
ଜୟପୁର/ବମ୍ବେ/ନୂଆଦିଲ୍ଲୀ:ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ବିରୋଧୀ ବିକ୍ଷୋଭ ଜଟିଳ ରୂପ ଧାରଣ କରିବାରେ ଲାଗିଥିବା ବେଳେ ଫିଲ୍ମ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଶୁକ୍ରବାର କର୍ନୀ ସେନାର ସଦସ୍ୟମାନେ ରାଣୀ ପଦ୍ମାବତୀଙ୍କ ରାଜଉଆସ ଚିତ୍ତୋରଗଡ଼ର ଦୁର୍ଗରେ ମାର୍ଗ ଅବରୋଧ କରିଛନ୍ତି। ଏହି ବିଶ୍ୱ ଐତିହ୍ୟସ୍ଥଳୀ ସରକାରୀ ଭାବେ ବନ୍ଦ ହୋଇନାହିଁ ବୋଲି ଚିତ୍ତୋରଗଡ଼ ଏସ୍ପି ପ୍ରସନ କୁମାର ଖାମ୍ଶେରା ପ୍ରକାଶ କରିଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ, ଆନ୍ଦୋଳନକାରୀ ଦୁର୍ଗ ପ୍ରବେଶପଥକୁ ଅବରୋଧ କରି ରଖିଥିବା ଖବର ମିଳିଛି। ସେମାନେ ପର୍ଯ୍ୟଟକଙ୍କୁ ଭିତରକୁ ଛାଡ଼ୁନାହାନ୍ତି। ସ୍ଥିତିର ମୁକାବିଲା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସର୍ବ ସମାଜ ସଙ୍ଗଠନ ଏବଂ ଜୌହର୍ ସମ୍ରିତି ସଂସ୍ଥାନର ସଭାପତି ଉମ୍ମିଦ୍ ସିଂ କହିଛନ୍ତି ଯେ, ‘ପଦ୍ମାବତୀ’ ଉପରେ କଟକଣା ଦାବି ନେଇ ଗତ ୮ ଦିନ ହେଲା ପଦନ୍ପୋଲ ନିକଟରେ ଧାରଣା ଚାଲିଥିଲା। ଶୁକ୍ରବାର ଚିତ୍ତୋରଗଡ଼ ଦୁର୍ଗ ପ୍ରବେଶପଥ ବନ୍ଦ କରି ଦିଆଯାଇଛି। ରାଜସ୍ଥାନ ପର୍ଯ୍ୟଟନ ବିକାଶ କର୍ପୋରେସନ (ଆର୍ଟିଡିସି)ର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ବୋରାଡ୍ ବିରୋଧ ପ୍ରଦର୍ଶନ କାରଣରୁ ଲକ୍ଜ୍ୟୁରି ଟ୍ରେନ୍ ଚଳାଚଳରେ କୌଣସି ପରିବତ୍ତର୍ନ କରାଯାଇ ନ ଥିବା ସୂଚନା ଦେଇଛନ୍ତି। ଚିତ୍ତୋରଗଡ଼କୁ ପୂର୍ବଭଳି ଏହା ଚାଲିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚରେ ଚିତ୍ତୋରଗଡ଼ ଦୁର୍ଗରେ ‘ପଦ୍ମାବତୀ’ ଶୁଟିଂ ଚାଲିଥିବାବେଳେ ଫିଲ୍ମରେ ଭୁଲ ତଥ୍ୟ ବର୍ଣ୍ଣନା କରାଯାଉଥିବା ଅଭିଯୋଗ ଆଣି କର୍ନୀ ସେନାର ସଦସ୍ୟମାନେ ଶୁଟିଂ ସେଟ୍ରେ ପୋଡ଼ାଜଳା କରିଥିଲେ। ବିରୋଧ ହେଲେ ସୁଦ୍ଧା ଡିସେମ୍ବର ୧ରେ ଫିଲ୍ମ ରିଲିଜକୁ କେହି ଅଟକାଇ ପାରିବେ ନାହିଁ ବୋଲି ଅଭିନେତ୍ରୀ ଦୀପିକା ପାଦୁକୋନ ଦୃଢ଼ୋକ୍ତି ପ୍ରକାଶ କରିବା ପରେ କର୍ନୀ ସେନା ସଭାପତି ଲୋକେନ୍ଦ୍ର ସିଂ କଲ୍ଭି ଶୁକ୍ରବାର ଅଭିନେତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦୀପିକା ଦେଶର ରାଷ୍ଟ୍ରପତି ନୁହନ୍ତି ଯେ ନିର୍ଦ୍ଦେଶନାମାକୁ ଅଣଦେଖା କରିବେ ବୋଲି କଲ୍ଭି କହିଛନ୍ତି। ଇତିମଧ୍ୟରେ ‘ପଦ୍ମାବତୀ’ ଫିଲ୍ମ ରିଲିଜ୍ ତାରିଖ ଡିସେମ୍ବର ୧ରୁ ଜାନୁୟାରୀ ୧୨କୁ ଘୁଞ୍ଚାଇ ଦେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଚଳଚ୍ଚିତ୍ର ନିର୍ମାତାମାନେ ଏଭଳି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ରାଜନୈତିକ ଚାପରେ ବଶବର୍ତ୍ତୀ ହୋଇ ନିର୍ମାତାମାନେ ଏଭଳି କରିଥିବା ପ୍ରକାଶ ପାଇଥିଲା। କିନ୍ତୁ ଭାଇକମ୍ ୧୮ ମୋଶନ୍ ପିକ୍ଚର୍ସର ମୁଖ୍ୟ ପରିଚାଳନା ଅଧିକାରୀ ଅଜିତ୍ ଅନ୍ଧାରେ ଏହା ଏକ ଗୁଜବ ବୋଲି କହିଛନ୍ତି। ଏ ନେଇ ସେ ଟୁଇଟର୍ରେ ବିବୃତି ମଧ୍ୟ ଜାରି କରିଛନ୍ତି। ସେପଟେ ‘ପଦ୍ମାବତୀ’ ବିରୋଧକାରୀଙ୍କୁ ସତର୍କବାଣୀ ଶୁଣାଇଛି ବମ୍ବେ ପୋଲିସ। ଫିଲ୍ମକୁ ବିରୋଧ ବେଳେ ବ୍ୟକ୍ତିବିଶେଷ କିମ୍ବା ସଙ୍ଗଠନ ଆଇନକୁ ହାତମୁଠାରେ ନ ନେବା ଲାଗି ବମ୍ବେ ପୋଲିସ ପକ୍ଷରୁ ସତର୍କ କରାଯାଇଛି। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ବମ୍ବେ ପୋଲିସର ଯୁଗ୍ମ କମିଶନର (ଆଇନ ଶୃଙ୍ଖଳା) ଦେବେନ୍ ଭାରତୀ ପ୍ରକାଶ କରିଛନ୍ତି। ଧମକ ପାଇଥିବା ଫିଲ୍ମରେ ସମ୍ପୃକ୍ତ ପ୍ରତିଟି ବ୍ୟକ୍ତିବିଶେଷଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଥିବା ସେ କହିଛନ୍ତି। ସେପଟେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫ୍ସି ବା ସେନ୍ସର ବୋର୍ଡ) ‘ପଦ୍ମାବତୀ’ ଫିଲ୍ମକୁ ଶୁକ୍ରବାର ନିର୍ମାତାଙ୍କୁ ଫେରାଇ ଦେଇଥିବା ଜଣାପଡ଼ିଛି। ଟେକ୍ନିକାଲ୍ କାରଣରୁ ଏଭଳି କରାଯାଇଥିବା ଜଣାପଡ଼ିଛି। ଟେକ୍ନିକାଲ୍ ଜଟିଳତାର ସମାଧାନ ପରେ ଏହାକୁ ପୁଣିଥରେ ସିବିଏଫ୍ସିକୁ ପଠାଯିବା। ପରେ ଫିଲ୍ମକୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ତର୍ଜମା କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ। ‘ପଦ୍ମାବତୀ’କୁ ବିରୋଧ କରି ଶୁକ୍ରବାର ସୁପ୍ରିମକୋର୍ଟରେ ପୁଣି ଏକ ଆବେଦନ ହୋଇଛି। ବିବାଦୀୟ ତଥ୍ୟ ବର୍ଣ୍ଣନା କରିଥିବା ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏତଲା ଦାଏର ନିର୍ଦ୍ଦେଶ ଦେବାକୁ ଏଥିରେ ଗୁହାରି ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମାମଲା ଶୁଣାଣି କରିବା ଲାଗି ରାଜି ହୋଇଛନ୍ତି। କିନ୍ତୁ ତ୍ୱରିତ ଶୁଣାଣି କରିବା ଲାଗି ମନା କରି ଦେଇଛନ୍ତି।