ସମ୍ପାଦକୀୟ |

ଆଜିର ଅର୍ଥନୀତି/ ରପ୍ତାନି ସୁଧାର

ଆଜିର ଅର୍ଥନୀତି/ ରପ୍ତାନି ସୁଧାର
ସମ୍ପ୍ରତି ବାଣିଜି୍ୟକ ନିଅଣ୍ଟ ତିନିବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପନିପରିବା ଓ ଇନ୍ଧନର ମୂଲ୍ୟ ବଢ଼ିବାରେ ଲାଗିଛି। ଫଳରେ ପାଇକାରୀ ସ୍ତର ମୁଦ୍ରାସ୍ଫୀତି ଗତ ଛଅମାସର ସର୍ବୋଚ୍ଚ ସ୍ତର ୩.୫୯ ପ୍ରତିଶତରେ ପହଞ୍ଚିଛି। ଅକ୍ଟୋବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୪.୩୦ ପ୍ରତିଶତ ଅର୍ଥାତ୍‌ ଦୁଇଗୁଣରୁ ଅଧିକ ହୋଇଥିଲା। ପିଆଜ କ୍ଷେତ୍ରରେ ଏହି ସ୍ଫୀତି ଆକାଶଛୁଅଁା ଭାବେ ୧୨୭ ପ୍ରତିଶତରୁ ଅଧିକ ହୋଇଥିବା ବେଳେ ଇନ୍ଧନ ଓ ଶକ୍ତି କ୍ଷେତ୍ରର ମୂଲ୍ୟବୃଦ୍ଧି ୧୦.୫ ପ୍ରତିଶତରେ ପହଞ୍ଚିଥିଲା। ଅଶୋଧିତ ତୈଳ ମୂଲ୍ୟବୃଦ୍ଧି ସହ ତାଳ ଦେଇ ପେଟ୍ରୋଲ ଓ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧିପାଇବା ଯୋଗୁ ଗତ ତିନିମାସ ହେଲା ଇନ୍ଧନ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। ଅକ୍ଟୋବର ମାସରେ ଖୁଚୁରା ବଜାର ମୁଦ୍ରାସ୍ଫୀତି ଗତ ସାତମାସର ସର୍ବୋଚ୍ଚ ସ୍ତର ୩.୫୮%ରେ ପହଞ୍ଚିଥିଲା। ସେପ୍ଟେମ୍ବର ମାସରେ ଶିଳ୍ପ ଉତ୍ପାଦନ ମାତ୍ର ୩.୫୮% ବୃଦ୍ଧି ପାଇଥିଲାବେଳେ ଗୃହୋପକରଣାଦି (consumer durables)ର ଉତ୍ପାଦନ ହ୍ରାସ ପାଇଥିଲା। ତେବେ ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଉଛି ବାଣିଜି୍ୟକ ନିଅଣ୍ଟ ହାର ଗତ ତିନିବର୍ଷ ଭିତରେ ସର୍ବାଧିକ ସ୍ତରକୁ ଛୁଇଁବା। ଏହା ରପ୍ତାନି ସଙ୍କୋଚନ ଯୋଗୁ ହୋଇଛି। ସରକାରୀ ତଥ୍ୟ ଅନୁସାରେ ଅକ୍ଟୋବର ମାସରେ ୧.୧୨ ପ୍ରତିଶତ ଅର୍ଥାତ୍‌ ୨୩ ଶହ କୋଟି ଡଲାରରେ ପହଞ୍ଚିଛି, ଯାହାକି ସେପ୍ଟେମ୍ବର ମାସରେ ୬ ମାସର ସର୍ବୋଚ୍ଚ ସ୍ତରରେ ଥିଲା। ମନ୍ଥର ଉତ୍ପାଦନ ଯୋଗୁ ତନ୍ତୁବାୟ, ଔଷଧ, ଚମଡ଼ା, ରତ୍ନପଥର ଓ ଅଳଙ୍କାର ଆଦିର ରପ୍ତାନି ହ୍ରାସ ପାଇଛି। ଅପରପକ୍ଷେ ଆମଦାନି ୭.୬ ପ୍ରତିଶତ ଅର୍ଥାତ୍‌ ଗତବର୍ଷର ୩୪.୫ ଶହ ଡଲାରରୁ ୩୭.୧୧ ଶହ କୋଟି ଡଲାରକୁ ବୃଦ୍ଧିପାଇଛି। ବାଣିଜି୍ୟକ ନିଅଣ୍ଟ ପରିମାଣ ଗତବର୍ଷ ଅକ୍ଟୋବର ମାସରେ ୧୧.୧୩ ଶହ କୋଟି ଡଲାର ଥିବା ବେଳେ ଚଳିତବର୍ଷ ଅକ୍ଟୋବର ମାସରେ ତାହା ୧୪ ଶହ କୋଟି ଡଲାରକୁ ବୃଦ୍ଧିପାଇଛି। ବିମୁଦ୍ରୀକରଣ ଏବଂ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଲାଗୁ କରାଯିବା ଯୋଗୁ ଶୈଳ୍ପିକ କାର୍ଯ୍ୟକଳାପ ତଥା ଖାଉଟିଙ୍କ ଉପଭୋଗ ହ୍ରାସ ପାଇ ଅନିଶ୍ଚିିତତା ମଧ୍ୟକୁ ଠେଲିହୋଇ ଯାଇଛି। ପ୍ରାୟ ସମସ୍ତ ବୃହତ୍‌ ଅର୍ଥନୈତିକ ସୂଚକ ପ୍ରତିକୂଳାତ୍ମକ ହୋଇଯାଇଛି। ବଣିକ ଓ କ୍ଷୁଦ୍ର ବେପାରୀମାନେ ସମ୍ପୂର୍ଣ୍ଣଭାବେ ଜିଏସ୍‌ଟିକୁ ଆପଣାଇ ପାରିନାହାନ୍ତି କାରଣ ଏହି ପରୋକ୍ଷ କରରେ ଅନେକ ଅସ୍ପଷ୍ଟତା ରହିଛି। ଜିଏସ୍‌ଟି କାଉନ୍‌ସିଲ ଯେଉଁସବୁ ନିଷ୍ପତ୍ତି ନେଇଛି, ତାହା ତତ୍‌କ୍ଷଣାତ୍‌ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଦୈନନ୍ଦିନ ସମସ୍ୟା ବୃଦ୍ଧି ପାଇଚାଲିଛି। ଅତି ନିକଟରେ ଜିଏଟି କାଉନ୍‌ସିଲ କେତେକ ଜିନିଷ ଉପରେ ଜିଏସ୍‌ଟି ହାରକୁ ୨୮ରୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ ମଧ୍ୟ ନୂତନ ଟିକସ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ପାଇଁ ଏହା ଯଥେଷ୍ଟ ନୁହେଁ। ଜିଏସ୍‌ଟିକୁ ଲୋକପ୍ରିୟ କରାଇବାରେ ସଚେତନତାର ଅଭାବ ଏକ ପ୍ରତିବନ୍ଧକ। ଜିଏସ୍‌ଟି ନେଇ ଲୋକଙ୍କ ମନରେ ଅନେକ ସଂଶୟ ରହୁଥିବାରୁ ଅନେକ ବେପାରୀ ସାଧାରଣ ସରଳବିଶ୍ୱାସୀ ଲୋକଙ୍କୁ ବୋକା ବନାଇ ଫାଇଦା ଉଠାଉଛନ୍ତି। ସରକାର ପ୍ରତ୍ୟେକ ରାଜ୍ୟରେ ଏକ ଜିଏସ୍‌ଟି ଆପେଲେଟ୍‌ ଅଥରିଟି (ଅପିଲ ଗ୍ରହଣକାରୀ କର୍ତ୍ତୃପକ୍ଷ) ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ରାପ୍ତାନିକାରୀମାନଙ୍କର ଚଳନ୍ତି ପୁଞ୍ଜି ହ୍ରାସ ପାଇବା ରପ୍ତାନି ହ୍ରାସର ଅନ୍ୟତମ କାରଣ ହୋଇପାରେ। ଗତବର୍ଷ ନଭେମ୍ବର ମାସରେ ଘଟିଥିବା ବିମୁଦ୍ରୀକରଣ ଶ୍ରମ-ବହୁଳ ଶିଳ୍ପ ଯଥା ରତ୍ନପଥର ଓ ଅଳଙ୍କାର, ରେଡିମେଡ୍‌ ପୋଷାକ, ଗାଲିଚା, ହସ୍ତଶିଳ୍ପ, ହାତକଟା ସୂତା ଓ ଚମଡ଼ା ତିଆରି ସାମଗ୍ରୀ ଉପରେ ଗଭୀର ପ୍ରଭାବ ପକାଇଛି। ବିମୁଦ୍ରୀକରଣ ପରେ ପରେ ରପ୍ତାନି-ଭିତ୍ତିକ ଶିଳ୍ପସମୃଦ୍ଧ ଅନେକ ସହର ଯଥା ସୁରତ, ଅହମଦାବାଦ, ବଡ଼ୋଦରା, କାନପୁର, ମାଡ୍ରାସ ଓ ଠାଣେ ପ୍ରଭୃତିରୁ ବହୁସଂଖ୍ୟକ ଶ୍ରମିକ ଛଟେଇର ଶିକାର ହୋଇ ନିଜ ନିଜର ଘରକୁ ଫେରିଥିବା ଦେଖାଯାଇଥିଲା। ବୈଧ ନୋଟ୍‌ଗୁଡ଼ିକୁ ଅଚଳ କରିଦିଆଯିବା ଫଳରେ ଲୋକଙ୍କ ପାଖରେ ଜିନିଷ କିଣିବା ପାଇଁ ଟଙ୍କାର ଅଭାବ ଦେଖାଦେଲା। ଫଳରେ ଜିନିଷର ଚାହିଦା ନ ରହିବାରୁ ଉତ୍ପାଦନ ହ୍ରାସ ବା ବନ୍ଦ କରିବାକୁ ଏବଂ ଶ୍ରମିକ ଓ କର୍ମଚାରୀମାନଙ୍କୁ ଛଟେଇ କରିବାକୁ କମ୍ପାନୀମାନେ ବାଧ୍ୟହେଲେ। ଏସବୁ ରପ୍ତାନି ଉପରେ ପ୍ରତିକୂଳ ପ୍ରଭାବ ପକାଇଲା। ବିଶ୍ୱ ବଜାରରେ ଚାହିଦା କମି ନ ଥିଲେ ମଧ୍ୟ ଆଭ୍ୟନ୍ତରୀଣ କାରଣ ଯୋଗୁ ରପ୍ତାନି ହ୍ରାସ ପାଇଲା। ବିଶେଷତଃ ମଧ୍ୟମ ଓ କ୍ଷୁଦ୍ର ରପ୍ତାନିକାରୀମାନେ ବିନା ରିଫଣ୍ଡ୍‌ରେ ଚାରିମାସ ପାଇଁ ଜିଏସ୍‌ଟି ଭରିବା ଲାଗି ଅର୍ଥାଭାବର ସମ୍ମୁଖୀନ ହେଲେ। ତେବେ ବର୍ତ୍ତମାନ ଜିଏସ୍‌ଟି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ କରାଯାଇଛି, ତାହା ରପ୍ତାନିକାରୀମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଏ। ରପ୍ତାନି ଯେପରି ଆହୁରି ହ୍ରାସ ନ ପାଏ, ସେ ଦିଗରେ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର। ନ ହେଲେ ଚଳିତ ମାସରେ ସ୍ଥିତି ଆହୁରି ଖରାପ ହୋଇଯିବ। ବାଣିଜି୍ୟକ ନିଅଣ୍ଟ ଦୀର୍ଘଦିନ ଧରି ଲାଗିରହିଲେ ଅନ୍ୟ ବୃହତ୍‌ ଅର୍ଥନୈତିକ ମାନଦଣ୍ଡ ଯଥା ଚଳନ୍ତି ଖାତା ନିଅଣ୍ଟ ଓ ବିତ୍ତୀୟ ନିଅଣ୍ଟ ଆଦି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଜିଏସ୍‌ଟି କାଉନ୍‌ସିଲ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ। ବିଶ୍ୱ ଅର୍ଥନୀତି ବିଶେଷତଃ ଆମେରିକା ଓ ୟୁରୋପର ଅର୍ଥନୀତି ଏବେ ସୁଧୁରିବାର ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ଅଛି। ଏ ସୁଯୋଗର ଫାଇଦା ଉଠାଇ ଆମେ ସେହି ସବୁ ଦେଶକୁ ରପ୍ତାନି ବୃଦ୍ଧିକରିବା ଆବଶ୍ୟକ। ଏସୀୟ ଦେଶଗୁଡ଼ିକୁ ବି କିପରି ରପ୍ତାନି ବୃଦ୍ଧି ପାଇବ ସେ ଦିଗରେ ପଦକ୍ଷେପ ନିଆଯିବା ଦରକାର। କିନ୍ତୁ ଏହାର ଫାଇଦା ନେବାକୁ ହେଲେ ଜିଏସ୍‌ଟି ନିୟମାବଳୀରେ, ବିଶେଷତଃ ନୂତନ ଆକାଉଣ୍ଟିଂ ପଦ୍ଧତିରେ ଯେଉଁସବୁ ତ୍ରୁଟି ରହିଛି, ସରକାର ତୁରନ୍ତ ତାହାକୁ ସୁଧାରିନେବା ଉଚିତ।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଟିକା ଦେଇ ଶୋଷଣ

ସମ୍ପାଦକୀୟ/ ଟିକା ଦେଇ ଶୋଷଣ

ଜନସଂଖ୍ୟାବହୁଳ ଭାରତରେ ବଢ଼ି ଚାଲିଥିବା ରୋଗୀଙ୍କ ସଂଖ୍ୟାକୁ ଦେଖି ଔଷଧ ନିର୍ମାତାମାନେ ଏହାର ଫାଇଦା ଉଠାଇ ଚାଲିଛନ୍ତି। ଖୁବ୍‌ କମ ଦାମ୍‌ର ଔଷଧରେ ଯେତେବେଳେ ନାମକରା କମ୍ପାନୀଗୁଡ଼ିକର ଷ୍ଟାମ୍ପ୍‌ ବାଜିଯାଉଛି, ସେତେବେଳେ ମୂଲ୍ୟ ବହୁଗୁଣ ହୋଇଯାଉଛି। ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫାର୍ମା କମ୍ପାନୀଗୁଡ଼ିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ର ଭାକ୍‌ସିନ୍‌ ଲେଖିବା ପାଇଁ ଡାକ୍ତର ଓ ହସ୍ପିଟାଲ...

ବିପଦକୁ ଅବହେଳାରୁ ବିପତ୍ତି

ବିପଦକୁ ଅବହେଳାରୁ ବିପତ୍ତି

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

‘ତିତ୍‌ଲି’ ଭଳି ବାତ୍ୟାରେ, ଅମୃତସରରେ ରେଳଗାଡ଼ି ମାଡ଼ିଯିବା ଭଳି ଘଟଣାରେ ବା ଅନ୍ୟାନ୍ୟ ଘଟଣା ଦୁର୍ଘଟଣାରେ ହେଉଥିବା ଅକାଳ ମୃତ୍ୟୁଜନିତ କ୍ଷୟକ୍ଷତିକୁ ଅନେକ ମାତ୍ରାରେ କମ୍‌ କରାଯାଇପାରିଥାନ୍ତା ବା ସମ୍ପୂର୍ଣ୍ଣ ଭାବେ ଏଡାଯାଇ ପାରିଥାନ୍ତା, ଯଦି ସମ୍ଭାବ୍ୟ ‘ବିପଦ’କୁ ବ୍ୟକ୍ତିଗତ, ସାମୂହିକ ଓ ସରକାରୀ ସ୍ତରରେ ସଜ୍ଞାନରେ ରଖାଯାଇଥାନ୍ତା। ଏପରି ହୋଇଥିଲେ ତିତ୍‌ଲି ଓ ଅମୃତସରରେ ଜଣଙ୍କର ବି ମୃତ୍ୟୁ ହୋଇ ନ ଥାନ୍ତା। ସମ୍ଭାବ୍ୟ ବିପଦକୁ ଅଣଦେଖା ହିଁ ଏକ ସାଧାରଣ ବିପଦକୁ ଅସାଧାରଣ ବିପର୍ଯ୍ୟୟରେ ପରିଣତ କରିଦିଏ। ତିତ୍‌ଲିି ଓ ଅମୃତସର ଦୁର୍ଘଟଣା ତାହାର ସଦ୍ୟତମ ଉଦାହରଣ। ପ୍ରଥମେ ତିତ୍‌ଲିର ଉଦାହରଣ ନେବା। ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ। ...

ଗଣମାନସର କବି

ଗଣମାନସର କବି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

୧୮୮୨ ମସିହା କୁମାରପୂର୍ଣ୍ଣିମା ଦିନ ମାହାଙ୍ଗା ସନ୍ନିକଟ କୋଠପଦା ଗ୍ରାମର ଏକ  ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ଓଡ଼ିଆ ଗଣମାନସର କବି ବୈଷ୍ଣବ ପାଣି। ଦାରିଦ୍ର୍ୟ ହେତୁ ଚୁଲିମୁଣ୍ଡରେ ଏବଂ ବେଳେ ବେଳେ ଜୁଳୁଜୁଳିଆ ପୋକ ସାହାଯ୍ୟରେ ଏହି ଯୋଗଜନ୍ମା କବିଙ୍କୁ ବିଦ୍ୟାଧ୍ୟୟନ କରିବାକୁ ପଡ଼ିଛି। ଦାରିଦ୍ର୍ୟ ତାଙ୍କୁ ଉଚ୍ଚଶିକ୍ଷା ସୁଯୋଗ ଦେଇନାହିଁ। ଷଷ୍ଠଶ୍ରେଣୀରେ ତାଙ୍କ ବିଦ୍ୟାଶିକ୍ଷାର ହୋଇଛି ଆନୁଷ୍ଠାନିକ ପରିସମାପ୍ତି। ପରେ ମାସକୁ ୪ଟଙ୍କା ବେତନରେ ଦୁଇ ମାସ ପାଇଁ ମାଳୀହତା ଗ୍ରାମରେ ସେ ପ୍ରଥମେ ହେଲେ ଯାତ୍ରା ଓସ୍ତାଦ୍‌...

ଏଇ ଭାରତରେ

ଏଇ ଭାରତରେ

ଆଗକୁ ଦୀପାବଳି। ଏହା ହେଉଛି ଆଲୋକର ପର୍ବ। ଏହି ପର୍ବରେ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ଜଳାଇ ଏବଂ ବାଣ ଫୁଟାଯାଇ ଖୁସି ମନାଯାଏ। କିନ୍ତୁ ବିଭିନ୍ନ ପ୍ରକାର ବାଣ ଫୁଟିବା ଦ୍ୱାରା ବାୟୁ ପ୍ରଦୂଷଣ ହୁଏ। ଦୀପାବଳି ଋତୁରେ ପ୍ରଚୁର ବାଣ ଫୁଟାଇବା ଯୋଗୁ ଶବ୍ଦ ପ୍ରଦୂଷଣ ମଧ୍ୟ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ବାୟୁମଣ୍ଡଳରେ ସଲ୍‌ଫର ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସାଇଡ୍‌ ଏବଂ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ ...

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...