Dharitri News
ସମ୍ପାଦକୀୟ |

ଗୋଟିଏ ଦେଶ, ଗୋଟିଏ ଶିକ୍ଷା

ଗୋଟିଏ ଦେଶ, ଗୋଟିଏ ଶିକ୍ଷା ଡ. ଅମରେନ୍ଦ୍ର ଦାସ ଏକବିଂଶ ଶତାବ୍ଦୀର ଭାରତବର୍ଷକୁ ବିକଶିତ କରିବାକୁ ହେଲେ ଏକମାତ୍ର ମାଧ୍ୟମ ଉନ୍ନତ ଶିକ୍ଷା ବ୍ୟବସ୍ଥା। ଉତ୍ତମ ଶିକ୍ଷା ବ୍ୟବସ୍ଥା ହିଁ ଦେଶରୁ ଦାରିଦ୍ର୍ୟ, ଅପପୁଷ୍ଟି, ଅର୍ଥନୈତିକ ବିଭେଦ, ସାମାଜିକ ବୈଷମ୍ୟ, ଅନ୍ଧବିଶ୍ୱାସ ଆଦିରୁ ମୁକ୍ତି ଦେଇପାରିବ। କିନ୍ତୁ ବିିଡମ୍ବନାର ବିଷୟ, ଯେଉଁ ଭାରତ ଏକବିଂଶ ଶତାବ୍ଦୀକୁ ନିଜର ଜ୍ଞାନ ଏବଂ ବାହୁବଳରେ ଅକ୍ତିଆର କରିବାକୁ ସ୍ବପ୍ନ ଦେଖୁଛି ସେ ଦେଶର କୋଟି କୋଟି ନାଗରିକ ଶାରୀରିକ ଏବଂ ବୌଦ୍ଧିକ ଅପପୁଷ୍ଟିରେ ଆକ୍ରାନ୍ତ। ଆମ ରାଜ୍ୟର ସାଢେ ଚାରିକୋଟି ନାଗରିକଙ୍କ ମଧ୍ୟରୁ ପ୍ରାୟ ଅଧାଭାଗ ପେଟର କ୍ଷୁଧା ଓ ଅପପୁଷ୍ଟିରେ ଜର୍ଜରିତ ଥିବାବେଳେ ଏବେ ସେମାନଙ୍କୁ ବୌଦ୍ଧିକ ଭାବରେ ପଙ୍ଗୁ କରିଦେବା ପାଇଁ ଚକ୍ରାନ୍ତ ଚାଲିଛି। ଦେଶ ସ୍ବାଧୀନ ହେବାର ସତୁରି ବର୍ଷ ପରେ ମଧ୍ୟ ମଧ୍ୟଯୁଗୀୟ ସାମନ୍ତବାଦୀ ମାନସିକତାରୁ ମୁକ୍ତି ହୋଇପାରିନାହାନ୍ତି ଗଣତନ୍ତ୍ରର ଶାସନଦଣ୍ଡ ଧରିଥିବା ଆମ ଜନପ୍ରତିନିଧିମାନେ ଏବଂ ତାଙ୍କର ଗୁମାସ୍ତାମାନେ। ଇଂରେଜ ଶାସନ ସମୟରେ ଇଂଲିଶ ଭାଷାରେ ପାଠ ପଢି ଇଂରେଜମାନଙ୍କର ଗୋଲାମି କରି ନିଜ ମାଟିର ଭଉଣୀଭାଇଙ୍କୁ ହୀନଚକ୍ଷୁରେ ଦେଖିଲେ। ଦେଶ ସ୍ବାଧୀନତା ପରେ ଶିକ୍ଷା ବ୍ୟବସ୍ଥାକୁ ଭାଗ ଭାଗ କରି ଧନୀ ପାଇଁ ଗୋଟିଏ ଏବଂ ଗରିବ ପାଇଁ ଗୋଟିଏ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି ସେହି ବିଭେଦକୁ ବଳବତ୍ତର ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏ ଦେଶର ସମ୍ବିଧାନ ସଙ୍କଳ୍ପ ରଖେ ଦେଶର ସମସ୍ତ ନାଗରିକଙ୍କୁ ସମାନ ଚକ୍ଷୁରେ ଦେଖିବା ପାଇଁ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ଏପରି ବିଭାଜନ କାହିଁକି? ସମସ୍ତ ଶିଶୁଙ୍କୁୁ ନିଃଶୁଳ୍କ ଏବଂ ବାଧ୍ୟତାମୂଳକ ଶିକ୍ଷା ଦେବା ପାଇଁ ଆଇନ ପ୍ରଣୟନ ପରେ ବି ଧନୀ ଓ ଗରିବ ପିଲାଙ୍କୁ ଦୁଇପ୍ରକାରର ଶିକ୍ଷା ପ୍ରଦାନ ପାଇଁ ଏ ବ୍ୟବସ୍ଥା କାହିଁକି? ଶିକ୍ଷା ଆଇନ ପ୍ରଣୟନ କରୁଥିବା ଏବଂ ଏହାର କାର୍ଯ୍ୟକାରିତା ପାଇଁ ନ୍ୟସ୍ତ ଅଧିକାରୀଙ୍କ ପିଲା କାହିଁକି ଏହି ମାଗଣା ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହନ୍ତି? ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷା ଅଧିକାର ଆଇନ ପରିସରରେ କେବଳ ଗରିବ ପିଲା କାହିଁକି? ଏହି ଅଭିଯାନର ବାସ୍ତବ ଚିତ୍ର ଦେଖିଲେ ମନେହୁଏ ଏହା ସର୍ବଶିକ୍ଷା ଅଭିଯାନ ନୁହେଁ ବରଂ ଗରିବ ଶିକ୍ଷା ଅଭିଯାନ। ନୂଆ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚକରି ଶିକ୍ଷା ବ୍ୟବସ୍ଥାରେ କେଉଁ ପରିବର୍ତ୍ତନ ଅଣାଯାଇଛି? ଏବେ ବି ଅନେକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ। ଶ୍ରେଣୀଗୃହ ଥିଲେ ଶିକ୍ଷକ ନାହାନ୍ତି, ଶିକ୍ଷକ ଥିଲେ ସେ ପ୍ରଶିକ୍ଷିତ ନୁହନ୍ତି। ପ୍ରଶିକ୍ଷିତ ହୋଇଥିଲେ ପାଠ ପଢାଇବାକୁ ସମୟ ନାହିଁ। ଶିକ୍ଷକର ପ୍ରଧାନ କାର୍ଯ୍ୟ ପାଠ ପଢାଇବା। କିନ୍ତୁ ସରକାରଙ୍କ ନୀତି ଅନୁସାରେ ଶିକ୍ଷକମାନେ ପିଲାଙ୍କ ପାଇଁ ପୋଷାକ କିଣିବେ, ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବେ। ତା’ ସହ ଜନଗଣନା, ଦାରିଦ୍ର୍ୟ ଗଣନା, ଭୋଟର ପରିଚୟପତ୍ର, ଆଧାର କାର୍ଡ ଆଦି ସବୁ କାମ କରିବେ। ସ୍ବଚ୍ଛ ଭାରତ ଅଭିଯାନରେ ତିଆରି ହୋଇଥିବା ପାଇଖାନା ସଫା କରିବେ ମଧ୍ୟ। କାରଣ ଶିକ୍ଷକ ଆଜି ଅସହାୟ। ପିଲାଟିକୁ ଶିକ୍ଷା ବ୍ୟତୀତ ଅନ୍ୟ କୌଣସି କାମ ଦେଇପାରିବେ ନାହିଁ। ତା’ହେଲେ ଗଣମାଧ୍ୟମରେ ନିନ୍ଦିତ ହେବେ ଏବଂ ଦରମା ବନ୍ଦ ହେବ। ଚାକିରି ବି ଚାଲିଯିବାର ଡର। ଏସବୁ ଭିତରେ ପ୍ରତିଦିନ କାଗଜପତ୍ର କାମ ଅନେକ। କେତେ ଚାଉଳ ଆସିଲା, ରୋଷେଇ ହେଲା ଆଦି ସବୁର ହିସାବ ବି ରଖିବାକୁ ହେବ। ରୋଷେଇ ଖରାପ ହେଲେ ବି ଶିକ୍ଷକ ଦାୟୀ। ସରକାର ବି ତାଗିଦ୍‌ କରିଛନ୍ତି ପିଲା ପାଠ ପଢୁ ନ ପଢୁ କାଗଜପତ୍ରରେ ଯେମିତି ହେଲେ ଦେଖାଇବାର ଅଛି ଯେ ପ୍ରଥମ ଶ୍ରେଣୀରେ ନାମଲେଖାଇଥିବା ପ୍ରତ୍ୟେକ ଛାତ୍ରୀଛାତ୍ର ଅଷ୍ଟମ ଶ୍ରେଣୀ ପାସ୍‌ କରିଛନ୍ତି। ଏବେ ପୁଣି ପିଲାଙ୍କର ପାଠପଢା ଦିବସଠାରୁ ଶିକ୍ଷକମାନଙ୍କର ତାଲିମ୍‌ ଦିବସ ଅଧିକ। ତେଣୁ ଶିକ୍ଷକ ତାଲିମ ସରୁ ସରୁ ଶିକ୍ଷାବର୍ଷ ଶେଷ। ଏ ସବୁ ଭିତରେ ପାଠପଢା ପ୍ରତି ନାଁ ସରକାରଙ୍କର ଗୁରୁତ୍ୱ ଅଛି ନା ଶିକ୍ଷକ ପାଖରେ ସମୟ ଅଛି। ଏସବୁ ବିଷୟରେ ବେଶ୍‌ ଅବଗତ ଆମ ଶିକ୍ଷା ପ୍ରଶାସକ ଏବଂ ଶିକ୍ଷା ନିୟମ ନିର୍ଦ୍ଧାରକ। ସେଥିପାଇଁ ସେମାନେ ତାଙ୍କ ପିଲାଙ୍କୁ ପଠାନ୍ତି ନାହିଁ ଏହି ଗରିବ ଶିକ୍ଷା ଅଭିଯାନରେ ସାମିଲ ହେବାକୁ। ସେମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଓ ନାମୀ ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଅଛି। ଏ ପରିସ୍ଥିତିରେ ସରକାରୀ ବିଦ୍ୟାଳୟରେ ପାଠ ପଢାଯାଉଛି କି ନାହିଁ କିଏ ଦେଖିବ? ଗରିବ ମାଆବାପା ପିଲାର ପୋଷାକ ଓ ମଧ୍ୟାହ୍ନଭୋଜନ ପାଇଗଲେ ବେଶ୍‌ ଖୁସି। ପିଲା କ’ଣ ପଢିଲା ଜାଣିବାକୁ ତାଙ୍କର ନା ଜ୍ଞାନ ଅଛି ନା ସମୟ ଅଛି। ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ପ୍ରତ୍ୟେକ ବର୍ଷ ନୂଆ ନୂଆ ଯୋଜନାର ଶୁଭାରମ୍ଭ କରନ୍ତି। ଡିପିଇପି, କଳାପଟା ଅଭିଯାନ, ସର୍ବଶିକ୍ଷା ଅଭିଯାନ, ଶିକ୍ଷା ଅଧିକାର ଆଇନ, ମାଗଣା ଭୋଜନ, ପୋଷାକ, ସାଇକେଲ ଆଦି ଏମିତି ଅନେକ ନୂଆ ଯୋଜନା। ଏମିତି ପ୍ରତିବର୍ଷ ନୂଆ ଯୋଜନା ଶୁଣି ଶୁଣି ଗରିବ ମାଆବାପା ଆଶା ବାନ୍ଧନ୍ତି କିଛି ଭଲ ହେବ। କିନ୍ତୁ ପ୍ରକୃତରେ ଭକୁଆ ପାଲଟିଗଲେଣି ବିଚରା ଗରିବ ମାଆବାପା। ଗରିବ ଓ ଧନୀ ପିଲାଙ୍କ ମଧ୍ୟରେ ଶିକ୍ଷା ବ୍ୟବସ୍ଥାରେ ବିଭେଦ ସୃଷ୍ଟି କରି ସରକାର ସନ୍ତୁଷ୍ଟ ନୁହନ୍ତି। ଶିକ୍ଷକମାନେ ଯେମିତି ଏକତ୍ରିତ ହୋଇ ନ ପାରନ୍ତି ସେଥିପାଇଁ ମଧ୍ୟ ଅତି ସୁନ୍ଦର ଯୋଜନା- ଶିକ୍ଷା ଯୋଜନା ଯେତେ, ଶିକ୍ଷକମାନଙ୍କର ପ୍ରକାର ସେତେ। ପ୍ରତ୍ୟେକ ନୂଆ ଯୋଜନାରେ ଏକ ନୂଆ ପ୍ରକାରର ଶିକ୍ଷକ ନିଯୁକ୍ତି। କିଏ ଠିକା, କିଏ ଚୁକ୍ତି, କିଏ ନିୟମିତ ଏମିତି ଅନେକ ଜାତିଭେଦ ସୃଷ୍ଟି କରିଛନ୍ତି ସରକାର। ଏମାନଙ୍କ ମଧ୍ୟରୁ କେତେଜଣଙ୍କର ବେତନ ଗାଁର ମିସ୍ତ୍ରି ଓ ମଜୁରିଆଙ୍କଠାରୁ ବି କମ୍‌। ସେମାନେ ନିଜର ପେଟ ପୋଷିବା ପାଇଁ ଅନ୍ୟ କିଛି ଜୀବିକା ଆପଣେଇବାକୁ ବାଧ୍ୟ। ନିଜର ଦରମା ବଢାଇବା ଏବଂ ଚାକିରିକୁ ସ୍ଥାୟୀ କରିବା ପାଇଁ ପୁଣି ରାଜଧାନୀରେ ଯାଇ ଧାରଣା ଦେବାକୁ ହେବ। ତେଣୁ ଜଣେ ଭଲ ଛାତ୍ର ଶିକ୍ଷକ ହେବା କଥା ଭାବିପାରିବ ନାହିଁ। ଆମ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ଜାଣିପାରି ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟର ପ୍ରତି ବ୍ଲକ୍‌ ସ୍ତରରେ ଆଦର୍ଶ ବିଦ୍ୟାଳୟ ଖୋଲିବେ। ଏହି ଆଦର୍ଶ ବିଦ୍ୟାଳୟରେ ପୁଣି ଇଂଲିଶରେ ପାଠ ପଢାଯିବ। ଅନେକ ଗବେଷଣାରୁ ଜଣାପଡେ ଯେ ପିଲାଦିନେ ମାତୃଭାଷାରେ ପଢିଲେ ପିଲାର ବୁଝିବା ଶକ୍ତି ଅଧିକ ହୁଏ। ଯଦି ସାଧାରଣ ବିଦ୍ୟାଳୟରେ ଶ୍ରେଣୀଗୃହ ତିଆରି ଓ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ, ତେବେ ଆଦର୍ଶ ବିଦ୍ୟାଳୟ ପାଇଁ ଅର୍ଥ କେଉଁଠୁ ଆସିବ? ଶିକ୍ଷା ବ୍ୟବସ୍ଥାରେ ଏତେସବୁ ବିଭେଦ ଦେଖିଲେ ମନେହୁଏ ସରକାର ରାଜ୍ୟ ବା ଦେଶର ଶିକ୍ଷା ବ୍ୟବସ୍ଥା ବିଷୟରେ ଆଦୌ ଚିନ୍ତିତ ନୁହନ୍ତି। ରାଜ୍ୟବାସୀ ମଧ୍ୟ ଟଙ୍କିକିଆ ଚାଉଳ, ମଧ୍ୟାହ୍ନଭୋଜନ ଓ ମାଗଣା ପୋଷାକ ପାଇ ଖୁସୀ। ଆମ ଦେଶରେ ‘ଗୋଟିଏ ଦେଶ: ଗୋଟିଏ ଶିକ୍ଷା ବ୍ୟବସ୍ଥା’ର ପ୍ରଚଳନ ଯେପର୍ଯ୍ୟନ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସୁଧାର ଆସିବ ନାହିଁ। ମୋ-୯୪୩୯୯୨୩୬୨୬

ସମ୍ପାଦକୀୟ |

ଆଜିର ଅର୍ଥନୀତି/ସ୍ଥାୟୀ ସମାଧାନ

ଆଜିର ଅର୍ଥନୀତି/ସ୍ଥାୟୀ ସମାଧାନ

ଦେଶରେ କୃଷିଜାତ ପଦାର୍ଥର ମୂଲ୍ୟରେ ଉତ୍ଥାନପତନର ଅନ୍ତ ନାହିଁ। ଆଜି ପିଆଜ, କାଲି ଆଳୁ ଓ ଅନ୍ୟଦିନ ଅଣ୍ଡା କ୍ଷେତ୍ରରେ ଏପରି ଘଟୁଛି। ଗତ କିଛିମାସ ଧରି ପିଆଜ କିଲୋ ଖୁଚୁରା ବଜାରରେ ୪୫ ଟଙ୍କା ପର୍ଯ୍ୟନ୍ତ ହେବା ସହ ସାଧାରଣ ଖାଉଟିଙ୍କ ଆଖିରୁ ଲୁହ ନିଗିଡ଼ି ପଡ଼ୁଛି। ଏହି ପରିବା ସାଧାରଣ ଖାଉଟିଙ୍କ ରୋଷେଇ ବଜେଟ୍‌କୁ ନିୟମିତ ଭାବେ ବିପର୍ଯ୍ୟସ୍ତ କରିଆସିଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନାନା ଭାବରେ ଚେଷ୍ଟା କରିଆସୁଛନ୍ତି। କିନ୍ତୁ ତାହା ପୂର୍ଣ୍ଣପ୍ରାଣରେ କରାଯାଇ ନ ଥିବାରୁ ସମୟାନ୍ତରରେ ସମସ୍ୟା ବାରମ୍ବାର ଦେଖାଯାଉଛି। ଦୀର୍ଘ ଦୁଇମାସ ହେଲା ପିଆଜ କିଲୋ ୪୫ ଟଙ୍କା ରହିଆସିଛି ଏବଂ ରାଜ୍ୟ ସରକାର ପୂର୍ବ ଭଳି ଏ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରୁଛନ୍ତି। କୃଷିଜାତ ଦ୍ରବ୍ୟର ଏପରି ଅସ୍ବାଭାବିକ ମୂଲ୍ୟ ବୃଦ୍ଧି ଓ ହ୍ରାସ ସହ ଭାରତର ଜନସାଧାରଣ- ଉଭୟ ଖାଉଟି ଓ ଚାଷୀ ଅଭ୍ୟସ୍ତ ହୋଇଗଲେଣି। ଏ ସମସ୍ୟାର ମୂଳ କାରଣ ହେଉଛି ଆମର ଉନ୍ନତ କୃଷି ଭିତ୍ତିଭୂମିର ଅଭାବ। ଆମ ରାଜ୍ୟର ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ଆମର କୃଷି ଭିତ୍ତିଭୂମି ସୁଦୃଢ଼ ନୁହେଁ। ଅଭାବ ସମୟରେ କୃଷି ଉତ୍ପାଦ ଅନ୍ୟ ରାଜ୍ୟରୁ ଆଣିବା ଓ ଦରକାର ବେଳେ ସେମାନଙ୍କୁ ଦେବା ପାଇଁ ଏପର୍ଯ୍ୟନ୍ତ ଏକ ସଂଯନ୍ତ୍ର (ମେକାନିଜିମ୍‌)ର ପ୍ରତିଷ୍ଠା ହୋଇପାରିଲା ନାହିଁ। ଉଦାହରଣସ୍ବରୂପ ଆଳୁ ଦର କଥା ଚିନ୍ତା କରନ୍ତୁ, ଯାହା ଏବେ କିଲୋ ପିଛା ୧୦ ଟଙ୍କା ତଳକୁ ଖସିଯାଇଛି। କେତେକ ସ୍ଥାନରେ ଚାଷୀମାନେ ପାଇକାରୀ ବିକ୍ରେତାମାନଙ୍କୁ ୧ ଟଙ୍କାରୁ କମ୍‌ ମୂଲ୍ୟରେ ଆଳୁ ବିକ୍ରି କରୁଛନ୍ତି। ଅନେକ ହତାଶ ଚାଷୀ ରାସ୍ତାକଡ଼ରେ ସେମାନଙ୍କ ଉତ୍ପାଦଗୁଡ଼ିକୁ ଫୋପାଡ଼ି ଦେଉଛନ୍ତି। ନିକଟରେ ସୁନ୍ଦରଗଡ଼ର ଚାଷୀ ଟନ୍‌ ଟନ୍‌ ଟମାଟୋ ରାସ୍ତାରେ ଫୋପାଡ଼ିଦେଲେ କାରଣ ବଜାରକୁ ବିକ୍ରି ପାଇଁ ପଠାଇଲେ ସେମାନଙ୍କର ପରିବହନ ଖର୍ଚ୍ଚ ମଧ୍ୟ ଉଠୁନାହିଁ। ...

ଜାତି ଉତ୍ଥାନରେ ଶିକ୍ଷା

ଜାତି ଉତ୍ଥାନରେ ଶିକ୍ଷା

ଉପେନ୍ଦ୍ର ବିଶ୍ୱାଳ/ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କୁ ଥରେ ପଚରାଗଲା- ବିଜ୍ଞାନର ଏତେ ଉନ୍ନତି ହେଉଛି କିନ୍ତୁ ସମାଜର ଅବସ୍ଥା କାହିଁକି ସୁଧୁରୁନାହିଁ? କାହିଁକି ସୁସ୍ଥ ସମାଜଟିଏ ଗଢ଼ା ଯାଇପାରୁନି? ଆଇନ୍‌ଷ୍ଟାଇନ୍‌ କହିଲେ- ”ବିଜ୍ଞାନର ଉନ୍ନତି ହେଉଛି ସତ। ମାତ୍ର ମଣିଷର ଉନ୍ନତି କାହିଁ ?“ ବାସ୍ତବରେ ବିଜ୍ଞାନର ପ୍ରଭୂତ ଉନ୍ନତି ଯୋଗୁ ମଣିଷ ଆଜି ଆକାଶରେ ପକ୍ଷୀସମ ଉଡ଼ିବୁଲୁଛି। ସମୁଦ୍ରର ଅତଳ ଗହ୍ବରରେ ମାଛସମ ସନ୍ତରଣ କରିପାରୁଛି। ଚନ୍ଦ୍ର, ମଙ୍ଗଳରେ ବସତି ସ୍ଥାପନ କରିବାକୁ ବସିଲାଣି। ବିଜ୍ଞାନ ଓ ବୈଷୟିକ ଜ୍ଞାନ ବଳରେ ଅବିଶ୍ୱସନୀୟ ସୁଖ, ସୁବିଧା, ସଉକ ସବୁକୁ ସାଉଁଟି ଚାଲୁଛି। ମାତ୍ର ମର୍ତ୍ତ୍ୟଭୂମିରେ ମଣିଷପରି କିପରି ଚଳିବାକୁ ହୁଏ ତାହା ଶିଖିପାରୁନି। ତା’ର ଚେତନାର ଉନ୍ନତି ହେଉନି। ତା’ର ମାନସିକତାର ଉନ୍ନତି ହେଉନି। ତା’ର ଭାବନା, ବିଚାରର ଉନ୍ନତି ହେଉନି। ଯେଉଁଠି ଭଲ ଭାବନାର ମଣିଷ ନାହାନ୍ତି, ସେଠି ସୁସ୍ଥ ସମାଜଟିଏ ସମ୍ଭବ ହେବ କେମିତି?...

ପ୍ରାଚୀର ଓ ସୀମାରେଖା

ପ୍ରାଚୀର ଓ ସୀମାରେଖା

ପ୍ର. ସଚ୍ଚିଦାନନ୍ଦ ମହାନ୍ତି/ ସ୍ଥାପତ୍ୟକଳାର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ପ୍ରାଚୀର। କ୍ଷେତ୍ରର ସୀମା ନିର୍ଦ୍ଧାରଣ କରିବା ପାଇଁ ପ୍ରାଚୀରଗୁଡିକ ବ୍ୟବହୃତ ହୋଇଥାଏ। ଏହା ନିଜସ୍ବ ଅଧିକାରକୁ ସୁନିଶ୍ଚିତ କରେ ଏବଂ ଅନ୍ତେବାସୀଙ୍କ ସୁରକ୍ଷା ନିର୍ଦ୍ଧାରଣ କରେ। ‘ଆମେ’ ଓ ‘ତୁମେ’ର ପାର୍ଥକ୍ୟକୁ ଘୋଷଣା କରେ। ସୀମା ପ୍ରାଚୀର ସହ ଏକ ପ୍ରବେଶପଥ ମଧ୍ୟ ରହିଥାଏ, ଯାହା କି ନୀରବରେ ବହିର୍ବାସୀଙ୍କୁ ଏକ ଅର୍ଦ୍ଧ-ଆଇନଗତ ସୂଚନା ପ୍ରଦାନ କରିଥାଏ ଯେ, ପ୍ରବେଶ ଅଧିକାର ସଂରକ୍ଷିତ। ଏହାର ଅତିକ୍ରମଣ ଦଣ୍ଡନୀୟ। ତେଣୁ ସମସ୍ତ ଅନୁଷ୍ଠାନ ଏକ ସୀମାପ୍ରାଚୀର ଅବଶ୍ୟ ନିର୍ମାଣ କରନ୍ତି। ସୁଦୂର ଅତୀତରେ ମଧ୍ୟ, ଗ୍ରୀକ୍‌ ନଗର-ରାଜ୍ୟ ଯେପରି କି ଏଥେନ୍ସ, ସ୍ପାର୍ଟା ଏବଂ ଥେବ୍ସରେ ପ୍ରାଚୀର ନିର୍ମାଣର ଉଦାହରଣ ଦେଖାଯାଏ। ସଂସଦର ୨୦୦୯ ଅଧିନିୟମ ଦ୍ବାରା ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲାରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ମଧ୍ୟ ପୁରାତନ ନଗର ପରିକଳ୍ପନା ଏବଂ ସ୍ଥାପତ୍ୟକଳା ଅନୁକରଣ କରୁଥିଲା। ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତାଗଣଙ୍କର ପ୍ରଥମ କାର୍ଯ୍ୟଧାରା ଥିଲା ଏକ ପ୍ରାଚୀର ନିର୍ମାଣ। ଏହି ପ୍ରାଚୀର ପର୍ବତଗୁଡିକ ମଧ୍ୟଦେଇ ଯାଉଥିଲା ଏବଂ ପାରିପାର୍ଶ୍ୱିକ ଗ୍ରାମଗୁଡିକର ସୀମାରେଖା ନିର୍ଦ୍ଧାରଣ କରୁଥିଲା। ଏହି ବିଶ୍ୱବିଦ୍ୟାଳୟର ପ୍ରତିବେଶୀ ଭାବରେ ପାଞ୍ଚୋଟି ଗ୍ରାମ ରହିଛି।...

ଏଇ ଭାରତରେ

ହ୍ବାଟ୍ସ ଆପ୍‌, ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ଗ୍ରୁପ୍‌ରେ ଜାତି, ଧର୍ମ ବର୍ଣ୍ଣକୁ ନେଇ କୌଣସି ଉତ୍ତେଜନା ସୃଷ୍ଟିକାରୀ, ସମାଜରେ ବିଭ୍ରାଟ ଖେଳାଉଥିବା ବାର୍ତ୍ତା କିମ୍ବା ଫଟୋ ପୋଷ୍ଟ ନ କରିବା ସକାଶେ ସବୁବେଳେ ସତର୍କ କରାଯାଉଛି। ସୋସିଆଲ ମିଡିଆକୁ ସତ୍ୟ ସୂଚନା ପ୍ରଦାନକାରୀ କ୍ଷେତ୍ର ଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ମାତ୍ର ସମାଜରେ ଏଭଳି କେତେକ ଖଳ ପ୍ରକୃତିର ଲୋକ ଅଛନ୍ତି, ଯେଉଁମାନେ ବିଭ୍ରାଟ ସୃଷ୍ଟିକରି ମଜା ଦେଖିବାକୁ ପସନ୍ଦ କରୁଛନ୍ତି। ସେମାନେ ବୁଝିପାରୁ ନାହାନ୍ତି ଯେ, ଏହି ସାଇବର ଅପରାଧ ଆଜିର ସୂଚନା-ପ୍ରଯୁକ୍ତି ଯୁଗରେ ଆଉ ଗୋପନ ରଖିହେବ ନାହିଁ। ନିକଟରେ ଏକ କନ୍ନଡ ଖବରକାଗଜର ଜଣେ ଫଟୋ ଖବରଦାତା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଧର୍ମକୁ ନେଇ ସମ୍ବେଦନଶୀଳ ପ୍ରସଙ୍ଗ ପୋଷ୍ଟ କରି ବୁଧବାର ରାତିରେ ଧରାପଡିଛନ୍ତି। ...

ମଣିଷ ଦେହରେ ପ୍ରାଣୀ ଅଙ୍ଗ

ମଣିଷ ଦେହରେ ପ୍ରାଣୀ ଅଙ୍ଗ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ବିଜ୍ଞାନ ଯେମିତି ଚାଲିଛି, ଯଦି ଠିକ୍‌ ଠିକ୍‌ ସେମିତି ଚାଲେ ଏବଂ ବୈଜ୍ଞାନିକମାନେ ତାଙ୍କ ଗବେଷଣାରେ ସଫଳ ହୁଅନ୍ତି, ତେବେ ଆଜିଠାରୁ ୧୦୦ ବର୍ଷ ପରେ ମଣିଷମାନେ ଅଧା ଘୁଷୁରି ଓ ଅଧା ବବୁନରେ ପରିଣତ ହୋଇଯାଇଥିବେ। ବୈଜ୍ଞାନିକମାନେ ଏବେ ମଣିଷ ଦେହରେ ପ୍ରାଣୀଙ୍କ ହୃତ୍‌ପିଣ୍ଡ, ଯକୃତ, କିଡ୍‌ନୀ, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍‌ ଆଦି ପ୍ରତିରୋପଣ କରିବା ଉପରେ ଗବେଷଣା ଚଳାଇଛନ୍ତି। ପ୍ରତିରୋପଣ ପାଇଁ ବର୍ତ୍ତମାନ ଅଙ୍ଗପ୍ରତ୍ୟଙ୍ଗ, ପେଶୀ ଓ କୋଷର ଚାହିଦା ବଢ଼ିବାରେ ଲାଗିଛି। ଏଥିପାଇଁ ମଣିଷ ଅଙ୍ଗପ୍ରତ୍ୟଙ୍ଗର ଅଭାବ ପଡ଼ୁଥିବାରୁ ବୈଜ୍ଞାନିକମାନେ ସେଗୁଡ଼ିକୁ ପ୍ରାଣୀମାନଙ୍କଠାରୁ ଆଣି ପ୍ରତିରୋପଣ କରିବା ପାଇଁ ଗବେଷଣା ଚଳାଇଛନ୍ତି। ଗୋଟିଏ ପ୍ରଜାତିର ପ୍ରାଣୀଠାରୁ ପେଶୀ ବା ଅଙ୍ଗ ଆଣି ଅନ୍ୟ ପ୍ରଜାତିର ପ୍ରାଣୀଠାରେ ପ୍ରତିରୋପଣ କରିବା ପ୍ରକ୍ରିୟାକୁ ବୈଜ୍ଞାନିକ ଭାଷାରେ ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ କୁହାଯାଉଛି। ତେବେ ଆଜିପର୍ଯ୍ୟନ୍ତ ଏ ବାବଦରେ ଯାହା ବି ଗବେଷଣା ଓ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଛି, କୌଣସିଟି ସଫଳ ହୋଇନାହିଁ। (ଏ ବାବଦ ପ୍ରଥମ ନିବନ୍ଧ ଜାନୁୟାରୀ ୪ରେ ପ୍ରକାଶ ପାଇଥିଲା)। ତେବେ ପୂରା କର୍ପୋରେଶନ୍‌ ଏବେ କାମରେ ଲାଗିଛନ୍ତି। ପ୍ରାଣୀଙ୍କ ପେଟ, ଛାତି ଆଦି ଚିରି ଅନ୍ତବୁଜୁଳା, ଯକୃତ, ଫୁସ୍‌ଫୁସ୍‌, ବୃକ୍କ, ହୃତ୍‌ପିଣ୍ଡ ଆଦି ବାହାର କରି ଗବେଷଣା ଜାରି ରହିଛି, ଯାହାଫଳରେ ମଣିଷମାନଙ୍କୁ ଅଧା ଘୁଷୁରି ଓ ଅଧା ବବୁନ୍‌ରେ ପରିଣତ କରାଯାଇପାରିବ। ଏହା ସପକ୍ଷରେ ସେମାନଙ୍କ ଯୁକ୍ତି ହେଲା, ଯେତେବେଳେ ଦରକାର ପ୍ରତିରୋପଣ ପାଇଁ ମଣିଷର ଅଙ୍ଗପ୍ରତ୍ୟଙ୍ଗ ନ ମିଳିଲେ ପ୍ରାଣୀଙ୍କ ଅବୟବ ମିଳିପାରିବ। ସେଥିପାଇଁ ରୋଗୀମାନଙ୍କୁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବନି। ସଙ୍ଗେ ସଙ୍ଗେ ପ୍ରତିରୋପଣ ହୋଇପାରିଲେ ରୋଗୀଙ୍କ ବଞ୍ଚିବା ହାର ବୃଦ୍ଧି ପାଇପାରିବ। ମଣିଷ ମରିବା ଯାଏ ଅପେକ୍ଷା କରି ତା’ଠାରୁ ଆଂଶିକ ନଷ୍ଟ ହୋଇଯାଇଥିବା ଅଙ୍ଗ ଆଣି ପ୍ରତିରୋପଣ କରିବା ଅପେକ୍ଷା ଜିଅନ୍ତା ସୁସ୍ଥ ସବଳ ପ୍ରାଣୀକୁ ନିଶ୍ଚେତକ ଦେଇ ତା’ଠାରୁ ତାଜା ଅବୟବ କାଢ଼ି ଅଣାଯାଇପାରିବ। ...

ପେଟ ପାଇଁ ହଟହଟା

ପେଟ ପାଇଁ ହଟହଟା

କମଳାକାନ୍ତ ଜେନା/ ସକାଳୁ ସକାଳୁ ସମୀର ସହିତ ବଜାରରେ ମଦନର ଭେଟ ହୋଇଗଲା। ଉଭୟଙ୍କ ହାତରେ ପରିବାଥଳି। ମଦନ ପଚାରିଲା, ଭାଇ, କେତେବେଳେ ଆସିଲ? ଥଳି ଖାଲି। କିଛି କିଣିନା କି? ସମୀର ଉତ୍ତର ଦେଲା, ହଁ, ଅଧଘଣ୍ଟା ହେବ ଆସିଲିଣି। ହେଲେ, କ’ଣ ନେବି ଠିକ୍‌ କରିପାରୁନି। ମଦନ କହିଲା, କ’ଣ କହୁଛ? ଶୀତ ଯେତେ ବଢୁଛି, ବଜାରରେ ସେତେ ପରିବା ଆସି ଗଦା ହେଉଛି। ଏତେ ବଡ଼ ବଡ଼ ଫୁଲକୋବି। ମେଣ୍ଢାମୁଣ୍ଡ ପରି ଓଲକୋବି। ବାଇଗଣ, ମୂଳା, ଶିମ୍ବ, କାହିଁ କେତେ କ’ଣ ପଡିଛି। ତୁମେ ପୁଣି କ’ଣ ନେବ ଚିନ୍ତା କରୁଛ? ସମୀର କହିଲା, ସେଥିପାଇଁ ତ ଚିନ୍ତାରେ ପଡିଛି। ଏଡେ ବଡ଼ ବଡ଼ ଦିଶୁଥିବା ପରିବା ନେବାକୁ ଘରେ ପୂରା ମନା କରିଛନ୍ତି। ସିଧାସିଧା କହିଛନ୍ତି- ଦେଶୀ ପାଇଲେ ଆଣିବ, ନ ହେଲେ ସେମିତି ଫେରିଆସିବ। ଅଧଘଣ୍ଟା ହେଲାଣି, ମୁଁ ଦେଶୀ ଖୋଜୁଛି। ମଦନ ଟିକିଏ ରହିଯାଇ କହିଲା, ଘରେ ଠିକ୍‌ କଥା କହିଛନ୍ତି। ଯେମିତି ଚାରିଆଡେ ପାଣି ଅଛି, କିନ୍ତୁ ପିଇବା ପାଇଁ ଶୁଦ୍ଧଜଳ ମୁନ୍ଦାଏ ମିଳିବା କଷ୍ଟକର। ସେମିତି ବଜାରରେ ପରିବା ଅଛି, କିନ୍ତୁ କିଣିବା ଆଗରୁ ଚିନ୍ତା କରିବାକୁ ପଡୁଛି। ଆଗରୁ ଏତେ ବଡ଼ ବଡ଼ କୋବି ବାଇଗଣ ମିଳୁ ନ ଥିଲା, କିନ୍ତୁ ଯାହା ମିଳୁଥିଲା ସୁଆଦିଆ ଲାଗୁଥିଲା। ଆଜିକାଲି ହରମୋନ୍‌ ଓ ସାର ଦିଆ ପରିବାରେ ସେ ସୁଆଦ ନାହିଁ। ମୋର ବି ସେଇ ସମସ୍ୟା। ମୁଁ ଦେଶୀ ପରିବା ଦି’ଟା ଖୋଜୁଛି।...

ଅବଗଣନା

ଅବଗଣନା

ଡ. ସୁବାସ ଚନ୍ଦ୍ର ପାତ୍ର/ ପିଲାଟିଏ ନୂଆକରି ଯେତେବେଳେ ପାଠପଢ଼ା ଶିଖେ ବାପା, ମା’ ଭାରି ଖୁସି ହୁଅନ୍ତି। ବିଶେଷତଃ ଗଣନା ସମ୍ବନ୍ଧୀୟ ତା’ର ଦକ୍ଷତା ସେମାନେ ବଖାଣି ବସନ୍ତି ପଡ଼ୋଶୀମାନଙ୍କୁ। ‘ପଚାରି ଦେଖ, ମୋ ପୁଅ ଗୋଟିଏ ନିଃଶ୍ୱାସରେ ଏକରୁ ଶହେ ଗଣିଦେବ।’ ଅବଶ୍ୟ ସ୍କୁଲରେ ପୁଣି ନୂଆ ପ୍ରକାର ଏକ ଗଣତି ଶିଖାଯାଏ-ଓଲଟା ଗଣତି। ଟିକିଏ ପାଠୁଆ ବାପା, ମା’ ପୁଅ ବା ଝିଅର ଏ ବାବଦ ଦକ୍ଷତା ଦେଖି ଆହୁରି ଅଧିକ ଉଲ୍ଲସିତ ହୁଅନ୍ତି ଏବଂ ପୂର୍ବଦକ୍ଷତା ସହ ଏହାକୁ ଯୋଡ଼ି ପିଲାଙ୍କର ଗୁଣଗାନ କରନ୍ତି। ଅବଶ୍ୟ ସେ ପ୍ରକାର ବାପା, ମା’ ଜାଣି ନ ଥାନ୍ତି, ମସ୍ତିଷ୍କ ଏବେ ଖାଲି, ବହୁ ଜିନିଷ ଏ ଭିତରେ ରଖିହେବ। ପାଠର ପ୍ରକୃତ ଚାପ ଆସିଲେ ଅନେକ କିଛି ମନ୍ଥର ହୋଇଯିବ ଏବଂ ବାପା, ମା’ ପିଲାଙ୍କୁ ଗୋଟିଏ ସ୍କୁଲରୁ ଅନ୍ୟ ସ୍କୁଲ ନେଇଯିବେ। ସ୍କୁଲ ବଦଳୁ ବା ନ ବଦଳୁ ପିଲାଟି ପଢ଼େ, ବଢ଼େ ଏବଂ ଦେଖେ ଜୀବନ ଗଣିତ ବହିରେ ଗଣତି ଅପେକ୍ଷା ଓଲଟା ଗଣତି ବା ଅବଗଣନା ବେଶି। ଜୀବନର ଅତି ଜଟିଳ କ୍ଷେତ୍ରରେ ସେ ଦେଖେ ଏକରୁ ଦଶ ଅପେକ୍ଷା, ଦଶରୁ ଏକ ବା ଶୂନ ଗଣନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଅଲିମ୍ପିକ୍ସ ଆସେ, ଆସେ ଏସିଆନ୍‌ ଗେମ୍ସ ବା ଏସୀୟ ଦୌଡ଼କୁଦ। ଆରମ୍ଭ ହୋଇଯାଏ ଅବଗଣନା ପର୍ବ। ଅଲିମ୍ପିକ୍ସ-୧୦୦ଦିନ, ୯୯ଦିନ, ୯୮ଦିନ...ା ଆମେ ବେଶି ଚକିତ ହେଉ କ୍ଷେପଣାସ୍ତ୍ର ପରୀକ୍ଷାରେ ଅବଗଣନା ଶୈଳୀ ଦେଖି। ପ୍ରଥମେ ଆରମ୍ଭ ହୁଏ ମାସର ଅବଗଣନା, ତା’ପରେ ଦିନ, ତା’ପରେ ଘଣ୍ଟା, ମିନିଟ୍‌ ଏବଂ ଶେଷରେ ସେକେଣ୍ଡ। ତେବେ ପ୍ରଶ୍ନ ଉଠିପାରେ ଏ ଅବଗଣନା କ’ଣ ପାଇଁ? କ୍ଷେପଣାସ୍ତ୍ର ଭଳି ଏକ ପ୍ରକଳ୍ପ ପାଇଁ ଏହା ଏକ ପ୍ରକାର ଉଚ୍ଚମାନର ପ୍ରସ୍ତୁତି ପର୍ବ। ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ପକ୍ଷକୁ ଏହା ବ୍ୟକ୍ତିଗତ ଭାବେ ସକ୍ରିୟ କରେ ଏବଂ ସୂଚେଇ ଦିଏ ଏ କାର୍ଯ୍ୟକ୍ରମ ପାଇଁ ସେ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କର କାର୍ଯ୍ୟ ଯେତେ ସାମାନ୍ୟ ହେଲେ ବି ପ୍ରକଳ୍ପର ସଫଳତା ପାଇଁ ତାଙ୍କର କେଇ ମୁହୂର୍ତ୍ତର ଧ୍ୟାନପୂର୍ଣ୍ଣ ମନୋନିବେଶ ଅତି ଜରୁରୀ।...

ଏଇ ଭାରତରେ

କୁହାଯାଏ ଲୋଭର ସୀମା ନାହିଁ। ଏଥିପାଇଁ ଅନେକ ସମୟରେ ସର୍ବସ୍ବାନ୍ତ ହୋଇ ଯାଉଥିଲେ ମଧ୍ୟ ‘ଜୀବ ଅଛି ତ, ଲୋଭ ଅଛି’ ନ୍ୟାୟରେ ଅଧିକାଂଶ ଲୋକ ଏହାକୁ ସମ୍ବରଣ କରିପାରନ୍ତି ନାହିଁ। ଲୋଭ କରି ଜଣେ ବରିଷ୍ଠ ନାଗରିକ କିପରି ୮ ଲକ୍ଷ ଟଙ୍କା ହରାଇଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ମହାରାଷ୍ଟ୍ରର କୁର୍ଲାସ୍ଥିତ ନେହେରୁ ନଗର ଅଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକ ଗୋବିନ୍ଦ ତଲଓ୍ବାରଙ୍କୁ ଏଭଳି ଠକାମିର ଶିକାର ହେବାକୁ ପଡ଼ିଛି। ୬୨ ବର୍ଷ ବୟସ୍କ ଗୋବିନ୍ଦ ଉଚ୍ଚଶିକ୍ଷିତ, ଜଣେ ପଦସ୍ଥ ଅଧିକାରୀ ଭାବେ ସେ ଅବସର ନେଇଛନ୍ତି ନିକଟରେ। ଚାକିରି କାଳ ମଧ୍ୟରେ ଭଲ ରୋଜଗାର ମଧ୍ୟ କରିଛନ୍ତି। ସେଭଳି କୌଣସି ଆର୍ଥିକ ସମସ୍ୟା ନାହିଁ ତାଙ୍କର। କିନ୍ତୁ ଅବସର ପରେ ସେ ଚାହିଁଲେ କୌଣସି ଘରୋଇ କମ୍ପାନୀରେ ଚାକିରି କରି ରୋଜଗାରକ୍ଷମ ହେବେ। ଖୋଜି ଚାଲିଲେ ଚାକିରି, ଏଥିପାଇଁ ଅନ୍‌ଲାଇନ୍‌ର ସାହାଯ୍ୟ ମଧ୍ୟ ନେଲେ। ଗୋବିନ୍ଦଙ୍କ ବୟସ ଓ ଅଭିଜ୍ଞତାକୁ ଦେଖି ଏବଂ ସେ ଚାକିରି ଆଶାୟୀ ବୋଲି ଜାଣି ତାଙ୍କ ସହ ଭାବ ଲଗାଇ ଦେଲେ ଜଣେ ବ୍ୟକ୍ତି। ପ୍ରଥମେ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିବା ପରେ ଠିକଣା ଖୋଜି ଗୋବିନ୍ଦଙ୍କ ଘରେ ପହଞ୍ଚି ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି। ଗୋବିନ୍ଦଙ୍କୁ ଏକ ଘରୋଇ କମ୍ପାନୀରେ ଚାକିରି ମିଳିବ ବୋଲି କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଲେ। ପ୍ରୋସେସିଂ ଫି ପାଇଁ କିଛି ପଇସା ମଧ୍ୟ ନେଲେ। ତା’ପରଠାରୁ ଆରମ୍ଭ ହେଲା ଶୋଷଣ...

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ଜୀବନ ସାଥୀ ବାଛିବା ଯେ କୌଣସି ସାବାଳକଙ୍କର ବ୍ୟକ୍ତିଗତ ପସନ୍ଦ। ତାହାକୁ ପ୍ରତିରୋଧ କରାଯିବାର ଅର୍ଥ ହେଉଛି ସଂପୃକ୍ତ ମହିଳା କିମ୍ବା ପୁରୁଷଙ୍କର ମୌଳିକ ଅଧିକାରର ଉଲ୍ଲଂଘନ । ଅନେକ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ ଏହିଭଳି ପସନ୍ଦର ବିବାହ ଆଗରେ ପ୍ରତିବନ୍ଧକ ହୋଇ ଛିଡାହେଉଛି । ପରିବାର ଏବଂ ସମାଜରୁ ବିରୋଧର ସ୍ବର ଶୁଣିବାକୁ ମିଳୁଛି। ଉତ୍ତରଭାରତର ବର୍ବର ସଂସ୍କୃତିର ଅନ୍ୟତମ ପରିଚୟ ଖାପ୍‌ ପଞ୍ଚାୟତ ଆନ୍ତଃଜାତି ବିବାହକୁ ସ୍ବୀକୃତି ଦେଉନାହିଁ । ଯାହା ଫଳରେ ଏହି ଅଣସ୍ବୀକୃତ ସଂସ୍ଥା ଦ୍ୱାରା ଆନ୍ତଃଜାତି ବିବାହ କରିବାକୁ ଯାଉଥିବା ମହିଳା ପୁରୁଷ ଦଣ୍ଡିତ ହେଉଛନ୍ତି। ସେହି ଦଣ୍ଡର ମାତ୍ରା ଅଧିକାଂଶ ସମୟରେ ଅତ୍ୟଧିକ ହୋଇପଡୁଛି। ସାଧାରଣତଃ ଝିଅର ପରିବାର ନବବିବାହିତ ଦମ୍ପତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପର୍ଯ୍ୟନ୍ତ କଥା ଯାଉଛି। ୨୦୧୮ ଜାନୁୟାରୀ ୧୬ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇ ଖାପ୍‌ ପଞ୍ଚାୟତ କିମ୍ବା କୌଣସି ସଂଗଠନର ଏଭଳି ଦଣ୍ଡବିଧାନକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ବର୍ଣ୍ଣନା କରିଛନ୍ତି । ....

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ଡ. ସନ୍ତୋଷ କୁମାର ମହାପାତ୍ର/ ବର୍ତ୍ତମାନ ଯେଉଁମାନେ ଦେଶରେ ଶାସନ କରୁଛନ୍ତି ଏବଂ ରାମମନ୍ଦିର କଥା ବାରମ୍ବାର କହୁଛନ୍ତି ସେମାନେ କାର୍ଯ୍ୟରେ ରାମଙ୍କ ଆଦର୍ଶ ଅନୁସରଣ କରୁନାହାନ୍ତି। ଅଧିକାଂଶ ଗଣମାଧ୍ୟମକୁ ନିଜ ସପକ୍ଷରେ ପ୍ରଚାର ପାଇଁ ଚାପ ସୃଷ୍ଟି କରୁଛନ୍ତି। ଏ କଥା ଆମେ କହୁନାହୁଁ। ‘ରିପୋର୍ଟର୍ସ ଉଇଦାଉଟ୍‌ ବୋର୍ଡର୍ସ’ (ଆର୍‌ଡବ୍ଲ୍ୟୁବି) ଦ୍ୱାରା ପ୍ରସ୍ତୁତ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ୨୦୧୭ରେ ଏହା ପ୍ରକାଶ ପାଇଛି। ଅତ୍ୟନ୍ତ ଚିନ୍ତାର ବିଷୟ ଗଣମାଧ୍ୟମରେ ସ୍ବାଧୀନତା ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୬, ଅର୍ଥାତ୍‌ ୧୩୫ଟି ଦେଶ ତଳେ। ଏହି ପ୍ରକ୍ରିୟାରେ ସମାଜର ଅବହେଳିତ ଜନତାଙ୍କ ସ୍ବର ନିଷ୍ପ୍ରଭ ହୋଇଯାଉଛି। ଧନିକ ଶ୍ରେଣୀ ପ୍ରଚୁର ସମ୍ପଦ ଠୁଳ କଲାବେଳେ ଗରିବ, ଅବହେଳିତ ଶ୍ରେଣୀର ଦୁଃଖକଥା କହିବାକୁ ବା ଦୂର କରିବାକୁ କ୍ୱଚିତ୍‌ ଲୋକ ବାହାରୁଛନ୍ତି। ଜଣେ ଯଦି ଗରିବ, ସାଧାରଣ ଜନତାଙ୍କ ସମସ୍ୟା କଥା କହିବ ତାହାର ମତାମତ ଅନେକ କ୍ଷେତ୍ରରେ ସରକାର ତଥା ପ୍ରତିପତ୍ତିଶାଳୀଙ୍କ ବିରୁଦ୍ଧରେ ଯିବ। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ପ୍ରଧାନ ସେବକ ଭାବେ ଅଭିହିତ କରିଥାନ୍ତି। କିନ୍ତୁ ତାଙ୍କ ଦଳ ତଥା କର୍ମୀମାନେ କାହିଁକି ସମାଲୋଚନାକୁ ବରଦାସ୍ତ କରୁନାହାନ୍ତି। ସମାଲୋଚନା ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିଥାଏ। ସମାଲୋଚନା ସକାରାତ୍ମକ ବା ନକାରାତ୍ମକ ହେଉ ସେଥିରେ ଜଣେ ଦେଶସେବକ ବା ଦଳୀୟ ନେତା ବ୍ୟତିବ୍ୟସ୍ତ ହେବାର କିଛି ନାହିଁ। ବରଂ ସମାଲୋଚନା ମାଧ୍ୟମରେ ନିଜର ତ୍ରୁଟି ଜାଣି ତାକୁ ସୁଧାରିବା ପାଇଁ ପ୍ରୟାସ କରିବା ଉଚିତ। ସମାଲୋଚନାକୁ ଭୟ ଅର୍ଥ କ୍ଷମତା ହରାଇବାର ଭୟ। କାଳେ ଲୋକେ ଦୋଷତ୍ରୁଟି ଜାଣିଲେ ପୁନର୍ବାର ନିର୍ବାଚିତ କରିବେ ନାହିଁ!...

ରୋହିଙ୍ଗ୍ୟା ଶରଣାର୍ଥୀ

ରୋହିଙ୍ଗ୍ୟା ଶରଣାର୍ଥୀ

ଶରତଚନ୍ଦ୍ର ମିଶ୍ର/ ଭାରତବର୍ଷରେ ବର୍ତ୍ତମାନ ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ମୁସଲମାନ ଅଛନ୍ତି। ମୁଖ୍ୟତଃ ପଶ୍ଚିମବଙ୍ଗରେ ସେମାନେ ଆସ୍ଥାନ ଜମାଇଥିଲେ ମଧ୍ୟ ଜମ୍ମୁରେ ପ୍ରାୟ ୫୦୦୦ ରୋହିଙ୍ଗ୍ୟା ଅଛନ୍ତି। ଭାରତ ସରକାର ସେମାନଙ୍କୁ ବେଆଇନ ଅନୁପ୍ରବେଶକାରୀ ଘୋଷଣା କରି ଦେଶରୁ ବିତାଡ଼ନ କରିବାକୁ ଚାହୁଁଥିଲାବେଳେ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଶରଣାର୍ଥୀ ବିବେଚନା କରିବାକୁ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ଦେଶର ଦକ୍ଷିଣପଶ୍ଚିମରେ ଅବସ୍ଥିତ ରାଖାଇନ୍‌ ରାଜ୍ୟରେ ବାସ କରନ୍ତି। ମ୍ୟାନ୍‌ମାର ସରକାର ସେମାନଙ୍କୁ ନାଗରିକ ବୋଲି ଗ୍ରହଣ କରନ୍ତି ନାହିଁ। ଫଳତଃ ସେମାନେ ଦେଶବିହୀନ ବ୍ୟକ୍ତି। ମ୍ୟାନ୍‌ମାର ସରକାରଙ୍କ ମତରେ ଏମାନେ ବର୍ମା ଭାରତର ଅଂଶବିଶେଷ ଥିବା ସମୟରେ ବଙ୍ଗ ପ୍ରଦେଶରୁ ଏକକାଳୀନ ବର୍ମା ପ୍ରଦେଶକୁ ଚାଲିଆସିଥିଲେ, ତେଣୁ ସେମାନେ ବର୍ତ୍ତମାନର ବାଂଲାଦେଶର ଅଧିବାସୀ ଓ ସେଠାକୁ ଫେରିଯିବା ଉଚିତ। ବାଂଲାଦେଶ ସରକାର ଏ ଯୁକ୍ତି ଗ୍ରହଣ କରନ୍ତି ନାହିଁ। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ସରକାରଙ୍କ ସଙ୍ଗେ ଆରାକାନ୍‌ ରୋହିଙ୍ଗ୍ୟା ସାଲଭାଶନ ଆର୍ମି ନାମରେ ଏକ ବାହିନୀ ଗଠନ କରି ଗେରିଲା ଯୁଦ୍ଧରେ ବ୍ୟାପୃତ ଅଛନ୍ତି ଓ ମ୍ୟାନ୍‌ମାର ସରକାରଙ୍କ ମିଲିଟାରୀ ଚାପରେ ବାଂଲାଦେଶ (୯ଲକ୍ଷ) ଓ ମାଲେସିଆ (୧୪ ଲକ୍ଷ)କୁ ପଳାୟନ କରିଛନ୍ତି। ବାଂଲାଦେଶକୁ ଆସିଥିବା ରୋହିଙ୍ଗ୍ୟାମାନଙ୍କ ମଧ୍ୟରୁ କେତେକ ବାଂଲାଦେଶୀ ମୁସଲମାନଙ୍କ ସଙ୍ଗରେ ମିଶି ଭାରତରେ ବେଆଇନ ଭାବରେ ଅନୁପ୍ରବେଶ କରୁଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ନିଶା ମଣିଷକୁ ନିୟନ୍ତ୍ରଣ ବାହାରକୁ ନେଇଯାଏ। ପରିସ୍ଥିତି ଏମିତି ଉପୁଜେ ଯେ କେତେକେ ହିତାହିତ ଜ୍ଞାନ ଭୁଲିଯାଇ ଅନ୍ୟମାନଙ୍କୁ ହତ୍ୟା କରିବାକୁ ପଛାଇ ନ ଥାନ୍ତି। ତାମିଲନାଡୁର କୋଏମ୍ବାଟୁର ସହର ଥାଡ଼ାଗାମ୍‌ଠାରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୨୭ ବର୍ଷୀୟ ଦୀପସ୍ବରୂପ। ଅଧାରୁ ପାଠ ଛାଡ଼ିଥିବା ଏହି ଯୁବକ ଜଣକ ବେକାର ଜୀବନ ବିତାଉଛନ୍ତି। ପରିବାର କହିଲେ ସେ, ତାଙ୍କ ମାତା ଓ ପିତାଙ୍କୁ ବୁଝାଉଥିଲା। ତାଙ୍କ ପିତା ୫୮ ବର୍ଷୀୟ କେ. ସେଲ୍‌ଭାରାଜ ଥିଲେ ଜଣେ ବଣିଆ। କିନ୍ତୁ ସେ ଆଉ ବଣିଆ କାମ ନ କରି ଥାଡ଼ାଗାମ୍‌ଠାରେ ଦୁଇଟି ଘର ଭଡ଼ାରେ ଦେଇ ଚଳନ୍ତି। ଭଡ଼ାରୁ ମିଳୁଥିବା ଅର୍ଥରେ ଘର ଚଳୁଥିଲା। କିଛି ମାସ ପୂର୍ବରୁ ସେଲ୍‌ଭାରାଜଙ୍କ ସ୍ତ୍ରୀ ଆମେରିକାରେ ଥିବା ଝିଅଙ୍କ ପାଖକୁ ସମୟ କଟାଇବାକୁ ଯାଇଛନ୍ତି। ରାୟାପ୍ପାପୁରମ୍‌ ସେକେଣ୍ଡ ଷ୍ଟ୍ରୀଟ୍‌ରେ ଥିବା ଘରର ପ୍ରଥମ ମହଲାରେ ପିତା ଓ ପୁତ୍ର ରହୁଥିଲେ। ଉଭୟେ କାମକୁ ନ ଯାଇ ଭଡ଼ାରୁ ମିଳୁଥିବା ଟଙ୍କା ଖର୍ଚ୍ଚ କରୁଥିଲେ। ଦୁଇ ଜଣ ମଧ୍ୟ ନିଶାସକ୍ତ। ତେବେ ଅଘଟଣର ସୂତ୍ରପାତ ଦୁଇ ସପ୍ତାହ ତଳୁ ଆରମ୍ଭ ହୋଇଥିଲା। ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ରାତିରେ କ୍ରମାଗତ ପରିସ୍ରା କରିଚାଲୁଥିଲେ। ଗତ ରବିବାର ରାତି ପ୍ରାୟ ଦୁଇଟା ବେଳେ ପୂର୍ବଭଳି ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ପରିସ୍ରା କରିଦେଇଥିଲେ। ...