
ଅତ୍ୟନ୍ତ ଲୋଭ ମଣିଷକୁ କେଉଁଠୁ ନେଇ କେଉଁ ସ୍ଥାନରେ ପହଞ୍ଚାଇ ଦେଇପାରେ ତାହା ଅନେକେ ଜାଣନ୍ତି। ବେଳେବେଳେ ଲୋଭର ବଶବର୍ତ୍ତୀ ହୋଇ ବ୍ୟକ୍ତି ଏଭଳି କାର୍ଯ୍ୟ କରିଦିଏ, ଯେଉଁଥିପାଇଁ ତାକୁ ଜେଲ୍ ଯିବାକୁ ପଡେ। କୁହାଯାଏ ସେହିପ୍ରକାର ଅପରାଧ ବୟସ୍କଙ୍କ କ୍ଷେତ୍ରରେ ଦେଖାଦେବା କଥା ନୁହେଁ। କିନ୍ତୁ ଏମିତି ବି ବୟସ୍କ ବ୍ୟକ୍ତି ଅଛନ୍ତି ଯେଉଁମାନେ ଚୋରା କାରବାର (ସ୍ମଗ୍ଲିଂ) କରି ଧରାପଡୁଛନ୍ତି। ରବିବାର ଦିଲ୍ଲୀ ବିମାନବନ୍ଦରରେ ଏକ ବୟସ୍କ ଦମ୍ପତି ଧରାପଡିଛନ୍ତି। ସେମାନେ ଫ୍ରାଙ୍କଫର୍ଟ୍ରୁ ପ୍ରାୟ ୨୫.୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚୋରାରେ ନେଇ ଏଠାକୁ ଆସିଥିଲେ। ଧରାପଡିଥିବା ଦମ୍ପତିଙ୍କ ମଧ୍ୟରୁ ପୁରୁଷ ଜଣକ ୬୭ ବର୍ଷ ବୟସ୍କ ହୋଇଥିବା ବେଳେ ମହିଳାଙ୍କ ବୟସ ୬୫ ବର୍ଷ। ସେମାନେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା କ୍ଷଣି କଷ୍ଟମ (ସୀମାଶୁଳ୍କ) ଅଧିକାରୀମାନଙ୍କ ହାତରେ ଧରାପଡିଯାଇଥିଲେ। ଏହି ଦମ୍ପତି ଚାଲାକି କରି ପ୍ରାୟ ୯୯୫ ଗ୍ରାମ୍ ସୁନାକୁ ‘ବଳା’ରେ ପରିଣତ କରିଥିଲେ। ଉଦ୍ଦେଶ୍ୟଥିଲା ଏହା ସୁନାବଳା ଭାବରେ ସୀମାଶୁଳ୍କ ଅଧିକାରୀଙ୍କ ନଜରରୁ ଖସିଯିବ। କିନ୍ତୁ ସେମାନଙ୍କର ଯୋଜନା ଫସର ଫାଟିଗଲା। ଏତେ ଓଜନର ‘ବଳା’ ସୀମାଶୁଳ୍କ ଅଧିକାରୀଙ୍କ ସନ୍ଦେହ ଦୃଷ୍ଟିରୁ ବାଦ୍ ପଡିଲା ନାହିଁ। ଫଳରେ ଏହି ବୟସ୍କ ଦମ୍ପତିଙ୍କୁ ଏବେ ଚୋରା କାରବାର ଅଭିଯୋଗରେ ପରିଣତ ବୟସରେ ଦଣ୍ଡ ଭୋଗିବାକୁ ପଡିବ।