Dharitri News
ସମ୍ପାଦକୀୟ |

ବିଜ୍ଞାନ ଓ ବିଶ୍ୱାସ

ବିଜ୍ଞାନ ଓ ବିଶ୍ୱାସ ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ମାନବ ସଭ୍ୟତାର ବିକାଶ ଓ ବିବର୍ତ୍ତନ ମଧ୍ୟରେ ବିଜ୍ଞାନ ଓ ବୌଦ୍ଧିକତାର ଶିଖର ସ୍ପର୍ଶ ସତ୍ତ୍ୱେ ଏ ଜଗତରେ ବିଜ୍ଞାନୀଙ୍କ ଅପେକ୍ଷା ବିଶ୍ୱାସୀ ଓ ଅନ୍ଧବିଶ୍ୱାସୀଙ୍କ ସଂଖ୍ୟା ଢେର୍‌ ଅଧିକ। ଅଶିକ୍ଷା, ଅଜ୍ଞତା ଓ ଅସଭ୍ୟତା ମଧ୍ୟରେ ବଞ୍ଚୁଥିବା କେବଳ ପାହାଡିମୁଲକର ଆଦିବାସୀ ନୁହନ୍ତି, ଶିକ୍ଷା ସଭ୍ୟତାର ଆଲୋକ ରାଜ୍ୟରେ ବିଚରଣ କରୁଥିବା ସଭ୍ୟ ଶିକ୍ଷିତ ସମ୍ପ୍ରଦାୟ ବି ବେଳେବେଳେ ବିଜ୍ଞାନ ବିରୋଧରେ ବିଦ୍ରୋହ କରି ବିଶ୍ୱାସର ବିଜୟବାନା ଉଡାଇଚାଲନ୍ତି। ପ୍ରକୃତରେ ବିଜ୍ଞାନ ଯେଉଁଠି ବିଫଳ ହୁଏ, ସେଠି ମଣିଷର ବିଶ୍ୱାସଠାରୁ ବାସ୍ତବତାକୁ ବିଚ୍ଛିନ୍ନ କରିବା କଷ୍ଟକର ହୋଇପଡେ। ଅଳ୍ପଦିନ ତଳେ ନିଜ ବାପାଙ୍କ ଶ୍ରାଦ୍ଧ ସମ୍ପନ୍ନ କରିବା ପାଇଁ ଗାଁକୁ ଯାଇଥିବାବେଳେ ଜଣେ ପଦାର୍ଥ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଯାହାକିଛି ସାମ୍ନା କରିଥିଲେ ତାହା ତାଙ୍କ ଭଳି ଜଣେ ବିଜ୍ଞାନୀଙ୍କୁ ମଧ୍ୟ ବିଜ୍ଞାନ ଓ ବିଶ୍ୱାସର ଦ୍ୱନ୍ଦ୍ୱର ଦୋଛକିରେ ଛିଡା କରାଇଦେଇଥିଲା। କଥାଟି ଏହିପରି। ଏ ବର୍ଷ ଦୁର୍ବଳ ମୌସୁମୀ କାରଣରୁ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ ହେଉଥିବାରୁ ବୃଷ୍ଟିଦେବତା ଇନ୍ଦ୍ରଦେବଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ଅଧ୍ୟାପକ ସିଦ୍ଧାର୍ଥଙ୍କ ଗାଁରେ ଆୟୋଜିତ ହେଉଥିଲା ଏକ ସାର୍ବଜନୀନ ଯଜ୍ଞ। ଏହି ଯଜ୍ଞାନୁଷ୍ଠାନର ନେତୃତ୍ୱ ନେଉଥିଲେ ସଦ୍ୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦରୁ ଅବସର ନେଇଥିବା ସିଦ୍ଧାର୍ଥଙ୍କ କକା। କକାଙ୍କ ସହ କଥା ହେଲାବେଳେ ଏ ପ୍ରକାର ଏକ ଅନ୍ଧବିଶ୍ୱାସକୁ ତାଙ୍କର ସମର୍ଥନ ଉପରେ ପ୍ରଶ୍ନ ଉଠାଇଥିଲେ ସେ। କହିଥିଲେ, ”ବର୍ଷା ପାଇଁ ଯାଗଯଜ୍ଞ, ଇନ୍ଦ୍ରପୂଜା, ବେଙ୍ଗ ବିବାହ ଆଦି ଉପଚାର ଅନ୍ଧବିଶ୍ୱାସର ଗୋଟିଏ ଗୋଟିଏ ଉଦାହରଣ। ଇନ୍ଦ୍ର ସନ୍ତୁଷ୍ଟ ହେଲେ ବର୍ଷା ବର୍ଷେନା କି ଦୈବୀ କୃପାରେ ମୌସୁମୀ ପ୍ରବାହିତ ହୁଏନା। ପୃଥିବୀ ନାମକ ଏକ ଗ୍ରହରେ ଯେଉଁ ମହାଜାଗତିକ ଧାରାରେ ଜୀବଜଗତର ସଞ୍ଚାର ହୋଇଛି, ବର୍ଷା, ମୌସୁମୀ ପ୍ରବାହ ଆଦି ସେଇ ଧାରାର ଏକ ଅଂଶବିଶେଷ। ସେଇ ଧାରାରେ ବେଳେ ବେଳେ ବିଭ୍ରାଟ ଘଟେ। ଏ ବର୍ଷର ଅଳ୍ପ ବୃଷ୍ଟି ଓ ସେ ନେଇ ସମ୍ଭାବ୍ୟ ମରୁଡିର ଆଶଙ୍କା ସେଇ ବିଭ୍ରାଟର ଏକ ପରିପ୍ରକାଶ ମାତ୍ର। ସେଥିପାଇଁ ଯାଗଯଜ୍ଞର ଆୟୋଜନ ଏକ ନିଷ୍ଫଳ ପ୍ରଚେଷ୍ଟା ମାତ୍ର। ”ପୃଥିବୀ ପରିଚାଳିତ ହେଉଥିବା ପ୍ରକୃତିର ରହସ୍ୟମୟ ମହାଜାଗତିକ ଧାରାରେ ବିଭ୍ରାଟ ହେବ ସିନା, ବିଜ୍ଞାନରେ ବିଭ୍ରାଟ ହେବ କାହିଁକି? ଏହା ହିଁ ଥିଲା ସିଦ୍ଧାର୍ଥଙ୍କୁ ଚମକାଇ ଦେଲା ଭଳି ସୁରକକାଙ୍କ ପ୍ରଶ୍ନ। ଏବର୍ଷ ମୌସୁମୀ ପ୍ରବାହର ଯଥେଷ୍ଟ ପୂର୍ବରୁ ତୁମ ବିଜ୍ଞାନ ଦ୍ୱାରା ପରିଚାଳିତ ଏ ଦେଶର ପାଣିପାଗ ବିଭାଗ ଏ ବର୍ଷ ସ୍ବାଭାବିକଠାରୁ ଆହୁରି ଭଲ ବୃଷ୍ଟିପାତ ହେବ ବୋଲି ଭବିଷ୍ୟବାଣୀ କରିଥିଲା। କିନ୍ତୁ ଓଡିଶାର ବାରଟିରୁ ଊର୍ଦ୍ଧ୍ୱ ଜିଲାରେ ଚାଷଜମି ଫାଟି ଆଁ କଲାଣି କାହିଁକି? କୃତ୍ରିମ ଉପଗ୍ରହ ଜରିଆରେ ବର୍ଷା, ବାତ୍ୟା, ବଜ୍ରପାତ ଆଦି ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ପ୍ରାକ୍‌ ସୂଚନା ଦେଉଥିବା ବିଜ୍ଞାନ ଏ ଯାଏଁ ଭୂମିକମ୍ପ ସଂକ୍ରାନ୍ତରେ ଭବିଷ୍ୟବାଣୀ କରିବାରେ ଅସମର୍ଥ ଥିଲା। ଏଥର ମୌସୁମୀ ବର୍ଷା ସମ୍ପର୍କରେ ଏହାର ପୂର୍ବ ସୂଚନା ଭୁଲ୍‌ ପ୍ରମାଣିତ ହୋଇଥିବାରୁ ଲୋକମାନେ ବିଜ୍ଞାନ ଉପରେ ଭରସା କରିବେ କାହିଁକି? ବିଜ୍ଞାନଠାରୁ ମୁହଁ ଫେରାଇ ଲୋକେ ଯଦି ନିଜ ନିଜର ବିଶ୍ୱାସକୁ ନେଇ ଯାଗଯଜ୍ଞ, ପୂଜାପଦ୍ଧତି ଦ୍ୱାରା ବର୍ଷାକୁ ଆବାହନ କରନ୍ତି, ତେବେ ବିଜ୍ଞାନୀମାନେ ନାକ ଟେକିବେ କାହିଁକି? ସୁରକକାଙ୍କ ପ୍ରଶ୍ନର ସମୁଚିତ ଉତ୍ତର ଖୋଜୁ ଖୋଜୁ ସିଦ୍ଧାର୍ଥ କହିଲେ, ”ହୋଇପାରେ, ବେଳେବେଳେ ବିଜ୍ଞାନର ସିଦ୍ଧାନ୍ତ ଭ୍ରମାତ୍ମକ।“ ମାତ୍ର ତାହା ବୋଲି ଯାହା ପ୍ରମାଣସିଦ୍ଧ ନୁହେଁ, ସେଭଳି ଅନ୍ଧବିଶ୍ୱାସକୁ ବିଜ୍ଞାନ ଗ୍ରହଣ କରିନେବ, ଏହା ମଧ୍ୟ ସମ୍ଭବ ନୁହେଁ। ଇନ୍ଦ୍ର ଜଣେ ଦେବତା, ଯିଏ ତୃପ୍ତ ହେଲେ ବର୍ଷା କରାନ୍ତି, ଯିଏ ବେଙ୍ଗ ବିବାହ ଦେଖି ପ୍ରସନ୍ନ ହୁଅନ୍ତି, ଏ ସବୁ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଲେ ବିଜ୍ଞାନ ଆଉ ଜ୍ଞାନଦାୟୀ ହୋଇ ରହିବନାହିଁ। ସୁରକକାଙ୍କ ଭଳି ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କର କୈଫିୟତ ଥିଲା ଆହୁରି ତୀକ୍ଷ୍‌ଣ। କଲେଜ ଶିକ୍ଷକ ସିଦ୍ଧାର୍ଥଙ୍କୁ ସେ ବୁଝାଇଦେଲେ। ଅନ୍ଧବିଶ୍ୱାସ ଏକ ଅତିରଞ୍ଜିତ ଶବ୍ଦ। ବିଶ୍ୱାସ ମାତ୍ରକେ ସବୁବେଳେ ଅନ୍ଧ। କୌଣସି କାଳରେ କୌଣସି ବିଶ୍ୱାସର କେବେ ଆଖି ନ ଥିଲା, ଆଜି ବି ନାହିଁ। ଜ୍ଞାନ ବା ବିଜ୍ଞାନ ପରି ଏହା ଦେଖିପାରେନା କି ଦେଖାଇପାରେନା। ତଥାପି ବିଜ୍ଞାନଠାରୁ ବିଶ୍ୱାସର ପ୍ରଭାବ ଅଧିକ। ବିଜ୍ଞାନ ଯେତେ ଚମତ୍କାରିତା ପ୍ରଦର୍ଶନ କଲେ ବି କମ୍ପ୍ୟୁଟର, ଇଣ୍ଟରନେଟ୍‌ ଭଳି ବରଦାନ ଦେଇ ଜନଜୀବନରେ ଯେତେ ପ୍ରଭାବ ବିସ୍ତାର କଲେ ମଧ୍ୟ କମ୍‌ ବିଜ୍ଞାନ ଓ ବେଶି ବିଶ୍ୱାସକୁ ନେଇ ଏ ଜଗତ ତିଷ୍ଠି ରହିଛି। ତାଙ୍କ ଯୁକ୍ତି ସପକ୍ଷରେ ସୁରକକା ଯେଉଁ ଦୃଷ୍ଟାନ୍ତଟି ପେଶ୍‌ କଲେ, ତାହା ଥିଲା ବିଜ୍ଞାନର ଊର୍ଦ୍ଧ୍ୱରେ ଥିବା ବିଶ୍ୱାସ ସପକ୍ଷରେ ଏକ ଉଜ୍ଜ୍ୱଳ ପରିଭାଷା। କହିଲେ, କେଇଦିନ ତଳେ ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ମୁଣ୍ଡଦ୍ୱୟ ବିଚ୍ଛିନ୍ନ କରିବାର ଦାୟିତ୍ୱ ନେଇଥିବା ଚାଳିଶଜଣିଆ ଡାକ୍ତରୀ ଦଳର ମୁଖ୍ୟ ତଥା ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ ମହାପାତ୍ର ଏହି ଅପରେଶନର ସଫଳତା ସମ୍ପର୍କରେ କହିଥିଲେ, ଭାରତରେ ପ୍ରଥମ ଥର ପାଇଁ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳତାର ସହ ନିର୍ବାହ କରିଛୁ। ତେଣିକି ସଫଳତା ଭଗବାନଙ୍କ ଉପରେ। କିଏ ଏହି ଭଗବାନ? ଡାକ୍ତର ଅଶୋକ ମହାପାତ୍ରଙ୍କ ଭଳି ଜଣେ ବିଜ୍ଞାନୀଙ୍କ ପାଇଁ ସେ ବିଜ୍ଞାନର ବସ୍ତୁ ନା ବିଶ୍ୱାସର ଠାକୁର? କେବଳ ସୁରକକା ନୁହନ୍ତି, ଆମ ସମାଜର ବେଶ୍‌ ଭାଗ ଲୋକ ଏ କଥା ଜାଣିଛନ୍ତି ଯେ ଚିକିତ୍ସା ବିଜ୍ଞାନର ବିଶାରଦମାନେ ସେମାନଙ୍କ ସମସ୍ତ ଦକ୍ଷତା ସତ୍ତ୍ୱେ ଚିକିତ୍ସାର ସଫଳତା ପାଇଁ ଏମିତି ଏକ ଶକ୍ତି ନିକଟରେ ଆତ୍ମସମର୍ପଣ କରନ୍ତି, ଯାହାକୁ ସେମାନେ ଜାଣନ୍ତିନାହିଁ କି ସେମାନଙ୍କ ଜ୍ଞାନ ବିଜ୍ଞାନ ତାକୁ ମାନନ୍ତି ନାହିଁ। ପ୍ରଫେସର ମହାପାତ୍ରଙ୍କ ପରି ପ୍ରାୟ ସମସ୍ତ ଡାକ୍ତର କହନ୍ତି, ଆମେ ଚିକିତ୍ସା କରୁ ସିନା, ସେ (ସେଇ ଅଦୃଶ୍ୟ ଶକ୍ତି) ସୁସ୍ଥ କରନ୍ତି। ଆଉ ସେଥିପାଇଁ ବୋଧହୁଏ କେତେକ ଚିକିତ୍ସକ ରୋଗ ପାଇଁ ବ୍ୟବସ୍ଥାପତ୍ର ଲେଖିବା ପୂର୍ବରୁ ନିଜ କଲମଟିକୁ କପାଳରେ ଛୁଅଁାନ୍ତି ବା ଅପରେଶନ କରିବା ପୂର୍ବରୁ ଛୁରିଟିକୁ ମୁଣ୍ଡରେ ଲଗାନ୍ତି। ଚିକିତ୍ସା ଶାସ୍ତ୍ର ଏକ ବିଜ୍ଞାନ। ତଥାପି ରୋଗୀ ଓ ଚିକିତ୍ସକ ଉଭୟ ରୋଗମୁକ୍ତି ପାଇଁ ସେଇ ଅଦୃଷ୍ଟ ଶକ୍ତି ଉପରେ ବିଶ୍ୱାସ ରଖନ୍ତି। ବିଜ୍ଞାନ ଉପରେ ବିଶ୍ୱାସର କି ଶକ୍ତିଶାଳୀ ବିଜୟ ସତେ! ଆଉ ଏକ ରୋଚକ ଦୃଷ୍ଟାନ୍ତ। ଆର୍ଯ୍ୟଭଟ୍ଟ-୨୭ ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହେବାକୁ ଅଳ୍ପ ସମୟ ବାକି ଥାଏ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କାର୍ଯ୍ୟରତ ପ୍ରତ୍ୟେକ ମହାକାଶ ବିଜ୍ଞାନୀ ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ଉତ୍‌କ୍ଷେପଣର ଚରମ ମୁହୂର୍ତ୍ତକୁ। ସେମାନଙ୍କ ବର୍ଷ ବର୍ଷର ସାଧନା ଓ ନିରଳସ ଉଦ୍ୟମର ଫଳପ୍ରସବ ମୁହୂର୍ତ୍ତ ଉପସ୍ଥିତ। ମନରେ ଆଶା ଓ ଆଶଙ୍କାର ଦ୍ୱନ୍ଦ୍ୱ। ଉତ୍‌କ୍ଷେପଣ କେନ୍ଦ୍ରରେ ବହୁ ପଦାଧିକାରୀଙ୍କ ଭିଡ। ମାତ୍ର ଏ ସବୁର ମୂଳକର୍ତ୍ତା ଇସ୍ରୋର ନିର୍ଦ୍ଦେଶକ କସ୍ତୂରୀରଙ୍ଗନ୍‌ କାହାନ୍ତି ? କିଛି ସମୟ ପରେ ତାଙ୍କୁ ଆବିଷ୍କାର କରାଗଲା ଗୋଟିଏ କୋଣରେ ଚୁପ୍‌ଚାପ୍‌ ବସି ବିଷ୍ଣୁ ସହସ୍ରନାମ ଜପୁଥିବା ଅବସ୍ଥାରେ। ସଫଳତାର ସହ ଉତ୍‌କ୍ଷେପଣ ଶେଷ ହେଲା ପରେ ତୃପ୍ତିର ଉଲ୍ଲାସରେ ଯେତେବେଳେ ଚାରିଆଡ ଗୁଞ୍ଜରିତ, ସେତେବେଳେ ଜଣେ ବିସ୍ମୟାଭିଭୂତ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କଲେ, ଏତେ ବଡ ବୈଜ୍ଞାନିକ ହୋଇ ବି ଆପଣ ପୁଣି ଈଶ୍ୱରବିଶ୍ୱାସୀ? ଆପଣଙ୍କ ସହକାରୀମାନଙ୍କ ଧ୍ୟାନ କମ୍ପ୍ୟୁଟରର ପରଦା ଉପରେ ନିବିଷ୍ଟ ଥିଲାବେଳେ ଆପଣ ଧ୍ୟାନ କରୁଥିଲେ ସେହି ଈଶ୍ୱରଙ୍କୁ, ଯିଏ ଚିରକାଳ ବିଜ୍ଞାନ ବଳୟର ବାହାରେ! କସ୍ତୂରୀ ରଙ୍ଗନ୍‌ ହସିଲେ। କହିଲେ, ବିଜ୍ଞାନପ୍ରସୂତ ଜ୍ଞାନକୌଶଳରେ ଆମେ ଯାନଟିକୁ ଗଢିଥିଲୁ। ତାହା ମଧ୍ୟରେ ଉପରକୁ ଉଠିବାର ଶକ୍ତି ସଞ୍ଚାର କରିଥିଲୁ। କିନ୍ତୁ ତାହା ଉଠିବ କି ନାହିଁ ଆମେ ଜାଣି ନ ଥିଲୁ। ଉଠିବ ବୋଲି ଆମେ କେବଳ ବିଶ୍ୱାସ କରୁଥିଲୁ। ସେଇ ବିଶ୍ୱାସକୁ ବାସ୍ତବତାରେ ପରିଣତ କରିବା ପାଇଁ ମୁଁ ବିଷ୍ଣୁ ସହସ୍ର ନାମ ଜପ କରୁଥିଲି। ସୁତରାଂ ବିଜ୍ଞାନ ଓ ବିଶ୍ୱାସ ନିଜ ନିଜ ଜାଗାରେ ଥାଆନ୍ତୁ। ସୁରକକାଙ୍କ ପରି ଦୁନିଆର ଅଗଣିତ ଲୋକ, ଯେଉଁମାନେ ନିଜ ନିଜର ବିଶ୍ୱାସକୁ ନେଇ ବଞ୍ଚତ୍ ରହିଛନ୍ତି, ସେମାନଙ୍କ ବିଶ୍ୱାସରେ ବିଜ୍ଞାନ ହସ୍ତକ୍ଷେପ ନ କରୁ। କାରଣ ବିଜ୍ଞାନକୁ ଅସ୍ବୀକାର କରିବାର ଯେମିତି କିଛି କାରଣ ନାହିଁ, ସେମିତି ବିଶ୍ୱାସକୁ ଅବିଶ୍ୱାସ କରିବାର କିଛି ଯୁକ୍ତି ମଧ୍ୟ ନାହିଁ। ମୋ: ୮୮୯୫୬୨୪୧୦୫

ସମ୍ପାଦକୀୟ |

ମଣିଷ ଦେହରେ ପ୍ରାଣୀ ଅଙ୍ଗ

ମଣିଷ ଦେହରେ ପ୍ରାଣୀ ଅଙ୍ଗ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ବିଜ୍ଞାନ ଯେମିତି ଚାଲିଛି, ଯଦି ଠିକ୍‌ ଠିକ୍‌ ସେମିତି ଚାଲେ ଏବଂ ବୈଜ୍ଞାନିକମାନେ ତାଙ୍କ ଗବେଷଣାରେ ସଫଳ ହୁଅନ୍ତି, ତେବେ ଆଜିଠାରୁ ୧୦୦ ବର୍ଷ ପରେ ମଣିଷମାନେ ଅଧା ଘୁଷୁରି ଓ ଅଧା ବବୁନରେ ପରିଣତ ହୋଇଯାଇଥିବେ। ବୈଜ୍ଞାନିକମାନେ ଏବେ ମଣିଷ ଦେହରେ ପ୍ରାଣୀଙ୍କ ହୃତ୍‌ପିଣ୍ଡ, ଯକୃତ, କିଡ୍‌ନୀ, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍‌ ଆଦି ପ୍ରତିରୋପଣ କରିବା ଉପରେ ଗବେଷଣା ଚଳାଇଛନ୍ତି। ପ୍ରତିରୋପଣ ପାଇଁ ବର୍ତ୍ତମାନ ଅଙ୍ଗପ୍ରତ୍ୟଙ୍ଗ, ପେଶୀ ଓ କୋଷର ଚାହିଦା ବଢ଼ିବାରେ ଲାଗିଛି। ଏଥିପାଇଁ ମଣିଷ ଅଙ୍ଗପ୍ରତ୍ୟଙ୍ଗର ଅଭାବ ପଡ଼ୁଥିବାରୁ ବୈଜ୍ଞାନିକମାନେ ସେଗୁଡ଼ିକୁ ପ୍ରାଣୀମାନଙ୍କଠାରୁ ଆଣି ପ୍ରତିରୋପଣ କରିବା ପାଇଁ ଗବେଷଣା ଚଳାଇଛନ୍ତି। ଗୋଟିଏ ପ୍ରଜାତିର ପ୍ରାଣୀଠାରୁ ପେଶୀ ବା ଅଙ୍ଗ ଆଣି ଅନ୍ୟ ପ୍ରଜାତିର ପ୍ରାଣୀଠାରେ ପ୍ରତିରୋପଣ କରିବା ପ୍ରକ୍ରିୟାକୁ ବୈଜ୍ଞାନିକ ଭାଷାରେ ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ କୁହାଯାଉଛି। ତେବେ ଆଜିପର୍ଯ୍ୟନ୍ତ ଏ ବାବଦରେ ଯାହା ବି ଗବେଷଣା ଓ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଛି, କୌଣସିଟି ସଫଳ ହୋଇନାହିଁ। (ଏ ବାବଦ ପ୍ରଥମ ନିବନ୍ଧ ଜାନୁୟାରୀ ୪ରେ ପ୍ରକାଶ ପାଇଥିଲା)। ତେବେ ପୂରା କର୍ପୋରେଶନ୍‌ ଏବେ କାମରେ ଲାଗିଛନ୍ତି। ପ୍ରାଣୀଙ୍କ ପେଟ, ଛାତି ଆଦି ଚିରି ଅନ୍ତବୁଜୁଳା, ଯକୃତ, ଫୁସ୍‌ଫୁସ୍‌, ବୃକ୍କ, ହୃତ୍‌ପିଣ୍ଡ ଆଦି ବାହାର କରି ଗବେଷଣା ଜାରି ରହିଛି, ଯାହାଫଳରେ ମଣିଷମାନଙ୍କୁ ଅଧା ଘୁଷୁରି ଓ ଅଧା ବବୁନ୍‌ରେ ପରିଣତ କରାଯାଇପାରିବ। ଏହା ସପକ୍ଷରେ ସେମାନଙ୍କ ଯୁକ୍ତି ହେଲା, ଯେତେବେଳେ ଦରକାର ପ୍ରତିରୋପଣ ପାଇଁ ମଣିଷର ଅଙ୍ଗପ୍ରତ୍ୟଙ୍ଗ ନ ମିଳିଲେ ପ୍ରାଣୀଙ୍କ ଅବୟବ ମିଳିପାରିବ। ସେଥିପାଇଁ ରୋଗୀମାନଙ୍କୁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବନି। ସଙ୍ଗେ ସଙ୍ଗେ ପ୍ରତିରୋପଣ ହୋଇପାରିଲେ ରୋଗୀଙ୍କ ବଞ୍ଚିବା ହାର ବୃଦ୍ଧି ପାଇପାରିବ। ମଣିଷ ମରିବା ଯାଏ ଅପେକ୍ଷା କରି ତା’ଠାରୁ ଆଂଶିକ ନଷ୍ଟ ହୋଇଯାଇଥିବା ଅଙ୍ଗ ଆଣି ପ୍ରତିରୋପଣ କରିବା ଅପେକ୍ଷା ଜିଅନ୍ତା ସୁସ୍ଥ ସବଳ ପ୍ରାଣୀକୁ ନିଶ୍ଚେତକ ଦେଇ ତା’ଠାରୁ ତାଜା ଅବୟବ କାଢ଼ି ଅଣାଯାଇପାରିବ। ...

ପେଟ ପାଇଁ ହଟହଟା

ପେଟ ପାଇଁ ହଟହଟା

କମଳାକାନ୍ତ ଜେନା/ ସକାଳୁ ସକାଳୁ ସମୀର ସହିତ ବଜାରରେ ମଦନର ଭେଟ ହୋଇଗଲା। ଉଭୟଙ୍କ ହାତରେ ପରିବାଥଳି। ମଦନ ପଚାରିଲା, ଭାଇ, କେତେବେଳେ ଆସିଲ? ଥଳି ଖାଲି। କିଛି କିଣିନା କି? ସମୀର ଉତ୍ତର ଦେଲା, ହଁ, ଅଧଘଣ୍ଟା ହେବ ଆସିଲିଣି। ହେଲେ, କ’ଣ ନେବି ଠିକ୍‌ କରିପାରୁନି। ମଦନ କହିଲା, କ’ଣ କହୁଛ? ଶୀତ ଯେତେ ବଢୁଛି, ବଜାରରେ ସେତେ ପରିବା ଆସି ଗଦା ହେଉଛି। ଏତେ ବଡ଼ ବଡ଼ ଫୁଲକୋବି। ମେଣ୍ଢାମୁଣ୍ଡ ପରି ଓଲକୋବି। ବାଇଗଣ, ମୂଳା, ଶିମ୍ବ, କାହିଁ କେତେ କ’ଣ ପଡିଛି। ତୁମେ ପୁଣି କ’ଣ ନେବ ଚିନ୍ତା କରୁଛ? ସମୀର କହିଲା, ସେଥିପାଇଁ ତ ଚିନ୍ତାରେ ପଡିଛି। ଏଡେ ବଡ଼ ବଡ଼ ଦିଶୁଥିବା ପରିବା ନେବାକୁ ଘରେ ପୂରା ମନା କରିଛନ୍ତି। ସିଧାସିଧା କହିଛନ୍ତି- ଦେଶୀ ପାଇଲେ ଆଣିବ, ନ ହେଲେ ସେମିତି ଫେରିଆସିବ। ଅଧଘଣ୍ଟା ହେଲାଣି, ମୁଁ ଦେଶୀ ଖୋଜୁଛି। ମଦନ ଟିକିଏ ରହିଯାଇ କହିଲା, ଘରେ ଠିକ୍‌ କଥା କହିଛନ୍ତି। ଯେମିତି ଚାରିଆଡେ ପାଣି ଅଛି, କିନ୍ତୁ ପିଇବା ପାଇଁ ଶୁଦ୍ଧଜଳ ମୁନ୍ଦାଏ ମିଳିବା କଷ୍ଟକର। ସେମିତି ବଜାରରେ ପରିବା ଅଛି, କିନ୍ତୁ କିଣିବା ଆଗରୁ ଚିନ୍ତା କରିବାକୁ ପଡୁଛି। ଆଗରୁ ଏତେ ବଡ଼ ବଡ଼ କୋବି ବାଇଗଣ ମିଳୁ ନ ଥିଲା, କିନ୍ତୁ ଯାହା ମିଳୁଥିଲା ସୁଆଦିଆ ଲାଗୁଥିଲା। ଆଜିକାଲି ହରମୋନ୍‌ ଓ ସାର ଦିଆ ପରିବାରେ ସେ ସୁଆଦ ନାହିଁ। ମୋର ବି ସେଇ ସମସ୍ୟା। ମୁଁ ଦେଶୀ ପରିବା ଦି’ଟା ଖୋଜୁଛି।...

ଅବଗଣନା

ଅବଗଣନା

ଡ. ସୁବାସ ଚନ୍ଦ୍ର ପାତ୍ର/ ପିଲାଟିଏ ନୂଆକରି ଯେତେବେଳେ ପାଠପଢ଼ା ଶିଖେ ବାପା, ମା’ ଭାରି ଖୁସି ହୁଅନ୍ତି। ବିଶେଷତଃ ଗଣନା ସମ୍ବନ୍ଧୀୟ ତା’ର ଦକ୍ଷତା ସେମାନେ ବଖାଣି ବସନ୍ତି ପଡ଼ୋଶୀମାନଙ୍କୁ। ‘ପଚାରି ଦେଖ, ମୋ ପୁଅ ଗୋଟିଏ ନିଃଶ୍ୱାସରେ ଏକରୁ ଶହେ ଗଣିଦେବ।’ ଅବଶ୍ୟ ସ୍କୁଲରେ ପୁଣି ନୂଆ ପ୍ରକାର ଏକ ଗଣତି ଶିଖାଯାଏ-ଓଲଟା ଗଣତି। ଟିକିଏ ପାଠୁଆ ବାପା, ମା’ ପୁଅ ବା ଝିଅର ଏ ବାବଦ ଦକ୍ଷତା ଦେଖି ଆହୁରି ଅଧିକ ଉଲ୍ଲସିତ ହୁଅନ୍ତି ଏବଂ ପୂର୍ବଦକ୍ଷତା ସହ ଏହାକୁ ଯୋଡ଼ି ପିଲାଙ୍କର ଗୁଣଗାନ କରନ୍ତି। ଅବଶ୍ୟ ସେ ପ୍ରକାର ବାପା, ମା’ ଜାଣି ନ ଥାନ୍ତି, ମସ୍ତିଷ୍କ ଏବେ ଖାଲି, ବହୁ ଜିନିଷ ଏ ଭିତରେ ରଖିହେବ। ପାଠର ପ୍ରକୃତ ଚାପ ଆସିଲେ ଅନେକ କିଛି ମନ୍ଥର ହୋଇଯିବ ଏବଂ ବାପା, ମା’ ପିଲାଙ୍କୁ ଗୋଟିଏ ସ୍କୁଲରୁ ଅନ୍ୟ ସ୍କୁଲ ନେଇଯିବେ। ସ୍କୁଲ ବଦଳୁ ବା ନ ବଦଳୁ ପିଲାଟି ପଢ଼େ, ବଢ଼େ ଏବଂ ଦେଖେ ଜୀବନ ଗଣିତ ବହିରେ ଗଣତି ଅପେକ୍ଷା ଓଲଟା ଗଣତି ବା ଅବଗଣନା ବେଶି। ଜୀବନର ଅତି ଜଟିଳ କ୍ଷେତ୍ରରେ ସେ ଦେଖେ ଏକରୁ ଦଶ ଅପେକ୍ଷା, ଦଶରୁ ଏକ ବା ଶୂନ ଗଣନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଅଲିମ୍ପିକ୍ସ ଆସେ, ଆସେ ଏସିଆନ୍‌ ଗେମ୍ସ ବା ଏସୀୟ ଦୌଡ଼କୁଦ। ଆରମ୍ଭ ହୋଇଯାଏ ଅବଗଣନା ପର୍ବ। ଅଲିମ୍ପିକ୍ସ-୧୦୦ଦିନ, ୯୯ଦିନ, ୯୮ଦିନ...ା ଆମେ ବେଶି ଚକିତ ହେଉ କ୍ଷେପଣାସ୍ତ୍ର ପରୀକ୍ଷାରେ ଅବଗଣନା ଶୈଳୀ ଦେଖି। ପ୍ରଥମେ ଆରମ୍ଭ ହୁଏ ମାସର ଅବଗଣନା, ତା’ପରେ ଦିନ, ତା’ପରେ ଘଣ୍ଟା, ମିନିଟ୍‌ ଏବଂ ଶେଷରେ ସେକେଣ୍ଡ। ତେବେ ପ୍ରଶ୍ନ ଉଠିପାରେ ଏ ଅବଗଣନା କ’ଣ ପାଇଁ? କ୍ଷେପଣାସ୍ତ୍ର ଭଳି ଏକ ପ୍ରକଳ୍ପ ପାଇଁ ଏହା ଏକ ପ୍ରକାର ଉଚ୍ଚମାନର ପ୍ରସ୍ତୁତି ପର୍ବ। ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ପକ୍ଷକୁ ଏହା ବ୍ୟକ୍ତିଗତ ଭାବେ ସକ୍ରିୟ କରେ ଏବଂ ସୂଚେଇ ଦିଏ ଏ କାର୍ଯ୍ୟକ୍ରମ ପାଇଁ ସେ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କର କାର୍ଯ୍ୟ ଯେତେ ସାମାନ୍ୟ ହେଲେ ବି ପ୍ରକଳ୍ପର ସଫଳତା ପାଇଁ ତାଙ୍କର କେଇ ମୁହୂର୍ତ୍ତର ଧ୍ୟାନପୂର୍ଣ୍ଣ ମନୋନିବେଶ ଅତି ଜରୁରୀ।...

ଏଇ ଭାରତରେ

କୁହାଯାଏ ଲୋଭର ସୀମା ନାହିଁ। ଏଥିପାଇଁ ଅନେକ ସମୟରେ ସର୍ବସ୍ବାନ୍ତ ହୋଇ ଯାଉଥିଲେ ମଧ୍ୟ ‘ଜୀବ ଅଛି ତ, ଲୋଭ ଅଛି’ ନ୍ୟାୟରେ ଅଧିକାଂଶ ଲୋକ ଏହାକୁ ସମ୍ବରଣ କରିପାରନ୍ତି ନାହିଁ। ଲୋଭ କରି ଜଣେ ବରିଷ୍ଠ ନାଗରିକ କିପରି ୮ ଲକ୍ଷ ଟଙ୍କା ହରାଇଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ମହାରାଷ୍ଟ୍ରର କୁର୍ଲାସ୍ଥିତ ନେହେରୁ ନଗର ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକ ଗୋବିନ୍ଦ ତଲଓ୍ବାରଙ୍କୁ ଏଭଳି ଠକାମିର ଶିକାର ହେବାକୁ ପଡ଼ିଛି। ୬୨ ବର୍ଷ ବୟସ୍କ ଗୋବିନ୍ଦ ଉଚ୍ଚଶିକ୍ଷିତ, ଜଣେ ପଦସ୍ଥ ଅଧିକାରୀ ଭାବେ ସେ ଅବସର ନେଇଛନ୍ତି ନିକଟରେ। ଚାକିରି କାଳ ମଧ୍ୟରେ ଭଲ ରୋଜଗାର ମଧ୍ୟ କରିଛନ୍ତି। ସେଭଳି କୌଣସି ଆର୍ଥିକ ସମସ୍ୟା ନାହିଁ ତାଙ୍କର। କିନ୍ତୁ ଅବସର ପରେ ସେ ଚାହିଁଲେ କୌଣସି ଘରୋଇ କମ୍ପାନୀରେ ଚାକିରି କରି ରୋଜଗାରକ୍ଷମ ହେବେ। ଖୋଜି ଚାଲିଲେ ଚାକିରି, ଏଥିପାଇଁ ଅନ୍‌ଲାଇନ୍‌ର ସାହାଯ୍ୟ ମଧ୍ୟ ନେଲେ। ଗୋବିନ୍ଦଙ୍କ ବୟସ ଓ ଅଭିଜ୍ଞତାକୁ ଦେଖି ଏବଂ ସେ ଚାକିରି ଆଶାୟୀ ବୋଲି ଜାଣି ତାଙ୍କ ସହ ଭାବ ଲଗାଇ ଦେଲେ ଜଣେ ବ୍ୟକ୍ତି। ପ୍ରଥମେ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିବା ପରେ ଠିକଣା ଖୋଜି ଗୋବିନ୍ଦଙ୍କ ଘରେ ପହଞ୍ଚି ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି। ଗୋବିନ୍ଦଙ୍କୁ ଏକ ଘରୋଇ କମ୍ପାନୀରେ ଚାକିରି ମିଳିବ ବୋଲି କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଲେ। ପ୍ରୋସେସିଂ ଫି ପାଇଁ କିଛି ପଇସା ମଧ୍ୟ ନେଲେ। ତା’ପରଠାରୁ ଆରମ୍ଭ ହେଲା ଶୋଷଣ...

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ଜୀବନ ସାଥୀ ବାଛିବା ଯେ କୌଣସି ସାବାଳକଙ୍କର ବ୍ୟକ୍ତିଗତ ପସନ୍ଦ। ତାହାକୁ ପ୍ରତିରୋଧ କରାଯିବାର ଅର୍ଥ ହେଉଛି ସଂପୃକ୍ତ ମହିଳା କିମ୍ବା ପୁରୁଷଙ୍କର ମୌଳିକ ଅଧିକାରର ଉଲ୍ଲଂଘନ । ଅନେକ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ ଏହିଭଳି ପସନ୍ଦର ବିବାହ ଆଗରେ ପ୍ରତିବନ୍ଧକ ହୋଇ ଛିଡାହେଉଛି । ପରିବାର ଏବଂ ସମାଜରୁ ବିରୋଧର ସ୍ବର ଶୁଣିବାକୁ ମିଳୁଛି। ଉତ୍ତରଭାରତର ବର୍ବର ସଂସ୍କୃତିର ଅନ୍ୟତମ ପରିଚୟ ଖାପ୍‌ ପଞ୍ଚାୟତ ଆନ୍ତଃଜାତି ବିବାହକୁ ସ୍ବୀକୃତି ଦେଉନାହିଁ । ଯାହା ଫଳରେ ଏହି ଅଣସ୍ବୀକୃତ ସଂସ୍ଥା ଦ୍ୱାରା ଆନ୍ତଃଜାତି ବିବାହ କରିବାକୁ ଯାଉଥିବା ମହିଳା ପୁରୁଷ ଦଣ୍ଡିତ ହେଉଛନ୍ତି। ସେହି ଦଣ୍ଡର ମାତ୍ରା ଅଧିକାଂଶ ସମୟରେ ଅତ୍ୟଧିକ ହୋଇପଡୁଛି। ସାଧାରଣତଃ ଝିଅର ପରିବାର ନବବିବାହିତ ଦମ୍ପତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପର୍ଯ୍ୟନ୍ତ କଥା ଯାଉଛି। ୨୦୧୮ ଜାନୁୟାରୀ ୧୬ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇ ଖାପ୍‌ ପଞ୍ଚାୟତ କିମ୍ବା କୌଣସି ସଂଗଠନର ଏଭଳି ଦଣ୍ଡବିଧାନକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ବର୍ଣ୍ଣନା କରିଛନ୍ତି । ....

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ଡ. ସନ୍ତୋଷ କୁମାର ମହାପାତ୍ର/ ବର୍ତ୍ତମାନ ଯେଉଁମାନେ ଦେଶରେ ଶାସନ କରୁଛନ୍ତି ଏବଂ ରାମମନ୍ଦିର କଥା ବାରମ୍ବାର କହୁଛନ୍ତି ସେମାନେ କାର୍ଯ୍ୟରେ ରାମଙ୍କ ଆଦର୍ଶ ଅନୁସରଣ କରୁନାହାନ୍ତି। ଅଧିକାଂଶ ଗଣମାଧ୍ୟମକୁ ନିଜ ସପକ୍ଷରେ ପ୍ରଚାର ପାଇଁ ଚାପ ସୃଷ୍ଟି କରୁଛନ୍ତି। ଏ କଥା ଆମେ କହୁନାହୁଁ। ‘ରିପୋର୍ଟର୍ସ ଉଇଦାଉଟ୍‌ ବୋର୍ଡର୍ସ’ (ଆର୍‌ଡବ୍ଲ୍ୟୁବି) ଦ୍ୱାରା ପ୍ରସ୍ତୁତ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ୨୦୧୭ରେ ଏହା ପ୍ରକାଶ ପାଇଛି। ଅତ୍ୟନ୍ତ ଚିନ୍ତାର ବିଷୟ ଗଣମାଧ୍ୟମରେ ସ୍ବାଧୀନତା ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୬, ଅର୍ଥାତ୍‌ ୧୩୫ଟି ଦେଶ ତଳେ। ଏହି ପ୍ରକ୍ରିୟାରେ ସମାଜର ଅବହେଳିତ ଜନତାଙ୍କ ସ୍ବର ନିଷ୍ପ୍ରଭ ହୋଇଯାଉଛି। ଧନିକ ଶ୍ରେଣୀ ପ୍ରଚୁର ସମ୍ପଦ ଠୁଳ କଲାବେଳେ ଗରିବ, ଅବହେଳିତ ଶ୍ରେଣୀର ଦୁଃଖକଥା କହିବାକୁ ବା ଦୂର କରିବାକୁ କ୍ୱଚିତ୍‌ ଲୋକ ବାହାରୁଛନ୍ତି। ଜଣେ ଯଦି ଗରିବ, ସାଧାରଣ ଜନତାଙ୍କ ସମସ୍ୟା କଥା କହିବ ତାହାର ମତାମତ ଅନେକ କ୍ଷେତ୍ରରେ ସରକାର ତଥା ପ୍ରତିପତ୍ତିଶାଳୀଙ୍କ ବିରୁଦ୍ଧରେ ଯିବ। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ପ୍ରଧାନ ସେବକ ଭାବେ ଅଭିହିତ କରିଥାନ୍ତି। କିନ୍ତୁ ତାଙ୍କ ଦଳ ତଥା କର୍ମୀମାନେ କାହିଁକି ସମାଲୋଚନାକୁ ବରଦାସ୍ତ କରୁନାହାନ୍ତି। ସମାଲୋଚନା ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିଥାଏ। ସମାଲୋଚନା ସକାରାତ୍ମକ ବା ନକାରାତ୍ମକ ହେଉ ସେଥିରେ ଜଣେ ଦେଶସେବକ ବା ଦଳୀୟ ନେତା ବ୍ୟତିବ୍ୟସ୍ତ ହେବାର କିଛି ନାହିଁ। ବରଂ ସମାଲୋଚନା ମାଧ୍ୟମରେ ନିଜର ତ୍ରୁଟି ଜାଣି ତାକୁ ସୁଧାରିବା ପାଇଁ ପ୍ରୟାସ କରିବା ଉଚିତ। ସମାଲୋଚନାକୁ ଭୟ ଅର୍ଥ କ୍ଷମତା ହରାଇବାର ଭୟ। କାଳେ ଲୋକେ ଦୋଷତ୍ରୁଟି ଜାଣିଲେ ପୁନର୍ବାର ନିର୍ବାଚିତ କରିବେ ନାହିଁ!...

ରୋହିଙ୍ଗ୍ୟା ଶରଣାର୍ଥୀ

ରୋହିଙ୍ଗ୍ୟା ଶରଣାର୍ଥୀ

ଶରତଚନ୍ଦ୍ର ମିଶ୍ର/ ଭାରତବର୍ଷରେ ବର୍ତ୍ତମାନ ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ମୁସଲମାନ ଅଛନ୍ତି। ମୁଖ୍ୟତଃ ପଶ୍ଚିମବଙ୍ଗରେ ସେମାନେ ଆସ୍ଥାନ ଜମାଇଥିଲେ ମଧ୍ୟ ଜମ୍ମୁରେ ପ୍ରାୟ ୫୦୦୦ ରୋହିଙ୍ଗ୍ୟା ଅଛନ୍ତି। ଭାରତ ସରକାର ସେମାନଙ୍କୁ ବେଆଇନ ଅନୁପ୍ରବେଶକାରୀ ଘୋଷଣା କରି ଦେଶରୁ ବିତାଡ଼ନ କରିବାକୁ ଚାହୁଁଥିଲାବେଳେ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଶରଣାର୍ଥୀ ବିବେଚନା କରିବାକୁ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ଦେଶର ଦକ୍ଷିଣପଶ୍ଚିମରେ ଅବସ୍ଥିତ ରାଖାଇନ୍‌ ରାଜ୍ୟରେ ବାସ କରନ୍ତି। ମ୍ୟାନ୍‌ମାର ସରକାର ସେମାନଙ୍କୁ ନାଗରିକ ବୋଲି ଗ୍ରହଣ କରନ୍ତି ନାହିଁ। ଫଳତଃ ସେମାନେ ଦେଶବିହୀନ ବ୍ୟକ୍ତି। ମ୍ୟାନ୍‌ମାର ସରକାରଙ୍କ ମତରେ ଏମାନେ ବର୍ମା ଭାରତର ଅଂଶବିଶେଷ ଥିବା ସମୟରେ ବଙ୍ଗ ପ୍ରଦେଶରୁ ଏକକାଳୀନ ବର୍ମା ପ୍ରଦେଶକୁ ଚାଲିଆସିଥିଲେ, ତେଣୁ ସେମାନେ ବର୍ତ୍ତମାନର ବାଂଲାଦେଶର ଅଧିବାସୀ ଓ ସେଠାକୁ ଫେରିଯିବା ଉଚିତ। ବାଂଲାଦେଶ ସରକାର ଏ ଯୁକ୍ତି ଗ୍ରହଣ କରନ୍ତି ନାହିଁ। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ସରକାରଙ୍କ ସଙ୍ଗେ ଆରାକାନ୍‌ ରୋହିଙ୍ଗ୍ୟା ସାଲଭାଶନ ଆର୍ମି ନାମରେ ଏକ ବାହିନୀ ଗଠନ କରି ଗେରିଲା ଯୁଦ୍ଧରେ ବ୍ୟାପୃତ ଅଛନ୍ତି ଓ ମ୍ୟାନ୍‌ମାର ସରକାରଙ୍କ ମିଲିଟାରୀ ଚାପରେ ବାଂଲାଦେଶ (୯ଲକ୍ଷ) ଓ ମାଲେସିଆ (୧୪ ଲକ୍ଷ)କୁ ପଳାୟନ କରିଛନ୍ତି। ବାଂଲାଦେଶକୁ ଆସିଥିବା ରୋହିଙ୍ଗ୍ୟାମାନଙ୍କ ମଧ୍ୟରୁ କେତେକ ବାଂଲାଦେଶୀ ମୁସଲମାନଙ୍କ ସଙ୍ଗରେ ମିଶି ଭାରତରେ ବେଆଇନ ଭାବରେ ଅନୁପ୍ରବେଶ କରୁଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ନିଶା ମଣିଷକୁ ନିୟନ୍ତ୍ରଣ ବାହାରକୁ ନେଇଯାଏ। ପରିସ୍ଥିତି ଏମିତି ଉପୁଜେ ଯେ କେତେକେ ହିତାହିତ ଜ୍ଞାନ ଭୁଲିଯାଇ ଅନ୍ୟମାନଙ୍କୁ ହତ୍ୟା କରିବାକୁ ପଛାଇ ନ ଥାନ୍ତି। ତାମିଲନାଡୁର କୋଏମ୍ବାଟୁର ସହର ଥାଡ଼ାଗାମ୍‌ଠାରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୨୭ ବର୍ଷୀୟ ଦୀପସ୍ବରୂପ। ଅଧାରୁ ପାଠ ଛାଡ଼ିଥିବା ଏହି ଯୁବକ ଜଣକ ବେକାର ଜୀବନ ବିତାଉଛନ୍ତି। ପରିବାର କହିଲେ ସେ, ତାଙ୍କ ମାତା ଓ ପିତାଙ୍କୁ ବୁଝାଉଥିଲା। ତାଙ୍କ ପିତା ୫୮ ବର୍ଷୀୟ କେ. ସେଲ୍‌ଭାରାଜ ଥିଲେ ଜଣେ ବଣିଆ। କିନ୍ତୁ ସେ ଆଉ ବଣିଆ କାମ ନ କରି ଥାଡ଼ାଗାମ୍‌ଠାରେ ଦୁଇଟି ଘର ଭଡ଼ାରେ ଦେଇ ଚଳନ୍ତି। ଭଡ଼ାରୁ ମିଳୁଥିବା ଅର୍ଥରେ ଘର ଚଳୁଥିଲା। କିଛି ମାସ ପୂର୍ବରୁ ସେଲ୍‌ଭାରାଜଙ୍କ ସ୍ତ୍ରୀ ଆମେରିକାରେ ଥିବା ଝିଅଙ୍କ ପାଖକୁ ସମୟ କଟାଇବାକୁ ଯାଇଛନ୍ତି। ରାୟାପ୍ପାପୁରମ୍‌ ସେକେଣ୍ଡ ଷ୍ଟ୍ରୀଟ୍‌ରେ ଥିବା ଘରର ପ୍ରଥମ ମହଲାରେ ପିତା ଓ ପୁତ୍ର ରହୁଥିଲେ। ଉଭୟେ କାମକୁ ନ ଯାଇ ଭଡ଼ାରୁ ମିଳୁଥିବା ଟଙ୍କା ଖର୍ଚ୍ଚ କରୁଥିଲେ। ଦୁଇ ଜଣ ମଧ୍ୟ ନିଶାସକ୍ତ। ତେବେ ଅଘଟଣର ସୂତ୍ରପାତ ଦୁଇ ସପ୍ତାହ ତଳୁ ଆରମ୍ଭ ହୋଇଥିଲା। ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ରାତିରେ କ୍ରମାଗତ ପରିସ୍ରା କରିଚାଲୁଥିଲେ। ଗତ ରବିବାର ରାତି ପ୍ରାୟ ଦୁଇଟା ବେଳେ ପୂର୍ବଭଳି ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ପରିସ୍ରା କରିଦେଇଥିଲେ। ...

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ଚତୁର୍ଥ ଜାତୀୟ ସ୍ବାସ୍ଥ୍ୟ ଓ ପରିବାର ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌) ରିପୋର୍ଟ ଅନୁଯାୟୀ ସହରୀ ଭାରତର ୫୬ ପ୍ରତିଶତ ଲୋକ ଘରୋଇ ସ୍ବାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ବେଳେ ଗ୍ରାମୀଣ ଭାରତର ୪୯ ପ୍ରତିଶତ ଘରୋଇ ଚିକିତ୍ସାକୁ ପସନ୍ଦ କରୁଛନ୍ତି। ସରକାରୀ ଡାକ୍ତରଖାନାକୁ ଅଧିକ ରୋଗୀ କିଭଳି ଯାଇପାରିବେ, ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଯେତେ କହୁଥିଲେ ହେଁ ବାସ୍ତବତା ଉପରୋକ୍ତ ପରିସଂଖ୍ୟାନ ଦେଉଛି।

ସବୁ ତୁମ୍ଭ ପରସାଦ

ସବୁ ତୁମ୍ଭ ପରସାଦ

ବୈକୁଣ୍ଠନାଥ ମିଶ୍ର/ ପ୍ରଭୁ ବଡ଼ଠାକୁର ବଡ଼ଦେଉଳରେ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ସବୁ ବଡ଼ର ସମାହାରରେ ସକଳ ମାନବୀୟ ରୀତିନୀତି ମଧ୍ୟରେ ଓଡ଼ିଆଙ୍କ ମୁରବି ସାଜି ବିସ୍ମୃତିର କେଉଁ ଅଜଣା କାଳରୁ ଲୀଳା କରିଆସୁଛନ୍ତି। ମାନବୀୟ ଆଚାର, ବିଚାର, ବିହାର ଓ ସ୍ନାନଭୋଜନାଦି କର୍ମ ସମ୍ପାଦନା ସହ ସାମ୍ୟ, ମୈତ୍ରୀ ଓ କରୁଣାର ବାରି ସିଞ୍ଚନ କରି ଓଡ଼ିଆ ପ୍ରାଣରେ ଭରିଦେଇଛନ୍ତି ଆଧ୍ୟାତ୍ମିକତାର ଉଚ୍ଛ୍ବାସ। ନାଲି ଅଧରରେ ମୃଦୁହସ ଓ ଚିକ୍କଣ କଳାବଦନର ସଂଦର୍ଶନରେ ଯୁଗ ଯୁଗର ପାପନାଶନର ପରିତୃପ୍ତି। ସମସ୍ତ ଦୁଃଖ ମୋଚନର ଅଙ୍ଗୀକାରବଦ୍ଧତା ଯେପରି ଲାଖିରହିଛି ବାହୁଯୁଗଳରେ। ସେ ମହାବାହୁ! ଯୋଗୀର ଯୋଗ, ତପସ୍ବୀର ତପସ୍ୟା, ଭକ୍ତର ଭକ୍ତି, ଗୃହସ୍ଥର ଗାର୍ହସ୍ଥ୍ୟଧର୍ମ ଓ ନାରୀ ମର୍ଯ୍ୟାଦାର ଅପୂର୍ବ ଉଦାହରଣ ତାଙ୍କ ଶ୍ରୀକ୍ଷେତ୍ର ଧାମର ବିଶେଷତ୍ୱ। ଯେ କୌଣସି ମତବାଦୀ ପାଇଁ ତା’ ସ୍ବକୀୟ ମତର ସାକାର ରୂପାନ୍ତର ତାଙ୍କ ରୂପଲାବଣ୍ୟରେ ସନ୍ନିବେଶିତ। ସେ ଶୈବର ଶିବ, ଶାକ୍ତର ଶକ୍ତି, ବୈଷ୍ଣବର ବିଷ୍ଣୁ, ଗାଣପତ୍ୟର ଗଣପତି, ତାନ୍ତ୍ରିକର ଭୈରବ ଓ ବୌଦ୍ଧର ବୁଦ୍ଧ। କାହା ପାଇଁ ସେ ଖଣ୍ଡିତ ଦରଗଢା ତ କାହା ପାଇଁ ଅଖଣ୍ଡ। ସେଥିପାଇଁ ତାଙ୍କୁ ବନ୍ଦନା କରାଯାଇଛି- ”ଖଣ୍ଡାଖଣ୍ଡସ୍ବରୂପାୟ ଦୃଶ୍ୟାଦୃଶ୍ୟମାନାୟ ଚ। ସାକାର-ନିରାକାରାୟ ଜଗନ୍ନାଥାୟ ତେ ନମଃ।ା“ ସେ ଅପଲକ ଚକାଆଖି ଆଶ୍ୱାସନାର ଆଖି। ପୁଣ୍ୟାତ୍ମା ପାଇଁ ସେଥିରେ ଅଛି ଅଭୟ ଓ ପାପୀକୁ ତାଡ଼ନାର ସୂଚନା। ସେ ମାନବକୁ ଅହରହ ଚେତାବନୀ ଦେଉଥାଏ ଓ ନୀରବରେ କହୁଥାଏ- ରେ ମୂଢ଼ମତି ! ତୁ କ’ଣ କରୁଛୁ ନିଜେ ଜାଣିପାରୁନୁ। ପାପକର୍ମରେ ତୋର ଆଗ୍ରହ କିନ୍ତୁ ପାପର ଫଳ ଭୋଗିବାକୁ ତୋର ଘୋର କୁଣ୍ଠା। ଆଦୌ ପୁଣ୍ୟ ନ କରି ପୁଣ୍ୟଫଳରେ ତୋର ପ୍ରବଳ ଲାଳସା।...

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

ଡା. ଦ୍ୱିଜେଶ କୁମାର ପଣ୍ଡା/ ଆଜିକାଲି କମ୍ପ୍ୟୁଟର ଦୈନନ୍ଦିନ ଅନେକ କାର୍ଯ୍ୟରେ ନିୟୋଜିତ ହେଉଛି। ଯୋଗାଯୋଗ, ବ୍ୟବସାୟିକ କାରବାର, ଲୋକସଂପର୍କ ଏବଂ ଗବେଷଣା ଏହାଦ୍ୱାରା ସମ୍ଭବ ହେଉଛି। ବ୍ୟକ୍ତିଗତ ଖାତା, ଆଇଡି ଓ ଗୋପନୀୟ ତଥ୍ୟ ଏଥିରେ ସୁରକ୍ଷିତ ଥାଏ। ଆଜିକାଲି ଏହି ଗୁପ୍ତ ତଥ୍ୟ ଜାଣିବାର ଉପାୟ ବାହାରିଲାଣି। ଏହାକୁ ହ୍ୟାକିଂ କୁହାଯାଏ। ଅର୍ଥ ଆଦାୟ ପାଇଁ ଅସାମାଜିକ ବ୍ୟକ୍ତି ସୁରକ୍ଷା ବଳୟକୁ ଭେଦ କରି ଗୋପନୀୟ ତଥ୍ୟ ହାସଲ କରୁଛନ୍ତି। ୨୦୧୬ ମସିହାରେ ଆମେରିକାର ଜାତୀୟ ସୁରକ୍ଷା ପ୍ରତିନିଧିଙ୍କ ଅନେକ ଗୁପ୍ତ ତଥ୍ୟ ସାଡୋ ଓ ବ୍ରୋକର ନାମକ ଏକ ହ୍ୟାକିଂ ସଂସ୍ଥା ଅକ୍ତିଆର କରିଥିଲା। ଜୁନ୍‌ ୨୮ ତାରିଖରେ ବମ୍ବେ ବନ୍ଦର ସାଇବର ଆକ୍ରମଣର ଶିକାର ହୋଇଥିଲା। ହ୍ୟାକରମାନେ ବ୍ୟକ୍ତିଗତ ଇମେଲ୍‌ ଆକାଉଣ୍ଟରେ ପ୍ରବେଶ କରି ସେଥିରେ ଥିବା ବ୍ୟକ୍ତିର ବନ୍ଧୁମାନଙ୍କ ପାଖକୁ ଛଦ୍ମ ନାମରେ ଚିଠି ଲେଖି ପଇସା ମାଗୁଛନ୍ତି। ୨୦୧୭ ମସିହାରେ ରାନ୍‌ସମ୍‌ୱେର ଭାଇରସ୍‌ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ୨୦୧୮ ପାଇଁ ହ୍ୟାକରମାନେ ଅନେକ ବିପଜ୍ଜନକ ଆକ୍ରମଣ ଯୋଜନା ପ୍ରସ୍ତୁତ କରିସାରିଲେଣି। ବିଶ୍ୱର ଧନୀ ବ୍ୟକ୍ତିମାନଙ୍କୁ ସେମାନେ ଟାର୍ଗେଟ୍‌ କରିବେ। ଏଣୁ ୨୦୧୮ରେ ହ୍ୟାକିଂରୁ ମୁକ୍ତି ପାଇବା ପାଇଁ ଆମେରିକାସ୍ଥିତ ଇଣ୍ଟରନେଟ୍‌ ସୁରକ୍ଷା କମ୍ପାନୀ ‘ମ୍ୟାକେଫି’ ସତର୍କ କରାଇ ଦେଇଛି।...

ଏଇ ଭାରତରେ

ଦୁର୍ନୀତିର ହ୍ରାସ ଘଟିବ, ଲୋକଙ୍କ ନିକଟରେ କିଛି ଅଛପା ରହିବ ନାହିଁ, ସ୍ବଚ୍ଛତା ଫେରିବ-ଏମିତି ଚିନ୍ତାକରି ଦେଶରେ ପ୍ରଣୟନ କରାଯାଇଛି ସୂଚନା ଅଧିକାର ଆଇନ। ଏହି ଆଇନ ବଳରେ ଯେ କେହି ବ୍ୟକ୍ତି ସରକାରଙ୍କଠାରୁ ସୂଚନା ପ୍ରାପ୍ତ କରିପାରିବେ। କୌଣସି ଅନିୟମିତତା ହେଉଥିଲେ ତାହା ପଦାକୁ ଆଣିପାରିବେ। ଏହି ଆଇନ ପ୍ରଣୟନ ହେବା ପରେ ଅନେକ ସୂଚନାଧିକାର କର୍ମୀ ବାହାରିଲେଣି। ସେମାନେ ବହୁ ଗୋପନ କଥା ଲୋକଙ୍କ ସାମ୍ନାକୁ ଆଣିପାରୁଛନ୍ତି। କିନ୍ତୁ ଏମିତି କିଛି ସୂଚନାଧିକାର କର୍ମୀ ବୋଲାଉଥିବା ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ଆଇନକୁ ରୋଜଗାରର ମାଧ୍ୟମ କରିସାରିଲେଣି। ସୂଚନା ପ୍ରକାଶ କରିଦେବାର ଧମକ ଦେଇ ମୋଟାଅଙ୍କର ଅର୍ଥ ଆଦାୟ କରୁଛନ୍ତି। ସେମିତି ଜଣେ ମହିଳାଙ୍କୁ ଠାଣେ ପୋଲିସ ରବିବାର ସାରେ ଗିରଫ କରିଛି। ମହାରାଷ୍ଟ୍ରର ଠାଣେ ଅଞ୍ଚଳସ୍ଥିତ ଏକ ନ୍ୟୁଜ୍‌ ଚାନେଲର ଖବରଦାତା ତଥା ସୂଚନାଧିକାର କର୍ମୀ ଚାରୁଶିଳା ଆର୍‌ଟିଆଇର ଭୟ ଦେଖାଇ ଜଣେ ବିଲ୍‌ଡରଙ୍କଠାରୁ ୫୦ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ସେ ତାଙ୍କ ନାମରେ କଲ୍ୟାଣ-ଡୋମ୍ବିଭ୍ଲି ମ୍ୟୁନିସିପାଲ କର୍ପୋରେସନରେ କରିଥିବା ଅଭିଯୋଗ ଆଧାରରେ ସେ ନିର୍ମାଣ କରିଥିବା କୋଠା ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ବିଲ୍‌ଡର ଜଣକ ଗତ ୩ ତାରିଖରେ ଚାରୁଶିଳାଙ୍କୁ ୨ଲକ୍ଷ ଟଙ୍କା ଦେଇଥିଲେ। ଏ ସମ୍ପର୍କରେ ପୋଲିସରେ ମଧ୍ୟ ଅଭିଯୋଗ କରିିଥିଲେ। ରବିବାର ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଉ ୫ଲକ୍ଷ ଟଙ୍କା ଦିଆଯିବା ବେଳେ ପୋଲିସ ଚାରୁଶିଳାଙ୍କୁ ଗିରଫ କରିଛି। ତାଙ୍କ ନାମରେ ଅର୍ଥଶୋଷଣ ଅଭିଯୋଗରେ ଆଇପିସିର ଦଫା ୩୮୪ ଲଗାଯାଇଛି।