Dharitri News
ଫୁରସତ |

ସବୁଜିମାର ସଂକଳ୍ପ

ସବୁଜିମାର ସଂକଳ୍ପ ମଣିଷ ଉନ୍ନତି ପଥରେ ଯେତିକି ଯେତିକି ଆଗଉଛି ତାକୁ ପଛରୁ ସେତିକି ଟାଣି ଧରୁଛି ପରିବେଶ ଚିନ୍ତା। ଟେକ୍ନୋଲୋଜି ମଣିଷର ଅନେକ ସମସ୍ୟାର ସମାଧାନ ସିନା କରୁଛି କିନ୍ତୁ ବିଷୁଦ୍ଧ ବାୟୁ ପାଇଁ ଏବେ ତା’ର ବିକଳ ଅବସ୍ଥା। ଏହାର ଏକମାତ୍ର ସମାଧାନ ହେଉଛି ବୃକ୍ଷରୋପଣ। ଯେଉଁକଥାକୁ ମର୍ମେ ମର୍ମେ ଅନୁଭବ କରି ଆମ ଓଡ଼ିଶାର କିଛି ଗାଁ ଲୋକ ଏବେ ଶପଥ ନେଇଛନ୍ତି ସବୁଜ ବନାନୀର। ଗଛ ଲଗାଇବା ସହିତ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଏବେ ଏମାନଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ୍‌... ଜଙ୍ଗଲ ଦେଇଛି ପରିଚୟ: କୁହାଯାଏ ଅରଣ୍ୟର ବି ନିଜସ୍ବ ଭାଷା ଅଛି। ସେ ଭାଷାକୁ ଥରେ ବୁଝିଗଲେ, ଜଙ୍ଗଲ ତାଙ୍କୁ ଖୁବ ଆପଣାର ଲାଗେ। ମଣିଷ ଚାହିଁଲେ ପୁଣି ସଜାଡ଼ି ପାରିବ ଉଜୁଡ଼ା ଜଙ୍ଗଲ, ଏକଥାକୁ ବୁଝିପାରିଛନ୍ତି ବରପାଲି ପାଞ୍ଚ ମୌଜାର ଗ୍ରାମବାସୀ। ଆଉ ନୂଆଜଙ୍ଗଲ ସୃଷ୍ଟିକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଖୋର୍ଦ୍ଧା ଜିଲାର ଟାଙ୍ଗି ବ୍ଲକଛକଠାରୁ ପଶ୍ଚିମକୁ ପ୍ରାୟ ୬କିମି ଦୂର ରାସ୍ତାରେ ବଡ଼ବାରି ,ଭୋବରା ଗାଁ ଦେଇ ସଡ଼କ ପଥରେ ଆସିଲେ ପଡ଼ିବ ନୟାଗଡ଼ ଜିଲା ରଣପୁର ବ୍ଲକର ରାଇପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅର୍ଜୁନପୁର ହାଇସ୍କୁଲ ଛକ । ଚାରିଆଡେ ଘେରି ରହିଛି ବିଭିନ୍ନ ଗଛ ଲତାର ଜଙ୍ଗଲ। କିନ୍ତୁ ଦିନଥିଲା ଧାନୀ ପାହାଡ଼ କେବଳ ଟାଙ୍ଗରା ପାହାଡ଼ ହୋଇ ରହିଥିଲା। ୧୯୮୭ମସିହାର କଥା। ସମୟ କ୍ରମେ ଗ୍ରାମବାସୀ ଓ ଜଙ୍ଗଲ ବିଭାଗର ସହଯୋଗରେ ଗ୍ରାମରେ ବାରମ୍ବାର ବୈଠକ କରାଯାଇ ଗା୍ରମବାସୀ ନିଷ୍ପତ୍ତି ନେଲେ ଯେ ଧାନୀ ଜଙ୍ଗଲର ସୁରକ୍ଷା ଏଣିକି ନିଆଯିବ ଏବଂ ନୂତନ ଜଙ୍ଗଲର ସୁରକ୍ଷା ପାଇଁ ବୃକ୍ଷ ରୋପଣ ହେବ। ଏହା ପରେ ସମସ୍ତେ ଏକମନରେ ଜଙ୍ଗଲ ସୁରକ୍ଷା ପାଇଁ ଲାଗିପଡ଼ିଲେ। ଏହି ଲଣ୍ଡା ପାହାଡ଼ରେ ସବୁଜିମା ଭରିଗଲା। ଏହି ଜଙ୍ଗଲର ସୁରକ୍ଷା ପାଇଁ ବରପଲ୍ଲୀ, ପଣସପୁର, ବଳରାମପୁର, କିଆପଲା ଓ ଅର୍ଜୁନପୁର ଆଦି ପାଞ୍ଚ ମୌଜାର ଲୋକମାନେ ଅଣ୍ଟାଭିଡ଼ିଲେ, ଏଥିପାଇଁ ବହୁସମସ୍ୟାର ସମ୍ମୁଖୀନ ମଧ୍ୟ ହେଲେ । କିନ୍ତୁ ଜଙ୍ଗଲର ସୁରକ୍ଷାରୁ ହଟିଲେ ନାହିଁ। ଯାହାଫଳରେ ଏକ ସୁନ୍ଦର ଜଙ୍ଗଲ ସୃଷ୍ଟି ହୋଇପାରିଲା। ଯେଉଁଥିପାଇଁ ଦେଶବିଦେଶରୁ ବହୁ ପରିବେଶବିତ୍‌ ଓ ପ୍ରକୃତିପ୍ରେମୀ ଏଠାକୁ ଛୁଟି ଆସୁଛନ୍ତି। ଏହି ଜଙ୍ଗଲର ସଭାପତି କଣ୍ଡୁରୀ ପ୍ରଧାନ କୁହନ୍ତି, ଧାନୀ ପାହାଡ଼ଟି ଗାଁର ପଶ୍ଚିମ ଉତ୍ତର କୋଣରେ। ତା’ର ପାଦ ଦେଶରେ ଏହି ପାଞ୍ଚପଲ୍ଲୀ ଗ୍ରାମ। ଗ୍ରାମବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁଁ ଏହି ଜଙ୍ଗଲ ବୁଲିବାକୁ ଆସିଥିବା ସ୍ବିଡ଼େନର ଜଣେ ନାଗରିକ ଉକ୍ତ ଜଙ୍ଗଲ କମିଟିକୁ ୧୦ହଜାର ଟଙ୍କା ସହ ଏକ ମାନପତ୍ର ପ୍ରଦାନ କରିଥିଲେ। ତା’ସହ ପ୍ରକୃତିମିତ୍ର ପୁରସ୍କାର ମଧ୍ୟ ମିଳିଛି। ଜଙ୍ଗଲ ଜଗିବା ପାଇଁ ପ୍ରଥମେ ଗାଁର ପ୍ରତ୍ୟେକ ପରିବାରରୁ ମୁଠିଚାଉଳ ସଂଗ୍ରହକରି ଗାଁର ୪ଜଣଙ୍କୁ ମାସିକ ପରିଶ୍ରମର ମୂଲ୍ୟ ଦିଆଯାଉଥିଲା। ଏବେ ସଂପାଦକଭାବେ ପ୍ରମୋଦ ସାହୁ ଅଛନ୍ତି। ଏହି ଗାଁର ଅଧ୍ୟାପକ ବଳରାମ ପାଇକରାୟ କୁହନ୍ତି, ଆମ ଗାଁ ଧାନୀଜଙ୍ଗଲ ପାହାଡ଼ ପାଦଦେଶରେ ହୋଇଥିଲେ ବି ଏହି ଅଞ୍ଚଳର ଅନେକବ୍ୟକ୍ତି ଉଚ୍ଚଶିକ୍ଷିତ। ସେମାନେ ଜଙ୍ଗଲସୁରକ୍ଷା କଥା ଚିନ୍ତା କରନ୍ତି। ତା’ର ଉପକାରକୁ ବି ଅନୁଭବ କରୁଛନ୍ତି। ଆମ ଅଞ୍ଚଳବାସୀଙ୍କ ଉଦ୍ୟମରେ ଜଙ୍ଗଲ ସୁରକ୍ଷା ହୋଇଥିବାରୁ ଏହା ଆମ ଗାଁ ପାଇଁ ଗୌରବ ଆଣିଦେଇଛି। ଜଙ୍ଗଲର ସୁରକ୍ଷା ଯୋଗୁଁ ଚାଷଜମିକୁ ପଟୁମାଟି ଆସିପାରୁଛି। ଗାଁର ଲୋକମାନେ ଟୁଙ୍ଗା, କରବା, ପିଛୁଳି, ଝୁମ୍ପୁରି, ବେତକୋଳି, କଣ୍ଟାଆଳୁ, ଖଲିପତ୍ର, କେନ୍ଦୁ ଆଦି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ଏହି ଜଙ୍ଗଲରେ ମୟୂର, ଗୁଣ୍ଡୁରି ଚଢେଇ, ଜଙ୍ଗଲି କାପ୍ତା ପରି ଅନେକ ପକ୍ଷୀ ବହୁ ସଂଖ୍ୟାରେ ଅଛନ୍ତି। ଏକ ଛୋଟ ଝରଣା ବି ରହିଛି। ଉକ୍ତ ଜଙ୍ଗଲର ଆୟତନ ପ୍ରାୟ ୩୮୯ହେକ୍ଟର ପରିମିତ ଅଞ୍ଚଳ ହୋଇଥିବା ବେଳେ ଏହି ଜଙ୍ଗଲ ମଧ୍ୟରେ ପ୍ରାୟ ୪ଶହ ପ୍ରକାରର ବୃକ୍ଷଲତା ରହିଛି। ବିଶେଷକରି ଗଛଗୁଡ଼ିକ ମଧ୍ୟରେ ଶାଗୁଆନ ଓ ବାଉଁଶ ସର୍ବାଧିକ। ଗ୍ରାମବାସୀ ଜଙ୍ଗଲରୁ ବଞ୍ଚିବାର ପନ୍ଥା ପାଇଛନ୍ତି। ଆଉ ତା’ର ସୁରକ୍ଷା ପାଇଁ ଠେଙ୍ଗାପାଳିକରି ଜଗିଥାନ୍ତି। ପ୍ରତି ମାସରେ ଥରେ ଗାଁରେ ଜଙ୍ଗଲ ସୁରକ୍ଷା ସଭା ହୁଏ। ଏହି ଲଣ୍ଡା ପାହାଡ଼ରେ ସବୁଜ ଜଙ୍ଗଲ ସୃଷ୍ଟି କରିବାରେ ଗାଁ ଲୋକଙ୍କୁ ଜଙ୍ଗଲ ବିଭାଗ ସାହାଯ୍ୟ କରିଛି । ଏହି ଜଙ୍ଗଲ ପାଇଁ ଗାଁରେ ଭାଇଚାରା ରହିଛି ବୋଲି ଗ୍ରାମବାସୀ କୁହନ୍ତି। ଭାଇଚାରା ସୃଷ୍ଟି କରିଛି ଜଙ୍ଗଲ: ଦିନକୁଦିନ ପୃଥିବୀ ପୃଷ୍ଠରୁ ପ୍ରାକୃତିକ ଜଙ୍ଗଲ କ୍ଷୟ ହେଉଛି। ଯାହାକି ପରିବେଶ ସନ୍ତୁଳନରେ ସମସ୍ୟା ସୃଷ୍ଟିକରୁଛି। ଏପରି କି ଜନଜୀବନ ପ୍ରତି ବିପଦ ମାଡ଼ିଆସୁଛି। ‘ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା’ ଏହି କଥାକୁ ବୁଝିପାରିଥିବା କେତେକ ଗ୍ରାମବାସୀ ବୃକ୍ଷ ରୋପଣକରି ନୂଆଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଦିନେ କି ଦୁଇଦିନ ନୁହେଁ ବର୍ଷବର୍ଷଧରି ସେମାନଙ୍କୁ ଗଛର ଯତ୍ନ ନେବାକୁ ପଡ଼ିଛି । ଅନେକ ସମସ୍ୟା ବାଟଓଗାଳିଥିଲେ ବି ଅଟକି ଯାଇନି ଏମାନଙ୍କ ଉଦ୍ୟମ। ନୂତନଜଙ୍ଗଲ ସୃଷ୍ଟି କରିଥିବା ଗ୍ରାମବାସୀଙ୍କ ମଧ୍ୟରେ କେବଳ ଭାଇଚାରା ସୁଦୃଢ କରିନି ବରଂ ପ୍ରାକୃତିକ ପରିବେଶରେ ଜଙ୍ଗଲ ଯୋଗାଇଛି ସେମାନଙ୍କୁ ଜୀବିକା ନିର୍ବାହର ପନ୍ଥା। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ଶ୍ରୀଶ୍ରୀ ପ୍ରତାପେଶ୍ୱର ଦେବ ବନସୁରକ୍ଷା ସମିତି । ଏହା କଇଥ ପଲ୍ଲା ଡି.ପି.ଏଫ. ର ଏକ ଅଂଶ । ଏହି ଜଙ୍ଗଲର ପୂର୍ବକୁ ପୂର୍ବତଟରେଳପଥ, ପଶ୍ଚିମରେ ୧୬ ନମ୍ବର ଜାତୀୟ ରାଜପଥ, ଦକ୍ଷିଣରେ ରାଜସ୍ବଗ୍ରାମ, ଉତ୍ତରରେ କଇଥପଲ୍ଲାଗାଁ ଓ ଚାଷଜମି ରହିଛି। ଏହି ଜଙ୍ଗଲ ପ୍ରାୟ ୨ଶହ ହେକ୍ଟର ପରିମିତ ଅଞ୍ଚଳ । ପ୍ରାୟ ୪ଲକ୍ଷ ବୃକ୍ଷ ରହିଛି। ଅଧିକାଂଶ ଆକାଶିଆ, ପଟାସ ଇତ୍ୟାଦି। ରାସ୍ତା କଡ଼ରେ ଗାଁ ଲୋକମାନେ ଲଗାଇଛନ୍ତ ଆମ୍ବ ,ପଣସ ଓ ବରଗଛ। ଏହି ଜଙ୍ଗଲରେ ମୟୂର,ବଣକୁକୁଡ଼ା, ଠେକୁଆ, ବଣଭୁଆ, ବିଲୁଆ, କଟାଶ, ହେଟାବାଘ, ବାର୍‌ହା ଦେଖିବାକୁ ମିଳେ। ଏପରି କି ଆଗରୁ ବେଳେ ବେଳ ହାତୀଙ୍କୁ ଦେଖିବାକୁ ମିଳୁଥିଲା । ଏବେ ଏହି ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିଭାଗ ଜରିଆରେ ଏକ ପୋଖରୀ ଖୋଳାଯାଇଛି। ଏହି ଜଙ୍ଗଲ ସୁରକ୍ଷା ପାଇଁ ଗାଁରେ ସଭା ହୁଏ। ଗ୍ରାମବାସୀଙ୍କ ସହଯୋଗରେ ଓ ଜଙ୍ଗଲ ବିଭାଗର ସୁରକ୍ଷା ପାଇଁ ଗାଁରେ ସଭାହୁଏ। ଗ୍ରାମବାସୀଙ୍କ ଦ୍ୱାରା ଜଣକଙ୍କୁ ଜଗୁଆଳିଭାବେ ରଖାଯାଇଛି ଏବଂ ଜଙ୍ଗଲ କମିଟି ଏହାର ସୁରକ୍ଷା କଥା ବୁଝୁଛି। ସଭାପତି କେଳୁ ଚରଣ ପରିଡ଼ା, ସଂପାଦକ ଫରେଷ୍ଟର ଚିତ୍ତରଞ୍ଜନ ଜେନା ରହିଛିନ୍ତି। ୨୦୧୧ମସିହାରେ ପ୍ରକୃତି ମିତ୍ର ଓ ୨୦୧୩ରେ ବିଜୁପଟ୍ଟନାୟକ ପରିବେଶ ସୁରକ୍ଷା ଓ ଜଙ୍ଗଲ ରକ୍ଷା ପୁରସ୍କାର, ୨୦୧୭ ମସିହାରେ ୨୦ହଜାର ଟଙ୍କା ପୁରସ୍କାର ସହ ପ୍ରମାଣପତ୍ର ମିଳିଛି। ଗାଁର ବରିଷ୍ଠ ନାଗରିକ ଲଳିତ ମୋହନ ପଟ୍ଟନାୟକ କୁହନ୍ତି ଗ୍ରାମବାସୀଙ୍କ ସହଯୋଗ ଓ ଜଙ୍ଗଲ ବିଭାଗର ଉଦ୍ୟମରେ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା ହୋଇପାରିଛ। ଏଥିଯୋଗୁଁ ଗାଁରେ ଭାଇଚାରା ମଧ୍ୟ ସୁଦୃଢ ହୋଇପାରିଥାଏ। ଏଠି ଜଙ୍ଗଲ ସୃଷ୍ଟି କରିବା ଥିଲା ମହିଳାଙ୍କ ଚିନ୍ତା: ଗ୍ରାମବାସୀଙ୍କ ଇଚ୍ଛା ଓ ପରିବେଶ ପ୍ରତି ଭଲ ପାଇବା ଯୋଗୁଁ ଏକ ଲଣ୍ଡା ପାହାଡ଼ ସବୁଜିମାରେ ଭରି ଉଠିଛି। ଏମାନଙ୍କ ପରିବେଶ ଚିନ୍ତା ଓ ଭଲ ପାଇବା ଯୋଗୁଁ ୪୦ ବର୍ଷ ତଳେ ଲଣ୍ଡା ପଡ଼ିଥିବା ୧୦୦ ଏକର ଚାଞ୍ଚୁଣିଆ ପାହାଡ଼ଟି ଆଜି ସବୁଜିମାରେ ହସି ଉଠୁଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ରଣପୁର ବ୍ଲକ ଦର୍ପନାରାୟଣପୁର ପଞ୍ଚାୟତ ଗୁଣ୍ଡରାବାରି ଗ୍ରାମରେ। ନୟାଗଡ଼ ସଦର ମହକୁମାରେ ୨୦ କିଲୋମିଟର ଗଲା ପରେ ପଡ଼େ ଏହି ଗାଁ । ନୟାଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଗଲା ବେଳେ ମଜୁରିଆ ପଲ୍ଲୀ ଛକଠାରେ ବାମକୁ ବୁଲି ଜଗନ୍ନାଥ ସଡ଼କରେ ୧୨ କିଲୋମିଟର ଗଲେ ଦର୍ପନାରାୟଣପୁର ଗ୍ରାମ। ସେଠାରେ ଥିବା ଦର୍ପନାରାୟଣପୁର ଫାଣ୍ଡିଠାରୁ ୨ କିଲୋମିଟର ଗଲା ପରେ ପଡ଼େ ଏହି ଗାଁ। ଏହି ଆଦିବାସୀ ଗ୍ରାମର ଲୋକସଂଖ୍ୟା ୮୦। ହେଲେ ପରିବେଶ ପ୍ରତି ଥିବା ତାଙ୍କ ଭଲ ପାଇବା ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ । ଗ୍ରାମର ମହିଳା ଓ ପୁରୁଷମାନେ ପାଳି କରି ଜଗନ୍ତି ଜଙ୍ଗଲ। ସେହିଭଳି ଆଉ ଗୋଟିଏ କଥା ହେଉଛି, ଗ୍ରାମରେ ଥିବା ୨୭ ଜଣ ମହିଳା ପ୍ରତିଶ୍ରୁତିବଦ୍ଧ ଏହି ଜଙ୍ଗଲ ପାଇଁ। ସକାଳେ ୪ ଜଣ ମହିଳା ଓ ରାତିରେ ୪ ଜଣ ପୁରୁଷ ଠେଙ୍ଗା ଧରି ଜଗନ୍ତି ଜଙ୍ଗଲ। ଏମାନଙ୍କର ଏହି ଉଦ୍ୟମ ପାଇଁ ବର୍ତ୍ତମାନ ଚାଞ୍ଚୁଣିଆ ପାହାଡ଼ରେ ଶାଳ, ଶାଗୁଆନ, ଚାକୁଣ୍ଡାଠାରୁ ଆରମ୍ଭ କରି ବିଭିନ୍ନ ରକମରେ ଗଛରେ ପରିପୂର୍ଣ୍ଣ ହୋଇ ଉଠିଛି ପାହାଡ଼। ସକାଳେ ଯାଇ ମହିଳାମାନେ ଜଙ୍ଗଲକୁ ସଫା କରିବା ସହ କେଉଁ ଗଛରେ ଉଇ ଲାଗିଛି ତାହାକୁ ଛଡ଼ାଇ ଗଛର ଯତ୍ନ ନିଅନ୍ତି। ବର୍ଷା ଓ ପବନରେ ଭାଙ୍ଗିଯାଉଥିବା ଗଛକୁ ଆଣି ନିଲାମ କରି ପଇସାକୁ କୋଠରେ ରଖନ୍ତି। ସେହି ପଇସାକୁ ଗ୍ରାମରେ କାହାର ବାହାଘର ଓ ଅସୁବିଧା ବେଳେ ଖର୍ଚ୍ଚ କରନ୍ତି। ଏହି ଜଙ୍ଗଲକୁ ଜଙ୍ଗଲ ବିଭାଗର ଲୋକମାନଙ୍କୁ ପଶିବାକୁ ଦିଅନ୍ତି ନାହିଁ । କାହିଁକି ନା ସେମାନେ କିଛି କାଠ ମାଫିଆଙ୍କ ସହ ସଲାସୁତୁରା କରି ଜଙ୍ଗଲରୁ ଗଛକାଟି ଦେଉଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ଯଦି ବି କେହି କାଠ ମାଫିଆ ଏମାନଙ୍କ ଉପରେ ଆକ୍ରମଣ କରନ୍ତି ତାହାହେଲେ ସେମାନେ ନେଇଥିବା ମୋବାଇଲ୍‌ ଫୋନ୍‌ ଯୋଗେ ଗ୍ରାମବାସୀଙ୍କୁ ଜଣାଇବା ଦ୍ୱାରା ଗ୍ରାମବାସୀ ସେଠାରେ ଉପସ୍ଥିତ ହୋଇ ତାହାର ସମାଧାନ କରନ୍ତି। ଏହି ଗ୍ରାମର ମହିଳା ରମା କହନ୍ତି, ୪୦ ବର୍ଷ ପୂର୍ବେ ନଣ୍ଡା ହୋଇ ପଡ଼ିଥିବା ପାହାଡ଼କୁ ଦେଖି ଆମ ମନରେ ଦୁଃଖ ଆସିଲା । କିପରି ଏହାକୁ ଆମେ ସବୁଜିମାରେ ଭରିଦେବୁ ସେଥିପାଇଁ ଗ୍ରାମରେ ଏକ ବୈଠକ ହେଲା। ପରେ ୨୭ ଜଣ ମହିଳା ଏଠାରେ ଗଛ ଲଗାଇ ଆରମ୍ଭ କରିଥିଲୁ ଏହି ସବୁଜ ଅଭିଯାନ। ଜଙ୍ଗଲକୁ ଭଲ ପାଇବା ଓ ପରିବେଶରେ କିପରି ସନ୍ତୁଳନ ରହିବ ସେ ନେଇ ଆମେ ଚିନ୍ତିତ ଥିବାରୁ ଏପରି କିଛି ପଦକ୍ଷେପ ନେଲୁ। ଆଗାମୀ ଦିନ ଏଠାରେ ଥିବା ଅନ୍ୟ ପାହାଡ଼ଗୁଡ଼ିକରେ ମଧ୍ୟ ଏହି ଅଭିଯାନ କରିବାକୁ ଚେଷ୍ଟା କରିବୁ । କାହିଁକି ନା ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା । ଏହି ସ୍ଲୋଗାନ୍‌ ଖାଲି ସ୍ଲୋଗାନ୍‌ରେ ନ ରହି ଏହା କିପରି ପାଳନ କରିବା ସେ ଦିଗରେ ପଦକ୍ଷେପ ନେବା। ସମସ୍ତେ ନେଇଛନ୍ତି ଜଙ୍ଗଲର ଦାୟିତ୍ୱ: କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ଅଧୀନସ୍ଥ ମୋହନଗିରି ପଞ୍ଚାୟତର ମୁଚେଲ ପଦର ଗ୍ରାମ । ଜଙ୍ଗଲ ସୁରକ୍ଷା ତଥା ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଏହି ଗାଁ ଲୋକଙ୍କର ରହିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ । ଗ୍ରାମର ଉତ୍ତର ଦିଗକୁ ଲାଗି ଅଧ କିମି ଦୂରତାରେ ମୋହନଗିରି-ବଲାଙ୍ଗୀର ରାସ୍ତାର ପାର୍ଶ୍ୱରେ ରହିଛି କଳାହାଣ୍ଡି ଉତ୍ତର ବନଖଣ୍ଡର ୪.୫୦ ହେକ୍ଟର ବିଶିଷ୍ଟ ଡେଙ୍ଗନ ସଂରକ୍ଷିତ ଜଙ୍ଗଲ । ଅତୀତରେ ଏହି ଜଙ୍ଗଲ ଉପରେ ଥିଲା ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲାର କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ମୂଲ୍ୟବାନ ଶାଳ, ପିଆଶାଳ ଆଦି ଗଛକୁ ଅନାୟାସରେ କାଟି ପଦା କରି ଦେଉଥିଲେ । ୧୯୯୯ ମସିହାରେ ସ୍ଥାନୀୟ ଓ ପଡୋଶୀ ଜିଲାର ଆଦିବାସୀ ଶ୍ରେଣୀୟ ଶତାଧିକ ଲୋକେ ମିଳିତ ହୋଇ ଟାଙ୍ଗିଆ ଧରି ଏହି ସଂରକ୍ଷିତ ଜଙ୍ଗଲକୁ କାଟି ପଦା କରି ଘରଦ୍ୱାର ଓ ଜମିବାଡି କରିବାର ଉପକ୍ରମ କରୁଥିଲେ । ହେଲେ ସେମାନଙ୍କୁ ଏହି ମୁଚେଲ ପଦର ଗ୍ରାମବାସୀ ମିଳିତ ହୋଇ ପ୍ରବଳ ବିରୋଧ କରି ଜଙ୍ଗଲ କଟାରୁ ନିବୃତ କରିଥିଲେ । ଯାହାଫଳରେ ବର୍ତ୍ତମାନ ଏହି ଜଙ୍ଗଲଟି ଏକ ସୁନ୍ଦର ସବୁଜ ବନାନୀରେ ପରିଣତ ହୋଇପାରିଛି । ସେହିଦିନଠାରୁ ଉକ୍ତ ଗ୍ରାମରେ ପୁରୁଷମହିଳା ଏକଜୁଟ ହୋଇ ଏହି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି । ଏଥିପାଇଁ ଗ୍ରାମର ସମସ୍ତଙ୍କୁ ନେଇ ଏକ ସଭା କରାଯାଇ ଗ୍ରାମର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀ ନାଁରେ ମାଣିକେଶ୍ୱରୀ ଜଙ୍ଗଲ ସୁରକ୍ଷା କମିଟି ଗଠନ କରାଯାଇଛି । ଏହି ସୁରକ୍ଷା କମିଟିରେ ୩୦ ଜଣ ସଦସ୍ୟା ସଦସ୍ୟ ଥିବା ବେଳେ ଶୁକଦେବ ସାହୁଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ଚୟନ କରାଯାଇଛି । ଏହି କମିଟି କାଠ ମାଫିଆଙ୍କୁ ପ୍ରତିରୋଧ କରିବା ସହିତ ଅନ୍ୟ କେହି ବି ବିନା ଅନୁମତିରେ ଏହି ଜଙ୍ଗଲରୁ ଗଛ କାଟିଲେ କମିଟି ତା’ର ବିଚାର କରିଥାଏ । ପରବର୍ତ୍ତୀ ସମୟରେ ୨୦୦୧ ମସିହାରେ ଏହି ଜଙ୍ଗଲ ସୁରକ୍ଷା କମିଟିକୁ ଯୁଗ୍ମ ଜଙ୍ଗଲ ପରିଚାଳନା ଆଇନ ଅନୁସାରେ ସ୍ବୀକୃତି ପ୍ରଦାନ କରି ମୋହନଗିରି ବନପାଳ ଓ ବନରକ୍ଷୀଙ୍କୁ ଏଥିରେ ସାମିଲ କରିଥିଲେ । ସେହିଦିନଠାରୁ ବନବିଭାଗ ଓ ଗ୍ରାମବାସୀ ଏହି ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ସହିତ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ବିଭିନ୍ନ ପଦକ୍ଷେପ ନେଇ ଆସୁଛନ୍ତି । ଫଳସ୍ବରୂପ ପଦା ହୋଇଥିବା ପ୍ରାୟ ୨୦ ଏକର ଜାଗାରେ ବନୀକରଣ କରାଯାଇ ଶାଗୁଆନ ଗଛ ସୃଷ୍ଟି କରାଯାଇଛି ଏବଂ ପଦା ହୋଇଥିବା ୨୦୦ ଏକର ପ୍ରାକୃତିକ ଜଙ୍ଗଲରେ ନୂତନ ଭାବରେ ଶାଳ, ପିଆଶାଳ, ଚାହାର, କେନ୍ଦୁ, ଅଁଳା ଆଦି ଗଛ ଲଗାଯାଇଛି । ଏଥିପାଇଁ ଉଦୀୟମାନ ଯୁବକ ଶୁକଦେବ ସାହୁ ପ୍ରମୁଖ ଭୂମିକା ନେଇଥିବା ବେଳେ, ଜଙ୍ଗଲ ସୁରକ୍ଷା କମିଟିର ନିୟମିତ ତଦାରଖ ଓ ରକ୍ଷଣାବେକ୍ଷଣ ଯୋଗୁଁ ସବୁଜ ସୁନ୍ଦର ବନାନୀ ସୃଷ୍ଟି ହୋଇପାରିଛି । ଏତଦ୍‌ବ୍ୟତୀତ ଏହି କମିଟି ଉଦ୍ୟମରେ ଓ ବନବିଭାଗର ସହଯୋଗରେ ଅଞ୍ଚଳର ବିଭିନ୍ନ ଗ୍ରାମରେ ସଚେତନତା ସଭାମାନ କରାଯାଇ ଜଙ୍ଗଲ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରାଯାଉଛି । ଫଳରେ କେବଳ ମୁଚେଲପଦର ଗ୍ରାମ ନୁହେଁ ଏହି କମିଟି ମାଧ୍ୟମରେ ଏ ଅଞ୍ଚଳର ଗ୍ରାମେ ଗ୍ରାମେ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ପ୍ରଚାରିତ ହୋଇ ଲୋକଙ୍କୁ ସଚେତନ କରାଯାଇପାରୁଛି । ଏଥିପାଇଁ ୨୦୦୯ ମସିହାରେ ଜଙ୍ଗଲ ସୁରକ୍ଷା ତଥା ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୁକଦେବ ସାହୁଙ୍କୁ ସରକାରଙ୍କ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ନିଜସ୍ବ ଉଦ୍ୟମରେ ବିନା ଅର୍ଥବ୍ୟୟରେ ଏହି ସବୁଜ ବନାନୀ ସୃଷ୍ଟି କରିପାରିଥିବାରୁ ୨୦୧୧ ମସିହାରେ ସରକାରଙ୍କ ତରଫରୁ ଏହି ମୁଚେଲପଦର ବନସୁରକ୍ଷା ସମିତିକୁ ପ୍ରକୃତି ମିତ୍ର ପୁରସ୍କାର ସହିତ ମାନପତ୍ର ଓ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି । ୨୦୧୪ ମସିହାରେ ଏହି ସବୁଜ ବନାନୀ ମଧ୍ୟରେ ସରକାରଙ୍କ ତରଫରୁ ବନ୍ୟ ଜନ୍ତୁଙ୍କ ପାଇଁ ଏକ ସୁନ୍ଦର ପୁଷ୍କରିଣୀ ଖୋଲାଯାଇଛି , ଯାହାକୁ ସ୍ଥାନୀୟ ଲୋକେ ହାତୀବନ୍ଧ ନାମରେ ନାମିତ କରିଛନ୍ତି । ବର୍ତ୍ତମାନ ବନବିଭାଗ ତରଫରୁ ସରକାରଙ୍କ ‘ଆମ ଜଙ୍ଗଲ ଯୋଜନା’ରେ ଏହାକୁ ସାମିଲ କରାଯାଇଛି। ପରିବେଶ ପାଇଁ ଚିନ୍ତା: କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଚିରସ୍ରୋତା ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ବାରଭାଇର ଗାଁ ବାରଗାଁ। ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ବାରଗାଁ ମାଟିଆ ମା’ ମଙ୍ଗଳା ଉନ୍ନୟନ କମିଟି ପଣୁ ନଦୀର କ୍ରମାଗତ ପଟ୍ଟ ପରିବର୍ତ୍ତନ ଯୋଗୁ ମୃତ୍ତିକା କ୍ଷୟ ହେଉଥିବା ବେଳେ ଉନ୍ନୟନ କମିଟି ପକ୍ଷରୁ ମା’ ମାଟିଆ ମଙ୍ଗଳା ମନ୍ଦିର ସମ୍ମୁଖ ପୁରୁଣାମନ୍ଦିରର ଉଭୟ ପାର୍ଶ୍ୱ ରାସ୍ତା ଏବଂ ବିଦ୍ୟାଳୟର ସମ୍ମୁଖ ପାଖ ଏବଂ ନଦୀ ଗ୍ରାସ ଦାଉରୁ ରକ୍ଷା କରିବା ପାଇଁ ଯଦୁ ଚନ୍ଦ୍ରପୁର ଗାଁ ପାଖରେ ବୃକ୍ଷରୋପଣ କରିବା ସହିତ ଏହାର ଯତ୍ନ ନେଉଛନ୍ତି। ଗ୍ରାମବାସୀମାନେ ସେମାନଙ୍କର ବଳକା ସମୟକୁ ନଷ୍ଟ ନ କରି ଗଛ ଲଗାଇବାର ସମର୍ପଣ କରିଛନ୍ତି। ଏହି ମହତ କାମରେ ପ୍ରକୃତି ବନ୍ଧୁ ତଥା ମା’ ମାଟିଆ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପରିବେଶବିତ୍‌ ମହେଶ୍ୱର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗାଁକୁ ସବୁଜ ସୁନ୍ଦର କରାଯାଇଛି। ପ୍ରାୟ ୧୫୦ ପ୍ରକାର ବୃକ୍ଷ ରୋପଣ ହୋଇଛି। ସେହିପରି ଝାରକଟା ନୂଆସାହି ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଛି। କେବଳ ଏତିକି ନୁହେଁ ଓଡ଼ିଶାର ଅନେକ ସଚେତନ ଗ୍ରାମବାସୀ ଏବେ ବୃକ୍ଷରୋପଣ ସହି ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। - ରୋଜାଲିନ୍‌ ମହାନ୍ତି, ବନବିହାରୀ ବେହେରା, ରୋହିତ ବିଶ୍ୱାଳ, ରଞ୍ଜନ କୁମାର ପ୍ରଧାନ,ଭାସ୍କର ରାଉତରାୟ

ଫୁରସତ |

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବ

ଓ୍ବାଶିଂଟନ: ବିଶ୍ୱ ତାପମାନ ବଢ଼ିବାରେ ଲାଗିଛି। ଏହାର ପ୍ରତିକୂଳ ପ୍ରଭାବ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀରେ ଆଗ୍ନେୟଗିରି ଉଦ୍‌ଗୀରଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଭୌଗୋଳିକ ମତ ପ୍ରକାଶ କରିଛନ୍ତି।

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ଅସ୍ତିତ୍ୱ  ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଅସ୍ତିତ୍ୱ ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଓଡ଼ିଶାର ଉପକୂଳବର୍ତ୍ତୀ ସାତଭାୟା ଏବେ ଦରିଆ ଆଁ ଭିତରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଅତୀତରେ ଘଟିଥିବା ଏକ ଭୟଙ୍କର ବାତ୍ୟାର ବିଭିଷିକା ସେଠାର ସ୍ଥାୟୀବାସିନ୍ଦାମାନେ ସର୍ବସ୍ବାନ୍ତହୋଇ ଅନେକ ନାହିଁ ନଥିବା ସମସ୍ୟା ଭିତରେ ଦୀର୍ଘ ୪୮ବର୍ଷ ଧରି ଜୀବନ ବିତାଇ ସାରିଲେଣି । ଏମିତିକି ଦୁଇଟି ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଦରିଆ ସେମାନଙ୍କ ପିଲାଛୁଆ ସଭିଙ୍କୁ ଭସେଇ ନେଇଛି। ମାତ୍ର ଆଶ୍ରୟପାଇଁ ସେମାନଙ୍କ ଲାଗି ଆଉ ଏକ ସ୍ଥାନ ଖୋଜା ସରିଛି। କିନ୍ତୁ ଭିଟାମାଟି ଛାଡ଼ିବାର ଦୁଃଖ ଅନ୍ୟପଟେ ନୂଆଜାଗାରେ ଥଇଥାନ ଯୋଗୁ ବଦଳିଯିବ ପରିଚୟ । ପୁଣି ଆରମ୍ଭହେବ ନିଆରା ଜୀବନଶୈଳୀ । ସେହି ଗାଁ ସମ୍ପର୍କରେ ....

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।