
ଦୁବାଇ, ୨୮।୧୧(ପି.ଟି.) - ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ନାଗପୁର ଟେଷ୍ଟରେ ଶତକୀୟ ପାଳି ଯୋଗୁ ସେ ପୂର୍ବ ଅପେକ୍ଷା ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହା ଦର୍ଶାଇଛି ମଙ୍ଗଳବାର ପ୍ରକାଶ ପାଇଥିବା ନୂତନ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍। ଗତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୧୪୩ ରନ୍ ପାଳି କାରଣରୁ ତାଙ୍କୁ ୨୨ ପଏଣ୍ଟ ମିଳିଛି। ଏଥିଯୋଗୁ ତାଙ୍କ ମୋଟ ପଏଣ୍ଟ ବୃଦ୍ଧି ପାଇ ୮୮୮ରେ ପହଞ୍ଚିଛି। କିନ୍ତୁ ନୂତନ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବଭଳି ୫ମ ସ୍ଥାନରେ ରହିଛନ୍ତି। ନାଗପୁରରେ ଦ୍ୱିଶତକୀୟ ପାଳି ପରେ ମଧ୍ୟ ତାଙ୍କ ର଼୍ୟାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ଘଟିନାହିଁ। ଅବଶ୍ୟ ୬୦ ପଏଣ୍ଟ ମିଳିବାରୁ ତାଙ୍କର ମୋଟ ପଏଣ୍ଟ ବୃଦ୍ଧି ପାଇ ୮୭୭ରେ ପହଞ୍ଚିଛି। ଫଳରେ ପୂଜାରା ଓ କୋହଲିଙ୍କ ମଧ୍ୟରେ ୧୧ ପଏଣ୍ଟର ବ୍ୟବଧାନ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ପୂର୍ବଭଳି ତାଲିକା ଶୀର୍ଷରେ ରହିଛନ୍ତି। ସେ ଆଶେସ ସିରିଜ୍ର ପ୍ରଥମ ଟେଷ୍ଟରେ ୧୪୧ ରନ୍ ପାଳି ଖେଳି ନିଜ ସ୍ଥିତିକୁ ଆହୁରି ଦୃଢ଼ କରିଛନ୍ତି। ଏହି ତାଲିକାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ୩ୟ ଓ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ୍ ୪ର୍ଥ ସ୍ଥାନରେ ରହିଛନ୍ତି। ୬ଷ୍ଠ ସ୍ଥାନ ରହିଛନ୍ତି ଅଷ୍ଟ୍ରେଲିଆ ଓପନର ତଥା ଉପଅଧିନାୟକ ଡେଭିଡ୍ ଓ୍ବାର୍ନର। ଏହା ବ୍ୟତୀତ ନାଗପୁର ଟେଷ୍ଟରେ ଶତକ ଅର୍ଜନ କରିଥିବା ଭାରତୀୟ ଓପନର ମୁରଲି ବିଜୟ ଓ ରୋହିତ ଶର୍ମାଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ପୂର୍ବରୁ ୩୬ମ ସ୍ଥାନରେ ଥିବା ବିଜୟ ୮ଟି ସୋପାନ ଉଠି ୨୮ତମ ମାନ୍ୟତା ପାଇଛନ୍ତି। ସେହିଭଳି ରୋହିତ ୫୩ତମ ସ୍ଥାନରୁ ଉଠି ୪୬ତମ ସ୍ଥାନ ଅଧିକାର କରିଛନ୍ତି। ଏମାନଙ୍କ ଛଡ଼ା ଅନ୍ୟତମ ଭାରତୀୟ ଓପନର ଲୋକେଶ ରାହୁଲ ଗୋଟିଏ ଓ ଅଜିଙ୍କ୍ୟ ରାହାନେ ୨ଟି ସ୍ଥାନ ତଳକୁ ଖସି ଯଥାକ୍ରମେ ୯ମ ଓ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ସମାନ ସ୍ଥିତି ଶିଖର ଧାଓ୍ବନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେ ଗୋଟିଏ ସ୍ଥାନ ହରାଇ ୨୯ତମ ସ୍ଥାନକୁ ଖସିଛନ୍ତି। ବୋଲିଂ ର଼୍ୟାଙ୍କିଙ୍ଗରେ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ପୁଣି ୨ୟ ସ୍ଥାନ ଅଧିକାର କରିଛନ୍ତି। ନାଗପୁରରେ ୮୪ ରନ୍ ବିନିମୟରେ ୫ ଉଇକେଟ୍ ନେଇ ସେ ଏହି ସ୍ଥାନକୁ ଫେରିଛନ୍ତି। ଭାରତର ଅନ୍ୟତମ ସ୍ପିନର ତଥା ଦ୍ରୁତତମ ୩୦୦ ଉଇକେଟ ନେବାର ରେକର୍ଡ ଅଧିକାରୀ ରବିଚନ୍ଦ୍ରନ ଅଶ୍ୱିନ ୪ର୍ଥ ସ୍ଥାନରେ ନିଜ ସ୍ଥିତିକୁ ଦୃଢ଼ କରିଛନ୍ତି। ସେ ବର୍ତ୍ତମାନ ଶୀର୍ଷରେ ଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କଠାରୁ ୪୨ ପଏଣ୍ଟରେ ପଛରେ ରହିଛନ୍ତି। ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଓ ଈଶାନ୍ତ ଶର୍ମା ଯଥାକ୍ରମେ ୨୮ତମ ଓ ୩୦ତମ ସ୍ଥାନକୁ ଉଠିଛନ୍ତି।