
ନୂଆଦିଲ୍ଲୀ, ୩୦।୧୧(ପି.ଟି.)- ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଇ ଚାଣୁ ଆମେରିକାର ଅନାହେଇମଠାରେ ଅନୁଷ୍ଠିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ଇଣ୍ଡିଆନ ରେଲଓ୍ବେରେ କାର୍ଯ୍ୟରତ ମୀରାବାଇ ମହିଳା ୪୮ କିଗ୍ରା ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ସେ ସ୍ନାଚରେ ୮୫ କିଗ୍ରା ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୦୯ କିଗ୍ରା ସହ ମୋଟ୍ ୧୯୪ କିଗ୍ରା ଭାର ଉଠାଇ ପୋଡିୟମ ଶୀର୍ଷରେ ରହିଥିଲେ। ମୀରାବାଇଙ୍କ ଏହି ସଫଳତା ମଧ୍ୟ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛି। ଏଥିସହ ଦୀର୍ଘ ଦୁଇ ଦଶନ୍ଧି ପରେ ଭାରତ ଏହି ସମ୍ମାନଜନକ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିଣିବାରେ ସଫଳ ହୋଇଛି। ଏଥିପୂର୍ବରୁ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ କର୍ନମ ମାଲେଶ୍ୱରୀ ୧୯୯୪ ଓ ୧୯୯୫ରେ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଥାଇଲାଣ୍ଡର ସୁକଚାରୋଏନ ଥୁନୟା (୧୯୩ କିଗ୍ରା) ଓ ସେଗୁରା ଆନା (୧୮୨ କିଗ୍ରା) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଡୋପିଂ ଇସ୍ୟୁ ଲାଗି ରୁଷିଆ, ଚାଇନା, କାଜାଖସ୍ତାନ, ୟୁକ୍ରେନ ଓ ଆଜରବୈଜାନର କେତେଜଣ ଶ୍ରେଷ୍ଠ ଭାରୋତ୍ତୋଳନକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନ ଥିଲେ।