ମେଟ୍ରୋ |

ବାରବାଟୀ-କଟକ ବିଧାନସଭା ଆସନ : ଯାଦବ, ସଂଖ୍ୟାଲଘୁ ଭୋଟକୁ ନେଇ ତର୍ଜମା

ବାରବାଟୀ-କଟକ ବିଧାନସଭା ଆସନ :  ଯାଦବ, ସଂଖ୍ୟାଲଘୁ ଭୋଟକୁ ନେଇ ତର୍ଜମା

କଟକ ଅଫିସ, ୧୫।୪ : ଏପ୍ରିଲ ୨୩ ତାରିଖରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ଆଉ ଅଳ୍ପଦିନ ଥିବାରୁ ପ୍ରାର୍ଥୀମାନେ ଦିନରାତି ଏକାକାର କରିଦେଇଛନ୍ତି। ଚଳିତ ନିର୍ବାଚନରେ ଏହି ଆସନରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ହେଲେ ଲଢେଇ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ବାରବାଟୀ-କଟକ ଆସନରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୭ହଜାର ୭୭୭। ସେଥିରୁ ଯାଦବ ଭୋଟରଙ୍କ ସଂଖ୍ୟା ପାଖାପାଖି ୨୨ହଜାର ଥିବାବେଳେ ମୁସ୍‌ଲିମ୍‌ ଭୋଟରଙ୍କ ସଂଖ୍ୟା ପ୍ରାୟ ୩୬ହଜାର ରହିଛି। ଏଣୁ ଯାଦବ ଓ ସଂଖ୍ୟାଲଘୁ ଭୋଟକୁ ନେଇ ଏବେ ତର୍ଜମା ଚାଲିଛି।

୨୦୧୪ରେ ଯାଦବ ନେତା ଆଶୀର୍ବାଦ ବେହେରା ବିଜେଡି ସପକ୍ଷରେ ପ୍ରଚାର କରିଥିବାବେଳେ ଚଳିତଥର ମଧ୍ୟ ବିଜେଡିକୁ ସମର୍ଥନ ଦେବେ ବୋଲି ଖୋଲାଖୋଲି ଭାବେ କହିଛନ୍ତି। ସୂଚନାଥାଉକି, ଆଶୀର୍ବାଦଙ୍କୁ ନେଇ ବାରବାଟୀ-କଟକରେ ନୂଆ ସମୀକରଣ ସୃଷ୍ଟିହେବ ବୋଲି ଆକଳନ କରାଯାଉଥିଲା। କାରଣ ଆଶୀର୍ବାଦ ଏଠାରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଟିକେଟ ଦୌଡ଼ରେ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ବିଜେଡି ଦେବାଶିଷଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଆଶୀର୍ବାଦଙ୍କ ପରବର୍ତ୍ତୀ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ଆଶୀର୍ବାଦଙ୍କୁ ମନାଇବାରେ ବିଜେଡି ନେତୃତ୍ୱ ସଫଳ ହୋଇଛନ୍ତି। ମାତ୍ର ଯାଦବ ସମ୍ପ୍ରଦାୟରୁ ହେମନ୍ତ ବେହେରା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ହେମନ୍ତ କେତେ ମାତ୍ରାରେ ଯାଦବ ଭୋଟକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହେବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଜଣେ ଯାଦବ ଭୋଟର କାର୍ତ୍ତିକେଶ୍ୱର ବେହେରା କୁହନ୍ତି, କଟକକୁ ଭଲ ପାଉଥିବା ନେତାଟିଏ ଦରକାର। ଜାତି କଥା ପଛରେ। ଜାତିକୁ ନେଇ ରାଜନୀତି କଟକରେ ହୋଇନାହିଁ କି ହେବନାହିଁ। ମୌଳିକ ସମସ୍ୟାକୁ ଦୂର କରିପାରିବା ଭଳି ସାହସ ଥିବା ନେତାକୁ କଟକବାସୀ ବାଛିବେ। ଆଉ ବାହୁସ୍ଫୋଟ କଥା ଓ ଟଙ୍କାର ବଳ କାମ ଦେବ ନାହିଁ ବୋଲି କାର୍ତ୍ତିକେଶ୍ୱର କହିଛନ୍ତି।

 ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଏବେ ମହମ୍ମଦ ମୋକିମ ଓ ସେକ୍‌ ମୁନ୍ତାକିମ ବକ୍ସ ପ୍ରାର୍ଥୀ ହୋଇଛନ୍ତି। ୨୦୧୪ ଫଳାଫଳ ଅନୁଯାୟୀ ମୁସ୍‌ଲିମ୍‌ବହୁଳ ବୁଥ୍‌ଗୁଡ଼ିକରୁ ବିଜେଡି ୧୨ହଜାର ଭୋଟ ପାଇଥିବା ବେଳେ କଂଗ୍ରେସ ୧୬ହଜାର ଭୋଟ ପାଇଥିଲା। ଏବେ ନିର୍ବାଚନୀ ମଇଦାନରେ ୨ ଜଣ ମୁସ୍‌ଲିମ ପ୍ରାର୍ଥୀ ଅଛନ୍ତି ତେଣୁ ଏହି ଭୋଟ ଭାଗ ହେବାର ଆଶଙ୍କା ରହିଛି। ମାତ୍ର ମୁସ୍‌ଲିମ୍‌ ସମ୍ପ୍ରଦାୟର ଅଧିକାଂଶ ନେତା ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ସେମାନଙ୍କ ମଧ୍ୟରେ ମହମ୍ମଦ ଶକିଲ, ସେକ୍‌ କମରୁଦ୍ଦିନ, ଏକ୍ରାମ ହୁସେନ, ଡ. ମହମ୍ମଦ ଆୟୁବ, ରମଜାନ ଖଁା ଓ ଆଡଭୋକେଟ ସେକ୍‌ ଶରିଫ ପ୍ରମୁଖ ରହିଛନ୍ତି। ମୁସ୍‌ଲିମ୍‌ ଭୋଟ ଯଦି ଧ୍ରୁବୀକରଣ ହୁଏ ତେବେ ତାହା ବିଜେଡି କିମ୍ବା କଂଗ୍ରେସ ମଧ୍ୟରୁ କାହାକୁ ଫାଇଦା ଦେବ ସେ ନେଇ ରାଜନୈତିକ ସମୀକ୍ଷକମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁନାହାନ୍ତି।


ଏନେଇ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କ କହିବାନୁଯାୟୀ, ଜାତିକୁ ନେଇ କଟକରେ ଭୋଟ ହୁଏ ନାହିଁ। ଏଠାରେ ଅନେକ ସମସ୍ୟା ରହିଛି, ଯାହାକୁ ଲୋକେ ରାତିପାହିଲେ ସାମ୍ନା କରୁଛନ୍ତି। ଅସରାଏ ବର୍ଷାରେ ଲୋକଙ୍କ ଚୁଲିରେ ପାଣି ପଶୁଛି। ସହରକୁ ଜଳବନ୍ଦୀରୁ ମୁକ୍ତ କରିବା, ମଶାଙ୍କ କବଳରୁ ସହରକୁ ମୁକ୍ତକରିବା, ଟ୍ରାଫିକ ସମସ୍ୟା ଦୂର କରିବା ଆଦି ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ପାଖକୁ ଯାଉଛନ୍ତି। ଲୋକେ ଏହିସବୁ ପ୍ରସଙ୍ଗକୁ ଗ୍ରହଣ କରୁଥିବା ସେ ହୃଦୟଙ୍ଗମ କରୁଛନ୍ତି। କଟକବାସୀ ଅତୀତରେ ବିଜେଡି ଓ ଭାଜପାକୁ ବହୁବାର ଭୋଟ ଦେଇ ପ୍ରତାରଣାର ଶିକାର ହୋଇଛନ୍ତି। ତେଣୁ କଂଗ୍ରେସକୁ ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଥିବା ଦେଖିବାକୁ ପାଉଛନ୍ତି ବୋଲି ମୋକିମ କହିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀ ମୁନ୍ତାକିମ୍‌ ବକ୍ସ କୁହନ୍ତି, ସହରବାସୀଙ୍କୁ ନାଳନର୍ଦ୍ଦମାରେ ବୁଡ଼ାଇ ରଖିଥିବା ଲୋକେ ପ୍ରାର୍ଥୀ ହୋଇ ଭୋଟ ମାଗୁଛନ୍ତି। ସବୁ ସମ୍ପ୍ରଦାୟର ଲୋକେ ତାଙ୍କୁ ଭୋଟ ଦେବେ ବୋଲି ମୁନ୍ତାକିମ୍‌ ଆଶାବାଦୀ ଥିବା କହିଛନ୍ତି। ସେହିପରି ଜଣେ ମହମ୍ମଦ ସାହିଦ କୁହନ୍ତି ଯେ, ଜାତିକୁ ଦେଖି ଲୋକ ଭୋଟ ଦେବେନି। ଯିଏ ସତରେ ଲୋକଙ୍କ ପାଇଁ କାମ କରିଛି ସାଧାରଣ ଲୋକ ତାକୁ ହିଁ ଭୋଟ ଦେବେ। ମଣିଷପଣିଆ ରହୁଥିବା ନେତାଙ୍କୁ ଏଥର କଟକବାସୀ ବାଛିବେ ବୋଲି ତାଙ୍କର ଆଶା। ନାଳନର୍ଦ୍ଦମା, ମଶା ସମସ୍ୟାରେ ଘାଣ୍ଟି ହେଉଥିବା କଟକିଆ ଭୁଲ ବିଚାର କଲେ ଏଥିରେ ଆହୁରି ୫ ବର୍ଷ ଘାଣ୍ଟି ହେବେ ବୋଲି ସାହିଦ୍‌ କହିଛନ୍ତି।

ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ କହିବାନୁଯାୟୀ, ସବୁ ସମ୍ପ୍ରଦାୟ ବିଜେଡି ସହିତ ଅଛନ୍ତି। ନବୀନ ସରକାରଙ୍କ ସମୟରେ କଟକର ଅନେକ ବିକାଶ ହୋଇଛି। ଜାଇକା ପ୍ରକଳ୍ପଠାରୁ ଆରମ୍ଭ କରି ସହର ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଅନେକ କାର୍ଯ୍ୟ ସାଧିତ ହୋଇଛି। ନବୀନ ସରକାରର ବିକାଶକୁ ଓ ଜନକଲ୍ୟାଣକାରୀ ଯୋଜନାକୁ ନେଇ ସେ ଲୋକଙ୍କ ପାଖକୁ ଯାଉଛନ୍ତି। ଲୋକେ ତାହାକୁ ଗ୍ରହଣ କରୁଛନ୍ତି ବୋଲି ସାମନ୍ତରାୟ କହିଛନ୍ତି।