
କେପ୍ ଟାଉନ୍, ୨୯।୧୧- ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଜାତୀୟ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି। ସେଥିଲାଗି ଜିମ୍ବାଓ୍ବେ ବିପକ୍ଷରେ ଡିସେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ୩ ଦିନିଆ ଓ୍ବାର୍ମଅପ୍ ମ୍ୟାଚ୍ ଖେଳିବାକୁ ଡି ଭିଲର୍ସ ଲକ୍ଷ୍ୟ ରଖିଛନ୍ତି। ଏହି ମ୍ୟାଚ୍ ଜରିଆରେ ଡି ଭିଲର୍ସ ବକ୍ସିଂ ଡେ ଟେଷ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବେ। ଡିସେମ୍ବର ୨୬ରୁ ପୋର୍ଟ ଏଲିଜାବେଥ୍ରେ ଜିମ୍ବାଓ୍ବେ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ଦିବସୀୟ ଦିବା-ରାତ୍ର ବକ୍ସିଂ ଡେ ଟେଷ୍ଟ ଖେଳାଯିବ। ୩୩ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଆହତ କାରଣରୁ ଗତବର୍ଷ ଜାନୁୟାରୀରୁ ଟେଷ୍ଟ କ୍ରିକେଟରୁ ଦୂରେଇ ରହିଛନ୍ତି। ଗତ ଅଗଷ୍ଟରେ ଦିନିକିଆ ଅଧିନାୟକ ପଦ ଛାଡ଼ିବା ପରେ ଡି ଭିଲର୍ସ ଟେଷ୍ଟ କ୍ରିକେଟରୁ ଅବସର ନେବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ସେ ଜାତୀୟ ଦଳ ପାଇଁ ୩ଟି ଯାକ ଫର୍ମାଟ୍ରେ ଖେଳ ଜାରି ରଖିବେ ବୋଲି ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ଆସନ୍ତାବର୍ଷ ପ୍ରାରମ୍ଭରେ ଘରୋଇ ମାଟିରେ ଭାରତ ଓ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ସିରିଜ ଖେଳିବାବାର କାର୍ଯ୍ୟକ୍ରମ ରହିଛି। ତେଣୁ ଡି ଭିଲର୍ସଙ୍କ ପୂର୍ବ ପ୍ରସ୍ତୁତି ପାଇଁ ଆଗାମୀ ଜିମ୍ବାଓ୍ବେ ବିପକ୍ଷ ସିରିଜ ମହତ୍ତ୍ୱପୂର୍ଣ୍ଣ ହୋଇଛି।