Dharitri News
ସମ୍ପାଦକୀୟ |

ଅନାଥ ଶିଶୁ: ସୁରକ୍ଷା ଓ ଥଇଥାନ

ଅନାଥ ଶିଶୁ: ସୁରକ୍ଷା ଓ ଥଇଥାନ ନିରଞ୍ଜନ ମହାନ୍ତି ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ଏକ ଆଇନସିଦ୍ଧ ପ୍ରକ୍ରିୟା। ବର୍ତ୍ତମାନ ଶିଶୁ ସୁରକ୍ଷା ବ୍ୟବସ୍ଥା ସମସ୍ୟା ମଧ୍ୟରେ ଗତି କରୁଛି। ଭାରତ ସରକାରଙ୍କ ସେଣ୍ଟ୍ରାଲ୍‌ ଆଡପ୍‌ସନ ରିସୋର୍ସ ଏଜେନ୍ସି (କାରା), ଓଡ଼ିଶା ସରକାରଙ୍କ ଷ୍ଟେଟ୍‌ ଆଡପ୍‌ସନ ରିସୋର୍ସ ଏଜେନ୍ସି (ସାରା) ଏବଂ ବିଭିନ୍ନ ଜିଲାରେ ଥିବା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ଗୁଡ଼ିକ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ବହୁ ଶିଶୁ ସେମାନଙ୍କର ପାରିବାରିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ଅବଶ୍ୟ ଏହି ସଂସ୍ଥାଗୁଡ଼ିକ ସେମାନଙ୍କର ନୈତିକ ଦାୟିତ୍ୱ ତୁଲାଇବାରେ ଅବହେଳା କରୁନାହାନ୍ତି। ତଥାପି ଶିଶୁ ସୁରକ୍ଷା ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ସମଗ୍ର ଭାରତରେ ୪୫୦ ଏବଂ ଓଡ଼ିଶାରେ ୨୭ଟି ଶିଶୁ ସୁରକ୍ଷା ସଂସ୍ଥା ବା ‘ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ସଂସ୍ଥା’ କାର୍ଯ୍ୟକ୍ଷମ ଅଛନ୍ତି। ଏହା ବ୍ୟତୀତ ଆହୁରି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ସରକାରୀ ସ୍ତରରେ ପଞ୍ଜୀକୃତ ହୋଇନାହାନ୍ତି। ଏହି ସଂସ୍ଥାଗୁଡ଼ିକ ମାଧ୍ୟମରେ ଶିଶୁ ଲାଳନପାଳନ ଓ ପୋଷ୍ୟ ସନ୍ତାନ ପ୍ରଦାନ ବ୍ୟବସ୍ଥାକୁ ଆଇନଗତ ଭାବେ କାର୍ଯ୍ୟକାରୀ କରାଯାଉଛି।ଦରଦୀ ମଣିଷର ସହୃଦୟ ଆବେଗ ଝଙ୍କାର ସୃଷ୍ଟି କରିଥିଲା ବିଶ୍ୱ ଇତିହାସରେ ୧୯୯୩ରେ ନେଦରଲାଣ୍ଡର ହେଗ୍‌ଠାରେ, ଯେଉଁଠାରେ କି ବିଶ୍ୱର ଏକଶତ ରାଷ୍ଟ୍ର ମିଳିତ ହୋଇ ଶିଶୁ ସୁରକ୍ଷା ସନନ୍ଦରେ ସ୍ବାକ୍ଷର କରିଥିଲେ। ଏହି ସନନ୍ଦ ମଧ୍ୟରେ ଥିଲା କୌଣସି ଶିଶୁକୁ ବେଆଇନ୍‌ ଭାବେ ଟ୍ରାକିଂ କରାଯାଇପାରିବ ନାହିଁ, ଘରୋଇ ପୋଷ୍ୟ ସନ୍ତାନ ଗ୍ରହଣକୁ ଅଗ୍ରାଧିକାର ଦିଆଯିବ। ଅନୈତିକ ଭାବେ କୌଣସି ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଦିଆଯାଇପାରିବ ନାହିଁ। ଏହି ସନନ୍ଦରେ ଭାରତ ସ୍ବାକ୍ଷର କରିଥିଲା ୧୦ ବର୍ଷ ପରେ ୨୦୦୩ରେ। ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାର ସ୍ବଚ୍ଛତା ରକ୍ଷା କରିବା ନିମନ୍ତେ ଭାରତ ସରକାର ୧୯୯୦ ମସିହାରେ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ ସଂସ୍ଥା ବା କାରା ଗଠନ କଲେ। ଯେଉଁସବୁ ଶିଶୁ କଲ୍ୟାଣ ସଂଗଠନ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଥିଲେ, କାରା ଗଠନ ଫଳରେ ସେମାନଙ୍କର ସ୍ବାଧୀନତା ସଙ୍କୁଚିତ ହେଲା ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ଆଇନସିଦ୍ଧ କରାଗଲା। ତେବେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ କାରା ପକ୍ଷରୁ ୧୯୯୫ ମସିହାରେ ନୋ ଅବ୍‌ଜେକସନ ସାର୍ଟିଫିକେଟ୍‌ ଶିଶୁ କଲ୍ୟାଣ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଗଲା। ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟରେ ଲିପ୍ତ ଥିବା ପ୍ରତ୍ୟେକ ସଂସ୍ଥାଦ୍ୱାରା ଇଚ୍ଛୁକ ସ୍ବଦେଶୀ ଅବା ବିଦେଶୀ ମାତାପିତାଙ୍କ ପକ୍ଷରୁ ଜିଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିବାର ବ୍ୟବସ୍ଥା କରାଗଲା। ପୋଷ୍ୟ ସନ୍ତାନ ଗ୍ରହଣ ନୀତି ନିୟମକୁ ସୁସଂହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର୍ର ସରକାର ୨୦୦୦ ମସିହାରେ ଶିଶୁ ଓ କିଶୋର ନ୍ୟାୟ ଆଇନ ପ୍ରଣୟନ କଲେ। ଏହି ଆଇନରେ ୨୦୦୬ରେ ସଂଶୋଧନ ହୋଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଆହୁରି ସୁଗମ କରିବା ପାଇଁ ୨୦୧୫ରେ ଶିଶୁ କିଶୋର ଆଇନର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଗଲା। କୌଣସି ଶିଶୁ କଲ୍ୟାଣ ଅନୁଷ୍ଠାନ ସିଧାସଳଖ ଇଚ୍ଛୁକ ମାତାପିତାଙ୍କୁ ପୋଷ୍ୟ ସନ୍ତାନ ପ୍ରଦାନ କରିପାରିବେ ନାହିଁ। ଉଭୟ ପୋଷ୍ୟ ସନ୍ତାନ ପ୍ରଦାନକାରୀ ସଂସ୍ଥା ଓ ଗ୍ରହଣକାରୀ ମାତାପିତା ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ମୁତାବକ କାର୍ଯ୍ୟ କରିବାକୁ ବାଧ୍ୟ। ପ୍ରତ୍ୟେକ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ ଉପଯୋଗୀ ହେବାକୁ ହେଲେ ଜିଲା ଶିଶୁ କଲ୍ୟାଣ ସମିତି ମାଧ୍ୟମରେ ସଂପୃକ୍ତ ଶିଶୁ ନିମନ୍ତେ ସେଥିପାଇଁ ଅନୁମତି ଆଣିବାକୁ ହେବ। ପୂର୍ବରୁ ଥିବା ହିନ୍ଦୁ ଆଡପ୍‌ସନ ମେଣ୍ଟେନାନ୍ସ ଆକ୍ଟ ଏବଂ ଗାର୍ଡ଼ିଆନଶିପ୍‌ ୱାର୍ଡ଼ ଆକ୍ଟ ଏବେ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟରେ ସାମିଲ ହୋଇଯାଇଛି। ଏବେ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ କାରା ପୋର୍ଟାଲରେ ୧୭ ହଜାରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ଇଚ୍ଛୁକ ମାତାପିତା ନାମ ପଞ୍ଜୀକରଣ କରିଛନ୍ତି। ତେବେ ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ, ଏବେ ଭାରତର ଶିଶୁକଲ୍ୟାଣ ଅନୁଷ୍ଠାନଗୁଡ଼ିକରେ ଆଇନସମ୍ମତ ଭାବେ ମାତ୍ର ଏକ ହଜାର ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଉପଯୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ଦୁଇ ବର୍ଷ ମଧ୍ୟରେ ଶତକଡ଼ା ୮୦ ଭାଗ ଶିଶୁ ଅଛନ୍ତି। ଭାରତର ପ୍ରତ୍ୟେକ ପ୍ରାଦେଶିକ ସରକାର ଯଦି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ ନ କରନ୍ତି, ବହୁ ଅସହାୟ ଶିଶୁ ଆଇନର ସହାୟତାରୁ ବଞ୍ଚତ୍ତ ହେବେ। କୌଣସି ଶିଶୁକୁ ଅସହାୟତା ଭିତରକୁ ଠେଲି ଦିଆ ନ ଯାଉ। ଅନାଥ ଶିଶୁମାନଙ୍କର ଥଇଥାନ ନିମନ୍ତେ ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ନିଃସନ୍ତାନ ମାତାପିତାଙ୍କୁ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ପ୍ରଦାନ କରାଯାଉ। କୌଣସି ଶିଶୁକୁ ଅନାଥାଶ୍ରମରେ ବେଶି ଦିନ ରହିବାକୁ ଦିଆ ନ ଯାଇ ତାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଉ। ଭୁବନେଶ୍ୱର, ମୋ- ୯୪୩୭୮୮୫୧୫୦

ସମ୍ପାଦକୀୟ |

ମାଙ୍କଡ଼ ନୁହେଁ, ଗାଈ

ମାଙ୍କଡ଼ ନୁହେଁ, ଗାଈ

ତଥାଗତ ସତପଥୀ/ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ ଡାରଓ୍ବିନ୍‌ ‘ଦି ଡିସେଣ୍ଟ ଅଫ୍‌ ମ୍ୟାନ୍‌’ ପୁସ୍ତକରେ ଦେଇଥିବା ତତ୍ତ୍ୱ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ ଥିଲା ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ। ସ୍କୁଲ ଓ କଲେଜରେ ଏ ସଂକ୍ରାନ୍ତ ଥିବା ପାଠ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ନିକଟରେ ସର୍ବ ଭାରତୀୟ ବୈଦିକ ସମ୍ମେଳନ ପୃଷ୍ଠଭୂମିରେ ସେ ଦେଇଥିବା ଏପରି ମତକୁ ନେଇ ସମାଜର ବିଭିନ୍ନ ବର୍ଗ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଶନ୍‌ ନିର୍ବାଚନ

ମିଶନ୍‌ ନିର୍ବାଚନ

ସବ୍ୟସାଚୀ ଅମିତାଭ/ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଛି। ପୁରୀରେ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସୁପ୍ରିମୋ। ଯେତେବେଳେ କର୍ମୀ ଓ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେବାକୁ ନବୀନ ପୋଡିୟମ୍‌ ଉପରକୁ ଗଲେ, ସମସ୍ତେ ଆଶା କରୁଥିଲେ ମହାନଦୀ, ପୋଲାଭରମ୍‌ ଅବା ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍‌ କରିବେ।

ମାଟି ମାଆର ଭାଷା

ମାଟି ମାଆର ଭାଷା

ଦ୍ୱିତୀ ଚନ୍ଦ୍ର ସାହୁ/ସମୟ ସହ ବିକାଶର ଧାରାରେ ବହୁ ପଛରେ ପଡିଥିବା ଆନ୍ଧ୍ର-ଓଡିଶା ସୀମାନ୍ତର ଏକ ନର୍ଦ୍ଦିଷ୍ଟ ସଂପ୍ରଦାୟର ଆଦିବାସୀ ଇଲାକାର ବିକାଶ ଲାଗି ଜଣେ ସରକାରୀ ଅଧିକାରୀ ଚିନ୍ତା କଲେ। ବାରମ୍ବାର ସେଇ ଇଲାକାକୁ ଗସ୍ତ କଲେ। ନୂଆ ନୂଆ ଯୋଜନା କଲେ। ଶିକ୍ଷାର ବିକାଶ ସହ ସଚେତନ କରା ନ ଗଲେ ସମସ୍ତ ପଦକ୍ଷେପର ମୂଲ୍ୟ କୁହୁଡିପହଁରା ଭଳି ହେବ, ଏ କଥାକୁ ଅଧିକାରୀ ଜଣକ ହୃଦ୍‌ବୋଧ କରିଥିଲେ।

ଏଇ ଭାରତରେ

ଏଇ ଭାରତରେ

ଆଜି ମଧ୍ୟ ସେହି ପୁରୁଣାକାଳିଆ ପ୍ରଥାକୁ ଧରିବସିଛନ୍ତି ତାମିଲନାଡୁ ରାଜ୍ୟ ମୁସିରୀ ଅଞ୍ଚଳର ବାସିନ୍ଦା। ‘ବର ଚାଳିଶା, କନିଆ ଦଶା’- ପୂର୍ବରୁ ଏମିତି ପ୍ରଥା ପ୍ରଚଳିତ ଥିଲା। ମା’ବାପା ଝିଅକୁ ୧୦ବର୍ଷ ବୟସ ପୂର୍ବରୁ ଜଣେ ବୟସ୍କ (ପ୍ରାୟ ୪୦ ବର୍ଷର ପୁରୁଷ) ବ୍ୟକ୍ତି ସହ ବାହା କରାଇଦେଉଥିଲେ। ଅବଶ୍ୟ ବାହାଘର ସରିବା ସଙ୍ଗେ ସଙ୍ଗେ କନ୍ୟାକୁ ଶାଶୁଘରକୁ ପଠାଇ ଦିଆଯାଉ ନ ଥିଲା।

ସଂସ୍କାର ଆଣିବାର ଚେଷ୍ଟା

ସଂସ୍କାର ଆଣିବାର ଚେଷ୍ଟା

ଆକାର ପଟେଲ/ ‘ଆପଣ ଜଣେ କ୍ରାନ୍ତିକାରୀ ନେତା ଏବଂ ଆପଣ ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି। ଆପଣ ଭବିଷ୍ୟତ ପାଇଁ ଦେଶକୁ ଗଢ଼ୁଛନ୍ତି।’- ଏ କଥା ଚଳିତ ସପ୍ତାହରେ କହିଛନ୍ତି ଇସ୍ରାଏଲର ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ତେବେ ନେତାନ୍ୟାହୁଙ୍କ କଥାର ଅର୍ଥ କ’ଣ? ମୋ ଅଭିଧାନ ଅନୁସାରେ ଯିଏ ଦେଶର ପ୍ରଚଳିତ ବ୍ୟବସ୍ଥାରେ ବ୍ୟାପକ ଗଠନମୂଳକ ପରିବର୍ତ୍ତନ ଆଣନ୍ତି, ସେ ହିଁ କ୍ରାନ୍ତିକାରୀ। କିନ୍ତୁ ମୋଦି ଏପରି କିଛି ପରିବର୍ତ୍ତନ ଆଣିବାର ଦେଖାଯାଉ ନାହିଁ। ତେଣୁ ନେତାନ୍ୟାହୁଙ୍କ କଥାର ତାତ୍ପର୍ଯ୍ୟ କ’ଣ? ପ୍ରକୃତରେ ସେ ଏଠାକୁ ଆସିଥିଲେ ଏପରି ଜଣେ ଗ୍ରାହକଙ୍କୁ ଅସ୍ତ୍ରଶସ୍ତ୍ର ବିକିବା ପାଇଁ, ଯେ କି ଆତ୍ମପ୍ରଶଂସାପ୍ରିୟ। ...

ମାତୃତ୍ୱର ମହକ

ମାତୃତ୍ୱର ମହକ

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ ଜଣେ ସନ୍ଥ ଥରେ କହିଥିଲେ- ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନକାଳର ସମଗ୍ର ସାଧନା ବିନିଯୋଗ କରି ତଥାପି ଅପ୍ରାପ୍ତିର ହତାଶା ମଧ୍ୟରେ ବଞ୍ଚୁଥିବାବେଳେ ଅଚାନକ ଆଖି ପଡିଲା େ ମାତେ ଜନ୍ମ ଦେଇଥିବା ମା’ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ଭଲକରି ନିରେଖିଲା ପରେ ଆଉ ଈଶ୍ୱରଙ୍କୁ ଖୋଜିବାର ଆବଶ୍ୟକତା ମୁଁ କେବେ ଉପଲବ୍ଧି କରିନାହିଁ। ପ୍ରକୃତରେ ବାଘ ଦେଖି ନ ଥିବା ଲୋକକୁ ବିଲେଇଟିଏ ଦେଖାଇ ବାଘ କିପରି ବୁଝାଇଲା ଭଳି ଈଶ୍ୱରଙ୍କୁ ଅନୁଭବିପାରୁ ନ ଥିବା ଲୋକକୁ ମା’ର ମାତୃତ୍ୱ ଦେଖାଇ ଈଶ୍ୱରଙ୍କୁ ଚିହ୍ନାଇଦେବା ଅତି ସହଜ। ଯିଏ କୌଣସି ପ୍ରାପ୍ତିର ଆଶା ନ ରଖି କେବଳ ଦେବାରେ ଆନନ୍ଦ ଅନୁଭବ କରନ୍ତି ଓ ସକଳ ଅବଜ୍ଞା, ଅପମାନକୁ ମନରେ ନ ଘେନି ଯିଏ ସନ୍ତାନର ମଙ୍ଗଳ କାମନା କରନ୍ତି, ସେ ହେଉଛନ୍ତି ମା’ ଅବା ଈଶ୍ୱର। ଅଦୃଶ୍ୟ ଈଶ୍ୱରଙ୍କ ପରି ଦୟା ଓ କରୁଣାର ମୂର୍ତ୍ତିମନ୍ତ ଦୃଶ୍ୟମାନ ବିଗ୍ରହ ହେଉଛି ମା’। ମା’ ଓ ଈଶ୍ୱର ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ରାବଣକୁ ବଧ କରି ଲଙ୍କାପୁରରୁ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହେଲା ପରେ ରାଜମାତା କୌଶଲ୍ୟାଙ୍କ ଏକ ବିଚିତ୍ର ପ୍ରଶ୍ନର ସାମ୍ନା କରି ବିଚଳିତ ହୋଇପଡିଥିଲେ ରାଜା ରାମଚନ୍ଦ୍ର। ଅଚାନକ ଦିନେ ନିଭୃତରେ ମାତା କୌଶଲ୍ୟା ତାଙ୍କୁ ପଚାରି ବସିଲେ, ତୁ ପ୍ରକୃତରେ କିଏ? ତୋର ଅସଲ ପରିଚୟ କ’ଣ? ନିଜ ମା’ଠାରୁ ଏମିତି ପ୍ରଶ୍ନଟିଏ ଯେ କୌଣସି ପୁଅକୁ କେଇ ମୁହୂର୍ତ୍ତ ପାଇଁ ନିର୍ବାକ୍‌ କରିଦେବା ଲାଗି ଯଥେଷ୍ଟ। ମତିଭ୍ରମରେ ତ ଆଉ ଆକ୍ରାନ୍ତ ହୋଇନାହାନ୍ତି ମୋର ଜନ୍ମଦାତ୍ରୀ ଜନନୀ! ତଟସ୍ଥ ରାମଚନ୍ଦ୍ରଙ୍କୁ ନିରୁତ୍ତର ରହିବାର ଦେଖି ପୁଣି ତାଙ୍କ ଜିଜ୍ଞାସା ଦୋହରାଇଲେ। ନୀରବତା ଭାଙ୍ଗି ସରଳ ଉତ୍ତରଟିଏ ଦେଲେ ରାଜା ରାମ। କହିଲେ, ମୁଁ ତୁମର ପୁଅ। ତୁମ ପାଇଁ ମୋର ଆଉ କିଛି ପରିଚୟ ନାହିଁ। କୌଶଲ୍ୟା ସନ୍ତୁଷ୍ଟ ହେଲେନାହିଁ ଏମିତି ଏକ ସରଳ ଉତ୍ତରରେ। ତାଙ୍କୁ ଉଦ୍‌ବେଳିତ କରୁଥିଲା ବଡ଼ ଏକ ଜଟିଳ ଜିଜ୍ଞାସା। ସେ କହିଲେ, ମୋ ବ୍ୟତୀତ ଅବଶିଷ୍ଟ ଦୁନିଆ ତୋତେ ବିଷ୍ଣୁଙ୍କ ଅବତାର ବୋଲି କହୁଛି। ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଚିହ୍ନୁଛି। ତୁ ଯଦି ପ୍ରକୃତରେ ଜଗତ୍‌କର୍ତ୍ତା ବିଷ୍ଣୁଙ୍କ ଅବତାର, ତେବେ ଏକ ଦିବ୍ୟପୁଲକରେ ଧନ୍ୟ ହେବ ମୋର ମାତୃତ୍ୱ। ଯଦି ପ୍ରକୃତରେ ତୁ ତାହା ନୁହଁ, କେବଳ ଜଣେ ସାଧାରଣ ମଣିଷ, ତଥାପି ସାରା ଜଗତ ତୋତେ ଅସାଧାରଣ ବୋଲି ମାନ୍ୟ କରୁଥିବାରୁ ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ ଜଡ଼ସଡ଼ ହୋଇଉଠିବ ମୋର ମା’ପଣ। ରାଜା ରାମଚନ୍ଦ୍ରଙ୍କ ପାଇଁ ତାହା ଥିଲା ଏକ ବିଷମ ମୁହୂର୍ତ୍ତ। କେମିତି କେଉଁ ଭାଷାରେ ସେ ଦେବେ ମା’ଙ୍କ ଜଟିଳ ଜିଜ୍ଞାସାର ସରଳ ସମୁଚିତ ଉତ୍ତର। ତାଙ୍କ ନୀରବତା ମା’ଙ୍କୁ ଅଧିକ ବ୍ୟଗ୍ର, ବିଚଳିତ କରୁଛି ଜାଣି ସେ ମୃଦୁ ହସି କେବଳ ଏତିକି କହିଲେ, ”ମା’! ମୁଁ ଭଗବାନ କି ନୁହେଁ, ଏ କଥା ଜାଣେନାହିଁ। କିନ୍ତୁ ଏତିକି ନିଶ୍ଚୟ ଜାଣିଛି ଯେ ମା’ର ଆଶୀର୍ବାଦ ମିଳିଲେ ଯେକୌଣସି ସାଧାରଣ ମଣିଷ ବି ଈଶ୍ୱରରେ ରୂପାନ୍ତରିତ ହୋଇପାରିବ। ଉତ୍ତରରାମାୟଣରେ ବର୍ଣ୍ଣିତ ଜୀବନଦର୍ଶନ ଓ ମାନବୀୟ ଉତ୍ତରଣର ଏହି ଗହନ କଥା ଅନୁଯାୟୀ ମା’ଙ୍କ ଆଶୀର୍ବାଦ ଲାଭ କରିଥିବା ସବୁ ସନ୍ତାନ କିନ୍ତୁ ଈଶ୍ୱର ପାଲଟି ପାରନ୍ତି ନାହିଁ। ଏମିତି ତ କୌଣସି ମା’ କେବେ ବି ତା’ ସନ୍ତାନକୁ ଅଭିଶାପ ଦେଇପାରେନା। ନ ମାଗିଲେ ବି ସେ ତା’ ସନ୍ତାନ ଉପରେ କେବଳ ଆଶୀର୍ବାଦ ହିଁ ଅଜାଡି ପକାଏ। ଧନପତିର ଐଶ୍ୱର୍ଯ୍ୟ ହେଉ କି କାଙ୍ଗାଳର ଅଭାବ, ମା’ର ମହନୀୟ ମାତୃତ୍ୱର ମହକ ଆଗରେ ଫିକା ପଡିଯାଏ ଅସୁମାରି ଧନରତ୍ନର ଔଜ୍ଜ୍ୱଲ୍ୟ ତ ପୁଣି ଦୂରକୁ ଘୁଞ୍ଚିଯାଏ ଦାରିଦ୍ର୍ୟର ଅନ୍ଧାର। ମା’ ପାଇଁ କେବଳ ତା’ ସନ୍ତାନ ହିଁ ହେଉଛି ସଂସାରର ସର୍ବଶ୍ରେଷ୍ଠ ସମ୍ପଦ। ଅଥଚ ବିଡ଼ମ୍ବନାର ବିଷୟ, ସନ୍ତାନ ପାଇଁ ତା’ ମା’ କିନ୍ତୁ ସମ୍ପଦ ନ ହୋଇ ବିପଦ ହୋଇ ଉଭାହୁଏ। ମା’ର ଆଶୀର୍ବାଦ ଲାଭ କରି ଈଶ୍ୱର ହେବା ବଦଳରେ ଅସୁର ହୋଇ ସନ୍ତାନଟି ନିର୍ଦ୍ଦୟ ଭାବେ ମା’କୁ ହତ୍ୟା କରିପାରେ। ...

ବୀରବାଳା

ବୀରବାଳା

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଜୀବନରେ ନିଷ୍ଠାର ସହ କାର୍ଯ୍ୟ କଲେ ଜଣେ ବ୍ୟକ୍ତି ଆକାଂକ୍ଷିତ ସ୍ତରରେ ପହଞ୍ଚିପାରିଥାନ୍ତି। ପିଲାଟି ବେଳୁ ସାହସିକତା ଦେଖାଇ ପ୍ରତି କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଆସିଥିବାରୁ ଆନନ୍ଦିବେନ୍‌ ପଟେଲ ଆଜି ଚର୍ଚ୍ଚାର ବଳୟକୁ ଆସିଛନ୍ତି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ଙ୍କୁ ୨୦୧୮ ଜାନୁୟାରୀ ୧୯ରେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱରୁ ପ୍ରେରଣା ପାଇବା ପାଇଁ ଯୁବପିଢ଼ି ଆଗ୍ରହ ରଖିବା ସ୍ବାଭାବିକ। ଆନନ୍ଦିବେନ୍‌ ୧୯୪୧ ନଭେମ୍ବର ୨୨ରେ ଗୁଜରାଟ ମେହସାନା ଜିଲାର ଖାରୋଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଜେଠାଭାଇ ଥିଲେ ଶିକ୍ଷକ। ଏକ ଶୃଙ୍ଖଳିତ ପରିବେଶରେ ବଢ଼ିଥିବା ଆନନ୍ଦିବେନ୍‌ଙ୍କ ପ୍ରାଥମିକ ଶିକ୍ଷା ଏନ୍‌. ଏମ୍‌. ହାଇସ୍କୁଲରୁ ହୋଇଥିଲା। ସେତେବେଳେ ମାତ୍ର ୩ ଜଣ ବାଳିକା ସେଠାରେ ଶିକ୍ଷା ଗ୍ରହଣ କରୁଥିଲେ। କେବଳ ପାଠରେ ନୁହେଁ, ଖେଳକୁଦରେ ସେ ଅନ୍ୟମାନଙ୍କଠାରୁ ଆଗରେ ଥିଲେ। ଜିଲାସ୍ତରରେ କ୍ରମାଗତ ତୃତୀୟ ଥର ପାଇଁ ସେ ଚାମ୍ପିୟନ ହୋଇ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ। ସେ ପିଲ୍‌ଭାଇସ୍ଥିତ ଏମ୍‌. ଜି. ପଞ୍ଚଲ ବିଜ୍ଞାନ କଲେଜରେ ନାମ ଲେଖାଇଥିଲେ। ୧୯୬୨ରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। କଲେଜ ବେଳେ ପଢ଼ାରେ ଉତ୍କର୍ଷ ପ୍ରତିପାଦନ କରିବା ସହିତ କ୍ରୀଡ଼ାରେ ପାରଙ୍ଗମତା ଦେଖାଇବାରୁ ତାଙ୍କୁ ‘ବୀରବାଳା’ ପୁରସ୍କାର ମିଳିପାରିଥିଲା। ୧୯୬୨ରେ ସେ ମଫତ୍‌ଭାଇ ପଟେଲଙ୍କୁ ବିବାହ କରିଥିଲେ। ଏହା ପରେ ମହିଳାମାନଙ୍କ ଉତ୍ଥାନ ପାଇଁ ଥିବା ମହିଳା ବିକାଶ ଗୃହରେ ଚାକିରି କରିବାର ସୁଯୋଗ ପାଇଥିଲେ। ସେଠାରେ ସେ ୫୦ ବିଧବାଙ୍କୁ ଧନ୍ଦାମୂଳକ ଶିକ୍ଷା ଦେଇଥିଲେ। ବିବାହ ଓ ଚାକିରି ଭିତରେ ସୀମିତ ରହିବାକୁ ନ ଚାହିଁ ଉଚ୍ଚଶିକ୍ଷା ପାଇଁ ମନ ବଳାଇଥିଲେ। ୧୯୬୫ରେ ସ୍ବାମୀଙ୍କ ସହ ସେ ଅହମ୍ମଦାବାଦ ଚାଲିଯାଇଥିଲେ। ଏହା ପରେ ଶିକ୍ଷାରେ କ୍ୟାରିୟର କରିବା ଲକ୍ଷ୍ୟ ନେଇ ବ୍ୟାଚେଲର ଅଫ୍‌ ଏଜୁକେଶନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏପରିକି ମାଷ୍ଟର ଅଫ୍‌ ଏଜୁକେଶନରେ ସ୍ବର୍ଣ୍ଣପଦକ ପାଇଥିଲେ। ଅହମଦାବାଦସ୍ଥିତ ମୋହିନୀବା କନ୍ୟା ବିଦ୍ୟାଳୟରେ ସେ ବିଧିବଦ୍ଧ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୧୯୬୭ରୁ ୧୯୭୦ ଯାଏ ସେ ସେଠାରେ ଉଚ୍ଚ ମାଧ୍ୟମିକ ସ୍ତରର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଓ ଗଣିତ ପାଠ ପଢ଼ାଇଥିଲେ। ପରବର୍ତ୍ତୀ ସମୟରେ ସେହି ସ୍କୁଲର ଅଧ୍ୟକ୍ଷା ହୋଇଥିଲେ। ହେଲେ ୧୯୮୭ରେ ତାଙ୍କ ଶିକ୍ଷକତା ଜୀବନରେ ନୂଆ ମୋଡ଼ ଆସିଥିଲା। ସ୍କୁଲ ପିଲାଙ୍କୁ ବଣଭୋଜିରେ ନେଇଥିବା ବେଳେ ହଠାତ୍‌ ଦୁଇଜଣ ବାଳିକା ସର୍ଦ୍ଦାର ସରୋବର ଜଳଭଣ୍ଡାରରେ ବୁଡ଼ିଯାଉଥିବା ଲକ୍ଷ୍ୟ କରିଥିଲେ। କାଳବିଳମ୍ବ ନ କରି ସେ ତତ୍‌କ୍ଷଣାତ୍‌ ଜଳଭଣ୍ଡାରକୁ ଲମ୍ଫ ପ୍ରଦାନ କରି ସେମାନଙ୍କୁ ଉଦ୍ଧାର କରି୍‌ଥିଲେ। ଅଦମ୍ୟ ସାହସ ଦେଖାଇ ସେ ଦୁଇଟି ଜୀବନ ବଞ୍ଚାଇପାରିଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା। ...

ଏଇ ଭାରତରେ

ଅଙ୍ଗଦାନ ମହାନ୍‌ ଦାନ। ନିକଟରେ ଜଣେ ବ୍ୟକ୍ତି ଅଙ୍ଗଦାନ କରି ପାଞ୍ଚଜଣ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରିଛନ୍ତି। ପଣ୍ଡିଚେରୀ ସହରରେ ଗତ ୧୬ ତାରିଖରେ ସୁରେଶ ନାମକ ଜଣେ ବ୍ୟକ୍ତି (୨୫ବର୍ଷ) ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ଜିପ୍‌ମର୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସତ୍ତ୍ୱେ ସେ ବଞ୍ଚତ୍ପାରି ନ ଥିଲେ। ସୁରେଶଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢ଼ି ଆବଶ୍ୟକ ପଡୁଥିବା ରୋଗୀଠାରେ ରୋପଣ କଲେ ସେମାନେ ନୂଆ ଜୀବନ ପାଇପାରିବେ ବୋଲି ପରିବାର ସଦସ୍ୟଙ୍କୁ ଜଣାଇ ଦିଆଯାଇଥିଲା। ...

ଅଣ-ଆଇଏଏସ୍‌ ବାବୁଙ୍କ ଉତ୍ଥାନ

ଅଣ-ଆଇଏଏସ୍‌ ବାବୁଙ୍କ ଉତ୍ଥାନ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ୨୦୧୭ ମସିହାରେ ଗୋଟିଏ ଉଲ୍ଲେଖନୀୟ ଧାରା ଦେଖିବାକୁ ମିଳିଛି ଏବଂ ତାହା ହେଉଛି ସାଧାରଣତଃ ଆଇଏଏସ୍‌ ବାବୁମାନେ ନିଯୁକ୍ତି ପାଉଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଣ-ଆଇଏଏସ୍‌ ବାବୁମାନଙ୍କ ନିଯୁକ୍ତି। ଯୁଗ୍ମ-ସଚିବ ପାହ୍ୟା ପଦପଦବୀଗୁଡ଼ିକରେ ଅଣ-ଆଇଏଏସ୍‌ ବାବୁମାନଙ୍କୁ ନିଯୁକ୍ତି ଦିଆଯିବାର ନୂତନ ପରମ୍ପରା ସୃଷ୍ଟି ହୋଇଥିବାରୁ ଆଇଏଏସ୍‌ ବାବୁମାନଙ୍କର ପ୍ରାଧାନ୍ୟ ହ୍ରାସ ପାଇବା ଦେଖାଯାଉଛି। ବହୁ ଦଶନ୍ଧି ଧରି ଆଇଏଏସ୍‌ ଅଫିସରମାନେ ଭାବି ଆସୁଥିଲେ ଯେ ସର୍ବଭାରତୀୟ ସେବା କ୍ଷେତ୍ରରେ ସେମାନଙ୍କ ସ୍ଥାନ ସବା ଉପରେ। ସେ ଭାବନା ଉପରେ ଏବେ ଭଟ୍ଟା ପଡ଼ିବାକୁ ଆରମ୍ଭ କରିଛି। ୨୦୧୭ ମାର୍ଚ୍ଚ ମାସ ପ୍ରାରମ୍ଭରେ କେନ୍ଦ୍ର ସରକାର ୧୬ ଜଣ ନୂତନ ଯୁଗ୍ମ ସଚିବଙ୍କୁ ସ୍ବରାଷ୍ଟ୍ର ବ୍ୟାପାର ଓ ଅର୍ଥ ସେବା ବିଭାଗ ସମେତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ଭାରତୀୟ ବନସେବା (ଆଇଏଫ୍‌ଓଏସ୍‌), କେନ୍ଦ୍ରୀୟ ସଚିବାଳୟ ସେବା (ସିଏସ୍‌ଏସ୍‌), ଭାରତୀୟ ଡାକ ସେବା (ଆଇପିଓଏସ୍‌), ଭାରତୀୟ ରେଳପଥ ହିସାବ ସେବା (ଆଇଆର୍‌ଏଏସ୍‌) ପ୍ରଭୃତି ଅଣ-ଆଇଏଏସ୍‌ ସେବା ଅଧିକାରୀ। ଉଦାହରଣ ସ୍ବରୂପ, ୧୯୮୬ ବ୍ୟାଚ୍‌ ହିମାଚଳ ପ୍ରଦେଶ କ୍ୟାଡର ଆଇଏଫ୍‌ଓଏସ୍‌ ଅଧିକାରୀ ବିନୋଦ କୁମାର ତିଓ୍ବାରୀଙ୍କୁ ୧୯୯୪ ବ୍ୟାଚ୍‌ ଛତିଶଗଡ଼ କ୍ୟାଡର ଆଇଏଏସ୍‌ ଅଧିକାରୀ ମନୋଜ କେ. ପିଙ୍ଗୁଆଙ୍କ ସ୍ଥାନରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ୧୯୮୯ ବ୍ୟାଚ୍‌ ଭାରତୀୟ ଡାକ ସେବା ଅଧିକାରୀ ବନ୍ଦିତା କୌଲଙ୍କୁ ୧୯୯୮ ବ୍ୟାଚ୍‌ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଏ.ଭି. ପାଟିଲଙ୍କ ସ୍ଥାନରେ ଅର୍ଥ ସେବା ବିଭାଗରେ ନୂତନ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଗତ ଜୁନ୍‌ ମାସରେ ୨୧ ଜଣ ନୂତନ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦିଆଯାଇଥିଲା, କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ହେଉଛନ୍ତି ଆଇଏଏସ୍‌ ଅଫିସର। ସରକାର ସ୍ପଷ୍ଟ କରିଛନ୍ତି ଯେ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି ଦେଲାବେଳେ ଜଣେ ଅଫିସରଙ୍କର ବିଶେଷଜ୍ଞତା ବିଚାର କରାଯାଏ ନାହିଁ। ...

ଜଣା ରାମଟେକ, ଅଜଣା ରାମଗିରି

ଜଣା ରାମଟେକ, ଅଜଣା ରାମଗିରି

ଶିବରାମ ଶତପଥୀ/ ନାଗପୁର ଓ ଭଣ୍ଡାରା ସହିତ ଏକ ସମଦ୍ୱିବାହୁ ତ୍ରିଭୁଜ ଅଙ୍କନ କରି କ୍ରମନିମ୍ନ ଅନୁଚ୍ଚ ରାମଟେକ ପାହାଡ଼ ଅବସ୍ଥିତ। ଅମ୍ବାଗଡ ପର୍ବତ ଶ୍ରେଣୀର ପଶ୍ଚିମ ଦିଗବର୍ତ୍ତୀ ପାହାଡଟି ପ୍ରାୟ ପାଞ୍ଚହଜାର ବର୍ଷ ହେଲା ରାମଗିରି ନାମରେ ପ୍ରସିଦ୍ଧି ଲାଭ କରିଛି। ଆବହମାନ କାଳରୁ ଅନୁକୂଳ ଭୌଗୋଳିକ ପରିବେଶ ଓ ଜଳବାୟୁ ହେତୁ ଏ ପାହାଡ଼ ଏକ ଉତ୍ତମ ସେନାଛାଉଣି ରୂପେ ବ୍ୟବହୃତ ହେଉଥିଲା। ଭୋଁସଲେ ରାଜାମାନେ ଏ ପାହାଡ଼କୁ ଶସ୍ତ୍ରାଗାର ରୂପେ ବ୍ୟବହାର କରୁଥିଲେ। ନାଗପୁରରୁ ଭଣ୍ଡାରା (ଜିଲାର ସଦର ମହକୁମା) ପ୍ରାୟ ୮୦ କି.ମି. ଦୂର। ନାଗପୁରରୁ ରାମଟେକ ଓ ଭଣ୍ଡାରାରୁ ରାମଟେକର ଦୂରତା ପ୍ରତ୍ୟେକ ପ୍ରାୟ ୫୦ କି.ମି.। ଭଣ୍ଡାରା ନିକଟରେ ପ୍ରଶସ୍ତ ବୈନଗଙ୍ଗା (ବନ୍ୟଗଙ୍ଗା?) ନଦୀ ପ୍ରବାହିତ। ରାମଟେକ ନିକଟବର୍ତ୍ତୀ ଏକ କ୍ଷୁଦ୍ର ଝରଣା ସୁରନଦୀ ନାମରେ ଅଭିହିତ। ସୁରନଦୀ ଦକ୍ଷିଣକୁ କିଛି ଦୂର ପ୍ରବାହିତ ହୋଇ ବୈନଗଙ୍ଗାରେ ମିଶିଛି। ବୈନଗଙ୍ଗା ଦକ୍ଷିଣପୂର୍ବ ଦିଗକୁ ଅନେକ ଦୂର ପ୍ରବାହିତ ହୋଇ ଗୋଦାବରୀର ଉପନଦୀ ସାଜିଛି। ...

ମଣିଷକୁ ଦିଅ ମଣିଷ ବେଭାର

ମଣିଷକୁ ଦିଅ ମଣିଷ ବେଭାର

ରବିନ୍‌ ଖଣ୍ଡାୟତରାୟ/ ମଣିଷ ହିଁ ଏ ଜଗତକୁ ଅର୍ଥପୂର୍ଣ୍ଣ କରିଛି, ତା’ ବିନା ସଂସାର ଶ୍ରୀହୀନ ସତେ। ମର୍ତ୍ତ୍ୟଭୂମିର ଯେତେ ଲୀଳାଖେଳା ସବୁ ତାରି ମାଧ୍ୟମରେ ହିଁ ସ୍ରଷ୍ଟା ସମ୍ପାଦନ କରାଇଥାଆନ୍ତି। ସେ ଗୁଣୀ, ଜ୍ଞାନୀ, ବିବେକୀ ଆଉ ଅମୃତର ସନ୍ତାନ। ଗଛଟିଏ ପାଇଁ ଖତ, ସାର, ପାଣି ନିଶ୍ଚିତ ପ୍ରୟୋଜନ ହେବା ପରି ମଣିଷଟିଏ ପାଇଁ ଅନ୍ତରର ଶ୍ରଦ୍ଧା, ସାଧୁତା ନିହାତି ଦରକାର। ଏହିପରି ସ୍ବଭାବଯୁକ୍ତ ନିର୍ମଳ ହୃଦୟ ମଣିଷମାନଙ୍କର କଥାବାର୍ତ୍ତା, ଚାଲିଚଳନ, ଆଚାରବ୍ୟବହାର ସବୁ ସରସ, ସୁନ୍ଦର ଆଉ ସୁସଙ୍ଗଠିତ ମଧ୍ୟ। ମାତ୍ର ଦୁଃଖର କଥା ପୃଥିବୀର ଜନସଂଖ୍ୟା କ୍ରମଶଃ ବଢ଼ିଚାଲିଥିବା ବେଳେ ଦିବ୍ୟପ୍ରେମ ତଥା ପବିତ୍ର ଭାବନାଯୁକ୍ତ ଏହିପରି ମଣିଷମାନଙ୍କ ସଂଖ୍ୟା କମିବାରେ ଲାଗିଛି। ମୁଁ ଆଉ ମୋର ପରି ଅହଂଭାବ ସହିତ କ୍ରୂରତା ଏବଂ ଖଳସ୍ବଭାବ ଘୁଣପୋକ ପରି ଆମ ଭିତରର ବୁଦ୍ଧି, ବିବେକକୁ କୋରି ଖାଇଚାଲିଛି। ନିର୍ମଳ ହୃଦୟ ଆସନରେ ଆସ୍ଥାନ ଜମାଉଛି କୁତ୍ସିତ ତଥା ଭୟାନକ ଆସୁରିକ ପ୍ରବୃତ୍ତି। ସଭ୍ୟତାର ଦ୍ୱାହିଦେଇ ଆଡ଼ମ୍ବରପୂର୍ଣ୍ଣ ବାହ୍ୟ ଆଭୂଷଣ, ବିଳାସମୟ ବାସଗୃହ ଆଉ ପାଟିସୁଆଦିଆ ଖାଦ୍ୟପାନୀୟ ଆଦି ଯେତେ ପ୍ରକାରର ଭୌତିକ ଉନ୍ନତିର ସୋପାନ ଚଢ଼ି, ଆମେ ନିଜକୁ ସଭ୍ୟ ଆଉ ମାର୍ଜିତ ଭାବରେ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛୁ, ବଦଳରେ ସଂକୀର୍ଣ୍ଣ ମନୋଭାବ ତଥା ଅମଣିଷ ପଣିଆ ସେତିକି ଆମ ଭିତରକୁ ପଶିଆସୁଛି। ...

ଏଇ ଭାରତରେ

ବସ୍ତି ବାସିନ୍ଦାଙ୍କ ଫିକା ଜୀବନକୁ ରଙ୍ଗିନ କରିବାକୁ ହେବ। ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ପଡ଼ିବ। ଏଭଳି ଆଦର୍ଶରେ ଅନୁପ୍ରାଣିତ ହୋଇ ବମ୍ବେ ସହରତଳି ଘଟକୋପାର ଅନ୍ତର୍ଗତ ଆସଲ୍‌ଫା ଅଞ୍ଚଳର ବସ୍ତି ଅଞ୍ଚଳକୁ ରଙ୍ଗିନ୍‌ କରିଦେଇଛି ଏକ ଅଣଲାଭକାରୀ ସଂସ୍ଥା ‘ଚଲ୍‌ ରଙ୍ଗେ ଦେ’। ଦୁଇଟି କର୍ପୋରେଟ୍‌ ସଂସ୍ଥାର ପ୍ରୋତ୍ସାହନରେ ୧୨୦ଟି ବସ୍ତିର ବାହାର କାନ୍ଥକୁ ଏମିତି ରଙ୍ଗ କରାଯାଇଛି ଯେ, ଦେଖଣାହାରିଙ୍କ ଆଖି ଲାଖିଯାଉଛି। ଉକ୍ତ ସଂସ୍ଥାର ଜଣେ ଆୟୋଜକ ଦେଦୀପ୍ୟ ରେଡ୍ଡୀ କହନ୍ତି, ୧୭ଜଣ ପେଣ୍ଟର ଏବଂ ୭୫୦ଜଣ ସ୍ବେଚ୍ଛାସେବୀ ୪୦୦ଲିଟର ରଙ୍ଗ ବ୍ୟବହାର କରି ଉକ୍ତ ପରିବେଶକୁ ରଙ୍ଗିନ କରିପାରିଛନ୍ତି। ଏଭଳି ଏକ ଧାରଣା କାହିଁକି ସୃଷ୍ଟି ହେଲା ବୋଲି ପ୍ରଶ୍ନର ଉତ୍ତରରେ ରେଡ୍ଡୀ କହନ୍ତି, ଭର୍ସୋଭା-ଅନ୍ଧେରି-ଘଟକୋପାର ମେଟ୍ରୋ ରାଜପଥରେ ଚାଲିଗଲେ ଆଖିରେ ପଡେ ପାହାଡର ଶୀର୍ଷଭାଗରେ ଥିବା ଏହି ବସ୍ତି। ...