Dharitri News
ସମ୍ପାଦକୀୟ |

ପିତାଙ୍କ ରାଜକୁମାରୀ ପତିଙ୍କ ମହାରାଣୀ

ପିତାଙ୍କ ରାଜକୁମାରୀ ପତିଙ୍କ ମହାରାଣୀ ପ୍ରକାଶ ତ୍ରିପାଠୀ ଗତ ୧୨ ତାରିଖରେ ଏହି ପୃଷ୍ଠାରେ ପ୍ରକାଶିତ ମୋର ଆଲେଖ୍ୟ ‘ଦିନକର ଘରଣୀ’ ସମ୍ପର୍କରେ ପାଠକଙ୍କଠାରୁ ଅନେକ ମତାମତ ମିଳିଛି। ଘରଣୀ ବା ପତ୍ନୀଙ୍କୁ ବାଦ୍‌ ଦେଇ ଗୋଟିଏ ଉତ୍ତମ ପରିବାରର କଳ୍ପନା ସମ୍ଭବ ନୁହେଁ। ପତ୍ନୀ ଓ ପତି ଠିକ୍‌ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ପତ୍ନୀ ବା ପତି ଯେକୌଣସି ଜଣଙ୍କ ଅସହଯୋଗରେ ପରିବାର ଚଳିପାରି ନ ଥାଏ। କିନ୍ତୁ ପୁରୁଷପ୍ରଧାନ ସମାଜରେ ଘରଣୀଙ୍କ ଅବଦାନକୁ କେବେ ବି ଗୁରୁତ୍ୱ ଦିଆଯାଏ ନାହିଁ। ଘରଣୀଟିଏ ଘରେ ଯାହାସବୁ କାମ କରେ, ତାହା ଜଣେ ପୁରୁଷ କଦାପି କରିପାରିବ ନାହିଁ। ମାତ୍ର ଘରଣୀର କିଛି କାମ ନାହିଁ ବୋଲି ସେ ଏହିସବୁ କାମ କରେ- ଏଭଳି ହାଲ୍‌କା ମନ୍ତବ୍ୟ ସାଧାରଣତଃ ଶୁଣିବାକୁ ମିଳିଥାଏ। ପୂର୍ବ ପ୍ରକାଶିତ ଆଲେଖ୍ୟରେ ଉଲ୍ଲେଖ କରାଯାଇଥିବା ଘରଣୀଙ୍କ ପରିବାରଟି ସହରର ଏକ ତଥାକଥିତ ଅଣୁପରିବାର (ପତ୍ନୀ, ପତି ଓ ଗୋଟିଏ ପୁତ୍ର)। ସେହି ଅନୁପାତରେ ଗୋଟିଏ ବଡ ପରିବାରରେ ଜଣେ ଘରଣୀଙ୍କର କାର୍ଯ୍ୟ ନିଶ୍ଚିତ ଆହୁରି ଅଧିକ। ଏ ସମ୍ପର୍କରେ ଅଧିକ କିଛି ଲେଖିବାକୁ କିଛି ପାଠକଙ୍କ ଅନୁରୋଧରେ ଆଜିର ଏହି ଆଲେଖ୍ୟ ପ୍ରସ୍ତୁତ। ବାସ୍ତବରେ ପରିବାର ପାଇଁ ଘରଣୀଟିଏ ଯାହାସବୁ କରେ ତାହା ମୂଲ୍ୟାୟନ କରିବା ସହଜ ନୁହେଁ। ଝିଅଟିଏ ଜନ୍ମ ହେଉ ହେଉ ତାକୁ ପ୍ରତିମୁହୂର୍ତ୍ତରେ ସ୍ମରଣ କରାଇ ଦିଆଯାଏ ଯେ ଝିଅ ଜନମ ପର ଘରକୁ। ଅର୍ଥାତ୍‌ ସେ ଯେଉଁ ଘରେ ଜନ୍ମ ହୋଇ ଛୋଟରୁ ବଡ ହେବ, ଯେଉଁଘରେ ମା-ବାପା, ଭଉଣୀ-ଭାଇ, ଜେଜେମା-ଜେଜେବାପାଙ୍କ ଗହଣରେ ହସିଖେଳି ଦିନ କାଟିବ, ସେ ଘର ତା’ ନିଜ ଘର ନୁହେଁ। ଦିନେ ଏ ସବୁକୁ ଛାଡି ଅନ୍ୟ ଘରକୁ ସେ ନିଜର କରିବ। ନିଜ ଘରର ସମସ୍ତଙ୍କୁ ଭୁଲି ଅଜଣା, ଅଚିହ୍ନା ଲୋକଙ୍କ ସହ ସମ୍ପର୍କ ଯୋଡିବ। ପତି ରୂପରେ ପାଇଥିବା ପୁରୁଷର ନାମରେ ମଥାରେ ସିନ୍ଦୂର ଲଗାଇବ, ହାତରେ ଶଙ୍ଖା ପିନ୍ଧିବ। ଜନ୍ମଦାତା ମା-ବାପା ବଦଳରେ ସ୍ବାମୀ ରୂପରେ ପାଇଥିବା ଲୋକଟିକୁ ଇହକାଳ, ପରକାଳର ଦେବତା ରୂପେ ପୂଜିବ। ବିବାହ ପରେ ଝିଅଟିଏ ବଦଳିଯାଏ ଘରଣୀକୁ। ତା’ ସହିତ ତା’ ପାଇଁ ବଦଳିଯାଏ ସାରା ଦୁନିଆ। ବଦଳିଯାଏ ତା’ର ନାଁ। ବାପାର ସାଙ୍ଗିଆ କଟିଯାଇ ପତିର ସାଙ୍ଗିଆ ଯୋଡିହୋଇଯାଏ। ପତିର ବଂଶରକ୍ଷା ପାଇଁ ଗର୍ଭଧାରଣ କରେ। ଦଶମାସର ଗର୍ଭଯନ୍ତ୍ରଣା ସହି ଯେଉଁ ସନ୍ତାନଟିକୁ ଜନ୍ମ ଦିଏ ସେ ବି ପତିର ନାମ ଧାରଣ କରେ। ନିଜର ନାମ ଓ ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ହଜାଇଦେଇ ସେ ତା’ର ଅବଶିଷ୍ଟ ଜୀବନ କେବଳ ତ୍ୟାଗ ହିଁ କରିଚାଲେ। ପିଲାଟି ଜନ୍ମ ହେବାଠାରୁ ବଡ ହେବା ପର୍ଯ୍ୟନ୍ତ ସମସ୍ତ ଲାଳନପାଳନ ଦାୟିତ୍ୱ କେବଳ ମା’ରୂପୀ ଘରଣୀର। ବିବାହ କରିବା ଦିନଠାରୁ ସେ ନିଜ ଜୀବନକୁ ପତିର ପରିବାର ପାଇଁ ଉତ୍ସର୍ଗ କରିଚାଲେ। ରୋଷେଇ କରିବା, ଲୁଗାପଟା ସଫା କରିବା, ଘରକୁ ସଫା ସୁନ୍ଦର ରଖିବା, ବାସନ ମାଜିବା, ପତିଙ୍କ ମା-ବାପା ଅର୍ଥାତ୍‌ ଶାଶୁ-ଶ୍ୱଶୁରଙ୍କ ସେବା କରିବା, ଘରକୁ ବନ୍ଧୁବାନ୍ଧବ ଆସିଲେ ସେମାନଙ୍କ ଚର୍ଚ୍ଚା କରିବା, ରୋଗବ୍ୟାଧିରେ ପରିବାରର ସମସ୍ତଙ୍କ ସେବା-ଶୁଶ୍ରୂଷା କରିବା, ନଣନ୍ଦ ଦିଅରଙ୍କ ମନ ବୁଝି ସେମାନଙ୍କ କାମ କରିବା ଓ ସର୍ବୋପରି ପତି ପରମେଶ୍ୱରଙ୍କୁ ସମସ୍ତ ସୁଖ ଦେଉ ଦେଉ ସେ କେତେବେଳେ ଯେ ନିଜ ଖୁସି କଥା ଭୁଲିଯାଏ ଜାଣିପାରେ ନାହିଁ। ସମସ୍ତଙ୍କ ପସନ୍ଦକୁ ସମ୍ମାନ ଦେଇ ଦେଇ ନିଜ ପସନ୍ଦ-ନାପସନ୍ଦ କଥା ପାଶୋରିଯାଏ। ନିଜର ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ, ରୁଚିକୁ ଭୁଲି ପରିବାରର ସୁଖ ସମୃଦ୍ଧି କାମନା କରିବା ହୋଇଯାଏ ତା’ଜୀବନର ମୁଖ୍ୟ ବ୍ରତ। ନା ସେ ମନଖୋଲି ହସିପାରେ, ନା କାନ୍ଦିପାରେ। ସ୍ବାଧୀନ ଭାବେ ନିଜର ଇଚ୍ଛା ବି ପ୍ରକାଶ କରିପାରେନି ସେ। ଝିଅ ଜୀବନର ସମସ୍ତ ଚପଳତା ଯେମିତି ଦବିଯାଏ ପତ୍ନୀଟିଏ ହେବାର ଗୁରୁଦାୟିତ୍ୱ ନେବାରେ। କେତେଜଣ ପତି ପତ୍ନୀଙ୍କର ଏପରି ତ୍ୟାଗକୁ ବୁଝନ୍ତି? ଇଏ ତ ଗଲା ସାଧାରଣ ପରିବାରରେ ଗୃହିଣୀମାନଙ୍କ କଥା। ଏପରି ଅନେକ ପରିବାର ଅଛି ଯେଉଁଠାରେ କି ଘରଣୀମାନଙ୍କୁ ନିଜ ଘର ଭିତରେ ବି ମୁହଁକୁ ଅନାବରଣ କରିବାକୁ ଅନୁମତି ନ ଥାଏ। ଘରଣୀମାନେ ବାହାରକୁ ଯିବା ମନା। ପରିବାର ଲୋକଙ୍କ ବ୍ୟତୀତ ଅନ୍ୟ କାହା ସଙ୍ଗେ କଥା ହେବା ମନା। ମାର୍କେଟ ଯିବାକୁ ଅନୁମତି ନ ଥାଏ କି ସିନେମା ଦେଖିବାକୁ ଅନୁମତି ମିଳେନା। ପାର୍କରେ ବୁଲିବା କଥା କିଏ ପଚାରେ? କେବଳ ପତିଙ୍କ ଇସାରାରେ କାର୍ଯ୍ୟ କରିବାର ଅନୁମତି। ପତିମାନଙ୍କ ଖୁସି ହିଁ ସେମାନଙ୍କ ଖୁସି। ଚାରିକାନ୍ଥ ଭିତରେ ଜୀବନ କଟିଯାଏ ମୃତ୍ୟୁ ପର୍ଯ୍ୟନ୍ତ। ଏପରି କି ଗୃହିଣୀଟିର ପସନ୍ଦ, ଅପସନ୍ଦ, ଇଚ୍ଛା-ଅନିଚ୍ଛା ବିଷୟରେ ପଦୁଟିଏ ପଚାରିବାକୁ କେହି ଉଚିତ ମନେକରି ନ ଥାନ୍ତି। ଘରଣୀମାନଙ୍କୁ ଏଭଳି ଦାସତ୍ୱ ଜୀବନ ବିତାଇବାକୁ ପରମ୍ପରା କରିଥିବା ପତିମାନେ ଗୋଟିଏ ଦିନ ଏପରି ଜୀବନ ବିତାଇପାରିବେ କି? ପତିମାନେ ପତ୍ନୀମାନଙ୍କ ପାଇଁ ଈଶ୍ୱର, ପରମେଶ୍ୱର ଓ ଇହକାଳ ପରକାଳର ଦେବତା। ଆଉ ପତ୍ନୀମାନେ ପତିମାନଙ୍କ ପାଇଁ କ’ଣ? ପତି ଜିଇଥିବା ଯାଏ ପତ୍ନୀଟିଏ ସଧବା। ପତିଙ୍କ ଦେହାନ୍ତ ପରେ ବିଧବା। ଏହାପରେ ଘରଣୀଟିଏ ପାଇଁ ବଢିଯାଇଥାଏ କଟକଣା। ଯାବତୀୟ ଓଷା, ବ୍ରତ ଓ ହବିଷ କେବଳ ପତ୍ନୀ ପାଇଁ। ପତି ଜିଇଥିବା ବେଳେ ଯେତିକି, ପତିର ଦେହାନ୍ତ ପରେ ତା’ଠାରୁ ଅଧିକ। ପତିଙ୍କ ଦେହାନ୍ତ ପରେ ପତ୍ନୀ ପାଇଁ ଖାଇବା, ପିନ୍ଧିବା ସବୁଥିରେ କଟକଣା, ହେଲେ ପତ୍ନୀଙ୍କ ଦେହାନ୍ତ ପରେ ପତି ପାଇଁ କିଛି ବି କଟକଣା ନାହିଁ। ସୁପରଷ୍ଟାର ଅମିତାଭ ବଚ୍ଚନ ନିଜ ଅଭିନୀତ ସିନେମା ‘ପିଙ୍କ’ ମୁକ୍ତିଲାଭ ଅବସରରେ ଏକ ମର୍ମସ୍ପର୍ଶୀ ବ୍ଲଗ୍‌ ପତ୍ନୀମାନଙ୍କ ସପକ୍ଷରେ ଲେଖିଥିଲେ। ସେଥିରେ ସେ ପ୍ରଶ୍ନ କରିଥିଲେ- ତୁମ ମା’ ଓ ତୁମ ପତ୍ନୀଙ୍କ ମଧ୍ୟରେ ଫରକ କ’ଣ? ଉଭୟ ଆମକୁ ଭଲ ପାଆନ୍ତି। ଆମ ପାଇଁ ସେମାନଙ୍କ ସ୍ବାର୍ଥ ତ୍ୟାଗ କରନ୍ତି। ଆମ ମନପସନ୍ଦର ଖାଦ୍ୟ ରାନ୍ଧି ଆମକୁ ବଳେଇ ବଳେଇ ଖୁଆନ୍ତି। ଆମ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି ଓ ନାନାଦି ଓଷାବ୍ରତ ପାଳନ୍ତି। ଆମରି ପାଇଁ ହିଁ ଉଭୟ ବଞ୍ଚିଥାନ୍ତି। ଯଦି ମା’ ଆମକୁ ଏ ଦୁନିଆକୁ ଆଣିଥାଏ ତେବେ ପତ୍ନୀ ଆମକୁ ନେଇ ଏକ ନୂଆ ଦୁନିଆ ଗଢିଥାଏ।... କିନ୍ତୁ କ’ଣ ପାଇଁ ପତିମାନେ ପତ୍ନୀମାନଙ୍କୁ ପ୍ରତିବେଳେ ପ୍ରତି କ୍ଷେତ୍ରରେ ଅବହେଳା କରନ୍ତି ଓ ନୂ୍ୟନ ମଣନ୍ତି? ପତ୍ନୀମାନେ ତୁମଠାରୁ କିଛି ଆଶା କରନ୍ତି ନାହିଁ। କେବଳ ତୁମର ସାହଚର୍ଯ୍ୟ ଆଶା କରନ୍ତି। ତୁମେ ସର୍ବଦା ତାଙ୍କ ସାଥିରେ ଅଛ, ଏତିକି କେବଳ ତାଙ୍କୁ ଅନୁଭବ କରିବାକୁ ଦିଅ, ସେତିକି ହିଁ ତାଙ୍କ ପାଇଁ ଯଥେଷ୍ଟ। ସେଥିରୁ ହିଁ ସେ ହୃଦୟଙ୍ଗମ କରିପାରିବେ ଯେ ଗତକାଲି ବାପାଙ୍କର ଥିବା ରାଜକୁମାରୀ ଆଜି ପତିଙ୍କର ମହାରାଣୀ। ଅମିତାଭଙ୍କ ଉକ୍ତି ଶତପ୍ରତିଶତ ସତ୍ୟ ଓ ସ୍ବାଗତଯୋଗ୍ୟ। ଆଜିକାଲି ଅଧିକାଂଶ ଜୋକ୍ସ ବା ହସକଥା ପ୍ରସ୍ତୁତ ହେଉଛି ଓ ପରିବେଶିତ ହେଉଛି କେବଳ ପତ୍ନୀମାନଙ୍କୁ ନେଇ। ଟିଭିରେ ପ୍ରଦର୍ଶିତ କମେଡି ହେଉ ବା ମେଲୋଡି ହେଉ, ଫେସ୍‌ବୁକ୍‌ ହ୍ବାଟ୍ସ ଆପ୍‌ ଭଳି ସୋସିଆଲ ମିଡିଆ ହେଉ ବା ବ୍ୟଙ୍ଗ କବିତା ଆସର ହେଉ, ସବୁଠାରେ ସେଇ ଘରଣୀମାନଙ୍କୁ ନେଇ ବ୍ୟଙ୍ଗ, ଉପହାସ। ସତେଯେମିତି ଏ ଦୁନିଆରେ ଘରଣୀମାନଙ୍କୁ ବାଦ୍‌ ଦେଇ ହସକଥା ପ୍ରସ୍ତୁତ ହୋଇପାରିବ ନାହିଁ। ଆମେ ବ୍ୟଙ୍ଗ କରିବା ପୂର୍ବରୁ ଭୁଲିଯିବା ଅନୁଚିତ ଯେ ବ୍ୟଙ୍ଗର ଶିକାର ହେଉଥିବା ଘରଣୀଟିଏ କାହାର ମା’ ହୋଇଥିବ, ଭଉଣୀ ହୋଇଥିବ ଅଥବା କାହାର କନ୍ୟାଟିଏ ହୋଇଥିବ। ଯଦି ଭଉଣୀ, ମା’ ବା ଝିଅ ସମ୍ପର୍କରେ ଆମେ ପଦୁଟିଏ ଥଟ୍ଟା କଥା ଶୁଣିବାକୁ ପ୍ରସ୍ତୁତ ନୋହୁଁ, ତେବେ ଘରଣୀଙ୍କ ସମ୍ପର୍କରେ ତାଚ୍ଛଲ୍ୟପୂର୍ଣ୍ଣ ଶବ୍ଦ ଉଚ୍ଚାରଣ କରିବାକୁ ଆମ ଜିଭ ପ୍ରସ୍ତୁତ ହେଉଛି କିପରି? ଘରଣୀମାନଙ୍କ ବାବଦରେ ପତିମାନେ ଏତେ ଅସଚେତନ କାହିଁକି? ମୋ-୯୪୩୭୨୩୨୪୬୩, ଇମେଲ୍‌-prakas.tripathy09@gmail.com

ସମ୍ପାଦକୀୟ |

ସଂସ୍କାର ଆଣିବାର ଚେଷ୍ଟା

ସଂସ୍କାର ଆଣିବାର ଚେଷ୍ଟା

ଆକାର ପଟେଲ/ ‘ଆପଣ ଜଣେ କ୍ରାନ୍ତିକାରୀ ନେତା ଏବଂ ଆପଣ ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି। ଆପଣ ଭବିଷ୍ୟତ ପାଇଁ ଦେଶକୁ ଗଢ଼ୁଛନ୍ତି।’- ଏ କଥା ଚଳିତ ସପ୍ତାହରେ କହିଛନ୍ତି ଇସ୍ରାଏଲର ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ତେବେ ନେତାନ୍ୟାହୁଙ୍କ କଥାର ଅର୍ଥ କ’ଣ? ମୋ ଅଭିଧାନ ଅନୁସାରେ ଯିଏ ଦେଶର ପ୍ରଚଳିତ ବ୍ୟବସ୍ଥାରେ ବ୍ୟାପକ ଗଠନମୂଳକ ପରିବର୍ତ୍ତନ ଆଣନ୍ତି, ସେ ହିଁ କ୍ରାନ୍ତିକାରୀ। କିନ୍ତୁ ମୋଦି ଏପରି କିଛି ପରିବର୍ତ୍ତନ ଆଣିବାର ଦେଖାଯାଉ ନାହିଁ। ତେଣୁ ନେତାନ୍ୟାହୁଙ୍କ କଥାର ତାତ୍ପର୍ଯ୍ୟ କ’ଣ? ପ୍ରକୃତରେ ସେ ଏଠାକୁ ଆସିଥିଲେ ଏପରି ଜଣେ ଗ୍ରାହକଙ୍କୁ ଅସ୍ତ୍ରଶସ୍ତ୍ର ବିକିବା ପାଇଁ, ଯେ କି ଆତ୍ମପ୍ରଶଂସାପ୍ରିୟ। ...

ମାତୃତ୍ୱର ମହକ

ମାତୃତ୍ୱର ମହକ

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ ଜଣେ ସନ୍ଥ ଥରେ କହିଥିଲେ- ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନକାଳର ସମଗ୍ର ସାଧନା ବିନିଯୋଗ କରି ତଥାପି ଅପ୍ରାପ୍ତିର ହତାଶା ମଧ୍ୟରେ ବଞ୍ଚୁଥିବାବେଳେ ଅଚାନକ ଆଖି ପଡିଲା େ ମାତେ ଜନ୍ମ ଦେଇଥିବା ମା’ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ଭଲକରି ନିରେଖିଲା ପରେ ଆଉ ଈଶ୍ୱରଙ୍କୁ ଖୋଜିବାର ଆବଶ୍ୟକତା ମୁଁ କେବେ ଉପଲବ୍ଧି କରିନାହିଁ। ପ୍ରକୃତରେ ବାଘ ଦେଖି ନ ଥିବା ଲୋକକୁ ବିଲେଇଟିଏ ଦେଖାଇ ବାଘ କିପରି ବୁଝାଇଲା ଭଳି ଈଶ୍ୱରଙ୍କୁ ଅନୁଭବିପାରୁ ନ ଥିବା ଲୋକକୁ ମା’ର ମାତୃତ୍ୱ ଦେଖାଇ ଈଶ୍ୱରଙ୍କୁ ଚିହ୍ନାଇଦେବା ଅତି ସହଜ। ଯିଏ କୌଣସି ପ୍ରାପ୍ତିର ଆଶା ନ ରଖି କେବଳ ଦେବାରେ ଆନନ୍ଦ ଅନୁଭବ କରନ୍ତି ଓ ସକଳ ଅବଜ୍ଞା, ଅପମାନକୁ ମନରେ ନ ଘେନି ଯିଏ ସନ୍ତାନର ମଙ୍ଗଳ କାମନା କରନ୍ତି, ସେ ହେଉଛନ୍ତି ମା’ ଅବା ଈଶ୍ୱର। ଅଦୃଶ୍ୟ ଈଶ୍ୱରଙ୍କ ପରି ଦୟା ଓ କରୁଣାର ମୂର୍ତ୍ତିମନ୍ତ ଦୃଶ୍ୟମାନ ବିଗ୍ରହ ହେଉଛି ମା’। ମା’ ଓ ଈଶ୍ୱର ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ରାବଣକୁ ବଧ କରି ଲଙ୍କାପୁରରୁ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହେଲା ପରେ ରାଜମାତା କୌଶଲ୍ୟାଙ୍କ ଏକ ବିଚିତ୍ର ପ୍ରଶ୍ନର ସାମ୍ନା କରି ବିଚଳିତ ହୋଇପଡିଥିଲେ ରାଜା ରାମଚନ୍ଦ୍ର। ଅଚାନକ ଦିନେ ନିଭୃତରେ ମାତା କୌଶଲ୍ୟା ତାଙ୍କୁ ପଚାରି ବସିଲେ, ତୁ ପ୍ରକୃତରେ କିଏ? ତୋର ଅସଲ ପରିଚୟ କ’ଣ? ନିଜ ମା’ଠାରୁ ଏମିତି ପ୍ରଶ୍ନଟିଏ ଯେ କୌଣସି ପୁଅକୁ କେଇ ମୁହୂର୍ତ୍ତ ପାଇଁ ନିର୍ବାକ୍‌ କରିଦେବା ଲାଗି ଯଥେଷ୍ଟ। ମତିଭ୍ରମରେ ତ ଆଉ ଆକ୍ରାନ୍ତ ହୋଇନାହାନ୍ତି ମୋର ଜନ୍ମଦାତ୍ରୀ ଜନନୀ! ତଟସ୍ଥ ରାମଚନ୍ଦ୍ରଙ୍କୁ ନିରୁତ୍ତର ରହିବାର ଦେଖି ପୁଣି ତାଙ୍କ ଜିଜ୍ଞାସା ଦୋହରାଇଲେ। ନୀରବତା ଭାଙ୍ଗି ସରଳ ଉତ୍ତରଟିଏ ଦେଲେ ରାଜା ରାମ। କହିଲେ, ମୁଁ ତୁମର ପୁଅ। ତୁମ ପାଇଁ ମୋର ଆଉ କିଛି ପରିଚୟ ନାହିଁ। କୌଶଲ୍ୟା ସନ୍ତୁଷ୍ଟ ହେଲେନାହିଁ ଏମିତି ଏକ ସରଳ ଉତ୍ତରରେ। ତାଙ୍କୁ ଉଦ୍‌ବେଳିତ କରୁଥିଲା ବଡ଼ ଏକ ଜଟିଳ ଜିଜ୍ଞାସା। ସେ କହିଲେ, ମୋ ବ୍ୟତୀତ ଅବଶିଷ୍ଟ ଦୁନିଆ ତୋତେ ବିଷ୍ଣୁଙ୍କ ଅବତାର ବୋଲି କହୁଛି। ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଚିହ୍ନୁଛି। ତୁ ଯଦି ପ୍ରକୃତରେ ଜଗତ୍‌କର୍ତ୍ତା ବିଷ୍ଣୁଙ୍କ ଅବତାର, ତେବେ ଏକ ଦିବ୍ୟପୁଲକରେ ଧନ୍ୟ ହେବ ମୋର ମାତୃତ୍ୱ। ଯଦି ପ୍ରକୃତରେ ତୁ ତାହା ନୁହଁ, କେବଳ ଜଣେ ସାଧାରଣ ମଣିଷ, ତଥାପି ସାରା ଜଗତ ତୋତେ ଅସାଧାରଣ ବୋଲି ମାନ୍ୟ କରୁଥିବାରୁ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ ଜଡ଼ସଡ଼ ହୋଇଉଠିବ ମୋର ମା’ପଣ। ରାଜା ରାମଚନ୍ଦ୍ରଙ୍କ ପାଇଁ ତାହା ଥିଲା ଏକ ବିଷମ ମୁହୂର୍ତ୍ତ। କେମିତି କେଉଁ ଭାଷାରେ ସେ ଦେବେ ମା’ଙ୍କ ଜଟିଳ ଜିଜ୍ଞାସାର ସରଳ ସମୁଚିତ ଉତ୍ତର। ତାଙ୍କ ନୀରବତା ମା’ଙ୍କୁ ଅଧିକ ବ୍ୟଗ୍ର, ବିଚଳିତ କରୁଛି ଜାଣି ସେ ମୃଦୁ ହସି କେବଳ ଏତିକି କହିଲେ, ”ମା’! ମୁଁ ଭଗବାନ କି ନୁହେଁ, ଏ କଥା ଜାଣେନାହିଁ। କିନ୍ତୁ ଏତିକି ନିଶ୍ଚୟ ଜାଣିଛି ଯେ ମା’ର ଆଶୀର୍ବାଦ ମିଳିଲେ ଯେକୌଣସି ସାଧାରଣ ମଣିଷ ବି ଈଶ୍ୱରରେ ରୂପାନ୍ତରିତ ହୋଇପାରିବ। ଉତ୍ତରରାମାୟଣରେ ବର୍ଣ୍ଣିତ ଜୀବନଦର୍ଶନ ଓ ମାନବୀୟ ଉତ୍ତରଣର ଏହି ଗହନ କଥା ଅନୁଯାୟୀ ମା’ଙ୍କ ଆଶୀର୍ବାଦ ଲାଭ କରିଥିବା ସବୁ ସନ୍ତାନ କିନ୍ତୁ ଈଶ୍ୱର ପାଲଟି ପାରନ୍ତି ନାହିଁ। ଏମିତି ତ କୌଣସି ମା’ କେବେ ବି ତା’ ସନ୍ତାନକୁ ଅଭିଶାପ ଦେଇପାରେନା। ନ ମାଗିଲେ ବି ସେ ତା’ ସନ୍ତାନ ଉପରେ କେବଳ ଆଶୀର୍ବାଦ ହିଁ ଅଜାଡି ପକାଏ। ଧନପତିର ଐଶ୍ୱର୍ଯ୍ୟ ହେଉ କି କାଙ୍ଗାଳର ଅଭାବ, ମା’ର ମହନୀୟ ମାତୃତ୍ୱର ମହକ ଆଗରେ ଫିକା ପଡିଯାଏ ଅସୁମାରି ଧନରତ୍ନର ଔଜ୍ଜ୍ୱଲ୍ୟ ତ ପୁଣି ଦୂରକୁ ଘୁଞ୍ଚିଯାଏ ଦାରିଦ୍ର୍ୟର ଅନ୍ଧାର। ମା’ ପାଇଁ କେବଳ ତା’ ସନ୍ତାନ ହିଁ ହେଉଛି ସଂସାରର ସର୍ବଶ୍ରେଷ୍ଠ ସମ୍ପଦ। ଅଥଚ ବିଡ଼ମ୍ବନାର ବିଷୟ, ସନ୍ତାନ ପାଇଁ ତା’ ମା’ କିନ୍ତୁ ସମ୍ପଦ ନ ହୋଇ ବିପଦ ହୋଇ ଉଭାହୁଏ। ମା’ର ଆଶୀର୍ବାଦ ଲାଭ କରି ଈଶ୍ୱର ହେବା ବଦଳରେ ଅସୁର ହୋଇ ସନ୍ତାନଟି ନିର୍ଦ୍ଦୟ ଭାବେ ମା’କୁ ହତ୍ୟା କରିପାରେ। ...

ବୀରବାଳା

ବୀରବାଳା

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଜୀବନରେ ନିଷ୍ଠାର ସହ କାର୍ଯ୍ୟ କଲେ ଜଣେ ବ୍ୟକ୍ତି ଆକାଂକ୍ଷିତ ସ୍ତରରେ ପହଞ୍ଚିପାରିଥାନ୍ତି। ପିଲାଟି ବେଳୁ ସାହସିକତା ଦେଖାଇ ପ୍ରତି କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଆସିଥିବାରୁ ଆନନ୍ଦିବେନ୍‌ ପଟେଲ ଆଜି ଚର୍ଚ୍ଚାର ବଳୟକୁ ଆସିଛନ୍ତି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ଙ୍କୁ ୨୦୧୮ ଜାନୁୟାରୀ ୧୯ରେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱରୁ ପ୍ରେରଣା ପାଇବା ପାଇଁ ଯୁବପିଢ଼ି ଆଗ୍ରହ ରଖିବା ସ୍ବାଭାବିକ। ଆନନ୍ଦିବେନ୍‌ ୧୯୪୧ ନଭେମ୍ବର ୨୨ରେ ଗୁଜରାଟ ମେହସାନା ଜିଲାର ଖାରୋଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଜେଠାଭାଇ ଥିଲେ ଶିକ୍ଷକ। ଏକ ଶୃଙ୍ଖଳିତ ପରିବେଶରେ ବଢ଼ିଥିବା ଆନନ୍ଦିବେନ୍‌ଙ୍କ ପ୍ରାଥମିକ ଶିକ୍ଷା ଏନ୍‌. ଏମ୍‌. ହାଇସ୍କୁଲରୁ ହୋଇଥିଲା। ସେତେବେଳେ ମାତ୍ର ୩ ଜଣ ବାଳିକା ସେଠାରେ ଶିକ୍ଷା ଗ୍ରହଣ କରୁଥିଲେ। କେବଳ ପାଠରେ ନୁହେଁ, ଖେଳକୁଦରେ ସେ ଅନ୍ୟମାନଙ୍କଠାରୁ ଆଗରେ ଥିଲେ। ଜିଲାସ୍ତରରେ କ୍ରମାଗତ ତୃତୀୟ ଥର ପାଇଁ ସେ ଚାମ୍ପିୟନ ହୋଇ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ। ସେ ପିଲ୍‌ଭାଇସ୍ଥିତ ଏମ୍‌. ଜି. ପଞ୍ଚଲ ବିଜ୍ଞାନ କଲେଜରେ ନାମ ଲେଖାଇଥିଲେ। ୧୯୬୨ରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। କଲେଜ ବେଳେ ପଢ଼ାରେ ଉତ୍କର୍ଷ ପ୍ରତିପାଦନ କରିବା ସହିତ କ୍ରୀଡ଼ାରେ ପାରଙ୍ଗମତା ଦେଖାଇବାରୁ ତାଙ୍କୁ ‘ବୀରବାଳା’ ପୁରସ୍କାର ମିଳିପାରିଥିଲା। ୧୯୬୨ରେ ସେ ମଫତ୍‌ଭାଇ ପଟେଲଙ୍କୁ ବିବାହ କରିଥିଲେ। ଏହା ପରେ ମହିଳାମାନଙ୍କ ଉତ୍ଥାନ ପାଇଁ ଥିବା ମହିଳା ବିକାଶ ଗୃହରେ ଚାକିରି କରିବାର ସୁଯୋଗ ପାଇଥିଲେ। ସେଠାରେ ସେ ୫୦ ବିଧବାଙ୍କୁ ଧନ୍ଦାମୂଳକ ଶିକ୍ଷା ଦେଇଥିଲେ। ବିବାହ ଓ ଚାକିରି ଭିତରେ ସୀମିତ ରହିବାକୁ ନ ଚାହିଁ ଉଚ୍ଚଶିକ୍ଷା ପାଇଁ ମନ ବଳାଇଥିଲେ। ୧୯୬୫ରେ ସ୍ବାମୀଙ୍କ ସହ ସେ ଅହମ୍ମଦାବାଦ ଚାଲିଯାଇଥିଲେ। ଏହା ପରେ ଶିକ୍ଷାରେ କ୍ୟାରିୟର କରିବା ଲକ୍ଷ୍ୟ ନେଇ ବ୍ୟାଚେଲର ଅଫ୍‌ ଏଜୁକେଶନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏପରିକି ମାଷ୍ଟର ଅଫ୍‌ ଏଜୁକେଶନରେ ସ୍ବର୍ଣ୍ଣପଦକ ପାଇଥିଲେ। ଅହମଦାବାଦସ୍ଥିତ ମୋହିନୀବା କନ୍ୟା ବିଦ୍ୟାଳୟରେ ସେ ବିଧିବଦ୍ଧ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୧୯୬୭ରୁ ୧୯୭୦ ଯାଏ ସେ ସେଠାରେ ଉଚ୍ଚ ମାଧ୍ୟମିକ ସ୍ତରର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଓ ଗଣିତ ପାଠ ପଢ଼ାଇଥିଲେ। ପରବର୍ତ୍ତୀ ସମୟରେ ସେହି ସ୍କୁଲର ଅଧ୍ୟକ୍ଷା ହୋଇଥିଲେ। ହେଲେ ୧୯୮୭ରେ ତାଙ୍କ ଶିକ୍ଷକତା ଜୀବନରେ ନୂଆ ମୋଡ଼ ଆସିଥିଲା। ସ୍କୁଲ ପିଲାଙ୍କୁ ବଣଭୋଜିରେ ନେଇଥିବା ବେଳେ ହଠାତ୍‌ ଦୁଇଜଣ ବାଳିକା ସର୍ଦ୍ଦାର ସରୋବର ଜଳଭଣ୍ଡାରରେ ବୁଡ଼ିଯାଉଥିବା ଲକ୍ଷ୍ୟ କରିଥିଲେ। କାଳବିଳମ୍ବ ନ କରି ସେ ତତ୍‌କ୍ଷଣାତ୍‌ ଜଳଭଣ୍ଡାରକୁ ଲମ୍ଫ ପ୍ରଦାନ କରି ସେମାନଙ୍କୁ ଉଦ୍ଧାର କରି୍‌ଥିଲେ। ଅଦମ୍ୟ ସାହସ ଦେଖାଇ ସେ ଦୁଇଟି ଜୀବନ ବଞ୍ଚାଇପାରିଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା। ...

ଏଇ ଭାରତରେ

ଅଙ୍ଗଦାନ ମହାନ୍‌ ଦାନ। ନିକଟରେ ଜଣେ ବ୍ୟକ୍ତି ଅଙ୍ଗଦାନ କରି ପାଞ୍ଚଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରିଛନ୍ତି। ପଣ୍ଡିଚେରୀ ସହରରେ ଗତ ୧୬ ତାରିଖରେ ସୁରେଶ ନାମକ ଜଣେ ବ୍ୟକ୍ତି (୨୫ବର୍ଷ) ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ଜିପ୍‌ମର୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ସେ ବଞ୍ଚତ୍ପାରି ନ ଥିଲେ। ସୁରେଶଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢ଼ି ଆବଶ୍ୟକ ପଡୁଥିବା ରୋଗୀଠାରେ ରୋପଣ କଲେ ସେମାନେ ନୂଆ ଜୀବନ ପାଇପାରିବେ ବୋଲି ପରିବାର ସଦସ୍ୟଙ୍କୁ ଜଣାଇ ଦିଆଯାଇଥିଲା। ...

ଅଣ-ଆଇଏଏସ୍‌ ବାବୁଙ୍କ ଉତ୍ଥାନ

ଅଣ-ଆଇଏଏସ୍‌ ବାବୁଙ୍କ ଉତ୍ଥାନ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ୨୦୧୭ ମସିହାରେ ଗୋଟିଏ ଉଲ୍ଲେଖନୀୟ ଧାରା ଦେଖିବାକୁ ମିଳିଛି ଏବଂ ତାହା ହେଉଛି ସାଧାରଣତଃ ଆଇଏଏସ୍‌ ବାବୁମାନେ ନିଯୁକ୍ତି ପାଉଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଣ-ଆଇଏଏସ୍‌ ବାବୁମାନଙ୍କ ନିଯୁକ୍ତି। ଯୁଗ୍ମ-ସଚିବ ପାହ୍ୟା ପଦପଦବୀଗୁଡ଼ିକରେ ଅଣ-ଆଇଏଏସ୍‌ ବାବୁମାନଙ୍କୁ ନିଯୁକ୍ତି ଦିଆଯିବାର ନୂତନ ପରମ୍ପରା ସୃଷ୍ଟି ହୋଇଥିବାରୁ ଆଇଏଏସ୍‌ ବାବୁମାନଙ୍କର ପ୍ରାଧାନ୍ୟ ହ୍ରାସ ପାଇବା ଦେଖାଯାଉଛି। ବହୁ ଦଶନ୍ଧି ଧରି ଆଇଏଏସ୍‌ ଅଫିସରମାନେ ଭାବି ଆସୁଥିଲେ ଯେ ସର୍ବଭାରତୀୟ ସେବା କ୍ଷେତ୍ରରେ ସେମାନଙ୍କ ସ୍ଥାନ ସବା ଉପରେ। ସେ ଭାବନା ଉପରେ ଏବେ ଭଟ୍ଟା ପଡ଼ିବାକୁ ଆରମ୍ଭ କରିଛି। ୨୦୧୭ ମାର୍ଚ୍ଚ ମାସ ପ୍ରାରମ୍ଭରେ କେନ୍ଦ୍ର ସରକାର ୧୬ ଜଣ ନୂତନ ଯୁଗ୍ମ ସଚିବଙ୍କୁ ସ୍ବରାଷ୍ଟ୍ର ବ୍ୟାପାର ଓ ଅର୍ଥ ସେବା ବିଭାଗ ସମେତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ଭାରତୀୟ ବନସେବା (ଆଇଏଫ୍‌ଓଏସ୍‌), କେନ୍ଦ୍ରୀୟ ସଚିବାଳୟ ସେବା (ସିଏସ୍‌ଏସ୍‌), ଭାରତୀୟ ଡାକ ସେବା (ଆଇପିଓଏସ୍‌), ଭାରତୀୟ ରେଳପଥ ହିସାବ ସେବା (ଆଇଆର୍‌ଏଏସ୍‌) ପ୍ରଭୃତି ଅଣ-ଆଇଏଏସ୍‌ ସେବା ଅଧିକାରୀ। ଉଦାହରଣ ସ୍ବରୂପ, ୧୯୮୬ ବ୍ୟାଚ୍‌ ହିମାଚଳ ପ୍ରଦେଶ କ୍ୟାଡର ଆଇଏଫ୍‌ଓଏସ୍‌ ଅଧିକାରୀ ବିନୋଦ କୁମାର ତିଓ୍ବାରୀଙ୍କୁ ୧୯୯୪ ବ୍ୟାଚ୍‌ ଛତିଶଗଡ଼ କ୍ୟାଡର ଆଇଏଏସ୍‌ ଅଧିକାରୀ ମନୋଜ କେ. ପିଙ୍ଗୁଆଙ୍କ ସ୍ଥାନରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ୧୯୮୯ ବ୍ୟାଚ୍‌ ଭାରତୀୟ ଡାକ ସେବା ଅଧିକାରୀ ବନ୍ଦିତା କୌଲଙ୍କୁ ୧୯୯୮ ବ୍ୟାଚ୍‌ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଏ.ଭି. ପାଟିଲଙ୍କ ସ୍ଥାନରେ ଅର୍ଥ ସେବା ବିଭାଗରେ ନୂତନ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଗତ ଜୁନ୍‌ ମାସରେ ୨୧ ଜଣ ନୂତନ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦିଆଯାଇଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ହେଉଛନ୍ତି ଆଇଏଏସ୍‌ ଅଫିସର। ସରକାର ସ୍ପଷ୍ଟ କରିଛନ୍ତି ଯେ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି ଦେଲାବେଳେ ଜଣେ ଅଫିସରଙ୍କର ବିଶେଷଜ୍ଞତା ବିଚାର କରାଯାଏ ନାହିଁ। ...

ଜଣା ରାମଟେକ, ଅଜଣା ରାମଗିରି

ଜଣା ରାମଟେକ, ଅଜଣା ରାମଗିରି

ଶିବରାମ ଶତପଥୀ/ ନାଗପୁର ଓ ଭଣ୍ଡାରା ସହିତ ଏକ ସମଦ୍ୱିବାହୁ ତ୍ରିଭୁଜ ଅଙ୍କନ କରି କ୍ରମନିମ୍ନ ଅନୁଚ୍ଚ ରାମଟେକ ପାହାଡ଼ ଅବସ୍ଥିତ। ଅମ୍ବାଗଡ ପର୍ବତ ଶ୍ରେଣୀର ପଶ୍ଚିମ ଦିଗବର୍ତ୍ତୀ ପାହାଡଟି ପ୍ରାୟ ପାଞ୍ଚହଜାର ବର୍ଷ ହେଲା ରାମଗିରି ନାମରେ ପ୍ରସିଦ୍ଧି ଲାଭ କରିଛି। ଆବହମାନ କାଳରୁ ଅନୁକୂଳ ଭୌଗୋଳିକ ପରିବେଶ ଓ ଜଳବାୟୁ ହେତୁ ଏ ପାହାଡ଼ ଏକ ଉତ୍ତମ ସେନାଛାଉଣି ରୂପେ ବ୍ୟବହୃତ ହେଉଥିଲା। ଭୋଁସଲେ ରାଜାମାନେ ଏ ପାହାଡ଼କୁ ଶସ୍ତ୍ରାଗାର ରୂପେ ବ୍ୟବହାର କରୁଥିଲେ। ନାଗପୁରରୁ ଭଣ୍ଡାରା (ଜିଲାର ସଦର ମହକୁମା) ପ୍ରାୟ ୮୦ କି.ମି. ଦୂର। ନାଗପୁରରୁ ରାମଟେକ ଓ ଭଣ୍ଡାରାରୁ ରାମଟେକର ଦୂରତା ପ୍ରତ୍ୟେକ ପ୍ରାୟ ୫୦ କି.ମି.। ଭଣ୍ଡାରା ନିକଟରେ ପ୍ରଶସ୍ତ ବୈନଗଙ୍ଗା (ବନ୍ୟଗଙ୍ଗା?) ନଦୀ ପ୍ରବାହିତ। ରାମଟେକ ନିକଟବର୍ତ୍ତୀ ଏକ କ୍ଷୁଦ୍ର ଝରଣା ସୁରନଦୀ ନାମରେ ଅଭିହିତ। ସୁରନଦୀ ଦକ୍ଷିଣକୁ କିଛି ଦୂର ପ୍ରବାହିତ ହୋଇ ବୈନଗଙ୍ଗାରେ ମିଶିଛି। ବୈନଗଙ୍ଗା ଦକ୍ଷିଣପୂର୍ବ ଦିଗକୁ ଅନେକ ଦୂର ପ୍ରବାହିତ ହୋଇ ଗୋଦାବରୀର ଉପନଦୀ ସାଜିଛି। ...

ମଣିଷକୁ ଦିଅ ମଣିଷ ବେଭାର

ମଣିଷକୁ ଦିଅ ମଣିଷ ବେଭାର

ରବିନ୍‌ ଖଣ୍ଡାୟତରାୟ/ ମଣିଷ ହିଁ ଏ ଜଗତକୁ ଅର୍ଥପୂର୍ଣ୍ଣ କରିଛି, ତା’ ବିନା ସଂସାର ଶ୍ରୀହୀନ ସତେ। ମର୍ତ୍ତ୍ୟଭୂମିର ଯେତେ ଲୀଳାଖେଳା ସବୁ ତାରି ମାଧ୍ୟମରେ ହିଁ ସ୍ରଷ୍ଟା ସମ୍ପାଦନ କରାଇଥାଆନ୍ତି। ସେ ଗୁଣୀ, ଜ୍ଞାନୀ, ବିବେକୀ ଆଉ ଅମୃତର ସନ୍ତାନ। ଗଛଟିଏ ପାଇଁ ଖତ, ସାର, ପାଣି ନିଶ୍ଚିତ ପ୍ରୟୋଜନ ହେବା ପରି ମଣିଷଟିଏ ପାଇଁ ଅନ୍ତରର ଶ୍ରଦ୍ଧା, ସାଧୁତା ନିହାତି ଦରକାର। ଏହିପରି ସ୍ବଭାବଯୁକ୍ତ ନିର୍ମଳ ହୃଦୟ ମଣିଷମାନଙ୍କର କଥାବାର୍ତ୍ତା, ଚାଲିଚଳନ, ଆଚାରବ୍ୟବହାର ସବୁ ସରସ, ସୁନ୍ଦର ଆଉ ସୁସଙ୍ଗଠିତ ମଧ୍ୟ। ମାତ୍ର ଦୁଃଖର କଥା ପୃଥିବୀର ଜନସଂଖ୍ୟା କ୍ରମଶଃ ବଢ଼ିଚାଲିଥିବା ବେଳେ ଦିବ୍ୟପ୍ରେମ ତଥା ପବିତ୍ର ଭାବନାଯୁକ୍ତ ଏହିପରି ମଣିଷମାନଙ୍କ ସଂଖ୍ୟା କମିବାରେ ଲାଗିଛି। ମୁଁ ଆଉ ମୋର ପରି ଅହଂଭାବ ସହିତ କ୍ରୂରତା ଏବଂ ଖଳସ୍ବଭାବ ଘୁଣପୋକ ପରି ଆମ ଭିତରର ବୁଦ୍ଧି, ବିବେକକୁ କୋରି ଖାଇଚାଲିଛି। ନିର୍ମଳ ହୃଦୟ ଆସନରେ ଆସ୍ଥାନ ଜମାଉଛି କୁତ୍ସିତ ତଥା ଭୟାନକ ଆସୁରିକ ପ୍ରବୃତ୍ତି। ସଭ୍ୟତାର ଦ୍ୱାହିଦେଇ ଆଡ଼ମ୍ବରପୂର୍ଣ୍ଣ ବାହ୍ୟ ଆଭୂଷଣ, ବିଳାସମୟ ବାସଗୃହ ଆଉ ପାଟିସୁଆଦିଆ ଖାଦ୍ୟପାନୀୟ ଆଦି ଯେତେ ପ୍ରକାରର ଭୌତିକ ଉନ୍ନତିର ସୋପାନ ଚଢ଼ି, ଆମେ ନିଜକୁ ସଭ୍ୟ ଆଉ ମାର୍ଜିତ ଭାବରେ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛୁ, ବଦଳରେ ସଂକୀର୍ଣ୍ଣ ମନୋଭାବ ତଥା ଅମଣିଷ ପଣିଆ ସେତିକି ଆମ ଭିତରକୁ ପଶିଆସୁଛି। ...

ଏଇ ଭାରତରେ

ବସ୍ତି ବାସିନ୍ଦାଙ୍କ ଫିକା ଜୀବନକୁ ରଙ୍ଗିନ କରିବାକୁ ହେବ। ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ପଡ଼ିବ। ଏଭଳି ଆଦର୍ଶରେ ଅନୁପ୍ରାଣିତ ହୋଇ ବମ୍ବେ ସହରତଳି ଘଟକୋପାର ଅନ୍ତର୍ଗତ ଆସଲ୍‌ଫା ଅଞ୍ଚଳର ବସ୍ତି ଅଞ୍ଚଳକୁ ରଙ୍ଗିନ୍‌ କରିଦେଇଛି ଏକ ଅଣଲାଭକାରୀ ସଂସ୍ଥା ‘ଚଲ୍‌ ରଙ୍ଗେ ଦେ’। ଦୁଇଟି କର୍ପୋରେଟ୍‌ ସଂସ୍ଥାର ପ୍ରୋତ୍ସାହନରେ ୧୨୦ଟି ବସ୍ତିର ବାହାର କାନ୍ଥକୁ ଏମିତି ରଙ୍ଗ କରାଯାଇଛି ଯେ, ଦେଖଣାହାରିଙ୍କ ଆଖି ଲାଖିଯାଉଛି। ଉକ୍ତ ସଂସ୍ଥାର ଜଣେ ଆୟୋଜକ ଦେଦୀପ୍ୟ ରେଡ୍ଡୀ କହନ୍ତି, ୧୭ଜଣ ପେଣ୍ଟର ଏବଂ ୭୫୦ଜଣ ସ୍ବେଚ୍ଛାସେବୀ ୪୦୦ଲିଟର ରଙ୍ଗ ବ୍ୟବହାର କରି ଉକ୍ତ ପରିବେଶକୁ ରଙ୍ଗିନ କରିପାରିଛନ୍ତି। ଏଭଳି ଏକ ଧାରଣା କାହିଁକି ସୃଷ୍ଟି ହେଲା ବୋଲି ପ୍ରଶ୍ନର ଉତ୍ତରରେ ରେଡ୍ଡୀ କହନ୍ତି, ଭର୍ସୋଭା-ଅନ୍ଧେରି-ଘଟକୋପାର ମେଟ୍ରୋ ରାଜପଥରେ ଚାଲିଗଲେ ଆଖିରେ ପଡେ ପାହାଡର ଶୀର୍ଷଭାଗରେ ଥିବା ଏହି ବସ୍ତି। ...

ଆଜିର ଅର୍ଥନୀତି/ସ୍ଥାୟୀ ସମାଧାନ

ଆଜିର ଅର୍ଥନୀତି/ସ୍ଥାୟୀ ସମାଧାନ

ଦେଶରେ କୃଷିଜାତ ପଦାର୍ଥର ମୂଲ୍ୟରେ ଉତ୍ଥାନପତନର ଅନ୍ତ ନାହିଁ। ଆଜି ପିଆଜ, କାଲି ଆଳୁ ଓ ଅନ୍ୟଦିନ ଅଣ୍ଡା କ୍ଷେତ୍ରରେ ଏପରି ଘଟୁଛି। ଗତ କିଛିମାସ ଧରି ପିଆଜ କିଲୋ ଖୁଚୁରା ବଜାରରେ ୪୫ ଟଙ୍କା ପର୍ଯ୍ୟନ୍ତ ହେବା ସହ ସାଧାରଣ ଖାଉଟିଙ୍କ ଆଖିରୁ ଲୁହ ନିଗିଡ଼ି ପଡ଼ୁଛି। ଏହି ପରିବା ସାଧାରଣ ଖାଉଟିଙ୍କ ରୋଷେଇ ବଜେଟ୍‌କୁ ନିୟମିତ ଭାବେ ବିପର୍ଯ୍ୟସ୍ତ କରିଆସିଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନାନା ଭାବରେ ଚେଷ୍ଟା କରିଆସୁଛନ୍ତି। କିନ୍ତୁ ତାହା ପୂର୍ଣ୍ଣପ୍ରାଣରେ କରାଯାଇ ନ ଥିବାରୁ ସମୟାନ୍ତରରେ ସମସ୍ୟା ବାରମ୍ବାର ଦେଖାଯାଉଛି। ଦୀର୍ଘ ଦୁଇମାସ ହେଲା ପିଆଜ କିଲୋ ୪୫ ଟଙ୍କା ରହିଆସିଛି ଏବଂ ରାଜ୍ୟ ସରକାର ପୂର୍ବ ଭଳି ଏ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରୁଛନ୍ତି। କୃଷିଜାତ ଦ୍ରବ୍ୟର ଏପରି ଅସ୍ବାଭାବିକ ମୂଲ୍ୟ ବୃଦ୍ଧି ଓ ହ୍ରାସ ସହ ଭାରତର ଜନସାଧାରଣ- ଉଭୟ ଖାଉଟି ଓ ଚାଷୀ ଅଭ୍ୟସ୍ତ ହୋଇଗଲେଣି। ଏ ସମସ୍ୟାର ମୂଳ କାରଣ ହେଉଛି ଆମର ଉନ୍ନତ କୃଷି ଭିତ୍ତିଭୂମିର ଅଭାବ। ଆମ ରାଜ୍ୟର ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ଆମର କୃଷି ଭିତ୍ତିଭୂମି ସୁଦୃଢ଼ ନୁହେଁ। ଅଭାବ ସମୟରେ କୃଷି ଉତ୍ପାଦ ଅନ୍ୟ ରାଜ୍ୟରୁ ଆଣିବା ଓ ଦରକାର ବେଳେ ସେମାନଙ୍କୁ ଦେବା ପାଇଁ ଏପର୍ଯ୍ୟନ୍ତ ଏକ ସଂଯନ୍ତ୍ର (ମେକାନିଜିମ୍‌)ର ପ୍ରତିଷ୍ଠା ହୋଇପାରିଲା ନାହିଁ। ଉଦାହରଣସ୍ବରୂପ ଆଳୁ ଦର କଥା ଚିନ୍ତା କରନ୍ତୁ, ଯାହା ଏବେ କିଲୋ ପିଛା ୧୦ ଟଙ୍କା ତଳକୁ ଖସିଯାଇଛି। କେତେକ ସ୍ଥାନରେ ଚାଷୀମାନେ ପାଇକାରୀ ବିକ୍ରେତାମାନଙ୍କୁ ୧ ଟଙ୍କାରୁ କମ୍‌ ମୂଲ୍ୟରେ ଆଳୁ ବିକ୍ରି କରୁଛନ୍ତି। ଅନେକ ହତାଶ ଚାଷୀ ରାସ୍ତାକଡ଼ରେ ସେମାନଙ୍କ ଉତ୍ପାଦଗୁଡ଼ିକୁ ଫୋପାଡ଼ି ଦେଉଛନ୍ତି। ନିକଟରେ ସୁନ୍ଦରଗଡ଼ର ଚାଷୀ ଟନ୍‌ ଟନ୍‌ ଟମାଟୋ ରାସ୍ତାରେ ଫୋପାଡ଼ିଦେଲେ କାରଣ ବଜାରକୁ ବିକ୍ରି ପାଇଁ ପଠାଇଲେ ସେମାନଙ୍କର ପରିବହନ ଖର୍ଚ୍ଚ ମଧ୍ୟ ଉଠୁନାହିଁ। ...

ଜାତି ଉତ୍ଥାନରେ ଶିକ୍ଷା

ଜାତି ଉତ୍ଥାନରେ ଶିକ୍ଷା

ଉପେନ୍ଦ୍ର ବିଶ୍ୱାଳ/ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କୁ ଥରେ ପଚରାଗଲା- ବିଜ୍ଞାନର ଏତେ ଉନ୍ନତି ହେଉଛି କିନ୍ତୁ ସମାଜର ଅବସ୍ଥା କାହିଁକି ସୁଧୁରୁନାହିଁ? କାହିଁକି ସୁସ୍ଥ ସମାଜଟିଏ ଗଢ଼ା ଯାଇପାରୁନି? ଆଇନ୍‌ଷ୍ଟାଇନ୍‌ କହିଲେ- ”ବିଜ୍ଞାନର ଉନ୍ନତି ହେଉଛି ସତ। ମାତ୍ର ମଣିଷର ଉନ୍ନତି କାହିଁ ?“ ବାସ୍ତବରେ ବିଜ୍ଞାନର ପ୍ରଭୂତ ଉନ୍ନତି ଯୋଗୁ ମଣିଷ ଆଜି ଆକାଶରେ ପକ୍ଷୀସମ ଉଡ଼ିବୁଲୁଛି। ସମୁଦ୍ରର ଅତଳ ଗହ୍ବରରେ ମାଛସମ ସନ୍ତରଣ କରିପାରୁଛି। ଚନ୍ଦ୍ର, ମଙ୍ଗଳରେ ବସତି ସ୍ଥାପନ କରିବାକୁ ବସିଲାଣି। ବିଜ୍ଞାନ ଓ ବୈଷୟିକ ଜ୍ଞାନ ବଳରେ ଅବିଶ୍ୱସନୀୟ ସୁଖ, ସୁବିଧା, ସଉକ ସବୁକୁ ସାଉଁଟି ଚାଲୁଛି। ମାତ୍ର ମର୍ତ୍ତ୍ୟଭୂମିରେ ମଣିଷପରି କିପରି ଚଳିବାକୁ ହୁଏ ତାହା ଶିଖିପାରୁନି। ତା’ର ଚେତନାର ଉନ୍ନତି ହେଉନି। ତା’ର ମାନସିକତାର ଉନ୍ନତି ହେଉନି। ତା’ର ଭାବନା, ବିଚାରର ଉନ୍ନତି ହେଉନି। ଯେଉଁଠି ଭଲ ଭାବନାର ମଣିଷ ନାହାନ୍ତି, ସେଠି ସୁସ୍ଥ ସମାଜଟିଏ ସମ୍ଭବ ହେବ କେମିତି?...

ପ୍ରାଚୀର ଓ ସୀମାରେଖା

ପ୍ରାଚୀର ଓ ସୀମାରେଖା

ପ୍ର. ସଚ୍ଚିଦାନନ୍ଦ ମହାନ୍ତି/ ସ୍ଥାପତ୍ୟକଳାର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ପ୍ରାଚୀର। କ୍ଷେତ୍ରର ସୀମା ନିର୍ଦ୍ଧାରଣ କରିବା ପାଇଁ ପ୍ରାଚୀରଗୁଡିକ ବ୍ୟବହୃତ ହୋଇଥାଏ। ଏହା ନିଜସ୍ବ ଅଧିକାରକୁ ସୁନିଶ୍ଚିତ କରେ ଏବଂ ଅନ୍ତେବାସୀଙ୍କ ସୁରକ୍ଷା ନିର୍ଦ୍ଧାରଣ କରେ। ‘ଆମେ’ ଓ ‘ତୁମେ’ର ପାର୍ଥକ୍ୟକୁ ଘୋଷଣା କରେ। ସୀମା ପ୍ରାଚୀର ସହ ଏକ ପ୍ରବେଶପଥ ମଧ୍ୟ ରହିଥାଏ, ଯାହା କି ନୀରବରେ ବହିର୍ବାସୀଙ୍କୁ ଏକ ଅର୍ଦ୍ଧ-ଆଇନଗତ ସୂଚନା ପ୍ରଦାନ କରିଥାଏ ଯେ, ପ୍ରବେଶ ଅଧିକାର ସଂରକ୍ଷିତ। ଏହାର ଅତିକ୍ରମଣ ଦଣ୍ଡନୀୟ। ତେଣୁ ସମସ୍ତ ଅନୁଷ୍ଠାନ ଏକ ସୀମାପ୍ରାଚୀର ଅବଶ୍ୟ ନିର୍ମାଣ କରନ୍ତି। ସୁଦୂର ଅତୀତରେ ମଧ୍ୟ, ଗ୍ରୀକ୍‌ ନଗର-ରାଜ୍ୟ ଯେପରି କି ଏଥେନ୍ସ, ସ୍ପାର୍ଟା ଏବଂ ଥେବ୍ସରେ ପ୍ରାଚୀର ନିର୍ମାଣର ଉଦାହରଣ ଦେଖାଯାଏ। ସଂସଦର ୨୦୦୯ ଅଧିନିୟମ ଦ୍ବାରା ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲାରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ମଧ୍ୟ ପୁରାତନ ନଗର ପରିକଳ୍ପନା ଏବଂ ସ୍ଥାପତ୍ୟକଳା ଅନୁକରଣ କରୁଥିଲା। ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାଗଣଙ୍କର ପ୍ରଥମ କାର୍ଯ୍ୟଧାରା ଥିଲା ଏକ ପ୍ରାଚୀର ନିର୍ମାଣ। ଏହି ପ୍ରାଚୀର ପର୍ବତଗୁଡିକ ମଧ୍ୟଦେଇ ଯାଉଥିଲା ଏବଂ ପାରିପାର୍ଶ୍ୱିକ ଗ୍ରାମଗୁଡିକର ସୀମାରେଖା ନିର୍ଦ୍ଧାରଣ କରୁଥିଲା। ଏହି ବିଶ୍ୱବିଦ୍ୟାଳୟର ପ୍ରତିବେଶୀ ଭାବରେ ପାଞ୍ଚୋଟି ଗ୍ରାମ ରହିଛି।...

ଏଇ ଭାରତରେ

ହ୍ବାଟ୍ସ ଆପ୍‌, ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ଗ୍ରୁପ୍‌ରେ ଜାତି, ଧର୍ମ ବର୍ଣ୍ଣକୁ ନେଇ କୌଣସି ଉତ୍ତେଜନା ସୃଷ୍ଟିକାରୀ, ସମାଜରେ ବିଭ୍ରାଟ ଖେଳାଉଥିବା ବାର୍ତ୍ତା କିମ୍ବା ଫଟୋ ପୋଷ୍ଟ ନ କରିବା ସକାଶେ ସବୁବେଳେ ସତର୍କ କରାଯାଉଛି। ସୋସିଆଲ ମିଡିଆକୁ ସତ୍ୟ ସୂଚନା ପ୍ରଦାନକାରୀ କ୍ଷେତ୍ର ଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ମାତ୍ର ସମାଜରେ ଏଭଳି କେତେକ ଖଳ ପ୍ରକୃତିର ଲୋକ ଅଛନ୍ତି, ଯେଉଁମାନେ ବିଭ୍ରାଟ ସୃଷ୍ଟିକରି ମଜା ଦେଖିବାକୁ ପସନ୍ଦ କରୁଛନ୍ତି। ସେମାନେ ବୁଝିପାରୁ ନାହାନ୍ତି ଯେ, ଏହି ସାଇବର ଅପରାଧ ଆଜିର ସୂଚନା-ପ୍ରଯୁକ୍ତି ଯୁଗରେ ଆଉ ଗୋପନ ରଖିହେବ ନାହିଁ। ନିକଟରେ ଏକ କନ୍ନଡ ଖବରକାଗଜର ଜଣେ ଫଟୋ ଖବରଦାତା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଧର୍ମକୁ ନେଇ ସମ୍ବେଦନଶୀଳ ପ୍ରସଙ୍ଗ ପୋଷ୍ଟ କରି ବୁଧବାର ରାତିରେ ଧରାପଡିଛନ୍ତି। ...