
ଗୋଧନେଶ୍ୱର ହୋତା
ଆମ ରାଜ୍ୟର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି। କୁହାଯାଏ ଆମ ଦେଶର ଆତ୍ମା ଗ୍ରାମାଞ୍ଚଳରେ ଅଛି। ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ବିନା ରାଜ୍ୟର ପ୍ରଗତି ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି ଏବଂ ତାହାକୁ କାର୍ଯ୍ୟକାରୀ କରିବା ସକାଶେ ଆଇନକାନୁନ ମଧ୍ୟ ପ୍ରଣୟନ କରିଛନ୍ତି। ତେବେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ, ଅଶିକ୍ଷା ଓ ଆଇନ ସମ୍ବନ୍ଧୀୟ ଅଜ୍ଞତା ଓ ସେବାର ଅଭାବ ଯୋଗୁ ଜନସାଧାରଣ ଏସବୁ କାର୍ଯ୍ୟକ୍ରମର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ପାଇଁ ସରକାର ପ୍ରତ୍ୟେକ ପଞ୍ଚାୟତରେ ଆଇନ ସହାୟତା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏହାଦ୍ୱାରା ଆଇନର ଶାସନ ତୃଣମୂଳ ସ୍ତରରେ ପହଞ୍ଚିପାରିବ। ପ୍ରଚଳିତ ଆଇନ ବିଷୟରେ ଅଜ୍ଞତା ଯୋଗୁ ଗ୍ରାମାଞ୍ଚଳରେ ମାଲିମକଦ୍ଦମା ଓ ଆପରାଧିକ କାର୍ଯ୍ୟକଳାପ ଅଧିକ ଦେଖିବାକୁ ମିଳିଥାଏ। ଏହି ବ୍ୟବସ୍ଥା ଲାଗୁ ହେଲେ ଗ୍ରାମାଞ୍ଚଳ ଲୋକମାନଙ୍କର ଅନେକ ଛୋଟବଡ଼ ବିବାଦର ଆପୋସ ସମାଧାନ ସେହି ଗ୍ରାମ ସ୍ତରରେ ହିଁ କରାଯାଇପାରିବ। ଗ୍ରାମାଞ୍ଚଳରେ ଆଇନ ସହାୟତା କେନ୍ଦ୍ରର ସଫଳ ରୂପାୟନ ହୋଇପାରିଲେ ଗ୍ରାମ ସ୍ବରାଜ ପ୍ରତିଷ୍ଠା ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ଆଶା କରାଯାଏ। ଏହି ବ୍ୟବସ୍ଥା ଯୋଗୁ ପ୍ରତ୍ୟେକ ଗ୍ରାମବାସୀ ନିଜର ସାମ୍ବିଧାନିକ ଅଧିକାର ଓ ଦାୟିତ୍ୱ ସମ୍ବନ୍ଧରେ ସଚେତନ ହେବା ସହିତ ସମାଜର ବିଭିନ୍ନ ସ୍ତରରେ ହେଉଥିବା ଶୋଷଣରୁ ପରିବାରକୁ ରକ୍ଷା କରିବା କ୍ଷେତ୍ରରେ ନିଜକୁ ଅସହାୟ ମନେକରିବେ ନାହିଁ। ଗ୍ରାମାଞ୍ଚଳରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ହେବାରେ ଏହା ସହାୟକ ହେବ। ଏହି ଆଇନ ସହାୟତା ପରିକଳ୍ପନାଟି ମଧୁବାବୁ ଆଇନ ସହାୟତା ଯୋଜନା ଭାବେ ବିଦିତ। ରାଜ୍ୟର ପ୍ରତି ପଞ୍ଚାୟତରେ ମଧୁବାବୁ ଆଇନ ସହାୟତା ଶିବିର ନାମରେ ଗୋଟିଏ ଲେଖାଏଁ ଆଇନ ସହାୟତା କେନ୍ଦ୍ର ଖୋଲାଯିବ ଓ ତାହା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରିବ। ସମ୍ପୃକ୍ତ ଗ୍ରାମାପଞ୍ଚାୟତଗୁଡିକ ଏଥିସକାଶେ ଆବଶ୍ୟକ ମୌଳିକ ସୁବିଧା ଯଥା ଚୌକି ଟେବୁଲ ଆଦି ଯୋଗାଇଦେବେ। ଏହା ସପ୍ତାହକୁ ଥରେ ଶନିବାର ବା ରବିବାରରେ କାର୍ଯ୍ୟ କରିବ। ଏପରି ପ୍ରତ୍ୟେକ ଶିବିରରେ ଜଣେ ଲେଖାଏଁ ଆଇନ ସହାୟକ ଓକିଲଙ୍କୁ ନିୟୋଜିତ କରାଯିବ ଓ ସେମାନେ ତାଙ୍କ ସେବା ପାଇଁ ଦିନକୁ ପାଞ୍ଚଶହ ଟଙ୍କା ଫିସ୍ ପାଇବେ। ଜିଲାର ଜିଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଓ ସମ୍ପୃକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ନେଇ ଗଠିତ ଏକ କମିଟି ସମ୍ପୃକ୍ତ ଗ୍ରାମପଞ୍ଚାୟତର ତିନି ଜଣ ଓକିଲଙ୍କ ନାମ ଆଇନ ସହାୟକ ଓକିଲ ଭାବେ ସୁପାରିସ କରିବେ। ସେହି ତାଲିକାରୁ ଆଇନ ବିଭାଗ ଜଣଙ୍କୁ ନିୟୋଜିତ କରିବେ। ତେବେ ଏହି ଓକିଲଙ୍କର ଅତି କମ୍ରେ ତିନିବର୍ଷର ଓକିଲାତି ଅଭିଜ୍ଞତା ଥିବା ଆବଶ୍ୟକ। ମହିଳା ଆଇନଜୀବୀମାନଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ସେମାନେ ସାଧାରଣତଃ ଦୁଇ ବର୍ଷ ପାଇଁ ନିଯୁକ୍ତ ହେବେ। ଆଇନ ସହାୟକ ଓକିଲଙ୍କୁ ସହାୟତା ପ୍ରଦାନ କରିବା ସକାଶେ ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ଯଦି ଗ୍ରାମ ରୋଜଗାର ସେବକ ନ ଥିବେ ତେବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଦାୟିତ୍ୱ ତୁଲାଇବେ ଓ ସେମାନଙ୍କୁ ଥରକୁ ଦେଢଶହ ଟଙ୍କା ପାରିଶ୍ରମିକ ଦିଆଯିବ। ଆଇନ ସହାୟକ ଓକିଲଙ୍କ ଯେଉଁସବୁ ମୁଖ୍ୟ କର୍ତ୍ତବ୍ୟ ସ୍ଥିର ହୋଇଛି, ସେଗୁଡିକ ହେଲା- ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଶେଷକରି ମହିଳା, ଶିଶୁ, ବରିଷ୍ଠ ନାଗରିକ, ଅନୁସୂଚିତ ଜାତି/ଜନଜାତି ଅଥବା ସାମାଜିକ ଓ ଅର୍ଥନୈତିକ ସ୍ତରରେ ପଛୁଆବର୍ଗର ଲୋକ ଏବଂ ଦୁଃଖଦୁର୍ଦ୍ଦଶାରେ ପୀଡିତ ଲୋକ ଯେଉଁମାନେ ଆଇନ ସହାୟତା ଆବଶ୍ୟକ କରୁଥିବେ, ସେମାନଙ୍କୁୁ ଆଇନ ସହାୟତା ପ୍ରଦାନ କରିବା, ଲୋକମାନଙ୍କ ସକାଶେ କ’ଣ ସବୁ ଅଧିକାର ଓ ସରକାରୀ ସୁବିଧା ରହିଛି, ତାହା ସେମାନଙ୍କୁ ବୁଝାଇବା ଓ କେଉଁ ଅଧିକାରୀ ବା କର୍ତ୍ତୃପକ୍ଷ ବା କାର୍ଯ୍ୟାଳୟରେ ସେମାନଙ୍କ ଆପତ୍ତି ଅଭିଯୋଗମାନ ସମାଧାନ ହୋଇପାରିବ ତାହା ଜଣାଇବା ତଥା ଲୋକମାନଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା। ବ୍ଲକ୍ ଉନ୍ନୟନ ଅଧିକାରୀ ଏହାର ତଦାରଖ କରିବେ। ଏତଦ୍ବ୍ୟତୀତ ଗ୍ରାମାଞ୍ଚଳକୁ ମାଲିମକଦ୍ଦମାମୁକ୍ତ ରଖି ଭ୍ରାତୃଭାବ ଓ ଶାନ୍ତି ପ୍ରତିଷ୍ଠା କରିବା ସକାଶେ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ସାମାଜିକ ସଦ୍ଭାବନା ପୁରସ୍କାରର ବ୍ୟବସ୍ଥା କରିଛନ୍ତି। ଏହି ପୁରସ୍କାର ପ୍ରତିବର୍ଷ ପ୍ରତି ଜିଲାର ଦୁଇଟି ରାଜସ୍ବ ଗ୍ରାମକୁ ପ୍ରଦାନ କରାଯିବ, ଯେଉଁ ଗ୍ରାମରେ ଗ୍ରାମବାସୀମାନଙ୍କ ନିଜ ନିଜ ମଧ୍ୟରେ କୌଣସି ଦଓ୍ବୋନୀ ବା ଫୌଜଦାରି ମକଦ୍ଦମା ନ ଥିବ। ଏ ବାବଦରେ ପ୍ରତ୍ୟେକ ମାମଲାମୁକ୍ତ ଗ୍ରାମକୁ ଏକଲକ୍ଷ ଟଙ୍କା ନଗଦ ପୁରସ୍କାର ଦିଆଯିବ। ଆଶା କରାଯାଏ, ଏହାଦ୍ୱାରା ଗ୍ରାମାଞ୍ଚଳରେ ଲୋକେ ନିଜ ନିଜ ଗ୍ରାମର ସୁନାମ ପାଇଁ କୋର୍ଟ କଚେରୀକୁ ନ ଯାଇ ନିଜ ବିବାଦ ନିଜେ ଆପୋସ ମିଳାମିଶା ଦ୍ୱାରା ତୁଟାଇବେ। ଫଳରେ ପ୍ରତି ଗ୍ରାମରେ ଶାନ୍ତି, ମୈତ୍ରୀ ଓ ଭାଇଚାରା ପ୍ରତିଷ୍ଠା ହୋଇପାରିବ। ଏହି ପୁରସ୍କାର ଧନରାଶି ସମ୍ପୃକ୍ତ ଗ୍ରାମପଞ୍ଚାୟତ ପାଣ୍ଠିରେ ଜମାହୋଇ ଏକ ଜାତୀୟକରଣ ବ୍ୟାଙ୍କରେ ବିନିଯୋଗ କରାଯିବ ଓ ତହିଁରୁ ଯାହା ସୁଧ ମିଳିବ ତାହା ସେହି ଗ୍ରାମର ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ପାଇଥିବା ଦୁଇଜଣ ଛାତ୍ରଙ୍କୁ ମେଧାବୃତ୍ତି ଆକାରରେ ପ୍ରଦାନ କରାଯିବ। ମାଲିମକଦ୍ଦମାରେ ଛନ୍ଦିହୋଇ ନ୍ୟାୟ ପାଇଁ ଦୂରଦୂରାନ୍ତରେ ଥିବା ନ୍ୟାୟାଳୟକୁ ଦୌଡିବା ଯେତିକି ସମୟସାପେକ୍ଷ ସେତିକି ବ୍ୟୟବହୁଳ। ସାଧାରଣ ଜନତା ସାମାଜିକ, ଅର୍ଥନୈତିକ ବା ଅନ୍ୟାନ୍ୟ କାରଣରୁ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ଓ ସେମାନେ ଯେପରି ହାତପାହାନ୍ତାରେ ନ୍ୟାୟ ପାଇପାରିବେ, ସେଥିପାଇଁ କେନ୍ଦ୍ର ସରକାର ୨୦୦୮ ମସିହାରେ ଗ୍ରାମ ନ୍ୟାୟାଳୟ ଆଇନ ପ୍ରଣୟନ କରିଛନ୍ତି। ଏହି ଆଇନର ବ୍ୟବସ୍ଥା ମତେ ପ୍ରତିଟି ବ୍ଲକ୍ ସ୍ତରରେ ଗୋଟିଏ ଲେଖାଏଁ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରାଯିବ ଓ ପ୍ରଥମ ଶ୍ରେଣୀର ନ୍ୟାୟିକ ମାଜିଷ୍ଟ୍ରେଟ୍ ପାହ୍ୟାରୁ କମ୍ ହୋଇ ନ ଥିବା ଜଣେ ଅଧିକାରୀ ଉକ୍ତ ଗ୍ରାମ ନ୍ୟାୟାଳୟରେ ନ୍ୟାୟାଧିକାରୀ ଭାବେ ନିଯୁକ୍ତ ହେବେ। ବିବାଦରେ ପକ୍ଷମାନେ ଯେଉଁଠାରେ ବସବାସ କରୁଥିବେ, ସେହି ସ୍ଥାନର ପାଖାପାଖି କୌଣସି ସ୍ଥାନକୁ ନ୍ୟାୟାଧିକାରୀମାନେ ବିଭିନ୍ନ ସମୟରେ ଗସ୍ତ କରିବେ ଓ ମକଦ୍ଦମାର ବିଚାର କରିବେ। ସଦରମହକୁମା ବାହାରେ ସେ ଭ୍ରାମ୍ୟମାଣ ନ୍ୟାୟାଳୟ ଭାବେ କାର୍ଯ୍ୟ କରିପାରିବେ। ଉକ୍ତ ଗ୍ରାମ ନ୍ୟାୟାଳୟର ଉଭୟ ସିଭିଲ୍ ଓ ଫୌଜଦାରି ମାମଲାମାନ ବିଚାର କରିବାର କ୍ଷମତା ରହିବ। କୌଣସି ମକଦ୍ଦମାରେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ମୁଦାଲା ଯଦି ଓକିଲ ନିୟୋଜିତ କରିପାରୁ ନ ଥିବେ, ତେବେ ସରକାର ଆଇନସେବା ପ୍ରାଧିକରଣଙ୍କ ଜରିଆରେ ମକଦ୍ଦମା ପରିଚାଳନା ପାଇଁ ଓକିଲ ନିଯୁକ୍ତ କରିପାରିବେ। ଗ୍ରାମ ନ୍ୟାୟାଳୟଙ୍କ ରାୟ ଏକ ଡିକ୍ରୀ ଭାବେ ବିବେଚିତ ହେବ ଓ ଗ୍ରାମ ନ୍ୟାୟାଳୟର ଏକ ସିଭିଲ ନ୍ୟାୟାଳୟର ସମସ୍ତ କ୍ଷମତା ରହିବ। ରାଜ୍ୟ ସରକାର ରାଜ୍ୟରେ ଏଯାବତ୍ ୧୬ଟି ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ଯହିଁରୁ ୧୪ଟି କାର୍ଯ୍ୟକାରୀ ହୋଇସାରିଲାଣି ଓ ଅବଶିଷ୍ଟ ଦୁଇଟି ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବ। ଏ ବାବଦରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବହନ କରିବେ।
ଅବସରପ୍ରାପ୍ତ ଅତିରିକ୍ତ ଶାସନସଚିବ, ଆଇନ ବିଭାଗ, ମୋ-୯୪୩୮୧୬୫୬୬୪