
ଟରଣ୍ଟୋ: ଧ୍ୟାନ ଦ୍ୱାରା ଓଜନ ହ୍ରାସ ହୁଏ। କାନାଡାସ୍ଥିତ ମ୍ୟାକ୍ଗିଲ୍ ୟୁନିଭର୍ସିଟି ଗବେଷକମାନେ ଗତ ୧୦ବର୍ଷ ମଧ୍ୟରେ କରାଯାଇଥିବା ୧୯ଟି ଅଧ୍ୟୟନକୁ ପରୀକ୍ଷା ନିରୀକ୍ଷା କରି ଏହା ଜାଣିପାରିଛନ୍ତି। ସେମାନଙ୍କ କହିବାନୁଯାୟୀ, ମନଯୋଗ ସହକାରେ ଧ୍ୟାନ କରିବା, କୌଣସି ଶାରୀରିକ ତାଲିମ୍ ନେବା ଦ୍ୱାରା ଓଜନ ହ୍ରାସ ହୋଇପାରେ। ଏପରି କି ଖାଇବାବେଳେ ମନ ସ୍ଥିର ରହିଲେ ଏହା ଓଜନ ହ୍ରାସ ଦିଗରେ ସହାୟକ ହୋଇପାରେ। ସେମାନେ ଜାଣିବାକୁ ପାଇଛନ୍ତି ଯେ, ମନଯୋଗ ଦ୍ୱାରା କରାଯାଉଥିବା କୌଣସି କାର୍ଯ୍ୟ ଓଜନ ହ୍ରାସ ପାଇଁ ସହାୟକ ହୁଏ।
ଗବେଷକମାନେ କେତେକ ଅଂଶଗ୍ରହଣକାରୀଙ୍କୁ ନେଇ ସେମାନଙ୍କୁ ଦୁଇଭାଗରେ ବିଭକ୍ତ କରିଥିଲେ। ଗୋଟିଏ ଗୋଷ୍ଠୀର ବ୍ୟକ୍ତିକୁ ବ୍ୟାୟାମ କରି ଜୀବନ ଶୈଳୀ ପରିବର୍ତ୍ତନ କରିବାକୁ କୁହାଯାଇଥିବାବେଳେ ଆଉ ଗୋଟିଏ ଗୋଷ୍ଠୀଙ୍କୁ ମନଯୋଗ ସହକାରେ ଧ୍ୟାନ କରିବାକୁ କୁହାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଦେଖାଗଲା ଯେ, ମନଯୋଗ ସହକାରେ ଧ୍ୟାନ କରୁଥିବା ଲୋକଙ୍କ ଓଜନ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି। ଏ ସମ୍ପର୍କିତ ଏକ ଅଧ୍ୟୟନ ଜର୍ନାଲ୍ ଓବେସିଟି ରିଭ୍ୟୁଜ୍ରେ ପ୍ରକାଶ ପାଇଛି। ଗବେଷକମାନେ ଜାଣିବାକୁ ପାଇଲେ ଯେ, ଧ୍ୟାନ କରୁଥିବା ଅଂଶଗ୍ରହଣକାରୀଙ୍କ ଓଜନ କ୍ରମାଗତ ଭାବରେ ହ୍ରାସ ପାଇବା ସହିତ ପ୍ରଥମରୁ ଦେହ ଓଜନର ହାରାହାରି ୩.୫% ହ୍ରାସ ପାଇଛି। କିନ୍ତୁ ଜୀବନଶୈଳୀ ପରିବର୍ତ୍ତନ କାର୍ଯ୍ୟକ୍ରମ ଦ୍ୱାରା ଅଂଶଗ୍ରହଣକାରୀଙ୍କଠାରେ କିଛି ମାତ୍ରାର ଓଜନ ବୃଦ୍ଧି ପାଇଛି।
ଏହି ଅଧ୍ୟୟନର ଫଳାଫଳ ଓଜନ ହ୍ରାସ ଦିଗରେ ବେଶ୍ ଉତ୍ସାହପ୍ରଦ ବୋଲି ମ୍ୟାକ୍ଗିଲ୍ ୟୁନିଭର୍ସିଟି ଗବେଷକ କିମ୍ବର୍ଲି କ୍ୟାରିୟର ପ୍ରକାଶ କରିଛନ୍ତି।