସମଗ୍ର ପୃଥିବୀ ପ୍ରଭାବିତ ହେବା ସମୟରେ, ଓଡ଼ିଶାର କୋରାପୁଟ ଜିଲା କୁନ୍ଦୁଲି ନିକଟସ୍ଥ ମୂୂଷାଗୁଡ଼ା ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିବା ସମଗ୍ର ଓଡ଼ିଆ ଜାତିକୁ ଲଜ୍ଜିତ କରିବା କଥା। ଏହି ଛାତ୍ରୀଙ୍କ କହିବା ଅନୁଯାୟୀ ତାଙ୍କୁ ଗଣବଳାତ୍କାର କରିଥିବା ୪ଜଣ ବ୍ୟକ୍ତି ପୋଲିସ ପୋଷାକଧାରୀ ଥିଲେ। ଏହି ଗଣବଳାତ୍କାରୀଙ୍କୁ ଲୁଚାଇବା ପାଇଁ ସମଗ୍ର ବ୍ୟବସ୍ଥା ମିଶିଯିବା ଅତ୍ୟନ୍ତ କ୍ଷୋଭର ବିଷୟ। ଆଜିର ଆତ୍ମହତ୍ୟା ପ୍ରମାଣ କରୁଛି ଯେ ଉଭୟ ଓଡ଼ିଶା ପୋଲିସର ଦାବି ଏବଂ ଡାକ୍ତରୀ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା। ଛାତ୍ରୀ ଜଣକ ବଞ୍ଚିଥିବା ବେଳେ ବାରମ୍ବାର ଦୋହରାଇଥିଲେ ଯେ ଗଣବଳାତ୍କାରୀମାନେ ପୋଲିସ କର୍ମଚାରୀ। କେତେକ ଗଣମାଧ୍ୟମରେ କୁହାଯାଉଥିଲା ଏମାନେ କେନ୍ଦ୍ରୀୟ ସୁରକ୍ଷା କର୍ମଚାରୀ ହୋଇଥାଇପାରନ୍ତି।...

ଆଗକୁ ଆଠମାସିଆ ଗ୍ରୀଷ୍ମ

ଆଗକୁ ଆଠମାସିଆ ଗ୍ରୀଷ୍ମ

ସହଦେବ ସାହୁ/ ଯଦି ଆଜି ଭଳି ଜାଗତିକ ଉଷ୍ଣତା (ଗ୍ଲୋବାଲ୍‌ ୱାର୍ମିଂ) ଜାରି ରହେ, ତେବେ ଆଜି ଜନ୍ମ ହେଉଥିବା ପିଲାକୁ ୫୦ ବର୍ଷ ହେଲା ବେଳକୁ ଅର୍ଥାତ୍‌ ୨୦୭୦ରେ ସେ ଆଠମାସିଆ ଖରା ଋତୁ ଦେଖିବ, ତା’ ଜୀବନ ଡହଳବିକଳ ହେବ। ପରିବେଶବିତ୍‌ମାନେ ଏଭଳି ଚେତାବନୀ ତେବେ କାହିଁକି ଦେଉଛନ୍ତି? ଧ୍ୱଂସାଭିମୁଖୀ ପୃଥିବୀକୁ ଉଦ୍ଧାର କରିବା ଦିଗରେ ବିଭିନ୍ନ ରାଷ୍ଟ୍ରର ନେତାମାନେ କିଭଳି ସେମାନଙ୍କ ରାଜନୈତିକ ଦାୟିତ୍ୱ ତୁଲାଉନାହାନ୍ତି ତା’ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଏହାର ଉଦ୍ଦେଶ୍ୟ। ଏ ବିଷୟରେ ସାଧାରଣ ନାଗରିକର ସାଧାରଣ ଜ୍ଞାନ ନ ବଢିଲେ ସେ ଭୋଟଦାତା ଭାବେ ନେତାମାନଙ୍କ ବେକରେ ଗାମୁଛା ପକାଇବାର ସାହସ ପାଇବ ନାହିଁ। ସୂର୍ଯ୍ୟର ପ୍ରଖର ବିକିରଣକୁ ନରମ କରିବାର ପରିବେଶ ପୃଥିବୀର ଅଛି, କିନ୍ତୁ ମଣିଷର ଅମଣିଷିଆ କାମ ପରିବେଶକୁ ବିଗାଡ଼ୁଛି। ସୂର୍ଯ୍ୟର ବିକିରଣ କେବଳ ଦୃଶ୍ୟ ଆଲୋକ ଜରିଆରେ ଘଟୁନାହିଁ, ଅଦୃଶ୍ୟ ଅଲ୍‌ଟ୍ରାଭାଓଲେଟ୍‌ ଓ ଇନ୍‌ଫ୍ରାରେଡ୍‌ ମଧ୍ୟ ବିକିରଣ ଜରିଆରେ ସମ୍ଭବ ହେଉଛି। ଏ ସବୁର ମାତ୍ର ୩୦ ଶତାଂଶ ବାଦଲ, ତୁଷାରାବୃତ୍ତ ତଥା ଅନ୍ୟ ପ୍ରତିଫଳନକାରୀ ପୃଷ୍ଠ ଦ୍ୱାରା ମହାକାଶକୁ ଫେରେ। ବାକି ୭୦ ଶତାଂଶ ସମୁଦ୍ର, ଭୂଇଁ ଓ ବାୟୁମଣ୍ଡଳ ଶୋଷି ନେଇ ଉଷ୍ଣ ହୋଇଯାଏ। ତାତିଥିବା ସମୁଦ୍ର, ଭୂଇଁ ଓ ବାୟୁମଣ୍ଡଳରୁ ତାପ ବି ବାୟୁମଣ୍ଡଳ ଦେଇ ମହାକାଶକୁ ଚାଲିଯାଏ, ଏ ପ୍ରକାର ପ୍ରତିଫଳିତ ବିକିରଣକୁ ଇନ୍‌ଫ୍ରାରେଡ୍‌ ଥର୍ମାଲ୍‌ (ଅବଲୋହିତ ଉଷ୍ଣ) କୁହାଯାଏ। ଆସିବାରୁ ଫେରିବା କଟିଗଲା ପରେ ବାକି ବିକିରଣ ପୃଥିବୀପୃଷ୍ଠର ହାରାହାରି ତାପକୁ ୧୫ ଡିଗ୍ରୀ ସେଲ୍‌ସିୟସ୍‌ (୫୯୦ ଫାରେନ୍‌ହାଇଟ୍‌)ରେ ରଖେ ବୋଲି ଆମେରିକାର ‘ନାସା’ ହିସାବ କରିଛି। ଏଥିରୁ ମନେହେବ ଜାଗତିକ ଉଷ୍ଣତା ଏକ ସ୍ବାଭାବିକ ପ୍ରକ୍ରିୟା। କାଚ ଘର ଭିତରେ ଚାଷ (ଗ୍ରୀନ୍‌ ହାଉସ୍‌) କଲେ ସେ ଘରେ ପଶୁଥିବା ଓ ତହିଁରୁ ବାହାରିଯାଉଥିବା ବିକିରଣ ଭିତରେ ବଦଳାବଦଳି ଏହିପରି ଘଟିଥାଏ ବୋଲି ଏ କାରବାରକୁ ଗ୍ରୀନ୍‌ ହାଉସ୍‌ ବା ଗ୍ଲାସ୍‌ ହାଉସ୍‌ ଇଫେକ୍ଟ (ପ୍ରଭାବ) କୁହାଯାଏ ଏବଂ ଯେଉଁ ବାଷ୍ପଗୁଡିକ ବିକିରଣକୁ ଶୋଷିରଖନ୍ତି ସେଗୁଡିକୁ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ କୁହାଯାଏ। ...

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ଡ. ଜନ୍ମେଜୟ ଚୌଧୁରୀ/ ଯେଉଁ ଦେଶବତ୍ସଳ ବୀରମାନଙ୍କ ଶୁଭ ଆବିର୍ଭାବ ଦେଶର ଭାଗ୍ୟରେ ନୂତନ ଜାଗରଣର ଏକ ନବ ଯୁଗ ଆଣିଥିଲା, ସେମାନଙ୍କ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ଅନ୍ୟତମ। ସମ୍ବଲପୁରଠାରୁ ୨୧ ମାଇଲ ଦୂର ଖିଣ୍ଡା ଗ୍ରାମରେ ୧୮୦୯ ଜାନୁୟାରୀ ୨୩ ତାରିଖରେ ଚୌହାନ ବଂଶରେ (ରାଜବଂଶୀ କ୍ଷତ୍ରିୟ) ବିପ୍ଳବୀ ସୁରେନ୍ଦ୍ର ସାଏଙ୍କର ଜନ୍ମ ହୋଇଥିଲା। ୧୮୨୭ ମସିହାରେ ସମ୍ବଲପୁର ରାଜା ଅପୁତ୍ରକ ଥାଇ ଦେହତ୍ୟାଗ କରିଥିଲେ। ସୁରେନ୍ଦ୍ର ସାଏ ସେହି ରାଜବଂଶର ଉପଯୁକ୍ତ ଦାୟାଦ ଭାବରେ ରାଜଗାଦି ଦାବି କଲେ। କିନ୍ତୁ ଇଂରେଜ ସରକାର ତାଙ୍କ ଦାବିକୁ ଉପେକ୍ଷା କରି ତାରପାଲିର ଜମିଦାର ନାରାୟଣ ସିଂହଙ୍କୁ ସେହି ସିଂହାସନ ପ୍ରଦାନ କଲେ। ଏହାଦ୍ୱାରା ସମଗ୍ର ସମ୍ବଲପୁର ଅଞ୍ଚଳରେ ବିଶୃଙ୍ଖଳା ବ୍ୟାପିଗଲା। ସମ୍ବଲପୁରର ଗଣ୍ଡ ଓ ବିଞ୍ଚାଲ୍‌ ଜମିଦାର ଗୋଷ୍ଠୀ ସୁରେନ୍ଦ୍ର ସାଏଙ୍କୁ ସିଂହାସନର ଉପଯୁକ୍ତ ଉତ୍ତରାଧିକାରୀ ଭାବେ ସମର୍ଥନ କରି ଆନ୍ଦୋଳନ କଲେ। ପରିଶେଷରେ ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଇଂରେଜ ସରକାର ୧୮ବର୍ଷ ଜେଲ୍‌ଦଣ୍ଡ ଦେଲେ।...

ମାରିନେବେ ମହାପାତ୍ରେ

ମାରିନେବେ ମହାପାତ୍ରେ

ପ୍ରକାଶ କୁମାର ସିଂହ/ ‘ମାରିନେଲେ ମହାପାତ୍ରେ, ଚାହିଁଥାରେ ଜଳକା’ ବୋଲି ଲୋକୋକ୍ତି ଅଛି ନା ସାଧୁଜନେ? ଏଇ କଥାଟି ଆମ ଚଳଣିରେ, ଆମ ଜୀବନରେ ବେଳେବେଳେ ହାଡ଼େହାଡ଼େ ସତ ହୋଇଯାଏ। ବିଶ୍ୱାସ ହେଉନି ଆପଣଙ୍କର? ହେଲେ ଟିକିଏ ଭାବିଲେ ଆମ ରସଗୋଲାର ଜିଆଇ ମାନ୍ୟତା କଥା। କେଡ଼େବଡ଼ କଥାଟେ ନ ହେଲା ସତେ! ଆମକୁ ଭକୁଆ ବନେଇ ପଡୋଶୀ ରାଜ୍ୟ କଲିକତା ରସଗୋଲା ନାମରେ ଜିଆଇ ମାନ୍ୟତା ହାସଲ କରିନେଲା। କିହୋ- ସିଏ ନେଲା କ’ଣ, ଆମର ‘ହାତ ଅଳସେ ନିଶ ବଙ୍କା’ ନୀତି ଯୋଗୁ ମାରିନେଲା ଚାନ୍ସ। ବଙ୍ଗାଳୀ ବାଡିରେ ଓଡିଆ ପୂଜାରୀ କେଡେ ସୁଆଦିଆ ଖାଦ୍ୟଦ୍ରବ୍ୟ ପରଷନି ସତେ। ଓଡିଆ ରାନ୍ଧୁଣିଆର ରୋଷେଇ ଖାଇଲେ ନା ଖାଦ୍ୟ ସାଙ୍ଗରେ ଆଙ୍ଗୁଠିକୁ ଚାଟି ଚାଟି ସରେଇଦେବ। ଏଇ ଇଲାକାର ପୂଜାରୀ ସେମିତି ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ରସଗୋଲା ହେଉ, ହେଉ ସାଲେପୁରର ଅବା ପାହାଳର, ସ୍ବାଦ ଚଖେଇଥିବ ନିଶ୍ଚୟ। ପଡୋଶୀ ରାଜ୍ୟର ଲୋକେ ଆମ ଓଡ଼ିଆ ରସଗୋଲାର ସ୍ବାଦ ପାଇଲା ପରେ ସେଦିନୁ ଲାଳ ଗଡୁଥିଲା ବୋଧେ- ଆଉ ଶେଷରେ ବାଜି ମାରିନେଲେ। ଆମେ ଜଳକା ହୋଇ ଚାହିଁ ରହିଛୁ। ...

ଏଇ ଭାରତରେ

ପର୍ଯ୍ୟଟକମାନଙ୍କର ଉପସ୍ଥିତ ବୁଦ୍ଧି ଓ ସାହସିକତା ଦୁଇ ବନ କର୍ମଚାରୀଙ୍କ ଜୀବନ ବଞ୍ଚାଇଦେଲା। ନଚେତ୍‌ ସେମାନେ ବାଘ ପାଟିରେ ଜୀବନ ହାରିଥାଆନ୍ତେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାସ୍ଥିତ ତାଡୋବା ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରେ। ରବିବାର ଛୁଟି କଟାଇବା ସକାଶେ ଏହି ଅଭୟାରଣ୍ୟକୁ ଆସିଥାଆନ୍ତି କେତେକ ପର୍ଯ୍ୟଟକ। ଅଭୟାରଣ୍ୟର ନିୟମ ମୁତାବକ ବିଧିବଦ୍ଧ ଭାବେ ଅନୁମତି ନେଇ ପର୍ଯ୍ୟଟକମାନେ ନିଜସ୍ବ ଗାଡିରେ କୋର ଏରିଆ ମଧ୍ୟକୁ ପ୍ରବେଶ କରିଥାଆନ୍ତି। ଜଙ୍ଗଲ ଭିତର କଚ୍ଚା ରାସ୍ତାରେ ବୁଲୁବୁଲୁ ସେମାନେ ଏଭଳି ଏକ ସ୍ଥାନରେ ପହଞ୍ଚିଲେ ଯେଉଁଠି ରାସ୍ତା ଉପରେ ବସିରହିଥିଲା ଏକ ମହାବଳ ବାଘ। ହଠାତ୍‌ ରାସ୍ତା ଉପରେ ବାଘକୁ ଦେଖି ପର୍ଯ୍ୟଟକଙ୍କ ହୃଦ୍‌କମ୍ପ ବଢିଯାଇଥିଲା। ....

ମାଙ୍କଡ଼ ନୁହେଁ, ଗାଈ

ମାଙ୍କଡ଼ ନୁହେଁ, ଗାଈ

ତଥାଗତ ସତପଥୀ/ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ ଡାରଓ୍ବିନ୍‌ ‘ଦି ଡିସେଣ୍ଟ ଅଫ୍‌ ମ୍ୟାନ୍‌’ ପୁସ୍ତକରେ ଦେଇଥିବା ତତ୍ତ୍ୱ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ ଥିଲା ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ। ସ୍କୁଲ ଓ କଲେଜରେ ଏ ସଂକ୍ରାନ୍ତ ଥିବା ପାଠ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ନିକଟରେ ସର୍ବ ଭାରତୀୟ ବୈଦିକ ସମ୍ମେଳନ ପୃଷ୍ଠଭୂମିରେ ସେ ଦେଇଥିବା ଏପରି ମତକୁ ନେଇ ସମାଜର ବିଭିନ୍ନ ବର୍ଗ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଶନ୍‌ ନିର୍ବାଚନ

ମିଶନ୍‌ ନିର୍ବାଚନ

ସବ୍ୟସାଚୀ ଅମିତାଭ/ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଛି। ପୁରୀରେ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସୁପ୍ରିମୋ। ଯେତେବେଳେ କର୍ମୀ ଓ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେବାକୁ ନବୀନ ପୋଡିୟମ୍‌ ଉପରକୁ ଗଲେ, ସମସ୍ତେ ଆଶା କରୁଥିଲେ ମହାନଦୀ, ପୋଲାଭରମ୍‌ ଅବା ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍‌ କରିବେ।

ମାଟି ମାଆର ଭାଷା

ମାଟି ମାଆର ଭାଷା

ଦ୍ୱିତୀ ଚନ୍ଦ୍ର ସାହୁ/ସମୟ ସହ ବିକାଶର ଧାରାରେ ବହୁ ପଛରେ ପଡିଥିବା ଆନ୍ଧ୍ର-ଓଡିଶା ସୀମାନ୍ତର ଏକ ନର୍ଦ୍ଦିଷ୍ଟ ସଂପ୍ରଦାୟର ଆଦିବାସୀ ଇଲାକାର ବିକାଶ ଲାଗି ଜଣେ ସରକାରୀ ଅଧିକାରୀ ଚିନ୍ତା କଲେ। ବାରମ୍ବାର ସେଇ ଇଲାକାକୁ ଗସ୍ତ କଲେ। ନୂଆ ନୂଆ ଯୋଜନା କଲେ। ଶିକ୍ଷାର ବିକାଶ ସହ ସଚେତନ କରା ନ ଗଲେ ସମସ୍ତ ପଦକ୍ଷେପର ମୂଲ୍ୟ କୁହୁଡିପହଁରା ଭଳି ହେବ, ଏ କଥାକୁ ଅଧିକାରୀ ଜଣକ ହୃଦ୍‌ବୋଧ କରିଥିଲେ।

ଏଇ ଭାରତରେ

ଏଇ ଭାରତରେ

ଆଜି ମଧ୍ୟ ସେହି ପୁରୁଣାକାଳିଆ ପ୍ରଥାକୁ ଧରିବସିଛନ୍ତି ତାମିଲନାଡୁ ରାଜ୍ୟ ମୁସିରୀ ଅଞ୍ଚଳର ବାସିନ୍ଦା। ‘ବର ଚାଳିଶା, କନିଆ ଦଶା’- ପୂର୍ବରୁ ଏମିତି ପ୍ରଥା ପ୍ରଚଳିତ ଥିଲା। ମା’ବାପା ଝିଅକୁ ୧୦ବର୍ଷ ବୟସ ପୂର୍ବରୁ ଜଣେ ବୟସ୍କ (ପ୍ରାୟ ୪୦ ବର୍ଷର ପୁରୁଷ) ବ୍ୟକ୍ତି ସହ ବାହା କରାଇଦେଉଥିଲେ। ଅବଶ୍ୟ ବାହାଘର ସରିବା ସଙ୍ଗେ ସଙ୍ଗେ କନ୍ୟାକୁ ଶାଶୁଘରକୁ ପଠାଇ ଦିଆଯାଉ ନ ଥିଲା।

ସଂସ୍କାର ଆଣିବାର ଚେଷ୍ଟା

ସଂସ୍କାର ଆଣିବାର ଚେଷ୍ଟା

ଆକାର ପଟେଲ/ ‘ଆପଣ ଜଣେ କ୍ରାନ୍ତିକାରୀ ନେତା ଏବଂ ଆପଣ ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି। ଆପଣ ଭବିଷ୍ୟତ ପାଇଁ ଦେଶକୁ ଗଢ଼ୁଛନ୍ତି।’- ଏ କଥା ଚଳିତ ସପ୍ତାହରେ କହିଛନ୍ତି ଇସ୍ରାଏଲର ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ତେବେ ନେତାନ୍ୟାହୁଙ୍କ କଥାର ଅର୍ଥ କ’ଣ? ମୋ ଅଭିଧାନ ଅନୁସାରେ ଯିଏ ଦେଶର ପ୍ରଚଳିତ ବ୍ୟବସ୍ଥାରେ ବ୍ୟାପକ ଗଠନମୂଳକ ପରିବର୍ତ୍ତନ ଆଣନ୍ତି, ସେ ହିଁ କ୍ରାନ୍ତିକାରୀ। କିନ୍ତୁ ମୋଦି ଏପରି କିଛି ପରିବର୍ତ୍ତନ ଆଣିବାର ଦେଖାଯାଉ ନାହିଁ। ତେଣୁ ନେତାନ୍ୟାହୁଙ୍କ କଥାର ତାତ୍ପର୍ଯ୍ୟ କ’ଣ? ପ୍ରକୃତରେ ସେ ଏଠାକୁ ଆସିଥିଲେ ଏପରି ଜଣେ ଗ୍ରାହକଙ୍କୁ ଅସ୍ତ୍ରଶସ୍ତ୍ର ବିକିବା ପାଇଁ, ଯେ କି ଆତ୍ମପ୍ରଶଂସାପ୍ରିୟ। ...

ମାତୃତ୍ୱର ମହକ

ମାତୃତ୍ୱର ମହକ

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ ଜଣେ ସନ୍ଥ ଥରେ କହିଥିଲେ- ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନକାଳର ସମଗ୍ର ସାଧନା ବିନିଯୋଗ କରି ତଥାପି ଅପ୍ରାପ୍ତିର ହତାଶା ମଧ୍ୟରେ ବଞ୍ଚୁଥିବାବେଳେ ଅଚାନକ ଆଖି ପଡିଲା େ ମାତେ ଜନ୍ମ ଦେଇଥିବା ମା’ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ଭଲକରି ନିରେଖିଲା ପରେ ଆଉ ଈଶ୍ୱରଙ୍କୁ ଖୋଜିବାର ଆବଶ୍ୟକତା ମୁଁ କେବେ ଉପଲବ୍ଧି କରିନାହିଁ। ପ୍ରକୃତରେ ବାଘ ଦେଖି ନ ଥିବା ଲୋକକୁ ବିଲେଇଟିଏ ଦେଖାଇ ବାଘ କିପରି ବୁଝାଇଲା ଭଳି ଈଶ୍ୱରଙ୍କୁ ଅନୁଭବିପାରୁ ନ ଥିବା ଲୋକକୁ ମା’ର ମାତୃତ୍ୱ ଦେଖାଇ ଈଶ୍ୱରଙ୍କୁ ଚିହ୍ନାଇଦେବା ଅତି ସହଜ। ଯିଏ କୌଣସି ପ୍ରାପ୍ତିର ଆଶା ନ ରଖି କେବଳ ଦେବାରେ ଆନନ୍ଦ ଅନୁଭବ କରନ୍ତି ଓ ସକଳ ଅବଜ୍ଞା, ଅପମାନକୁ ମନରେ ନ ଘେନି ଯିଏ ସନ୍ତାନର ମଙ୍ଗଳ କାମନା କରନ୍ତି, ସେ ହେଉଛନ୍ତି ମା’ ଅବା ଈଶ୍ୱର। ଅଦୃଶ୍ୟ ଈଶ୍ୱରଙ୍କ ପରି ଦୟା ଓ କରୁଣାର ମୂର୍ତ୍ତିମନ୍ତ ଦୃଶ୍ୟମାନ ବିଗ୍ରହ ହେଉଛି ମା’। ମା’ ଓ ଈଶ୍ୱର ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ରାବଣକୁ ବଧ କରି ଲଙ୍କାପୁରରୁ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହେଲା ପରେ ରାଜମାତା କୌଶଲ୍ୟାଙ୍କ ଏକ ବିଚିତ୍ର ପ୍ରଶ୍ନର ସାମ୍ନା କରି ବିଚଳିତ ହୋଇପଡିଥିଲେ ରାଜା ରାମଚନ୍ଦ୍ର। ଅଚାନକ ଦିନେ ନିଭୃତରେ ମାତା କୌଶଲ୍ୟା ତାଙ୍କୁ ପଚାରି ବସିଲେ, ତୁ ପ୍ରକୃତରେ କିଏ? ତୋର ଅସଲ ପରିଚୟ କ’ଣ? ନିଜ ମା’ଠାରୁ ଏମିତି ପ୍ରଶ୍ନଟିଏ ଯେ କୌଣସି ପୁଅକୁ କେଇ ମୁହୂର୍ତ୍ତ ପାଇଁ ନିର୍ବାକ୍‌ କରିଦେବା ଲାଗି ଯଥେଷ୍ଟ। ମତିଭ୍ରମରେ ତ ଆଉ ଆକ୍ରାନ୍ତ ହୋଇନାହାନ୍ତି ମୋର ଜନ୍ମଦାତ୍ରୀ ଜନନୀ! ତଟସ୍ଥ ରାମଚନ୍ଦ୍ରଙ୍କୁ ନିରୁତ୍ତର ରହିବାର ଦେଖି ପୁଣି ତାଙ୍କ ଜିଜ୍ଞାସା ଦୋହରାଇଲେ। ନୀରବତା ଭାଙ୍ଗି ସରଳ ଉତ୍ତରଟିଏ ଦେଲେ ରାଜା ରାମ। କହିଲେ, ମୁଁ ତୁମର ପୁଅ। ତୁମ ପାଇଁ ମୋର ଆଉ କିଛି ପରିଚୟ ନାହିଁ। କୌଶଲ୍ୟା ସନ୍ତୁଷ୍ଟ ହେଲେନାହିଁ ଏମିତି ଏକ ସରଳ ଉତ୍ତରରେ। ତାଙ୍କୁ ଉଦ୍‌ବେଳିତ କରୁଥିଲା ବଡ଼ ଏକ ଜଟିଳ ଜିଜ୍ଞାସା। ସେ କହିଲେ, ମୋ ବ୍ୟତୀତ ଅବଶିଷ୍ଟ ଦୁନିଆ ତୋତେ ବିଷ୍ଣୁଙ୍କ ଅବତାର ବୋଲି କହୁଛି। ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଚିହ୍ନୁଛି। ତୁ ଯଦି ପ୍ରକୃତରେ ଜଗତ୍‌କର୍ତ୍ତା ବିଷ୍ଣୁଙ୍କ ଅବତାର, ତେବେ ଏକ ଦିବ୍ୟପୁଲକରେ ଧନ୍ୟ ହେବ ମୋର ମାତୃତ୍ୱ। ଯଦି ପ୍ରକୃତରେ ତୁ ତାହା ନୁହଁ, କେବଳ ଜଣେ ସାଧାରଣ ମଣିଷ, ତଥାପି ସାରା ଜଗତ ତୋତେ ଅସାଧାରଣ ବୋଲି ମାନ୍ୟ କରୁଥିବାରୁ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ ଜଡ଼ସଡ଼ ହୋଇଉଠିବ ମୋର ମା’ପଣ। ରାଜା ରାମଚନ୍ଦ୍ରଙ୍କ ପାଇଁ ତାହା ଥିଲା ଏକ ବିଷମ ମୁହୂର୍ତ୍ତ। କେମିତି କେଉଁ ଭାଷାରେ ସେ ଦେବେ ମା’ଙ୍କ ଜଟିଳ ଜିଜ୍ଞାସାର ସରଳ ସମୁଚିତ ଉତ୍ତର। ତାଙ୍କ ନୀରବତା ମା’ଙ୍କୁ ଅଧିକ ବ୍ୟଗ୍ର, ବିଚଳିତ କରୁଛି ଜାଣି ସେ ମୃଦୁ ହସି କେବଳ ଏତିକି କହିଲେ, ”ମା’! ମୁଁ ଭଗବାନ କି ନୁହେଁ, ଏ କଥା ଜାଣେନାହିଁ। କିନ୍ତୁ ଏତିକି ନିଶ୍ଚୟ ଜାଣିଛି ଯେ ମା’ର ଆଶୀର୍ବାଦ ମିଳିଲେ ଯେକୌଣସି ସାଧାରଣ ମଣିଷ ବି ଈଶ୍ୱରରେ ରୂପାନ୍ତରିତ ହୋଇପାରିବ। ଉତ୍ତରରାମାୟଣରେ ବର୍ଣ୍ଣିତ ଜୀବନଦର୍ଶନ ଓ ମାନବୀୟ ଉତ୍ତରଣର ଏହି ଗହନ କଥା ଅନୁଯାୟୀ ମା’ଙ୍କ ଆଶୀର୍ବାଦ ଲାଭ କରିଥିବା ସବୁ ସନ୍ତାନ କିନ୍ତୁ ଈଶ୍ୱର ପାଲଟି ପାରନ୍ତି ନାହିଁ। ଏମିତି ତ କୌଣସି ମା’ କେବେ ବି ତା’ ସନ୍ତାନକୁ ଅଭିଶାପ ଦେଇପାରେନା। ନ ମାଗିଲେ ବି ସେ ତା’ ସନ୍ତାନ ଉପରେ କେବଳ ଆଶୀର୍ବାଦ ହିଁ ଅଜାଡି ପକାଏ। ଧନପତିର ଐଶ୍ୱର୍ଯ୍ୟ ହେଉ କି କାଙ୍ଗାଳର ଅଭାବ, ମା’ର ମହନୀୟ ମାତୃତ୍ୱର ମହକ ଆଗରେ ଫିକା ପଡିଯାଏ ଅସୁମାରି ଧନରତ୍ନର ଔଜ୍ଜ୍ୱଲ୍ୟ ତ ପୁଣି ଦୂରକୁ ଘୁଞ୍ଚିଯାଏ ଦାରିଦ୍ର୍ୟର ଅନ୍ଧାର। ମା’ ପାଇଁ କେବଳ ତା’ ସନ୍ତାନ ହିଁ ହେଉଛି ସଂସାରର ସର୍ବଶ୍ରେଷ୍ଠ ସମ୍ପଦ। ଅଥଚ ବିଡ଼ମ୍ବନାର ବିଷୟ, ସନ୍ତାନ ପାଇଁ ତା’ ମା’ କିନ୍ତୁ ସମ୍ପଦ ନ ହୋଇ ବିପଦ ହୋଇ ଉଭାହୁଏ। ମା’ର ଆଶୀର୍ବାଦ ଲାଭ କରି ଈଶ୍ୱର ହେବା ବଦଳରେ ଅସୁର ହୋଇ ସନ୍ତାନଟି ନିର୍ଦ୍ଦୟ ଭାବେ ମା’କୁ ହତ୍ୟା କରିପାରେ। ...

ବୀରବାଳା

ବୀରବାଳା

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଜୀବନରେ ନିଷ୍ଠାର ସହ କାର୍ଯ୍ୟ କଲେ ଜଣେ ବ୍ୟକ୍ତି ଆକାଂକ୍ଷିତ ସ୍ତରରେ ପହଞ୍ଚିପାରିଥାନ୍ତି। ପିଲାଟି ବେଳୁ ସାହସିକତା ଦେଖାଇ ପ୍ରତି କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଆସିଥିବାରୁ ଆନନ୍ଦିବେନ୍‌ ପଟେଲ ଆଜି ଚର୍ଚ୍ଚାର ବଳୟକୁ ଆସିଛନ୍ତି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ଙ୍କୁ ୨୦୧୮ ଜାନୁୟାରୀ ୧୯ରେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱରୁ ପ୍ରେରଣା ପାଇବା ପାଇଁ ଯୁବପିଢ଼ି ଆଗ୍ରହ ରଖିବା ସ୍ବାଭାବିକ। ଆନନ୍ଦିବେନ୍‌ ୧୯୪୧ ନଭେମ୍ବର ୨୨ରେ ଗୁଜରାଟ ମେହସାନା ଜିଲାର ଖାରୋଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଜେଠାଭାଇ ଥିଲେ ଶିକ୍ଷକ। ଏକ ଶୃଙ୍ଖଳିତ ପରିବେଶରେ ବଢ଼ିଥିବା ଆନନ୍ଦିବେନ୍‌ଙ୍କ ପ୍ରାଥମିକ ଶିକ୍ଷା ଏନ୍‌. ଏମ୍‌. ହାଇସ୍କୁଲରୁ ହୋଇଥିଲା। ସେତେବେଳେ ମାତ୍ର ୩ ଜଣ ବାଳିକା ସେଠାରେ ଶିକ୍ଷା ଗ୍ରହଣ କରୁଥିଲେ। କେବଳ ପାଠରେ ନୁହେଁ, ଖେଳକୁଦରେ ସେ ଅନ୍ୟମାନଙ୍କଠାରୁ ଆଗରେ ଥିଲେ। ଜିଲାସ୍ତରରେ କ୍ରମାଗତ ତୃତୀୟ ଥର ପାଇଁ ସେ ଚାମ୍ପିୟନ ହୋଇ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ। ସେ ପିଲ୍‌ଭାଇସ୍ଥିତ ଏମ୍‌. ଜି. ପଞ୍ଚଲ ବିଜ୍ଞାନ କଲେଜରେ ନାମ ଲେଖାଇଥିଲେ। ୧୯୬୨ରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। କଲେଜ ବେଳେ ପଢ଼ାରେ ଉତ୍କର୍ଷ ପ୍ରତିପାଦନ କରିବା ସହିତ କ୍ରୀଡ଼ାରେ ପାରଙ୍ଗମତା ଦେଖାଇବାରୁ ତାଙ୍କୁ ‘ବୀରବାଳା’ ପୁରସ୍କାର ମିଳିପାରିଥିଲା। ୧୯୬୨ରେ ସେ ମଫତ୍‌ଭାଇ ପଟେଲଙ୍କୁ ବିବାହ କରିଥିଲେ। ଏହା ପରେ ମହିଳାମାନଙ୍କ ଉତ୍ଥାନ ପାଇଁ ଥିବା ମହିଳା ବିକାଶ ଗୃହରେ ଚାକିରି କରିବାର ସୁଯୋଗ ପାଇଥିଲେ। ସେଠାରେ ସେ ୫୦ ବିଧବାଙ୍କୁ ଧନ୍ଦାମୂଳକ ଶିକ୍ଷା ଦେଇଥିଲେ। ବିବାହ ଓ ଚାକିରି ଭିତରେ ସୀମିତ ରହିବାକୁ ନ ଚାହିଁ ଉଚ୍ଚଶିକ୍ଷା ପାଇଁ ମନ ବଳାଇଥିଲେ। ୧୯୬୫ରେ ସ୍ବାମୀଙ୍କ ସହ ସେ ଅହମ୍ମଦାବାଦ ଚାଲିଯାଇଥିଲେ। ଏହା ପରେ ଶିକ୍ଷାରେ କ୍ୟାରିୟର କରିବା ଲକ୍ଷ୍ୟ ନେଇ ବ୍ୟାଚେଲର ଅଫ୍‌ ଏଜୁକେଶନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏପରିକି ମାଷ୍ଟର ଅଫ୍‌ ଏଜୁକେଶନରେ ସ୍ବର୍ଣ୍ଣପଦକ ପାଇଥିଲେ। ଅହମଦାବାଦସ୍ଥିତ ମୋହିନୀବା କନ୍ୟା ବିଦ୍ୟାଳୟରେ ସେ ବିଧିବଦ୍ଧ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୧୯୬୭ରୁ ୧୯୭୦ ଯାଏ ସେ ସେଠାରେ ଉଚ୍ଚ ମାଧ୍ୟମିକ ସ୍ତରର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଓ ଗଣିତ ପାଠ ପଢ଼ାଇଥିଲେ। ପରବର୍ତ୍ତୀ ସମୟରେ ସେହି ସ୍କୁଲର ଅଧ୍ୟକ୍ଷା ହୋଇଥିଲେ। ହେଲେ ୧୯୮୭ରେ ତାଙ୍କ ଶିକ୍ଷକତା ଜୀବନରେ ନୂଆ ମୋଡ଼ ଆସିଥିଲା। ସ୍କୁଲ ପିଲାଙ୍କୁ ବଣଭୋଜିରେ ନେଇଥିବା ବେଳେ ହଠାତ୍‌ ଦୁଇଜଣ ବାଳିକା ସର୍ଦ୍ଦାର ସରୋବର ଜଳଭଣ୍ଡାରରେ ବୁଡ଼ିଯାଉଥିବା ଲକ୍ଷ୍ୟ କରିଥିଲେ। କାଳବିଳମ୍ବ ନ କରି ସେ ତତ୍‌କ୍ଷଣାତ୍‌ ଜଳଭଣ୍ଡାରକୁ ଲମ୍ଫ ପ୍ରଦାନ କରି ସେମାନଙ୍କୁ ଉଦ୍ଧାର କରି୍‌ଥିଲେ। ଅଦମ୍ୟ ସାହସ ଦେଖାଇ ସେ ଦୁଇଟି ଜୀବନ ବଞ୍ଚାଇପାରିଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା। ...