ଅଦିନିଆ ମେଘ...


ବର୍ତ୍ତମାନ ଚାଲିଥିବା ଅଦିନିଆ ମେଘରେ ନା କେବଳ ଶୀତ ବୃଦ୍ଧି ହୋଇଛି ଅବା ପାଣି କାଦୁଅରେ ବାହାରକୁ ବାହାରିବାରେ ଅସୁବିଧା ସୃଷ୍ଟି କରୁଛି ବରଂ ଥଣ୍ଡା ସାଙ୍ଗକୁ ବର୍ଷାପାଣିର କମ୍ବିନେଶନ ଅଧିକାଂଶଙ୍କଠାରେ ସ୍ବାସ୍ଥ୍ୟ ସମସ୍ୟା ବି ବଢାଉଛି...

ଭଳିକି ଭଳି ସୌଖୀନ ଶୀତବସ୍ତ୍ର ପିନ୍ଧି ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇବା ସାଙ୍ଗକୁ ସାଙ୍ଗସାଥୀଙ୍କ ସହ ପିକ୍‌ନିକ୍‌ ଏବଂ ବୁଲାବୁଲିର ମଜା ନେବା ଲାଗି ଯୁବପିଢି ଚାହିଁ ରହିଛନ୍ତି ଶୀତଦିନକୁ। ଆଉ ଏମିତିରେ ଶୀତ ଆରମ୍ଭରୁ ହଠାତ୍‌ ଲଘୁଚାପଜନିତ ବର୍ଷା ନା କେବଳ ବାହାରକୁ ବାହାରିବା ମୁସ୍କିଲ କରି ସେମାନଙ୍କ ଏସବୁ ପ୍ଲାନ୍‌ରେ ବାଧକ ସାଜୁଛି ବରଂ ଶୀତ ସାଙ୍ଗକୁ ବର୍ଷାପାଣି ସେମାନଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବି ସୃଷ୍ଟି କରୁଛି। ଯାହାକୁ ଏଡାଇବା ଲାଗି ସତର୍କତା ଅବଲମ୍ବନ କରିବା ଆବଶ୍ୟକ....

- ସାଧାରଣତଃ ଶୀତ ଆସିଲେ ପାଣିପାଗ ବଦଳିବା ଯୋଗୁ ଅଧିକାଂଶଙ୍କଠାରେ ଶରୀର ଶୁଷ୍କ ହୋଇଯିବା, ଶିରା ପ୍ରଶିରା ସଂକୁଚିତ ହୋଇଯିବା ସହ ରୋଗ ପ୍ରତିରୋଧକ ଶକ୍ତି କମିବା ଫଳରେ ଥଣ୍ଡା, ଜ୍ୱର ଭଳି ରୋଗ ଦେଖାଦେଇଥାଏ। ଆଉ ଏମିତିରେ ଅଦିନିଆ ବର୍ଷା ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏଥିପାଇଁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ଏହାକୁ ଏଡେଇବା ଲାଗି ସର୍ବପ୍ରଥମେ ଯଥା ସମ୍ଭବ ବର୍ଷାପାଣି ସଂସ୍ପର୍ଶରେ ଆସିବାଠାରୁ ନିଜକୁ ବଞ୍ଚାନ୍ତୁ। ବାହାରକୁ ବାହାରିବା ସମୟରେ ଉଭୟ ବର୍ଷା ପାଣି ଏବଂ ଶୀତରୁ ରକ୍ଷା ପାଇବା ଲାଗି ମୁଣ୍ଡ ଏବଂ ଦେହକୁ ଭଲଭାବେ ଘୋଡାଇ ରଖନ୍ତୁ।

- ଶୀତଦିନେ ଅନେକଙ୍କଠାରେ ଜଳୀୟାଂଶ କମିଯାଇ ଶରୀର ଅଧିକ ଶୁଷ୍କ ହେବା, ଚର୍ମ ପାଉଁଶିଆ ଦେଖାଯିବା, ଗୋଡ, ହାତ, ଓଠ ଆଦି ଫାଟିବା, କୁଣ୍ଡାଇହେବା ଭଳି ସମସ୍ୟା ଦେଖାଯାଏ। ହେଲେ ଏହିଦିନେ ବର୍ଷାରେ ଏହି ସମସ୍ୟା ଅଧିକ ବଢିଯାଏ। ଏହାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳ ଅଧିକ ଶୁଷ୍କ ଥିବାରୁ ଧୂଳିକଣା ଆକାରରେ ଥିବା କାର୍ବନ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସାଇଡ୍‌, ସଲ୍‌ଫର ମ୍ୟାଗ୍ନେଟିଆଜିମ୍‌, ଭାଇରସ୍‌, ବ୍ୟାକ୍ଟେରିଆ ଭଳି ବିଷାକ୍ତ ପଦାର୍ଥ ରହିଥାଏ, ଯାହାକି ବର୍ଷା ଆକାରରେ ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା କୁଣ୍ଡାଇହେବା, ଫଳିଯିବା, ସ୍କିନ୍‌୍‌ ଆଲର୍ଜି, ଫଙ୍ଗାଲ୍‌ ଇନ୍‌ଫେକ୍ସନ ଭଳି ଚର୍ମରୋଗ କରାଇଥାଏ। ତେଣୁ ବର୍ଷା ପାଣି ଏବଂ ଶୀତୁଆ ଥଣ୍ଡା ପବନ ସଂସ୍ପର୍ଶରେ ନ ଆସିବା ଲାଗି ଚେଷ୍ଟା କରନ୍ତୁ। ତା’ଛଡା ଏଭଳି ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ବର୍ଷାରେ ଭାରି ପୋଷାକ, ଫୁଲ୍‌ ଜୋତା ସାଙ୍ଗକୁ ଶୀତ ବସ୍ତ୍ର ବ୍ୟବହାର କରିବା କଷ୍ଟ ହେଉଥିବାରୁ ଥଣ୍ଡା ପବନ ବାଜି ଥଣ୍ଡା, ଜ୍ୱର, କାଶ ଆଦି ସମସ୍ୟା ବଢିଥାଏ। ଏଣେ ପାଣି ଲାଗି ପୋଷାକ ସହଜରେ ନ ଶୁଖିବା କାରଣରୁ ଚର୍ମ ରୋଗ ବିଶେଷ କରି ଫଙ୍ଗାଲ ଇନ୍‌ଫେକ୍ସନ ଦେଖାଦେଇଥାଏ। ତେଣୁ ଏଭଳି ସମସ୍ୟା ଦୂର କରିବା ଲାଗି ଏସବୁ ବ୍ୟବହାର କରିବା ସହିତ ପ୍ରତିଦିନ ରାତିରେ ଉଷୁମ ଶୋରିଷ ତେଲ ପାଦରେ ମସାଜ କରୁନ୍ତୁ। ଆଙ୍ଗୁଠି ଫାଙ୍କଗୁଡିକରେ ଭେସ୍‌ଲିନ୍‌ ଲଗାନ୍ତୁ। ଗାଧୋଇବା ବେଳେ ତେଲ କିମ୍ବା ବଡି ଲୋଶନ ଲଗାନ୍ତୁ।

- ଏମିତିରେ ଶୀତଦିନେ ଅଧିକାଂଶ ଯୁବତୀ ଯୁବକଙ୍କ ଲାଗି କେଶ ଶୁଷ୍କ ହେବା, ରୁପି ହେବା ଏକ ବଡ ସମସ୍ୟା ପାଲଟେ। ଆଉ ଏ ସମୟରେ ଅଦିନିଆ ବର୍ଷା ହେବା ଯୋଗୁ ମୁଣ୍ଡରେ ପାଣି ପଡିବା ଦ୍ୱାରା ରୁପି ସହ ବିଭିନ୍ନ ଫଙ୍ଗାଲ ଇନ୍‌ଫେକ୍ସନ ହୋଇ କେଶ ଝଡିବା ଆଶଙ୍କା ବୃଦ୍ଧି ପାଇଥାଏ। ଯାହାକୁ ଦୂର କରିବା ଲାଗି କେଶ ଓଦା ହେବାକୁ ଦିଅନ୍ତୁ ନାହିଁ ଏବଂ ଯଦି ଓଦା ହେଇଯାଏ ତେବେ ସଙ୍ଗେ ସଙ୍ଗେ ପୋଛିଦିଅନ୍ତୁ। ଏହା ବ୍ୟତୀତ କେଶମୂଳେ ନିୟମିତ ସମୟ ଅନ୍ତରାଳରେ ତେଲ ମସାଜ କରନ୍ତୁ। ଭିଟାମିନ୍‌ ବି6, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ଥିବା ଖାଦ୍ୟ ବିଶେଷ କରି କଦଳୀ, ସେଓ, ଅମୃତଭଣ୍ଡା ଭଳି ଫଳ ଖାଆନ୍ତୁ।

- ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ହେଉଥିବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବା ସିଜନାଲ୍‌ ଇଫେକ୍ଟିଭ୍‌ ଡିସ୍‌ଅର୍ଡରଠାରୁ ନିଜକୁ ଦୂରେଇ ରଖିବା ଲାଗି ଖାଦ୍ୟପେୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ବିଶେଷ କରି ପ୍ରଚୁର ପରିମାଣରେ ଭିଟାମିନ୍‌ ଡି’ର ତତ୍ତ୍ବ ଏବଂ ଓମେଗା-3 ଫ୍ୟାଟି ଏସିଡ୍‌ ଏଦିନେ ଶରୀର ପାଇଁ ବେଶ୍‌ ଜରୁରୀ। ଏଥିପାଇଁ ମାଛ ଖାଆନ୍ତୁ। ତେଲ ମସଲା ଯୁକ୍ତ ଖାଦ୍ୟ କିମ୍ବା ବଜାରରେ ମିଳୁଥିବା ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପରିବର୍ତ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ସୁଷମ ଆହାର ଗ୍ରହଣ କରନ୍ତୁ। ବିଶେଷକରି ପ୍ରୋଟିନ୍‌, ଆଇରନ୍‌, ଜିଙ୍କ୍‌, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସହିତ ଋତୁଭିତ୍ତିକ ସବୁଜ ପନିପରିବା, ଫଳ ଓ ଶାଗ ଭଳି ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈଘିଅକୁ ସାମିଲ କରନ୍ତୁ। ଯଦି କାଶ ହୁଏ ତେବେ ସକାଳୁ ଖାଲିପେଟରେ ଅଦାରସ, ମହୁ କିମ୍ବା ତୁଳସୀ ରସ, ମହୁ ଖାଆନ୍ତୁ ା ଉଷୁମ କ୍ଷୀର ପିଇବା ଦ୍ୱାରା ମଧ୍ୟ ଆପଣ ଉପକୃତ ହେବେ। ରସୁଣ ମଧ୍ୟ ଖାଇବା ଏଦିନେ ବେଶ୍‌ ଉପକାରୀ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

କ’ଣ କରନ୍ତି ଏମାନେ... ଶୁଭଶ୍ରୀ ମହାରଣା(ଫ୍ୟାଶନ୍‌ ଡିଜାଇନିଂ ଛାତ୍ରୀ, ଭୁବନେଶ୍ୱର)- ବର୍ତ୍ତମାନ ଅଦିନିଆ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷା ସମସ୍ତଙ୍କ ଲାଗି ଅସୁବିଧାର କାରଣ ସାଜିଛି। ଶୀତ ସମୟରେ ଏଭଳି ବର୍ଷା ଯୋଗୁ ଆମ ଭଳି ଛାତ୍ରୀଛାତ୍ରଙ୍କ ଲାଗି ବେଶି ଅସୁବିଧା ହେଉଛି। ତା’ଛଡା ସ୍ବାସ୍ଥ୍ୟ ସମସ୍ୟା ବି ଦେଖାଦେଉଛି। ଏଥିରୁ ନିଜକୁ ଦୂରେଇ ରଖିବା ଲାଗି ବିଭିନ୍ନ ସତର୍କତା ଅବଲମ୍ବନ କରୁଛି।

ଜ୍ଞାନରଞ୍ଜନ ସେଠ(ମାଟିଆପୋଖରୀ, ଖୋର୍ଦ୍ଧା)- ଶୀତଦିନେ ଅଦିନିଆ ବର୍ଷା ହେବା ଦ୍ୱାରା ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଭଳି ପରିସ୍ଥିତି ଆସିଲେ ସ୍ବାସ୍ଥ୍ୟ ସମସ୍ୟା ନ ଉପୁଜିବା ଲାଗି ପୋଷାକଠୁ ଆରମ୍ଭ କରି ଖାଦ୍ୟପେୟ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦେଇଥାଏ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri