
ନୂଆଦିଲ୍ଲୀ, ୨୯।୧୧- ଭାରତୀୟ ଅଲିମ୍ପିକ୍ ଆସୋସିଏଶନ୍ (ଆଇଓଏ) ସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ ହେବ। ଭାରତୀୟ କ୍ରୀଡ଼ା ଜଗତର ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ନରେନ୍ଦ୍ର ବାତ୍ରା, ବର୍ତ୍ତମାନ ଆଇଓଏର କୋଷାଧ୍ୟକ୍ଷ ଅନିଲ ଖାନ୍ନା ଓ ଉପସଭାପତି ବୀରେନ୍ଦ୍ର ପ୍ରସାଦ ବୈଶ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଗତ ୨୬ ତାରିଖରେ ବାତ୍ରା ନାମାଙ୍କନ ଦାଖଲ କରିଥିବା ବେଳେ ମଙ୍ଗଳବାର ଅନିଲ ଓ ବୀରେନ୍ଦ୍ର ସଭାପତି ପଦ ପାଇଁ ଆବେଦନ କରି ସଭିଙ୍କୁ ଚକିତ କରି ଦେଇଛନ୍ତି। କିନ୍ତୁ ସାଧାରଣ ସମ୍ପାଦକ ପଦ ପାଇଁ କେବଳ ରାଜୀବ ମେହେଟ୍ଟା ନାମାଙ୍କନ ଦାଖଲ କରିଥିବାରୁ ତାଙ୍କ ପଦବୀ ବଜାୟ ରହିବା ନିଶ୍ଚିତ। ଅନ୍ୟାନ୍ୟ ପଦବୀ ପାଇଁ ବର୍ତ୍ତମାନ କାର୍ଯ୍ୟରତ କର୍ମକର୍ତ୍ତା ନାମାଙ୍କନ ଦାଖଲ କରିଛନ୍ତି। ଉଭୟ ବାତ୍ରା ଓ ଅନିଲ ସଭାପତି ସହ ଉପସଭାପତି ପଦ ପାଇଁ ମଧ୍ୟ ଆବେଦନ କରିଛନ୍ତି। ଏହାବାଦ୍ ଆସୋସିଏଶନ୍ର ଏକମାତ୍ର ବରିଷ୍ଠ ଉପସଭାପତି ପଦବୀ ପାଇଁ ସିନିୟର ଭାଇସ୍ ପ୍ରେସିଡେଣ୍ଟ ପଦ ପାଇଁ ବୀରେନ୍ଦ୍ର ନାନାବତୀ, ଉପସଭାପତି ଆର. କେ. ଆନନ୍ଦ ଓ ଜନାର୍ଦ୍ଦନ ସିଂ ଗେହଲଟ ନିର୍ବାଚନରେ ସାମିଲ ହୋଇଛନ୍ତି। ଆସନ୍ତା ୧୪ ତାରିଖରେ ଆଇଓଏର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଅନୁଷ୍ଠିତ ହେବ। ଏଥିରେ ୮ଟି ଉପ ସଭାପତି, ୬ଟି ଯୁଗ୍ମ ସମ୍ପାଦକ, ଗୋଟିଏ ଟ୍ରେଜରର ଓ ୧୦ ଜଣ କାର୍ଯ୍ୟକାରୀ ପରିଷଦ ସଦସ୍ୟଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।